- ୨୭କୋଟି ଟଙ୍କାରେ କିଣିଲା ଲକ୍ଷ୍ନୌ ସୁପରଜାଏଣ୍ଟସ
- ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି
- ବିକ୍ରି ହେଲେ ୭୨ ଖେଳାଳି, ଖର୍ଚ୍ଚ ହେଲା ୪୬୭.୯୫କୋଟି ଟଙ୍କା
କ୍ରିକେଟ ମଇଦାନରୁ ନିଲାମ ମାର୍କେଟ୍, ସବୁଠି ଜଣଙ୍କର ରାଜୁତି। ସେ ଆଉ କେହି ନୁହନ୍ତି, ଭାରତୀୟ କ୍ରିକେଟ ଦଳର ‘ସ୍ପାଇଡରମ୍ୟାନ୍’ ଭାବେ ପରିଚିତ ରିଷଭ ପନ୍ତ। ବିଧ୍ୱଂସୀ ବ୍ୟାଟିଂ ପାଇଁ ପରିଚିତ ଏହି ଖେଳାଳି ଚଳିତ ମେଗା ନିଲାମରେ ସବୁ ଫ୍ରାଞ୍ଚାଇଜଙ୍କ ପ୍ରଥମ ପସନ୍ଦ ପାଲିଟିଥିଲେ। ତାଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ଲାଗିଥିଲା ଜୋରଦାର ପ୍ରତିଦ୍ୱନ୍ଦ୍ୱିତା। ଶେଷରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ତାଙ୍କୁ ୨୭କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ୧୭ ବର୍ଷର ଆଇପିଏଲ୍ ଇତିହାସରେ ସେ ପାଲଟିଥିଲେ ସବୁଠୁ ମହଙ୍ଗା ଖେଳାଳି। ସେହିପରି ମୁମ୍ବାଇ ବ୍ୟାଟର ଶ୍ରେୟାସ ଆୟର ମଧ୍ୟ ସବୁ ରେକର୍ଡ ଭାଙ୍ଗିଥିଲେ। ପଞ୍ଜାବ କିଙ୍ଗ୍ସ ତାଙ୍କୁ ୨୬.୭୫ କୋଟି ଟଙ୍କାରେ କିଣିଥିଲା। ସାଉଦି ଆରବର ଜେଧାହ ସହରରେ ଅନୁଷ୍ଠିତ ମେଗା ନିଲାମର ପ୍ରଥମ ଦିବସରେ ଭାରତୀୟ ଖେଳାଳିଙ୍କ ପଛରେ ମନ ଇଛା ଖର୍ଚ୍ଚ କରିବାକୁ କୌଣସି ଫ୍ରାଞ୍ଚାଇଜ କୁଣ୍ଠାବୋଧ କରିନଥିଲେ।
ପ୍ରଥମ ଦିନରେ ବିକ୍ରି ହୋଇଥିଲେ ୨୪ବିଦେଶୀ ଖେଳାଳିଙ୍କୁ ମିଶାଇ ମୋଟ ୭୨ ଖେଳାଳି। ଏମାନଙ୍କ ପଛରେ ଫ୍ରାଞ୍ଚାଇଜ ଖର୍ଚ୍ଚ କରିଥିଲେ ମୋଟ ୪୬୭.୯୫କୋଟି ଟଙ୍କା। ଭାରତୀୟ ଖେଳାଳିଙ୍କ ମଧ୍ୟରେ ପନ୍ତ ଓ ଆୟରଙ୍କ ବ୍ୟତୀତ ଅଲରାଉଣ୍ଡର ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ବିଦେଶୀ ଖେଳାଳିଙ୍କ ମଧ୍ୟରେ ଜୋସ ବଟଲର, ମିଚେଲ ଷ୍ଟାର୍କ, କାଗିସୋ ରାବାଡ଼ା, ଜୋସ ହାଜେଲଉଡ୍, ଜୋଫ୍ରା ଆର୍ଚର, ଫିଲ ସଲ୍ଟ, ଟ୍ରେଣ୍ଟ ବୋଲ୍ଟ ପ୍ରମୁଖ ଦାମୀ ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଦିବସରେ କେବଳ ଗୋଟିଏ ରାଇଟ ଟୁ ମ୍ୟାଚ୍(ଆରଟିଏମ୍) କାର୍ଡ ବ୍ୟବହାର ହୋଇଥିଲା।
ଆଗାମୀ ଆଇପିଏଲ ପାଇଁ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ଅଧିନାୟକ ଅନ୍ୱେଷଣରେ ରହିଥିଲେ। ତେଣୁ ନିଲାମ ପୂର୍ବରୁ ଡିମାଣ୍ଡରେ ଥିଲେ ରିଷଭ ପନ୍ତ, ଶ୍ରେୟାସ ଆୟର ଓ କେଏଲ ରାହୁଲ। ୩ଜଣ ଯାକ ପୂର୍ବରୁ ଭିନ୍ନ ଭିନ୍ନ ଦଳର ନେତୃତ୍ୱ ନେଇସାରିଥିଲେ। ଆୟରଙ୍କ ନେତୃତ୍ୱରେ କୋଲକାତା ନାଇଟରାଇଡର୍ସ ପୂର୍ବ ବର୍ଷ ଚାମ୍ପିଅନ ହୋଇଥିଲା। ପନ୍ତ ଓ ଆୟରଙ୍କ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ରାହୁଲଙ୍କୁ ବାଦ ଦେବା ପରେ ସୁପରଜାଏଣ୍ଟସ ନିଲମରେ ପନ୍ତଙ୍କୁ କିଣିବା ପାଇଁ ମନସ୍ଥ କରିସାରିଥିଲା। ତେଣୁ ନିଲାମରେ ପନ୍ତଙ୍କ ଡାକ ହେବା ମାତ୍ରେ ସୁପରଜାଏଣ୍ଟସ ଆଗେଇ ଆସିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ମଧ୍ୟ ଦାମ ଲଗାଇଥିଲା। ପରେ ସନରାଇଜର୍ସ ସାମିଲ ହୋଇଥିଲା। ଡାକ ବଢି ବଢି ୨୦କୋଟିରେ ପହଞ୍ଚିବା ପରେ ସବୁ ପ୍ରତିଦ୍ୱନ୍ଦ୍ୱୀ ଓହରି ଯାଇଥିଲେ। ସୁପରଜାଏଣ୍ଟସର ବିଜୟ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏଥର ଆରଟିଏମ କାର୍ଡ ବ୍ୟବହାର କରି ପନ୍ତଙ୍କୁ ଫେରାଇ ନେବାକୁ ଚାହିଁଥିଲା। ଫଳରେ ସୁପରଜାଏଣ୍ଟସ ପନ୍ତଙ୍କ ଦାମ ବଢାଇ ୨୭କୋଟି ରଖିଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏତେ ଅର୍ଥ ଖର୍ଚ୍ଚ କରିବାକୁ ରାଜି ହୋଇନଥିଲା। ସୁପରଜାଏଣ୍ଟସର ବିଜୟ ହୋଇଥିଲା। ଆଗାମୀ ସିଜନରେ ସେ ସୁପରଜାଏଣ୍ଟସର ଅଧିନାୟକ ହେବା ଏକ ପ୍ରକାର ନିଶ୍ଚିତ।
ମାତ୍ର ରାହୁଲଙ୍କ ପାଇଁ ସେଭଳି ଲଢେଇ ଦେଖିବାକୁ ମିଳି ନଥିଲା। କୋଲକାତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ ତାଙ୍କ ପଛରେ ଅର୍ଥ ଲଗାଇଥିଲେ। ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୪କୋଟି ଟଙ୍କାରେ କିଣିଥିଲା। ସୁପରଜାଏଣ୍ଟସ ତାଙ୍କ ପଛରେ ଆରଟିଏମ କାର୍ଡ ପ୍ରୟୋଗ କରିନଥିଲା।
ମୁମ୍ବାଇ ଇଣ୍ଡିଆନ୍ସ, ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ପ୍ରମୁଖ ପୂର୍ବରୁ ପ୍ରମୁଖ ଖେଳାଳିଙ୍କୁ ରଖିସାରିଥିବାରୁ ବ୍ୟସ୍ତ ବିବ୍ରତ ହୋଇ ଖେଳାଳିଙ୍କ ପଛରେ ଦାମ ଲଗାଇ ନଥିଲେ। କିନ୍ତୁ କୋଲକାତା ନାଇଟ ରାଇଡର୍ସ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ପୂନର୍ବାର ଦଳକୁ ଫେରାଇ ଆଣିବା ପାଇଁ ସବୁ ବାଜି ଲଗାଇ ଦେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ଓ ନାଇଟରାଇଡର୍ସ ମଧ୍ୟରେ ଭେଙ୍କଟେଶଙ୍କୁ କିଣିବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ ନାଇଟ ରାଇଡର୍ସ ୨୩କୋଟି ଟଙ୍କା ମୂଲ୍ୟରେ ତାଙ୍କୁ କିଣିଥିଲା। ଭେଙ୍କଟେଶ ପୁଣି ଥରେ ନିଜ ଘରକୁ ଫେରିଆସିଥିଲେ।
ଜୋସ ବଟଲର,ରାବାଡ଼ା, ମିଚେଲ ଷ୍ଟାର୍କଙ୍କ ଭଳି ଅଭିଜ୍ଞ ଅନ୍ତର୍ଜାତୀୟ ଖେଳାଳିମାନେ ନୂଆ ଦଳକୁ ଯାତ୍ରା କରିଥିଲେ। ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜୋସ ବଟଲରଙ୍କୁ ୧୫.୭୫ କୋଟି ଟଙ୍କା ମୂଲ୍ୟରେ ଗୁଜରାଟ ଟାଇଟନ୍ସ କିଣିଥିଲା। ରାବାଡ଼ାଙ୍କୁ ମଧ୍ୟ ଟାଇଟନ୍ସ ୧୦.୭୫କୋଟି ଟଙ୍କାରେ କିଣିଥିଲା। କେବଳ ସେତିକି ନୁହେଁ, ପେସ ବୋଲିଂ ବିଭାଗକୁ ସୁଦୃଢ କରିବା ପାଇଁ ଟାଇଟନ୍ସ ମହମ୍ମଦ ସିରାଜଙ୍କ ପଛରେ ବାଜି ଲଗାଇଥିଲା ଓ ୧୨.୨୫ କୋଟି ଟଙ୍କା ମୂଲ୍ୟରେ ତାଙ୍କୁ କିଣିଥିଲା।
ଗତ ବର୍ଷ ୨୪.୭୫ କୋଟି ଟଙ୍କାରେ ବିକ୍ରି ହୋଇଥିବା ମିଚେଲ ଷ୍ଟାର୍କଙ୍କ ପଛରେ ପୂର୍ବ ଭଳି ବାଜି ଲାଗି ନଥିଲେ ହେଁ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୧.୭୫ କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ୨ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଆର୍ଚର ପୁଣି ଥରେ ରାଜସ୍ଥାନ ରୟାଲ୍ସ ଫେରିଯାଇଥିଲେ। ତାଙ୍କୁ ରୟାଲ୍ସ ୧୨.୫୦ କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ସେହିପରି ନ୍ୟୁଜିଲାଣ୍ଡ ପେସ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ୧୨.୫୦ କୋଟି ଟଙ୍କା ମୂଲ୍ୟରେ ଫେରାଇ ନେଇଥିଲା। ଦୀର୍ଘ ବର୍ଷ ପରେ ଆର ଅଶ୍ୱିନ ମଧ୍ୟ ଚେନ୍ନାଇ ସୁପରକିଙ୍ଗସ ଫେରିଥିଲେ। ସମ୍ପ୍ରତି ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ଜେକ ଫ୍ରେଜର ମ୍ୟାକଗର୍କଙ୍କ ପ୍ରତି ଦିଲ୍ଲୀ କ୍ୟାପିଟାଲ୍ସ ଆସ୍ଥା ବଜାୟ ରଖିଥିଲା ଓ ତାଙ୍କୁ ୯କୋଟି ଟଙ୍କା ମୂଲ୍ୟରେ କିଣିଥିଲା। ଅଲ୍ରାଉଣ୍ଡର ମାର୍କସ ଷ୍ଟଇନିସ୍ ନୂଆ ଘର ପାଇଥିଲେ। ତାଙ୍କୁ ପଞ୍ଜାବ କିଙ୍ଗସ ୧୧କୋଟି ଟଙ୍କାରେ କିଣିଥିଲା। ଗତ ସିଜନରେ ନାଇଟ ରାଇଡର୍ସ ପକ୍ଷରୁ ଖେଳିଥିବା ଫିଲ ସଲ୍ଟଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୧.୫୦କୋଟି ଟଙ୍କାରେ କିଣିଥିଲା।
ଭାରାତୀୟଙ୍କ ମଧ୍ୟରେ ଚହଲ, ଇଶାନ କିଷନ, ଜିତେଶ ଶର୍ମା, ଟି ନଟରାଜନ ପ୍ରମୁଖ ଦାମୀ ସାବ୍ୟସ୍ତ ହୋଇଥିଲେ। ଚହଲଙ୍କୁ ପଞ୍ଜାବ କିଙ୍ଗସ ୧୮କୋଟି, କିଷନଙ୍କୁ ସନରାଇଜର୍ସ ୧୧.୨୫ କୋଟି ଟଙ୍କାରେ କିଣିଥିଲା। ସେହିପରି ଜିତେଶଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୧କୋଟି, ନଟରାଜନଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦.୭୫କୋଟିଙ୍କାରେ କିଣିଥିଲେ।
previous article: https://purvapaksa.com/ipl-mega-auction-2025-all-you-need-to-know/