ବିଶ୍ୱ କ୍ରିକେଟ୍ର ଅନ୍ୟତମ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକର ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଔପଚାରିକ ନିମନ୍ତ୍ରଣ ଜଣାଇଛନ୍ତି । ଏହି ସାକ୍ଷାତକାର ନୂଆଦିଲ୍ଲୀରେ ହୋଇଥିବା ସୂଚନା ମିଳିଛି । ସଚିନ ଏହି ଖୁସିର ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଥିବାବେଳେ, ଯୁବ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଅର୍ଜୁନ ଏବଂ ସାନିଆଙ୍କ ବିବାହ ଉତ୍ସବରେ ନିମନ୍ତ୍ରଣ କରିବାର ସୌଭାଗ୍ୟ ପାଇଲୁ। ଏହି ଯୁବ ଦମ୍ପତିଙ୍କୁ ଆପଣଙ୍କ ଆଶୀର୍ବାଦ ଓ ସୁଚିନ୍ତିତ ପରାମର୍ଶ ପାଇଁ ଧନ୍ୟବାଦ। ସେହିପରି ସଚିନଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ଏହି ସମୟରେ ସହଯୋଗୀ ଥିଲେ।
We were honoured to invite Hon’ble Prime Minister Shri @narendramodi ji to Arjun and Saaniya’s wedding. Thank you, Modi ji, for your blessings and thoughtful advice for the young couple. pic.twitter.com/7oxOZm3i5X
— Sachin Tendulkar (@sachin_rt) February 10, 2026
ମାତ୍ର ଏତିକି ନୁହେଁ, ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ସଚିନ ଓ ଅଞ୍ଜଳି କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ତାଙ୍କ ନୂଆଦିଲ୍ଲୀ ସ୍ଥିତ ୧୦ ଜନପଥ ବାସଭବନରେ ଭେଟିଥିଲେ। ସେଠାରେ ସେମାନେ ଅର୍ଜୁନଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସୋନିଆଙ୍କୁ ନିମନ୍ତ୍ରଣ କରିଥିଲେ। ସଚିନ ଦମ୍ପତିଙ୍କ ସୋନିଆ ଗାନ୍ଧୀଙ୍କ ଘରୁ ବାହାରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଆସନ୍ତା ମାର୍ଚ୍ଚ ୫ ତାରିଖରେ ସାନିଆ ଚାଣ୍ଡୋକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ଆନୁଷ୍ଠାନିକତା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ମୁମ୍ବାଇରେ ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ପରିବାର, ନିକଟତମ ବନ୍ଧୁ ଓ ଆତ୍ମୀୟମାନେ ଯୋଗଦେବେ ବୋଲି ସୂଚନା ମିଳିଛି।

ସାନିଆ ଚାଣ୍ଡୋକ ପ୍ରସିଦ୍ଧ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ଏବଂ ଜଣେ ଉଦ୍ୟୋଗୀ ଓ ପଶୁଚିକିତ୍ସା କ୍ଷେତ୍ରର ଦକ୍ଷ ବିଶେଷଜ୍ଞା ଭାବେ ପରିଚିତ। ଗତ ବର୍ଷ ଅଗଷ୍ଟ ମାସରେ ଅର୍ଜୁନ ଓ ସାନିଆଙ୍କ ନିର୍ବନ୍ଧ ହୋଇଥିଲା। ସେହି ଅବସରରେ ମଧ୍ୟ କେବଳ ପରିବାର ଓ ନିକଟତମ ବନ୍ଧୁମାନେ ଉପସ୍ଥିତ ଥିଲେ।
କ୍ରିକେଟ୍ ମାଠରେ ଅର୍ଜୁନ ତେନ୍ଦୁଲକର ଜଣେ ଦ୍ରୁତ ବୋଲର ଏବଂ ନିମ୍ନ କ୍ରମର ଦକ୍ଷ ବ୍ୟାଟସମ୍ୟାନ୍ ଭାବେ ନିଜ ପରିଚୟ ଗଢ଼ି ତୁଳୁଛନ୍ତି। ସେ ୨୦୨୨ ମସିହାରେ ଗୋଆ ପାଇଁ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିଲେ। ପ୍ରଥମ ଶ୍ରେଣୀ ଡେବ୍ୟୁ ମ୍ୟାଚରେ ସେ ୨୦୭ଟି ବଲ୍ ସାମ୍ନା କରି ୧୨୦ ରନ୍ କରିଥିଲେ, ଯେଉଁଥିରେ ୨ଟି ଛକା ଓ ୧୬ଟି ଚୌକା ରହିଥିଲା।
IPL କ୍ୟାରିୟରରେ ୨୦୨୧ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସରେ କ୍ରୟ କରିଥିଲା। ଯଦିଓ ଆଘାତ ସମସ୍ୟା ଯୋଗୁଁ ସେହି ବର୍ଷ ସେ IPL ଖେଳି ପାରିନଥିଲେ। ପରେ ସେ ଲକ୍ଷ୍ଣୌ ସୁପର ଜାୟାଣ୍ଟସ ସହ ଯୋଗଦେଇ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ଅର୍ଜୁନଙ୍କ ବିବାହକୁ ନେଇ ତେନ୍ଦୁଲକର ପରିବାରରେ ଖୁସିର ମାହୋଲ ଦେଖାଯାଉଛି। କ୍ରିକେଟ୍ ଓ ରାଜନୀତିର ଦୁଇ ପ୍ରମୁଖ ନେତାଙ୍କୁ ନିମନ୍ତ୍ରଣ ଦେଇ ସଚିନ ଏହି ବିଶେଷ ଅବସରକୁ ଆହୁରି ସ୍ମରଣୀୟ କରିଛନ୍ତି।
also read https://purvapaksa.com/kidney-health/


