ପୁରୀର ନୀଳଚକ୍ର ତଳେ ଭକ୍ତି, ଧର୍ମ, ପରମ୍ପରା ଓ ଆଧୁନିକ ପ୍ରଶାସନ ମଧ୍ୟରେ ଚାଲିଥିବା ଟାଣାଟାଣି ଆଜି ଓଡ଼ିଶାର ରାଜନୀତିକ ଓ ସାମାଜିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ରାମାୟଣର କାଳନେମୀ ଯେପରି ହନୁମାନଙ୍କୁ ରୋକିବାକୁ ସାଧୁବେଶ ଧରିଥିଲା, ଏବେର ପୁରୀ ପରମ୍ପରାର ପାଳକମାନେ- ମନ୍ତ୍ରୀ, ଅଧିକାରୀ ଓ ପ୍ରଶାସନିକ ମେକାନିଜମ୍- ସେହିପରି ବେଶରେ ଅକ୍ଷମତା, ବିଳମ୍ବନା ଓ ଆଡ଼ମ୍ବରର ଅଭିଯୋଗରେ ଘେରାଯାଇଛନ୍ତି। ୨୦୨୪ରେ ବିଜେପି ଓଡ଼ିଶାରେ ଶାସନ କ୍ଷମତାକୁ ଆସିବା ସମୟରେ ଯେପରି ଓଡ଼ିଆ ଅସ୍ମିତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷାର ବିଶାଳ ସନ୍ଦେଶ ଦେଇଥିଲା, ସେହି ଆଶା ଓ ବାସ୍ତବତା ମଧ୍ୟରେ ଆଜି ବଡ଼ ତାଫାତ୍ ଦେଖାଯାଉଛି।
ସବୁଠାରୁ ଚମକଦାର ଏହି ତାଫାତ ଧରାପଡ଼ୁଛି ରଥଯାତ୍ରାର ଅବ୍ୟବସ୍ଥା, ମନ୍ଦିର ସୁରକ୍ଷାର ଶୈଥିଲ୍ୟ, ଓ ଡ୍ରୋନ–ସ୍ପାଇ କ୍ୟାମେରା ଘଟଣାରେ।

ବିଜେପି ସରକାର ଗଠନ ପରେ ପ୍ରଥମ ବର୍ଷ। ଲକ୍ଷ ଲକ୍ଷ ଭକ୍ତଙ୍କ ନଜର। ଶ୍ରୀଜଗନ୍ନାଥଙ୍କ ରଥପଥରେ ଅପ୍ରତ୍ୟାଶିତ ଘଟଣା- ଗୁଣ୍ଡିଚା ମନ୍ଦିରପହଣ୍ଡି ବିଜେ ସମୟରେ ଅବ୍ୟବସ୍ଥା ଯୋଗୁ ବଡ଼ ଠାକୁର ବଳଭଦ୍ର ତଳକୁ ଖସି ପଡ଼ିଲେ।
ଏହା ମାତ୍ର ପରମ୍ପରାର ଅପମାନ ନୁହେଁ; ଏହା ପ୍ରଶାସନିକ ବ୍ୟବସ୍ଥାର ପ୍ରଥମ ବଡ଼ ସତର୍କ ସୂଚନା ଥିଲା।
କିନ୍ତୁ ଏହି ଘଟଣାରୁ ବିଜେପି ସରକାର, ଆଇନ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କିଛି ଶିକ୍ଷା ଲାଭ କଲେ ନାହିଁ।
୨୯ ଜୁନ ୨୦୨୫ । ଭୋର ୩ଟା।
ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟାରେ ଭିଡ଼–ଦଳାଚକଟା କାଣ୍ଡ।
ମରଣ: ୩
ଅନେକ ଆହତ।
କାହିଁକି ଏମିତି ହେଲା?
– ଭିଡ଼ ପରିଚାଳନା ନଥିଲା
– ରୁଟ୍ ମ୍ୟାନେଜମେଣ୍ଟରେ ଗୋଲମାଲ
– ପୋଲିସ୍ ସଂକେତ ଓ କର୍ମୀଯୋଜନା ପ୍ରକୃତ ଫିଲ୍ଡରେ ନଥିଲା
– ଜାଗା ବ୍ଲକ୍, ରାତିରେ ଆଲୋକ ସମସ୍ୟା
– ପ୍ରଶାସନିକ କୋ–ଅର୍ଡିନେସନର ଅଭାବ
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜକୁ ଦୋଷୀ ମନେକରି ଶ୍ରୀଜଗନ୍ନାଥଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ- ରାଜନୀତିକ ଦୃଷ୍ଟିରୁ ଦୁର୍ଲଭ ଘଟଣା।
କିନ୍ତୁ-
ରଥଯାତ୍ରାର ମୁଖ୍ୟ ଦାୟିତ୍ୱରେ ଥିବା
– ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
– ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ
ନୀରବ ରହିବା ସହିତ ନିଜର ଉତ୍ତର ଦାୟିତ୍ୱକୁ ଭୁଲିଗଲେ।
କୌଣସି ପଦକ୍ଷେପ ନାହିଁ କି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ।
ଦଳାଚକଟା ଘଟଣା ପରେ ଯାହା ଲୋକ ଆଶା କରୁଥିଲେ ତାହା ହେଲା ବଡ଼ ଅଧିକାରୀଙ୍କ ଉପରେ କଢ଼ା କାର୍ଯ୍ୟାନୁଷ୍ଠାନ।
ଏହି ଦଳାଚକଟାର ତଦନ୍ତ କରିଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କମିଟି ଏଭଳି କାଳନେମୀମାନଙ୍କୁ ଉତ୍ତରଦାୟୀ କରିବାକୁ ସାହାସ ଜୁଟାଇ ପାରିନାହାନ୍ତି। ଏପରିକି ରଥାଯାତ୍ରା ଦାୟିତ୍ୱରେ ଥିବା ଆଇଏଏସ ଓ ଆଇପିଏସ ଅଧିକାରୀମାନଙ୍କୁ ବଞ୍ଚାଇବାକୁ ଯାଇ ମାର ମାର ଭଣ୍ଡାରିଆକୁ ମାର ନୀତିରେ କାମ କରିଥିବା ପୁଲିସ ଅଧିକାରୀ ଓ କିଛି ଓଏଏସ ଅଧୀକାରୀଙ୍କୁ ଏଥିପାଇଁ ଦୋଷୀ ବୋଲି ତାଙ୍କ ରିପୋର୍ଟରେ ଦର୍ଶାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ କରାଯାଇଛି।

କିନ୍ତୁ ଅନୁ ଗର୍ଗ କମିଟିର ରିପୋର୍ଟକୁ ସାଧାରଣରେ ନାପସନ୍ଦ କରାଯାଇ ସମାଲୋଚନା କରାଯାଉଛି। କାରଣ ପ୍ରଶାସନରେ ଥିବା ଧଳା ହାତୀମାନଙ୍କ ଦେହରେ ହାତ ମାରିବାକୁ ତଦନ୍ତରେ ପ୍ରୟାସ କରାଯାଇ ନାହିଁ। ଏହାକୁ ରାଜ୍ୟବାସୀ ସିଧାସଳଖ ଭାବରେ ବୁଝିଲେ- ଆଧୁନିକ କଳାପାହାଡ଼- କାଳନେମୀ ବେଶରେ ରାଜ କରୁଛନ୍ତି।
କେବଳ ସେତିକି ନୁହେଁ ବର୍ତ୍ତମାନର ବାକ୍ୟବୀର ମନ୍ତ୍ରୀ ଓ ଗଣମାଧ୍ୟମ ପ୍ରେମୀ ପ୍ରଶାସକ ମନ୍ଦିରରେ ଡ୍ରୋନ ଉଡାଣ ଓ ସ୍ପାଇ କ୍ୟାମେରା ପ୍ରବେଶକୁ ବନ୍ଦ କରିପାରୁ ନାହାନ୍ତି।
ଗତ ବୁଧବାର ଦିନ ଜଣେ ବ୍ୟକ୍ତିଠାରୁ ମନ୍ଦିର ପରିଷରରୁ ସ୍ପାଇ କ୍ୟାମେରା ଜବତ କରାଯାଇଛି। କେବଳ ଏହି ମାତ୍ର ଗୋଟିଏ ଘଟଣା ନୁହେଁ, ବିଜେପି ଶାସନ କ୍ଷମତା ଆସିବା ପରଠାରୁ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି।
୫ଜାନୁଆରୀ ୨୦୨୫ ତାରିଖ ସକାଳ ପ୍ରାୟ ୪.୧୦ ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା, ଯାହା ପ୍ରାୟ ୩୦ ମିନିଟ୍ ପାଇଁ ଏହା ଉପରେ ବୁଲୁଥିଲା। ଏହାପୂର୍ବରୁ ୨୦୨୫ ମେ ୩୦ ତାରିଖରେ “ନାରୁ ଗୋପାଳଙ୍କ କାହାଣୀ” ନାମରେ ଫେସବୁକରେ ଅପଲୋଡ୍ ହୋଇଥିଲା ଶ୍ରୀମନ୍ଦିର ପରିସରର ଫଟୋ। ଏହି ଫୁଟେଜରେ, ଜଣେ ‘ଚୁନାରା ସେବକ’, ମାସ୍ତୁଲରେ ପତାକା ଉତ୍ତୋଳନ କରିବା ପାଇଁ ୨୧୪ ଫୁଟ ଉଚ୍ଚ ମନ୍ଦିର ଉପରେ ଚଢ଼ି କ୍ୟାମେରାକୁ ହାତ ଯୋଡ଼ି ସ୍ୱୀକାର କରୁଥିବାର ଦେଖାଯାଉଛି। ମନ୍ଦିର ନିକଟରେ ଉଡ଼ୁଥିବା ପରି ମନେ ହେଉଥିବା ଡ୍ରୋନ୍, ନୀଳଚକ୍ରରେ ପତିତ ପାବନ (ମନ୍ଦିର ପତାକା) ବାନ୍ଧୁଥିବା ସେବକଙ୍କୁ ମଧ୍ୟ କଏଦ କରିଛି।
୨୯ଜୁଲାଇ ୨୯୦୨୫ରେ ମନ୍ଦିର ଭିତରେ ଏକ ଗୁପ୍ତ କ୍ୟାମେରା ଡିଭାଇସ୍ ସହିତ ପୁରୀର ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା।
୪ଅଗଷ୍ଟ ୨୦୨୫ରେ ଦର୍ଶନ ସମୟରେ ଗୁପ୍ତ କ୍ୟାମେରା ଲାଗିଥିବା ଚଷମା ବହନ କରୁଥିବାରୁ ଗୁଜରାଟର ଜଣେ ଭକ୍ତଙ୍କୁ ଗିରଫ କରାଯାଇଥିଲା। ୫ ଅଗଷ୍ଟ ୨୦୨୫ରେ ମନ୍ଦିର ଭିତରେ ଦୃଶ୍ୟ ରେକର୍ଡ କରିବାକୁ ଚେଷ୍ଟା କରୁଥିବା ସମୟରେ ପଶ୍ଚିମବଙ୍ଗର ଜଣେ ଯୁବକ ସମାନ ଲୁକ୍କାୟିତ କ୍ୟାମେରା ଚଷମା ସହିତ ଧରାପଡ଼ିଥିଲେ।
୨୭ଅଗଷ୍ଟ ୨୦୨୫ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗନାର ଜଣେ ଭକ୍ତ ୩୧ ବର୍ଷୀୟ ଅରୂପ ରାୟ ଗୁପ୍ତଚର କ୍ୟାମେରା ଲାଗିଥିବା ଚଷମା ପିନ୍ଧି ତାଙ୍କ ପରିବାର ସହିତ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଗର୍ଭଗୃହ ନିକଟ ଦର୍ଶନ ସମୟରେ, ମନ୍ଦିର ପୋଲିସ ଅଧିକାରୀ ହରିହର ପ୍ରତିହାରୀ ସନ୍ଦେହଜନକ ଉପକରଣଟି ଦେଖିଥିଲେ।
ଏତେ ସବୁ ଘଟଣା ଘଟୁଥିଲେ ମଧ୍ୟ ମନ୍ତ୍ରୀ ଓ ପ୍ରଶାସକ କେବଳ କଡ଼ା ଆଇନ ଆସିବା କହି ଘଟଣାକୁ ହେଲକା କରିଦେଉଛନ୍ତି।
ସରକାର କ୍ଷମତାକୁ ଆସିବାର ୧୭ ମାସ ପରେ ବି ଏପର୍ଯ୍ୟନ୍ତ ରତ୍ନ ଗଣିତି ମଣତି ହୋଇପାରିନାହିଁ। କ୍ଷମତାକୁ ଆସିବା ପରେ ଶ୍ରୀମନ୍ଦିରର ୪ଦ୍ୱାର ଖୋଲିଗଲା ବୋଲି କୁହାଯାଉଥିଲେ ହେଁ ପ୍ରକୃତ ପକ୍ଷରେ ଗୋଟଇଏ ଦ୍ୱାରରେ ଭକ୍ତମାନେ ମନ୍ଦିରକୁ ଯାଉଛନ୍ତି। ଯାହା ଫଳରେ ଭିଡରେ ଗତମାସରେ ଜଣେ ବୟସ୍କ ବ୍ୟକ୍ତିଙ୍କର ୭ ପାହାଚରେ ହୃଦ୍ଘା ତରେ ମୃତ୍ୟୁ ହୋଇଛି। ପ୍ରତିମାସରେ ଧାଡ଼ି ଦର୍ଶନ କଥା କୁହାଯାଉଥିଲେ ହେଁ କେବେ ହେବ ସେ ନେଇ କିଛି ଜଣାପଡ଼ୁ ନାହିଁ।
ଶ୍ରୀଜଗନ୍ନାଥ ମନ୍ଦିର କେବଳ ଧାର୍ମିକ ସ୍ଥଳ ନୁହେଁ।
ଏହା- ଓଡ଼ିଆ ସଂସ୍କୃତିର ମୁହଁ।
ସୁରକ୍ଷା ତ୍ରୁଟି ଏଠାରେ କେବଳ ଆଇନ ଭଙ୍ଗ ନୁହେଁ- ଅସ୍ମିତା ହନନ।
କାହିଁକି ଏତେ ଘଟଣା ହେଉଛି?
କିଏ ଦାୟୀ?
କେଉଁଠି ଦାୟିତ୍ୱ ନିର୍ଦ୍ଦେଶ?
ସୁରକ୍ଷା ପ୍ରଣାଳୀ କେଉଁଠି ଭାଙ୍ଗିଯାଉଛି?
ଭକ୍ତମାନେ ଏବେ ପ୍ରଶ୍ନ କରିବା ଛାଡ଼ିଦେଇ ନାହାନ୍ତି-
“ଆଧୁନିକ କଳାପାହାଡ଼ ଓଡ଼ିଆ ପରମ୍ପରାକୁ ଖାଇଦେଉଛନ୍ତି କି?”
ପ୍ରଶାସନ ଏବେ ମଧ୍ୟ ଯଦି ନିର୍ଦ୍ଦିଷ୍ଟ, କଠୋର ଓ ପେଶାଦାର ପଦକ୍ଷେପ ନ ନେଉଛି,
ତେବେ ଶ୍ରୀଜଗନ୍ନାଥଙ୍କ ପବିତ୍ର ପରିସର ଓ ଓଡ଼ିଶାର ସଂସ୍କୃତି ସତେଜ ହେବାର ସ୍ଥାନରେ ପ୍ରତିଦିନ ମଳିନ ହେବ।
also read https://purvapaksa.com/chemical-attack-plan/
Chemical attack plan ।। ଦେଶରେ ଏକ ବଡ଼ ରାସାୟନିକ ଆକ୍ରମଣ ଯୋଜନା ; ଆତଙ୍କବାଦୀମାନେ ବିଷ ପ୍ରସ୍ତୁତ କରିଥିଲେ


