ବଲିଉଡର ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିବା ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୁମ୍ବାଇର ଜୁହୁ ସ୍ଥିତ ରୋହିତ ସେଟ୍ଟୀଙ୍କ ବାସଭବନ ଉପରେ ହୋଇଥିବା ଗୁଳିମାଡ଼ ଘଟଣା ସମ୍ପର୍କିତ ଏଫଆଇଆରରୁ ବଡ଼ ଖୁଲାସା ହୋଇଛି । ଏଫଆଇଆର ଅନୁସାରେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନସ ବିଷ୍ଣୋଇ ଗ୍ୟାଙ୍ଗ ରୋହିତ ସେଟ୍ଟୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ।
/odishatv/media/media_files/2026/02/01/firing-at-rohit-shetty-residence-2026-02-01-16-41-47.jpg)
ଫେବୃଆରୀ ୧ ତାରିଖରେ ରୋହିତ ସେଟ୍ଟୀ ଘରେ ଉପସ୍ଥିତ ଥିବା ସମୟରେ ଜୁହୁସ୍ଥିତ ତାଙ୍କ ବଙ୍ଗଳା ଉପରେ ଗୁଳିମାଡ଼ ହୋଇଥିଲା । ଏହି ଆକ୍ରମଣ ହତ୍ୟା ଉଦ୍ଦେଶ୍ୟରେ ହୋଇଥିଲା ବୋଲି ଏବେ ଏଫଆଇଆରରୁ ସ୍ପଷ୍ଟ ହୋଇଛି । ଘଟଣା ପରେ ସମଗ୍ର ବଲିଉଡ୍ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗଭୀର ଚିନ୍ତା ପ୍ରକାଶ ପାଇଛି ।
ଏହି ଗୁଳିମାଡ଼ ଘଟଣାରେ ମୁମ୍ବାଇ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ରୋହିତ ସେଟ୍ଟୀଙ୍କ ବଡିଗାର୍ଡ ସ୍ୱପ୍ନିଲ ସାଲୁଙ୍କେ ଘଟଣା ପରେ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଏହା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଆଣ୍ଟି-ଏକ୍ସଟର୍ସନ ସେଲ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ତଦନ୍ତ ସମୟରେ ପୁନେରୁ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଭାବେ ଶୁଭମ ଲୋଙ୍କରଙ୍କୁ ଚିହ୍ନଟ କରାଯାଇଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଶୁଭମ ଲୋଙ୍କର କୁଖ୍ୟାତ ଲରେନସ ବିଷ୍ଣୋଇ ଗ୍ୟାଙ୍ଗର ସକ୍ରିୟ ସଦସ୍ୟ । ତେବେ ଏପର୍ଯ୍ୟନ୍ତ ପ୍ରକୃତରେ ଗୁଳିମାଡ଼ କରିଥିବା ଅପରାଧୀକୁ ପୋଲିସ ଚିହ୍ନଟ କରିପାରିନାହିଁ ।

ଅନ୍ୟପଟେ, ଘଟଣା ସମୟର ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ଏକ ଚାଞ୍ଚଲ୍ୟକର ଦୃଶ୍ୟ ସାମ୍ନାକୁ ଆସିଛି । ଫୁଟେଜରେ ଜଣେ ଅଜଣା ବ୍ୟକ୍ତି ରୋଡ୍ ନମ୍ବର ୧୦ରେ ଛିଡ଼ା ହୋଇ ରୋହିତ ସେଟ୍ଟୀଙ୍କ ବଙ୍ଗଳାର ଲବି ଆଡ଼କୁ ଗୁଳିମାଡ଼ କରୁଥିବା ଦେଖାଯାଇଛି । କଳା ଜ୍ୟାକେଟ ଓ ଧଳା ଟ୍ରାଉଜର ପିନ୍ଧିଥିବା ଏହି ଅଜଣା ବ୍ୟକ୍ତି ଜଣକ ପିସ୍ତଲ ବ୍ୟବହାର କରି ପାଞ୍ଚ ରାଉଣ୍ଡ ଗୁଳିମାଡ଼ କରିଥିଲା ।
ଗୁଳିମାଡ଼ ପରେ ସେ ଦ୍ରୁତଗତିରେ ପୁଷ୍ପା ପାର୍କ ଦିଗକୁ ପଳାଇଯାଇଥିଲା । ଘଟଣା ସଙ୍ଗେସଙ୍ଗେ ରୋହିତ ସେଟ୍ଟୀଙ୍କ ସୁରକ୍ଷା କର୍ମୀମାନେ ତଳକୁ ଆସିଥିଲେ ମଧ୍ୟ ଦୁର୍ବୃତ୍ତକୁ ଧରିବାରେ ବିଫଳ ହୋଇଥିଲେ । ଏହି ଘଟଣା ପରେ ରୋହିତ ସେଟ୍ଟୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡା କରାଯାଇଛି । ସେହିସହ ବଲିଉଡର ଅନ୍ୟାନ୍ୟ ସେଲିବ୍ରିଟିଙ୍କ ସୁରକ୍ଷାକୁ ନେଇ ମଧ୍ୟ ପୋଲିସ ସତର୍କ ହୋଇଛି । ଲରେନସ ବିଷ୍ଣୋଇ ଗ୍ୟାଙ୍ଗର ନେଟୱାର୍କ ଉପରେ ପୋଲିସ ତୀବ୍ର ନଜର ରଖିଥିବା ବେଳେ ଆଗାମୀ ଦିନରେ ଆହୁରି ବଡ଼ ଖୁଲାସା ହେବାର ସମ୍ଭାବନା ରହିଛି ।
also read https://purvapaksa.com/gold-rate-today-4/
https://purvapaksa.com/gold-rate-today-4/


