ରାଜ୍ୟସଭା ନିର୍ବାଚନକୁ ନେଇ ଦେଶବ୍ୟାପୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ କମିଶନ ୧୦ଟି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆବଶ୍ୟକ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତି ପାଇଁ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବଗୁଡ଼ିକୁ ସମୀକ୍ଷା କରି ନିର୍ବାଚନ କମିଶନ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତ କରିବେ, ଯିଏ ନିର୍ବାଚନ ପ୍ରକ୍ରିୟାର ମୁଖ୍ୟ ଦାୟିତ୍ୱରେ ରହିବେ। ଏପ୍ରିଲ ୧୦ ତାରିଖ ସୁଦ୍ଧା ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି।

ସୂଚନା ଅନୁସାରେ ଏହି ପର୍ଯ୍ୟାୟରେ ୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାରୁ ୪ଟି ଆସନ ଖାଲି ହେଉଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୭ଟି ଆସନ ପାଇଁ ଭୋଟ ହେବ। ତାମିଲନାଡ଼ୁରେ ୬, ପଶ୍ଚିମବଙ୍ଗ ଓ ବିହାରରେ ୫ଟି ଲେଖାଏଁ, ଆସାମରେ ୩ଟି ଆସନ ପାଇଁ ନିର୍ବାଚନ ହେବ। ସେହିପରି ତେଲେଙ୍ଗାନା, ଛତିଶଗଡ଼, ହରିୟାଣା ଏବଂ ଆସାମରେ ୨ଟି ଲେଖାଏଁ ଆସନ ଥିବା ବେଳେ ହିମାଚଳ ପ୍ରଦେଶରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେବ।
ଏହି ୩୭ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ୯ ଏପ୍ରିଲରେ ଶେଷ ହେଉଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ, ଏହି ସମୟ ସୀମା ମଧ୍ୟରେ ନୂଆ ସଦସ୍ୟଙ୍କ ନିର୍ବାଚନ ସମ୍ପୂର୍ଣ୍ଣ କରିବା ନିର୍ବାଚନ କମିଶନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱ। ରାଜ୍ୟସଭା ନିର୍ବାଚନ ସର୍ବଦା ପରୋକ୍ଷ ଭାବେ ହୋଇଥାଏ। ରାଜ୍ୟ ବିଧାନସଭାରେ ନିର୍ବାଚିତ ବିଧାୟକମାନେ ଏହି ନିର୍ବାଚନରେ ଭୋଟର ହୋଇଥାନ୍ତି। ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଅନୁସାରେ ଖୋଲା ବ୍ୟାଲଟ ମାଧ୍ୟମରେ ଭୋଟ ଦିଆଯାଏ। ବିଧାୟକମାନେ ପ୍ରାର୍ଥୀଙ୍କୁ ପ୍ରାଥମିକତା କ୍ରମରେ ଭୋଟ ଦେଇଥାନ୍ତି।
ଓଡ଼ିଶା କ୍ଷେତ୍ରରେ ମୋଟ ୧୪୭ଜଣ ବିଧାୟକ ଥିବାରୁ, ରାଜ୍ୟସଭା ନିର୍ବାଚନ ପାଇଁ ମ୍ୟାଜିକ୍ ସଂଖ୍ୟା ବା କୋଟା ହେଉଛି (୧୪୭/୪+୧)+୧, ଅର୍ଥାତ୍ ପ୍ରାୟ ୩୧ଟି ଭୋଟ। ଯେଉଁ ପ୍ରାର୍ଥୀ ଏହି ସଂଖ୍ୟା ହାସଲ କରିବେ, ସେ ନିଶ୍ଚିତ ଭାବେ ନିର୍ବାଚିତ ହେବେ।
ବର୍ତ୍ତମାନ ବିଧାନସଭାରେ ଭାରତୀୟ ଜନତା ପାର୍ଟିର ୮୧ଜଣ ବିଧାୟକ ଥିବାରୁ ଦଳର ୨ଜଣ ପ୍ରାର୍ଥୀ ନିଶ୍ଚିନ୍ତ ଭାବେ ରାଜ୍ୟସଭାକୁ ଯିବାର ସମ୍ଭାବନା ରହିଛି। ବିଜେଡିର ୪୯ଜଣ ବିଧାୟକ ଥିବାରୁ ସେମାନେ ଜଣେ ପ୍ରାର୍ଥୀଙ୍କୁ ପଠାଇପାରିବେ। ତେବେ ଚତୁର୍ଥ ଆସନଟି ଏକ ଖୋଲା ମଞ୍ଚ ଭଳି ହୋଇପଡ଼ିଛି, ଯାହାକୁ ନେଇ ରାଜନୈତିକ ଆଲୋଚନା, ବୁଝାମଣା ଓ ରଣନୀତି ଆରମ୍ଭ ହୋଇଯାଇଛି।
ଓଡ଼ିଶାରୁ ଯେଉଁ ଚାରିଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି, ସେମାନଙ୍କ ମଧ୍ୟରେ ବିଜେପିର ମମତା ମହନ୍ତି ଓ ସୁଜିତ କୁମାର ଏବଂ ବିଜେଡିର ମୁନା ଖାଁ ଓ ନିରଞ୍ଜନ ବିଶି ରହିଛନ୍ତି। ବିଜେଡି ପାଖରେ ଦୁଇଟି ଆସନ ଖାଲି ହେଲେ ମଧ୍ୟ ମାତ୍ର ଜଣେ ପ୍ରାର୍ଥୀଙ୍କୁ ରାଜ୍ୟସଭାକୁ ପଠାଇବାର ସଂଖ୍ୟାବଳ ରହିଛି। ଏହି ପରିସ୍ଥିତିରେ ଓଡ଼ିଶାର ରାଜ୍ୟସଭା ନିର୍ବାଚନ କେବଳ ଭୋଟର ନୁହେଁ, ବରଂ ରାଜନୈତିକ ଗଣିତ ଓ ରଣନୀତିର ଏକ ରୋମାଞ୍ଚକର ଲଢ଼େଇ ହେବାକୁ ଯାଉଛି।
also read https://purvapaksa.com/nimapada-politics/


