Rice flour Roti: ଭାରତର ସମସ୍ତ ଘରେ ଘରେ ରୁଟି ଖାଇବାର ପ୍ରଚଳନ ରହିଛି। ମୁଖ୍ୟତଃ ରାତ୍ରିଭୋଜନରେ ଲୋକେ ରୁଟି ଖାଇବାକୁ ପସନ୍ଦ କରନ୍ତି।
ଆପଣମାନେ ସମସ୍ତେ ଗହମ ଅଟା ରୁଟି, ମଇଦା ରୁଟି, ବଜାର ରୁଟି, ମକା ଅଟା ରୁଟି, ମାଣ୍ଡିଆ ରୁଟି ଆଦି ଖାଇଥିବେ । ସବୁଦିନ ଗୋଟିଏ ପ୍ରକାରର ରୁଟି ଖାଇବାକୁ ଭଲ ଲାଗିନଥାଏ । ବେଳେବେଳେ କିଛି ଟେଷ୍ଟି ଏବଂ କିଛି ନୂଆ ଜିନିଷ ମଧ୍ୟ ଖାଇବାକୁ ଇଛା ହୁଏ । ତେବେ ଚାଲନ୍ତୁ ଆଜି ମଧ୍ୟ ଆମେ ରୁଟି ତିଆରି କରିବା ହେଲେ କିଛି ନୂଆ ଢଙ୍ଗରେ । ମୁଖ୍ୟତଃ ଚାଉଳ ଅଟାରେ ଆମେ ଚକୁଳି ବା ପିଠା ବନେଇ ଥାଉ । ଆଜି ଆମେ ତିଆରି କରିବା ଚାଉଳ ଅଟା ରୁଟି । ଅଟା ରୁଟି ଭଳି ଚାଉଳ ଅଟାରେ ମଧ୍ୟ ଫୁଲକା ଫୁଲକା ନରମ ରୁଟି ପ୍ରସ୍ତୁତ ହୋଇପାରିବ । ଏହାକୁ ବନେଇବା ଯେତେ ସହଜ ସେତେ ହିଁ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ ।
ଆବଶ୍ୟକ ସାମଗ୍ରୀ
୧ ଚାଉଳ ଚୂନା
ତେଲ
ସ୍ୱାଦ ଅନୁଯାୟୀ ଲୁଣ
ପାଣି
ପ୍ରସ୍ତୁତି ପ୍ରଣାଳୀ
ଏକ ପାତ୍ରରେ ୧/୪ କପ୍ ପାଣି ନିଅନ୍ତୁ ଏବଂ ଏହାକୁ ଫୁଟାନ୍ତୁ । ଫୁଟୁଥିବା ପାଣିରେ ଲୁଣ ଏବଂ ୨ଚାମଚ ତେଲ ମିଶାନ୍ତୁ । ଗ୍ୟାସର ଫ୍ଲେମକୁ କମ ରଖି ଫୁଟିବାକୁ ଦିଅନ୍ତୁ । ବର୍ତ୍ତମାନ ଚାଉଳ ଅଟାକୁ ଧୀରେ ଧୀରେ ଢାଳନ୍ତୁ ଏବଂ କ୍ରମାଗତ ଭାବରେ ମିଶାନ୍ତୁ । ମିଶେଇବା ସମୟରେ କିଛି କଥାକୁ ମୁଣ୍ଡରେ ରଖନ୍ତୁ । ଅଟାକୁ ପାଣି ସହ ଭଲ ଭାବରେ ମିଶେଇବା ଆବଶ୍ୟକ । ଯଦି ସେଥିରେ ଗୋଟା ଗୋଟା ରହି ଯାଇଥାଏ ତେବେ ତାହାକୁ ଚକଟିବା ପାଇଁ ସମସ୍ୟା ହେବ । ଭଲ ଭାବରେ ଅଟାକୁ ମିଶେଇବା ପରେ ଗ୍ୟାସ ବନ୍ଦ କରନ୍ତୁ । ଏହାପରେ ଅଟାକୁ କିଛି ସମୟ ପାଇଁ ଘୋଡ଼ାଇ ରଖନ୍ତୁ । ଏପରି କରିବା ଦ୍ୱାରା ଚାଉଳ ଅଟା ନରମ ହୋଇଯାଇଥାଏ ।
ବର୍ତ୍ତମାନ ଏକ ପାତ୍ରରେ ସେହି ଅଟାକୁ ରଖନ୍ତୁ ଏବଂ ଅଂଟାକୁ ଯେଭଳି ଚକଟନ୍ତି ସେହିଭଳି ନରମ ହେବା ଯାଏ ଚକଟନ୍ତୁ । ଏହାପରେ ଏକ ନରମ ଏବଂ ଓଦା କନାରେ ଘୋଡ଼ାଇ ରଖନ୍ତୁ । ଯାହାଫଳରେ ଅଟା ସଠିକ୍ ଭାବରେ ସେଟ୍ ହୋଇଯାଏ । ଏବେ ଆପଣଙ୍କ ଅଟା ରୁଟି ହେବା ପାଇଁ ପ୍ରସ୍ତୁତ । ବର୍ତ୍ତମାନ ଗରମ କରିବା ପାଇଁ ପ୍ୟାନକୁ ଗ୍ୟାସ୍ ଉପରେ ରଖନ୍ତୁ । ଅଟା ଠାରୁ ଏକ ଲେମ୍ବୁ ଆକାରର ବଲ୍ ବାହାର କରନ୍ତୁ । ବଲକୁ ଶୁଖିଲା ଚାଉଳ ଅଟା ଦେଇ ଏହାକୁ ବେଲନ୍ତୁ । ରୁଟିକୁ ସାବଧାନତାର ସହିତ ଉଠାନ୍ତୁ ଏବଂ ଏହାକୁ ଗରମ ପ୍ୟାନରେ ରଖନ୍ତୁ । ଲେଡ୍ କିମ୍ବା ଚାମଚ ସାହାଯ୍ୟରେ ଓଲଟାନ୍ତୁ । ଉଭୟ ପାର୍ଶ୍ୱରେ ହାଲକା ବାଦାମୀ ରଙ୍ଗ ହେବାକୁ ଦିଅନ୍ତୁ । ଏହାପରେ ଆପଣ ଦେଖିବେ ରୁଟିଟି ଫୁଲିବାକୁ ଆରମ୍ଭ କରିବ । ପ୍ରସ୍ତୁତ ହେଇଗଲା ଆପଣଙ୍କର ନରମ ନରମ ଗରମ ଗରମ ଚାଉଳ ଅଟା ରୁଟି । ଏହାକୁ ଆପଣ ଅଟା ରୁଟି ଭଳି ଯେ କୌଣସି ତରକାରୀ ସହ ଖାଇ ପାରିବେ ।
ଏହି ରୁଟି ବହୁତ ସ୍ୱାଦିଷ୍ଟ ଏବଂ ଏହାକୁ ସମଗ୍ର ଭାରତରେ ଖିଆଯାଏ । ଏହାକୁ ଆପଣ ଯେ କୌଣସି ତରକାରୀ ଏବଂ ଭଜା ସହିତ ଖାଇ ପାରିବେ । ଏହାସହ ଆପଣ ଏହି ରୁଟିକୁ କେବଳ ଚା’ ସହିତ ମଧ୍ୟ ଖାଇ ପାରିବେ । ବିଶେଷକରି ବିହାରରେ ଏହି ରୁଟିକୁ ମିଠା ଏବଂ ଖଟା-ମିଠା କଖାରୁ ତରକାରୀ, ବାଙ୍ଗାଲୋର ଏବଂ ମାଇସୋରରେ ବାଇଗଣ ମସାଲା ଏବଂ ନଡ଼ିଆ ଚଟନି ସହିତ ବହୁତ ପସନ୍ଦ କରାଯାଏ । ଏହା ଖାଇବାକୁ ଏତେ ସୁଆଦିଆ ଲାଗିବ ଯେ ଆପଣ ବାରମ୍ବାର ଏହି ରୁଟି ଖାଇବା ପାଇଁ ଚାହିଁବେ ।
ALSO READ: https://purvapaksa.com/make-carrot-ice-cream-at-home-in-winter-lets-find-out/