ଡ ସମନ୍ୱୟ ନନ୍ଦ
କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭଲର ତଥାକଥିତ ଜାମା ମସଜିଦର ସର୍ଭେ କରିବାକୁ ଯାଇଥିବା ଟିମ୍ ଉପରେ ହୋଇଥିବା ଆକ୍ରମଣ ଓ ପରବର୍ତ୍ତୀ ହିଂସା ଘଟଣାକୁ ଶହେଦିନ ବିତିଯାଇଛି । ଏହି ଶହେଦିନ ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ସେଠାକାର ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ସହ ସମ୍ଭଲ ଅଞ୍ଚଳର ପୁରାତନ ଐତିହ୍ୟର ପୁନଃସ୍ଥାପନା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ଭଲ ଅଞ୍ଚଳର ୪୧ଟି ତୀର୍ଥସ୍ଥଳ ଓ ୧୯ଟି ପୁରାତନ ପବିତ୍ର କୂଅର ପୁନରୁଦ୍ଧାର କରାଯାଇଛି । ଏହି ଅଞ୍ଚଳକୁ ହିନ୍ଦୁବିହୀନ କରିବା ପରେ ଏହି ପବିତ୍ର ସ୍ଥାନଗୁଡ଼ିକ ଉପରେ କଟ୍ଟରପନ୍ଥୀ ମୁସଲମାନମାନଙ୍କ ଦ୍ୱାରା କବଜା କରି ନିଆଯାଇଥିଲା । ଯୋଗୀ ସରକାରଙ୍କ ପୋଲିସ ଓ ପ୍ରଶାସନ ଏହି ପବିତ୍ର ସ୍ଥାନଗୁଡ଼ିକୁ ଜବର ଦଖଲରୁ ମୁକ୍ତ କରିଛି ।
ସମ୍ଭଲରେ ଯେଭଳି ଘଟଣା ଘଟିଥିଲା ଓ ବର୍ତ୍ତମାନ ଯାଏ ଯେପରି ଭାବରେ ଯୋଗୀ ସରକାର କାମ କରିଛନ୍ତି ତାହାର ବାସ୍ତବରେ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ସମ୍ଭଲରେ ଘଟିଥିବା ଘଟଣା ସମସ୍ତଙ୍କର ମନେଥିବ । ସେଦିନ ଥିଲା ନଭେମ୍ବର ମାସର ଶେଷ ସପ୍ତାହର ରବିବାର । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମ୍ଭଲର ତଥାକଥିତ ଜାମା ମସଜିଦରେ ସକାଳ ୯ଟାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ହିନ୍ଦୁମାନଙ୍କ ପକ୍ଷରୁ ଏହାକୁ ହରିହର ମନ୍ଦିର ବୋଲି ଦାବି କରାଯାଉଥିବା କାରଣରୁ ଏହାକୁ ନେଇ କୋର୍ଟ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସକାଳ ସମୟରେ ଯେତେବେଳେ ସର୍ଭେ କରିବାକୁ ଟିମ ମସଜିଦ ପହଞ୍ଚିଥିଲା ସେତେବେଳେ ହଠାତ୍ ଶହ ଶହ ସଂଖ୍ୟାରେ ଇସଲାମୀ ଭିଡ଼ ସେଠାରେ ପହଞ୍ଚି ପଥର ଫିଙ୍ଗିବା ଆରମ୍ଭ କରି ଦେଇଥିଲେ । ଏହି ଇସଲାମୀ ଭିଡ଼ ମଧ୍ୟରେ ନାବାଳକମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ମଧ୍ୟ ସାମିଲ ଥିଲେ । ପୋଲିସ ପ୍ରଶାସନକୁ ସ୍ଥିତିକୁ ନିୟନ୍ତ୍ରିତ କରିବାକୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା । ଲାଠିଚାର୍ଜଠାରୁ ଆରମ୍ଭ କରି ଟିୟର ଗ୍ୟାସର ପ୍ରୟୋଗ କରିବାକୁ ପଡ଼ିଥିଲା । ସଙ୍ଗେ ସଙ୍ଗେ ଏହି ଉପଦ୍ରବକୁ ରୋକିବାକୁ ପିଏସି ଓ ରାପିଡ ଆକ୍ସନ ଫୋର୍ସର ଅତିରିକ୍ତ ଯବାନଙ୍କୁ ମୁତୟନ କରିବାକୁ ପଡ଼ିଥିଲା ।
ଭିଡ଼ ଉପରେ ଗୁଳିଚାଳନା ମଧ୍ୟ କରାଯାଇଥିଲା । ଏହି ଗୁଳିରେ ଅନେକ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ପ୍ରଶାସନ ଏହି ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳତାର ସହ ନେଇଥିଲା । ପ୍ରଥମେ କୋର୍ଟ ନିର୍ଦ୍ଦେଶରେ ସର୍ଭେ କରିବାକୁ ଯାଇଥିବା ଟିମ୍କୁ ସୁରକ୍ଷିତ ବାହାର କରାଯିବା ସହ ପରେ ଏହି ମାମଲାକୁ ନିୟନ୍ତ୍ରିତ କରାଯାଇଥିଲା ।
ସମ୍ଭଲ କେବେ ହିନ୍ଦୁମାନଙ୍କର ଏକ ପ୍ରମୁଖ ତୀର୍ଥ ସ୍ଥଳୀ ଥିଲା । ସେଠାରେ ଅନେକ ମନ୍ଦିର, ପବିତ୍ର କୂଅ ଆଦି ରହିଥିଲା । ସ୍ଥାନୀୟ ମାନ୍ୟତା ରହିଛି ଯେ ସମ୍ଭଲରେ ଭଗବାନ କଳ୍କୀ ଅବତାରଭାବେ ଜନ୍ମଗ୍ରହଣ କରିବେ । କିନ୍ତୁ ଗତ କିଛିବର୍ଷ ଧରି ସମ୍ଭଲରେ ଧାର୍ମିକ ଜନସଂଖ୍ୟାରେ ପରିବର୍ତ୍ତନ ଘଟିଛି । ସେଠାରେ ଧାର୍ମିକ ଜନସଂଖ୍ୟା ପରିବର୍ତ୍ତନ କାରଣରୁ ସ୍ଥାନୀୟ ହିନ୍ଦୁମାନେ ଏହି ଅଞ୍ଚଳରୁ ପଳାୟନ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି ଯେ ସମ୍ଭଲରେ ଯେଉଁ ସର୍ଭେ କରାଯାଉଥିଲା ତାହା ପ୍ରଶାସନ କରୁନଥିଲା ବରଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କରାଯାଉଥିଲା । ତେବେ ଏହି ସର୍ଭେ ବିରୁଦ୍ଧରେ ଶହ ଶହ ସଂଖ୍ୟାରେ ଲୋକ ଏକାଠି ହୋଇ ପଥର ମାଡ଼ କାହିଁକି କରୁଥିଲେ ? ଏହି ଭିଡ଼ କ’ଣ ସକାଳୁ ସକାଳୁ ସ୍ୱତଃ ପ୍ରବୃତଭାବେ ଏକାଠି ହୋଇଥିଲା ନା ଏହି ଭିଡ଼କୁ କିଏ ଏକାଠି କରିବାକୁ ଆବଶ୍ୟକୀୟ ଯୋଜନା କରିଥିଲା । ଦେଶ- ବିଦେଶରେ ଅନେକ ସ୍ଥାନରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳେ ଯେ, ପ୍ରଶାସନକୁ ଚାପଗ୍ରସ୍ତ କରିବାକୁ ଏଭଳି ଭିଡ଼କୁ ରାସ୍ତାକୁ ଓହ୍ଲାଇ ଦିଆଯାଏ । ଭିଡ଼କୁ ଦେଖିବା ପରେ ପ୍ରଶାସନ ଚାପର ଶୀକାର ହୋଇଯାଏ ଓ ନ୍ୟାୟ ପ୍ରଦାନ କରିବାକୁ ଯାହା କରିବା ଆବଶ୍ୟକ, ପ୍ରଶାସନ ତାହା କରିପାରେନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ହେବାର ଆଶଙ୍କାରର ଆଳ ଦେଖାଇ ପ୍ରଶାସନ ଚୁପ୍ ବସିଯାଏ । ଦେଶରେ ଅନେକ ସମୟରେ ଓ ଅନେକ ସ୍ଥାନରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳିଛି ଯେତେବେଳେ ଉଗ୍ର ଭିଡ୍ ରାସ୍ତାକୁ ଆସିଯିବା କାରଣରୁ ପ୍ରଶାସନ ଚାପର ଶୀକାର ହୋଇଯାଏ ଓ ଯାହା କରିବା ଆବଶ୍ୟକ ତାହା କରେ ନାହିଁ । ସମ୍ଭଲରେ ମଧ୍ୟ ଏହି ଇସ୍ଲାମୀ ଭିଡ଼କୁ ରାସ୍ତାକୁ ଓହ୍ଲାଇବା ପଛରେ ଯେଉଁ ଶକ୍ତିମାନେ ରହିଥିଲେ ସେମାନଙ୍କର ମଧ୍ୟ ସେହି ଉଦ୍ଦେଶ୍ୟ ଥିଲା । ପ୍ରଶାସନ ଉପରେ ଚାପ ପ୍ରୟୋଗ କରି ତଥାକଥିତ ମସଜିଦର ସର୍ଭେକୁ ରୋକିବା ଓ ସମ୍ଭଲ ସହରରେ ଥିବା ଐତିହ୍ୟଗୁଡ଼ିକ ଉପରେ କିଭଳି ଖୋଳତାଡ଼ ନ ହେବ ତାହା ସୁନିଶ୍ଚିତ କରିବା । ଅନ୍ୟ କେଉଁରାଜ୍ୟ ହେଲେ ଏହି ଅରାଜକ ତତ୍ତ୍ୱମାନେ ସେମାନଙ୍କର ପ୍ରଚେଷ୍ଟାରେ ସଫଳ ହୋଇଯାଇଥାନ୍ତେ । ହେଲେ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ଥିବା କାରଣରୁ ସେମାନଙ୍କର ଉଦ୍ଦେଶ୍ୟରେ ସଫଳ ହୋଇପାରିନାହିଁ ।
ସମ୍ଭଲରେ ନଭେମ୍ବର ୨୪ ତାରିଖ ଦିନ ଯେଉଁ ଅରାଜକତା ଦେଖାଦେଇଥିଲା ତା’ ପଛରେ ଗଭୀର ଷଡ଼ଯନ୍ତ୍ର ଥିବାର ପ୍ରମାଣ ପରବର୍ତ୍ତୀ ଯାଞ୍ଚରେ ମିଳିଥିଲା । ସେଠାରେ ବ୍ୟବହାର କରାଯାଇଥିବା ଗୁଳି ମଧ୍ୟ ପାକିସ୍ତାନର ବୋଲି ଜଣାପଡ଼ିଥିଲା । ଏହି ସତ୍ୟ ସାମନାକୁ ଆସିବା ପରେ ଏହି ମାମଲାର ବିଦେଶୀ କନେକ୍ସନକୁ ନେଇ ମଧ୍ୟ ପୋଲିସ ଯାଞ୍ଚ ଜାରୀ ରଖିଛି ।
ସମ୍ଭଲରେ ଇସ୍ଲାମୀ କଟ୍ଟରପନ୍ଥୀମାନେ ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଆସିଛନ୍ତି । ୧୯୭୮ ମସିହାରେ ହିନ୍ଦୁମାନଙ୍କ ଉପରେ ଯେପରି ଆକ୍ରମଣ କରାଯାଇଥିଲା ଓ ପୋଲିସ ଆକ୍ରମଣକାରୀମାନଙ୍କୁ ଧରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେଇଥିଲା । ତା’ ପରେ ଏହି ଅଞ୍ଚଳରୁ ହିନ୍ଦୁମାନେ ପଳାୟନ କରିଥିଲେ । ଅଞ୍ଚଳ ସମ୍ପୂର୍ଣ୍ଣ ହିନ୍ଦୁବିହୀନ ହୋଇଯାଇଥିଲା । ତେଣୁ ଏଥର ମଧ୍ୟ କଟ୍ଟରପନ୍ଥୀ ମୁସଲମାନମାନେ ସେଇଆ କରିବେ ବୋଲି ଭାବୁଥିଲେ । ଅରାଜକତା ସୃଷ୍ଟିକାରୀମାନଙ୍କ ମନରେ ଥିଲା ଯେ ସେମାନେ ରାସ୍ତାରେ ଉଗ୍ର ଭିଡ଼ ପ୍ରଦର୍ଶନ କରି ଓ ପଥର ଫିଙ୍ଗି ପ୍ରଶାସନକୁ ଚାପରେ ଚେପା କରିଦେବେ ଓ ସେମାନେ ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ଯୋଗୀ ପ୍ରଶାସନ ସେମାନଙ୍କୁ ଭୁଲ ପ୍ରମାଣିତ କରିଛି । ଯୋଗୀଙ୍କ ପୋଲିସ ଅରାଜକତା ସୃଷ୍ଟିକାରୀଙ୍କୁ ଚିହ୍ନଟ କରି ଜେଲ ପଠାଇବାରେ ଲାଗିଛି । ଏହି ମାମଲା ପରେ ପୋଲିସ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ୩ ଶହରୁ ୫ ଶହ ଘରେ ତାଲା ପଡ଼ିଛି । ଗିରଫ ହେବା ଭୟରେ ୨ ହଜାରରୁ ଅଧିକ ଲୋକ ସହର ଛାଡ଼ି ଚାଲିଯାଇଛନ୍ତି । ୧୯୭୮ ମସିହାର ଦଙ୍ଗା ପରେ ହିନ୍ଦୁମାନଙ୍କ ଘରଗୁଡ଼ିକୁ କବଜା କରି ରହୁଥିବା ଲୋକମାନେ ମଧ୍ୟ ଭୟରେ ଛାଡ଼ି ଚାଲିଯାଇଛନ୍ତି । ଏହାର କାରଣ ହେଲା ଯେ ପୋଲିସ ଦ୍ୱାର – ଦ୍ୱାର ଯାଇ ସର୍ଭେ କରୁଛି । ଯୋଗୀଙ୍କ ପୋଲିସ ସେମାନଙ୍କର ନିଦ ହଜାଇ ଦେଇଛି ।
ଅରାଜକତାବାଦୀଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ସହିତ ଏହି ଶହେଦିନ ମଧ୍ୟରେ ଐତିହ୍ୟର ପୁନରୁଦ୍ଧାର ମୋର୍ଚ୍ଚାରେ ମଧ୍ୟ ଯୋଗୀ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମ୍ଭଲ ଅଞ୍ଚଳର ୪୧ଟି ତୀର୍ଥସ୍ଥଳ ଓ ୧୯ଟି ପୁରାତନ ପବିତ୍ର କୂଅର ପୁନରୁଦ୍ଧାର କରାଯାଇଛି । ଏଏସଆଇ ଦ୍ୱାରା ସଂରକ୍ଷିତ ଅମରପତି ଖେଡ଼ା ଯାହା ୭୫ ବର୍ଷ ଧରି ଜବର ଦଖଲ କାରଣରୁ ହଜି ଯାଇଥିଲା ତାକୁ ପୁନରୁଦ୍ଧାର କରାଯାଇଛି । ଏହା ହେଉଛି ଦଧିଚୀ ଆଶ୍ରମ ଓ ଏଠାରେ ପୃଥ୍ୱୀରାଜ ଚୌହାନଙ୍କ ଗୁରୁ ଅମରପତିଙ୍କ ସମାଧି ରହିଛି । ଏକ ବହୁ ପୁରାତନ ଶିବ ମନ୍ଦିରକୁ ଜବର ଦଖଲରୁ ମୁକ୍ତ କରାଯାଇ ସେଠାରେ ପ୍ରତିଦିନ ପୂଜା ଅର୍ଚନା କରାଯାଉଛି । ସେହିପରି କାର୍ତ୍ତିକେଶ୍ୱର ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରକୁ ୪୬ ବର୍ଷ ପରେ ଖୋଲାଯାଇଛି ।
ଭାରତର ଐତିହ୍ୟର ପୁନଃ ସ୍ଥାପନା କିପରି କରାଯାଇପାରେ ତା’ର ଏକ ଶ୍ରେଷ୍ଠ ରାସ୍ତା ଦେଖାଇଛନ୍ତି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର । କୋର୍ଟର ନିର୍ଦ୍ଦେଶ କ୍ରମେ ସର୍ଭେ କରିବାକୁ ଯାଇଥିବା ଦଳ ଉପରେ ହଜାର ହଜାର ସଂଖ୍ୟାର ଭିଡ଼ ଦ୍ୱାରା ଅତର୍କିତ ଆକ୍ରମଣ କରାଯିବା ଓ ପରେ ହିଂସାରେ କିଛି ଲୋକଙ୍କ ମୃତ୍ୟୁ ହେବା ଓ କର୍ଫ୍ୟୁ ଲଗା ଯିବା ଘଟଣା ପରଠାରୁ ଯୋଗୀ ସରକାର ଯେଉଁ କାମ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ଯୋଗୀ ସରକାରଙ୍କ ଐତିହ୍ୟ ପୁନଃ ସ୍ଥାପନା ପାଇଁ ଇଚ୍ଛାଶକ୍ତି ସବୁ ରାଜ୍ୟ ପାଇଁ ଏକ ମଡେଲ ସଦୃଶ । ଅନ୍ୟ ରାଜ୍ୟମାନେ ମଧ୍ୟ ଯୋଗୀଙ୍କ ମଡେଲକୁ ଆପଣାଇବାର ସମୟ ଆସିଛି ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/the-root-cause-of-a-sections-hatred-for-the-kumbh-mela/