Vinod Kambli : ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି (୫୨) ମଦ୍ୟପାନ ଜନିତ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି। କିମ୍ବଦନ୍ତୀ ପ୍ରଶିକ୍ଷକ ରମାକାନ୍ତ ଆଚାରେକରଙ୍କ ସ୍ମୃତିରେ ଆୟୋଜିତ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ତାଙ୍କ ଅବସ୍ଥା ଦେଖି କ୍ରିକେଟ୍ ପ୍ରେମୀ ଚକିତ ହୋଇପଡ଼ିଥିଲେ। ସେବେଠାରୁ ଅନେକ ପୂର୍ବତନ କ୍ରିକେଟର ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିନ୍ତୁ କାମ୍ବଲି କଣ ସତରେ ସୁସ୍ଥ ହୋଇପାରିବେ? ମଦ୍ୟପାନ ଓ ବିଳାସ ଜୀବନ ଛାଡ଼ି ସେ ପୁଣି ଥରେ ପୂର୍ବତନ କ୍ରିକେଟ ଖେଳାଳିଙ୍କ ଭଳି ମର୍ଜ୍ୟାଦା ପାଇବେ?
- କେମିତି ଏତେ ଅସୁସ୍ଥ ହେଲେ କାମ୍ବଲି?
- କଥା ଅସ୍ପଷ୍ଟ, ହାତ ଥରୁଛି,
- ବିନା ସହାୟତାରେ ଚାଲିପାରୁ ନାହାନ୍ତି
ଏକଦା ଦେଶର ଦୁଇ ଶ୍ରେଷ୍ଠ କ୍ରିକେଟ୍ ପ୍ରତିଭା ଭାବେ ଗଣା ହେଉଥିଲେ ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲି। ଉଭୟ ଏକାଠି କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ଉଭୟ ଥିଲେ ବାଲ୍ୟ ବନ୍ଧୁ। ଏକାଠି ଗୋଟିଏ ସ୍କୁଲରେ ପାଠ ବଢୁଥିଲେ ଓ ଖେଳୁଥିଲେ। ଉଭୟଙ୍କ କୋଚ ଥିଲେ ସ୍ୱର୍ଗତ ରମାକାନ୍ତ ଆଚାରେକର। ଦୁହେଁ ହାରିସ ଶିଲ୍ଡ ମ୍ୟାଚରେ ନିଜ ସ୍କୁଲ ଶାରଦାଶ୍ରମ ବିଦ୍ୟାମନ୍ଦିର ପାଇଁ ୬୬୪ ରନର ରେକର୍ଡ ଭାଗିଦାରୀ ଗଠନ କରି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଉଭୟ ଉକ୍ତ ମ୍ୟାଚରେ ରହିଥିଲେ ଅପରାଜିତ। ପରବର୍ତ୍ତୀ ସମୟରେ ମଧ୍ୟ ଉଭୟ ସର୍ବୋଚ୍ଚ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ କାମ୍ବଲି ଧିରେ ଧିରେ ନିଜର ବିଶୃଙ୍ଖଳିତ ଆଚରଣ ଯୋଗୁଁ ଦଳରୁ ବାଦ ପଡ଼ିଥିଲେ ଓ ସଚିନ ହୋଇଥିଲେ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର। ଅସମୟରେ କାମ୍ବଲିଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା।
ଦୀର୍ଘ ବର୍ଷ ପରେ ଉଭୟଙ୍କୁ ପୁଣିଥରେ ଏକତ୍ର ଦେଖିବାକୁ ମିଳିଥିଲା। ସେମାନଙ୍କ କୋଚ ସ୍ୱର୍ଗତ ରମାକାନ୍ତ ଆଚରେକରଙ୍କ ଜୟନ୍ତୀ ଅବସରରେ ମୁମ୍ବାଇରେ ତାଙ୍କ ସ୍ମାରକୀ ଉନ୍ମୋଚନ ହେଉଥିଲା। ଉଭୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଓ ପ୍ରଶଂସକ କାମ୍ବଲିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେନ୍ଦୁଲକର ପୂର୍ବଭଳି ଫିଟ୍ ଦେଖାଯାଉଥିଲେ ହେଁ କାମ୍ବଲି ଠିକ ଭାବେ ଛିଡ଼ା ହୋଇପାରୁନଥିଲେ। ଦୁଇ ପିଲାଦିନର ବନ୍ଧୁଙ୍କ ମଧ୍ୟରେ ବୟସର ବିଶେଷ ପାର୍ଥକ୍ୟ ନାହିଁ । ବର୍ତ୍ତମାନ ସଚିନଙ୍କୁ ୫୧ ଓ କାମ୍ବଲିଙ୍କୁ ୫୨ ବର୍ଷ। କିନ୍ତୁ ସେଠାରେ ତେନ୍ଦୁଲକରଙ୍କ ଠାରୁ ପାଖା ପାଖି ୧୫ ବର୍ଷ ବଡ଼ ଦେଖାଯାଉଥିଲେ କାମ୍ବଲି।
ଉକ୍ତ କାର୍ଯ୍ୟକ୍ରମ ବେଳେ କାମ୍ବଲି ଏକ ଗୀତ ମଧ୍ୟ ଗାଇଥିଲେ। ମାଇକ୍ରୋଫୋନ ଧରିବା ବେଳ ତାଙ୍କ ହାତ ଥରୁଥିଲା। ପାଟିରୁ ଅସ୍ପଷ୍ଟ ଆୱାଜ ବାହାରୁଥିଲା। କାମ୍ବଲି ଗୀତ ଗାଉଥିବାବେଳେ ସଚିନଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ତଥାପି ନିଜ ପୁରୁଣା ବନ୍ଧୁଙ୍କ ପାଇଁ ସେ ତାଳି ମାରୁଥିଲେ।
ଏଭଳି ଘଟଣା ଅନେକଙ୍କୁ କଷ୍ଟ ଦେଇଥିଲା। ଉଭୟଙ୍କ ମଧ୍ୟେର ଏତେ ଫରକ ହେବା ପଛର କାରଣ କେବଳ ଲାଇଫ ଷ୍ଟାଇଲ ହୋଇପାରେ। କାମ୍ବଲିଙ୍କ ଜୀବନ ଶୈଳୀ ଆଜି ତାଙ୍କୁ ଅସୁସ୍ଥ କରିଦେଇଛି। କିନ୍ତୁ ୫୧ବର୍ଷ ବୟସରେ ସଚିନ ଯୁବକଙ୍କ ଭଳି ଦେଖାଯାଉଛନ୍ତି।
୫୨ ବର୍ଷୀୟ କାମ୍ବଲି ସମ୍ପ୍ରତି ମଦ୍ୟପାନ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆଚାରେକରଙ୍କ ଜନ୍ମବାର୍ଷିକୀ ସମୟରେ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ତାଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ବହୁ ପୂର୍ବତନ ଖେଳାଳି ଆଗେଇ ଆସିଛନ୍ତି। ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ତାଙ୍କୁ ପୁଣି ଥରେ ସୁସ୍ଥ କରିବା ପାଇଁ ସହାୟତା କରିବ ବୋଲି ସୁନୀଲ ଗାଭାସ୍କର ପ୍ରକାଶ କରିଥିଲେ। ତାଙ୍କ ପୂର୍ବରୁ ମହାନ ଅଲ୍ରାଉଣ୍ଡର କପିଳ ଦେବ ମଧ୍ୟ ସହାୟତାର ହାତ ବଢାଇଥିଲେ।
୧୨ ବର୍ଷ ପୂର୍ବେ ଅବରୋଧ ଧମନୀର ଚିକିତ୍ସା ପାଇଁ କାମ୍ବଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୨୦୧୩ରେ ମଧ୍ୟ କାମ୍ବଲିଙ୍କର ହୃଦଘାତ ହୋଇଥିଲା। ତଥାପି ମଦ୍ୟ ପାନରୁ ସେ ନିବୃତ ରହିପାରିନାହାନ୍ତି। ଯାହା ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି।
କାମ୍ବଲି ୧୭ ଟି ଟେଷ୍ଟ ଖେଳି ୫୪.୨ ହାରରେ ମୋଟ ୧୦୮୪ ରନ୍ କରିଥିଲେ। ଏଥିରେ ନାଁରେ ୪ଟି (୨ ଦ୍ୱିଶତକ)ଶତକ ରହିଛି। ସେହିପରି ୯୭ ଦିନିକିଆରେ ସେ ୨ଟି ଶତକ ସହ ୨୪୭୭ ରନ୍ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୧୨୯ ମ୍ୟାଚ୍ ଖେଳି ୫୯.୬୭ ହାରରେ ମୋଟ ୯୯୬୫ ରନ୍ କରିଛନ୍ତି। ସେ ଶେଷ ଥର ପାଇଁ ୨୦୦୦ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ପାଇଁ ଖେଳିଥିଲେ, ଯେଉଁଠାରେ ସେ ୧୩ ବଲ୍ ରେ ୫ ରନ୍ କରି ଆଉଟ୍ ହୋଇଥିଲେ।
କାମ୍ବଲି ୨୦୦୪ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ଏବଂ ଶେଷ ଥର ପାଇଁ ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚରେ ସେ ମୁମ୍ବାଇର ନେତୃତ୍ୱ ନେଉଥିଲେ ଏବଂ ଉଭୟ ଇନିଂସରେ ୬୮ ଓ ୨୪ ରନ୍ କରିଥିଲେ। ପରବର୍ତ୍ତୀ ମ୍ୟାଚରେ ତାଙ୍କ ସ୍ଥାନରେ ସୈରାଜ ବାହୁତୁଲେଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଥିଲା ଏବଂ କାମ୍ବଲି ଆଉ ଫେରିନଥିଲେ।
ଭାରତର ବିଶ୍ୱକପ୍ ବିଜେତା ଅଧିନାୟକ କପିଳ ଦେବ କହିଛନ୍ତି ଯେ ପ୍ରତ୍ୟେକ କ୍ରିକେଟର ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲିଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରିବା ଉଚିତ। ତଥାପି, କାମ୍ବଲିଙ୍କୁ ନିଜ ପାଇଁ ଏକ ଉନ୍ନତ ଭବିଷ୍ୟତ ସୁନିଶ୍ଚିତ କରିବା ଆବଶ୍ୟକ। ସ୍ୱାସ୍ଥ୍ୟଗତ ସଙ୍କଟରୁ ମୁକୁଳିବା ପାଇଁ କାମ୍ବଲିଙ୍କୁ ପ୍ରଥମେ ପ୍ରୟାସ କରିବାକୁ ପଡ଼ିବ ।
କାମ୍ବଲିଙ୍କ ଅବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କପିଳ ଦେବ ବାହ୍ୟ ସହାୟତା ବ୍ୟତୀତ ସ୍ୱୟଂ ସହାୟକର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। କାମ୍ବଲିଙ୍କ ଅବସ୍ଥାକୁ ନେଇ ସମସ୍ତ କ୍ରିକେଟର ବହୁତ ଦୁଃଖିତ। ମୁଁ ଚାହୁଁଛି ଯେ ତାଙ୍କର ଘନିଷ୍ଠ ବନ୍ଧୁମାନେ ତାଙ୍କୁ କିଛି ସାହାଯ୍ୟ କରନ୍ତୁ। ଆମେ ସମସ୍ତେ ତାଙ୍କୁ ସମର୍ଥନ କରିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ ଆମ ଠାରୁ ଅଧିକ ତାଙ୍କୁ ନିଜକୁ ସୁସ୍ଥ କରିବାକୁ ପଡ଼ିବ। ଯଦି ସେହି ବ୍ୟକ୍ତି ନିଜର ଯତ୍ନ ନେଇପାରିବେ ନାହିଁ ତେବେ ଆମେ କାହାର ଯତ୍ନ ନେଇପାରିବୁ ନାହିଁ ବୋଲି କପିଳ କହିଛନ୍ତି।
previous article:https://purvapaksa.com/indias-most-dangerous-prison/