ଦୀର୍ଘ ପ୍ରାୟ ୪ ବର୍ଷ ଧରି ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପର୍ଯ୍ୟନ୍ତ କୌଣସି ସମାଧାନରେ ପହଞ୍ଚି ପାରିନାହିଁ । ଯୁଦ୍ଧବିରତି ପାଇଁ ଆନ୍ତର୍ଜାତୀୟ ସ୍ତରରେ ଚେଷ୍ଟା ଚାଲିଥିବା ସତ୍ତ୍ୱେ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏହି କ୍ରମରେ ଆଜି ସକାଳେ ୟୁକ୍ରେନର ଦୁଇଟି ବଡ଼ ସହର—ରାଜଧାନୀ କିଭ୍ ଓ ଉତ୍ତର-ପୂର୍ବରେ ଥିବା ଖାରକିଭ୍—ଉପରେ ରୁଷ ଦ୍ୱାରା ଭୟଙ୍କର ଆକ୍ରମଣ ହୋଇଛି ।ଏହି ଆକ୍ରମଣରେ ମୋଟ ୧୩ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ୟୁକ୍ରେନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କିଭ୍ରେ ୨ ଜଣ ଆହତ ହୋଇଥିବାବେଳେ ଖାରକିଭ୍ରେ ୧୧ ଜଣ ଲୋକ ଆହତ ହୋଇଛନ୍ତି । କିଭ୍ରେ ଆହତ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିଭ୍ ମେୟର ଭିଟାଲି କ୍ଲିଟସ୍କୋ କହିଛନ୍ତି ଯେ, ରାଜଧାନୀର ଡ୍ନିପ୍ରୋ ନଦୀର ଉଭୟ ପାର୍ଶ୍ୱରେ ଅବସ୍ଥିତ ଦୁଇଟି ଜିଲ୍ଲାରେ ଏହି ଆକ୍ରମଣ ଘଟିଛି । ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ଆକ୍ରମଣରେ ଅନେକ ଅଟାଳିକା କ୍ଷତିଗ୍ରସ୍ତ ହୋଇଥିବା ସହ କିଛି ସ୍ଥାନରେ ନିଆଁ ଲାଗିଥିବା ସେ କହିଛନ୍ତି ।ଏହାରି ମଧ୍ୟରେ କିଭ୍ର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ ସୂଚନା ଦେଇଛନ୍ତି ଯେ, ଡ୍ରୋନ୍ ଆକ୍ରମଣ ଅତି କମରେ ତିନୋଟି ଜିଲ୍ଲାରେ ହୋଇଛି। ଏହି ଆକ୍ରମଣରେ ଅତି କମରେ ଦୁଇଟି ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି।
ଅନ୍ୟପଟେ ଖାରକିଭ୍ ସହରର ମେୟର ଇଗୋର ତେରେଖଭ ଟେଲିଗ୍ରାମ ମାଧ୍ୟମରେ କହିଛନ୍ତି ଯେ, ରୁଷର ଡ୍ରୋନ୍ ଆକ୍ରମଣ ଏକ ହଷ୍ଟେଲ, ଏକ ସାଧାରଣ ହସ୍ପିଟାଲ ଓ ଏକ ପ୍ରସୂତି ହସ୍ପିଟାଲ ଉପରେ ହୋଇଛି। ଏହାରେ ଅନେକ ରୋଗୀ ଓ କର୍ମଚାରୀ ଭୟଭୀତ ହୋଇପଡ଼ିଥିବା ସହ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । ଗତ ପ୍ରାୟ ଚାରି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଥିବା ସମୟରେ ଏଭଳି ଆକ୍ରମଣ ହେବା ବିଶ୍ୱ ସମୁଦାୟ ପାଇଁ ଚିନ୍ତାର କାରଣ ପାଲଟିଛି । ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଯୁଦ୍ଧର ଭୟାବହତାକୁ ଆହୁରି ସ୍ପଷ୍ଟ କରିଦେଇଛି।
also read https://purvapaksa.com/trumps-threats/


