Road accidents in India in critical condition : ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ। ଦୁନିଆର ଦୁର୍ଘଟଣା କ୍ୟାପିଟାଲ। ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ।
ବିଗତ କିଛିଦିନ ଧରି ସମଗ୍ର ଦେଶରେ ଓ ବିଶେଷ କରି ଓଡ଼ିଶାରେ ରାସ୍ତା ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଛି। ଉତ୍ତର ପ୍ରଦେଶରୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଖବର ଆସୁଛି। ଓଡ଼ିଶାରେ ବି ଏହି ସ୍ଥିତି କିଛି ଭଲ ନୁହେଁ।
ଆତଙ୍କବାଦୀ ଆକ୍ରମଣରେ ଯେତିକି ବର୍ଷକୁ ମରନ୍ତି ନାହିଁ ତା’ଠାରୁ ଢେର ଅଧିକଙ୍କ ଜୀବନ ନିଏ ଭାରତୀୟ ସଡ଼କ। ଭାରତୀୟ ସଡ଼କ ହେଉଛି ମୃତ୍ୟୁର ରାଜପଥ। ଦୁନିଆର ଦୁର୍ଘଟଣା କ୍ୟାପିଟାଲ। ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ରେକର୍ଡ୍ ଖରାପ। ଦୁନିଆର ସବୁଠାରୁ ଭୟଙ୍କର ଓ ଖରାପ ରାସ୍ତାର ଘର ହେଉଛି ଭାରତ। ଏଠି ରାସ୍ତାରେ ଖାଲ ଖୋଜା ଯାଏନି, ଖାଲରେ ରାସ୍ତା ଖୋଜା ଯାଏ। ଭାରତର ରାସ୍ତା ଦୁନିଆର ସବୁଠାରୁ ଖରାପ ରାସ୍ତା।
ଭାରତରେ ମାତ୍ର ୩ ପ୍ରତିଶତ ରାସ୍ତା ଜାତୀୟ ରାଜପଥ। ଅନ୍ୟପକ୍ଷରେ ୭୫ ପ୍ରତିଶତ ରାସ୍ତା ଦୁଇଲେନ୍ ବିଶିଷ୍ଟ। ଭାରତରେ ଗାଡି ଯେମିତି ଓଭରଲୋଡିଂ ରାସ୍ତା ମଧ୍ୟ ସେମିତି ଓଭର ଲୋଡିଂ। ଭାରତୀୟ ରାସ୍ତା ତା’ କ୍ଷମତାରୁ ଅଧିକ ବୋଝ ସହିଥାଏ।ଏହାର ପ୍ରଭାବରେ ରାସ୍ତା ଶୀଘ୍ର ଖରାପ ହୋଇଥାଏ। ଗତବର୍ଷ ବିଶ୍ୱବ୍ୟାଙ୍କର ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁସାରେ ବିଶ୍ୱର ୧ ପ୍ରତିଶତ ଗାଡ଼ି ଭାରତୀୟ ରାସ୍ତାରେ ଦୌଡ଼ନ୍ତି। କିନ୍ତୁ ଦୁନିଆର ମୋଟ ଦୁର୍ଘଟଣାର ୧୧ ପ୍ରତିଶତ ଭାରତରେ ଘଟିଥାଏ।
ବିଶ୍ୱରେ ଯଦି ବର୍ଷକୁ ୧୦୦ଦୁର୍ଘଟଣା ହୁଏ ତେବେ ଭାରତରେ ତା’ ମଧ୍ୟରୁ ୧୧ଟି ଘଟିଥାଏ। ଏହି ରିପୋର୍ଟ ଅନୁସାରେ ଭାରତରେ ଦିନିକୁ ୪୦୬ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ବର୍ଷକୁ ଏହି ସଂଖ୍ୟା ଦେଢ଼ ଲକ୍ଷରୁ ମଧ୍ୟ ଅଧିକ। ପ୍ରତିବର୍ଷ ସାଢ଼େ ୭ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣାରେ ବିକଳାଙ୍ଗ ହୋଇଯାଆନ୍ତି ଯାହାକି ଗୁରୁତ୍ତ୍ୱପୂର୍ଣ୍ଣ।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେରିକା ଓ ଜାପାନରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ। କିନ୍ତୁ ସେଠାରେ ମୃତ୍ୟୁ ସଂଖ୍ୟା ଭାରତଠାରୁ କମ। ତାହାର କାରଣ ହେଉଛି ସେଠାରେ ତୁରନ୍ତ ଚିକିତ୍ସା ସୁବିଧା ମିଳିଥାଏ। ସଡ଼କ ଦୁର୍ଘଟଣା ପରେ ଆମେରିକା ଓ ଜାପାନରେ ତୁରନ୍ତ ପ୍ରତିକ୍ରିୟା ମିଳିଥାଏ। ଆମେରିକାରେ ୨୦୧୬ରେ ୨୨ ଲକ୍ଷ ଦୁର୍ଘଟଣା ହୋଇଥିଲା। କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ୩୭ ହଜାର। ଅନ୍ୟପକ୍ଷରେ ଭାରତରେ ଏହି ସମୟରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ଦେଢ଼ ଲକ୍ଷ।ଏହାର କାରଣ ହେଉଛି ଆମେରିକା ଭଳି ଦେଶରେ ଉଦ୍ଧାରକାରୀ ଓ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥାନ୍ତି।
ଅନ୍ୟପକ୍ଷରେ ଭାରତରେ ସେପରି ହୋଇନଥାଏ। ୨୦୧୧ରୁ ୨୦୨୦ ଭିତରେ ଭାରତରେ ସଡ଼କ ଦୁର୍ଘଟଣାରେ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥିବାବେଳେ ୫୦ ଲକ୍ଷ ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣା କାରଣରୁ କେବଳ ଯେ, ଅପମୃତ୍ୟୁ ସଂଖ୍ୟା ବଢ଼ିଛି ତା’ ନୁହେଁ , ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁର୍ଘଟଣା କାରଣରୁ ଭାରତର ଜିଡିପିକୁ ୩ରୁ ୫ ପ୍ରତିଶତ କ୍ଷତି ହେଉଛି। ବର୍ଷକୁ ପ୍ରାୟ ୧ ଲକ୍ଷ ୪୭ ହଜାର କୋଟିର କ୍ଷତି ହେଉଥିବା ଅନୁମାନ କରାଯାଉଛି। ଭାରତରେ ସଡ଼କ ଦୁର୍ଘଟଣା ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ଏହାର ସମାଧାନ ହେବା ଦରକାର।
Also readhttps://purvapaksa.com/uterine-vaccine-a-game-changer-for-women/
