- ଆଧୁନିକ ଲୁକ୍, ପାରମ୍ପରିକ ଡିଜାଇନ
- ସ୍ୱତନ୍ତ୍ର ସୁରକ୍ଷା ଫିଚର୍ସ
୮୦ ଦଶକରେ ରାଜୁତି କରୁଥିବା ମୋଟୋରସାଇେକଲ ’ରାଜଦୂତ’ ପୁଣିଥରେ ଭାରତୀୟ ରାଜରାସ୍ତାରେ ଦୌଡ଼ ଲଗାଇବାକୁ ପ୍ରସ୍ତୁତ ହେଉଛି। ସବୁ ସମସାମୟିକ ଗାଡ଼ିକୁ ମାତ୍ ଦେବା ପାଇଁ ରାଜଦୂତ ଏବେ ଭାରତକୁ ଫେରୁଛି। ଖୁବ୍ ଶୀଘ୍ରଏହି ଗାଡ଼ିର ବଜାର ପ୍ରବେଶ ହେବ। ଏକଦା ନିଜର ସ୍ୱତନ୍ତ୍ର ଆକର୍ଷଣ ଓ ଦୃଢ଼ ପ୍ରଦର୍ଶନ ବଳରେ ରାସ୍ତାରେ ରାଜ୍ କରୁଥିଲା ଏହି କିମ୍ବଦନ୍ତୀ ମେସିନ୍। ଏଥର ଆଧୁନିକ ଲୁକ୍, ସମସାମୟିକ ଡିଜାଇନ୍ ଏବଂ ଟେକ୍ନୋଲୋଜି ସହ ରାଜଦୂତ ଫେରିବ। ଏହାର ପୁନରୁଦ୍ଧାରର ରୋମାଞ୍ଚକର ବିବରଣୀ ଜାଣିବା ପୂର୍ବରୁ, ଆସନ୍ତୁ ମୂଳ ରାଜଦୂତ ୩୫୦ର ପରମ୍ପରାକୁ ପ୍ରଶଂସା କରିବାକୁ କିଛି ସମୟ ନିଅନ୍ତୁ ।
ରାଜଦୂତ ୩୫୦: ଏକ ସଂକ୍ଷିପ୍ତ ଇତିହାସ
ନୂଆ ରାଜଦୂତର ରୋମାଞ୍ଚକର ବିବରଣୀ ଜାଣିବା ପୂର୍ବରୁ, ଆସନ୍ତୁ ପୁରୁଣା ରାଜଦୂତ ୩୫୦ ବିଷୟରେ କିଛି ଜ୍ଞାନ ଆହରଣ କରିବା। ୭୦ ଦଶକରେ ରାଜଦୂତ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା। ଖୁବ୍ କମ୍ ସମୟ ମଧ୍ୟରେ ଏହି ଗାଡ଼ିଟି ବାଇକ ପ୍ରେମୀଙ୍କ ଉତ୍ସାହ ବଢାଇ ଦେଇଥିଲା। ୧୯୮୩ରେ ଜାପାନର ୟମାହା ଓ ଭାରତର ଏସ୍କର୍ଟ କମ୍ପାନୀ ମିଳିତ ଭାବେ ପ୍ରସ୍ତୁତ କରିଥିଲେ ଏହି ଗାଡ଼ି। ସେ ସମୟରେ ରାଜଦୂତ ଭାରତୀୟ ମାର୍କଟରେ ସବୁଠୁ ଶକ୍ତିଶାଳୀ ଟୁ-ଷ୍ଟ୍ରୋକ୍ ଇଞ୍ଜିନ ବିଶିଷ୍ଟ ମୋଟର ସାଇକେଲ ଭାବେ ଉଭା ହୋଇଥିଲା। ଅନ୍ୟ କୌଣସି ଗାଡ଼ି ରାଜଦୂତ ସହ ଟକ୍କର ଦେଇପାରୁନଥିଲେ। ରାସ୍ତାରେ ଦୌଡ଼ିବା ସମୟରେ ବାକି ସବୁ ଗାଡ଼ି ପଛରେ ପଡ଼ିଯାଉଥିଲେ। ଧିରେ ଧିରେ ଲୋକେ ରାଜଦୂତକୁ ’ବୁଲେଟ୍ର ବୋପା’ ବୋଲି କହିଲେ।
ପୁରୁଣା ରାଜଦୂତରେ ରହିଥିଲା ୩୪୭ସିସିର ଇଞ୍ଜିନ, ଯାହା ୩୦.୫ ବିଏଚ୍ପି ଓ ୩୨.୩ ନ୍ୟୁଟନ୍ ମିଟର ଟର୍କର ଶକ୍ତି ନିର୍ଗତ କରୁଥିଲା। ମାତ୍ର ୪ସେକେଣ୍ଡ ମଧ୍ୟରେ ଗାଡ଼ିଟି ଶୂନରୁ ୬୦ କିଲୋମିଟରରେ ପହଞ୍ଚି ଯାଉଥିଲା। ଏତେ ଶକ୍ତିଶାଳୀ ଇଞ୍ଜିନକୁ ନିୟନ୍ତ୍ରଣ କରିବା ମଧ୍ୟ ସମସ୍ତ ପକ୍ଷରେ ସମ୍ଭବ ନଥିଲା। କେବଳ ସେତିକି ନୁହେଁ, ରାଜଦୂତ ଚାଲୁଥିବା ବେଳେ ସାଇେଲନ୍ସରରୁ ବାହାରୁଥିବା ଶବ୍ଦ ବାଇକ ପ୍ରେମୀଙ୍କୁ ମତୁଆଲା କରିଦେଉଥିଲା। ରାଜଦୂତର ସୁଦୃଢ଼ ଶରୀର ଏବଂ ଭରସାଯୋଗ୍ୟ ଇଞ୍ଜିନ ସବୁ ବର୍ଗର ବାଇକ ପ୍ରେମୀଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟି ଯାଇଥିଲା। ଏହି ଗାଡ଼ିଟି ବ୍ୟବହାର କରୁଥିବା ଲୋକର ବ୍ୟକ୍ତିତ୍ୱ, ସ୍ୱାଧୀନତା ତଥା ମୁକ୍ତ ଚିନ୍ତାଧାରାର ପ୍ରତୀକ ସଦୃଶ ରହିଥିଲା। ରାଜଦୂତ ସବୁ ପିଢ଼ିର ରାଇଡର୍ସଙ୍କୁ ଆକୃଷ୍ଟ କରିବା ସହ ଦୁଃସାହସିକ ଲମ୍ବା ଯାତ୍ରାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ସ୍ୱପ୍ନ ରାଇଜରେ ପହଞ୍ଚାଇ ଦେଉଥିଲା।
କମ୍ ମାଇଲେଜ ହେତୁ ରାଜଦୂତ ୩୫୦ ଭାରତୀୟ ବଜାରରେ ବାଣିଜ୍ୟିକ ସଫଳତା ପାଇନଥିଲା। ଅଧିକ ଦାମ୍ ସହିତ ସ୍ପେୟାର ପାର୍ଟସ ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ଅଭାବ ଯୋଗୁଁ ରାଜଦୂତର ଚାହିଦା କମିଯାଇଥିଲା। ୧୯୮୫ରେ ୟମାହା କମ୍ପାନୀ ଭାରତରେ ଆରଏକ୍ସ ୧୦୦ ଲଞ୍ଚ କରାଇଥିଲା। ତଥାପି ରାଜଦୂତ ୩୫୦ର ଉତ୍ପାଦନ ଜାରି ରହିଥିଲା। ଆରଏକ୍ସ ୧୦୦ର ଚାହିଦା ବଢିବା ସହ ରାଜଦୂତ ୩୫୦ର ଲୋକପ୍ରିୟତା କମିଥିଲା। ଶେଷରେ ୧୯୯୧ରେ ରାଜଦୂତର ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଥିଲା।
ପୁରୁଣା ଡିଜାଇନ୍, ନୂଆ ଟେକ୍ନୋଲୋଜି
ଦୀର୍ଘ ୩୪ ବର୍ଷ ପରେ ରାଜଦୂତ ୩୫୦ ଭାରତୀୟ ମୋଟରସାଇକେଲ ବଜାରରେ ପୁନଃ ପ୍ରବେଶ କରିବାକୁ ଯାଉଛି। ଚିତ୍ତାକର୍ଷକ ଲୁକ, ଡିଜାଇନ୍ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଏକ ସଠିକ୍ ମିଶ୍ରଣ ହେବ, ଯାହା ଉଭୟ ପାରମ୍ପରିକ ଓ ନିଆରା ଖୋଜୁଥିବା ନୂତନ ପିଢ଼ିର ରାଇଡର୍ସଙ୍କୁ ଆକୃଷ୍ଟ କରିବ।
ନୂତନ ରାଜଦୂତ ୩୫୦ କ୍ଲାସିକରେ ପାରମ୍ପରିକ ଡିଜାଇନ୍କୁ ବଜାୟ ରଖାଯାଇଛି, ଯାହାକୁ ଦୂରରୁ ଦେଖି ମଧ୍ୟ ଚିହ୍ନି ହେବ। ନୂଆ ଗାଡ଼ିରେ ଲମ୍ବା, ଚିତ୍ରିତ ଇନ୍ଧନ ଟାଙ୍କି, ସମାନ୍ତରାଳ ସିଟ୍ ଏବଂ ଗୋଲାକାର ହେଡ୍ ଲ୍ୟାମ୍ପ୍ ସବୁ ମୂଳ ଡିଜାଇନକୁ ପୂର୍ବ ଭଳି ବଜାୟ ରଖାଯାଇଛି।
ଗାଡ଼ିର ପ୍ରତ୍ୟେକ ଉପାଦାନକୁ ସଂଶୋଧିତ ଓ ଆଧୁନିକୀକରଣ କରାଯାଇଛି। ହେଡଲ୍ୟାମ୍ପ ପୂର୍ବଭଳି ଗୋଲାକାର ରହିଥିବାବେଳେ ଏଲ୍ଇଡି ଟେକ୍ନୋଲୋଜି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଛି। ଗାଡ଼ିରେ ଲାଗିଥିବା ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଉଭୟ ଆନାଲଗ ଏବଂ ଡିଜିଟାଲ ଡିସପ୍ଲେର ଏକ ମିଶ୍ରଣ, ଯାହା ଆଧୁନିକ ରାଇଡରମାନଙ୍କୁ ଆବଶ୍ୟକ ସମସ୍ତ ସୂଚନା ପ୍ରଦାନ କରିବ। ଐତିହାସିକ ରାଜଦୂତ ବ୍ୟାଜକୁ ସମସାମୟିକ ସ୍ୱଭାବ ସହିତ ପୁନଃଡିଜାଇନ୍ କରାଯାଇଛି କିନ୍ତୁ ବ୍ରାଣ୍ଡ ସହିତ ପରିଚିତ ଲୋକଙ୍କୁ ଏହି ବ୍ୟାଜ ବେଶ ଆକର୍ଷିତ କରିବ।
ନୂଆ ରାଜଦୂତ ୩୫୦ରେ ପଛ ପାର୍ଶ୍ୱ ପୂର୍ବ ଭଳି ଦମ୍ଦାର ରହିଛି। ପଛରେ ସ୍ଲିକ୍ ଏଲଇଡି ଟେଲଲାଇଟ୍ ରହିଛି। ପୂର୍ବ ଭଳି ୨ଟି ସାଇେଲନ୍ସର ବା ଏଗ୍ଜଷ୍ଟ ପାଇପ ରଖାଯାଇଛି। ଗାଡ଼ିର ଏଗ୍ଜଷ୍ଟ ପାଇପର ଆୱାଜକୁ ପୂର୍ବ ଭଳି କାଏମ ରଖିବା ପାଇଁ ଗୁରୁତ୍ୱ ଦିଆଯାଇଛି।
ଅରିଜିନାଲ ରାଜଦୂତ ୩୫୦ ଏହାର ଟୁ-ଷ୍ଟ୍ରୋକ୍ ଇଞ୍ଜିନ୍ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ନୂଆ ମଡେଲରେ ବର୍ତ୍ତମାନର ନିର୍ଗମନ ମାନଦଣ୍ଡ ପୂରଣ କରିବା ପାଇଁ ଆଧୁନିକ ଫୋର-ଷ୍ଟ୍ରୋକ୍ ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଯାଇଛି। ଗାଡ଼ିରେ ୩୪୮ ସିସି, ଏୟାର-ଅଏଲ କୁଲ୍ଡ, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ପ୍ରାୟ ୨୦ ବିଏଚପି ଏବଂ ୨୮ ଏନଏମ ଟର୍କ ଉତ୍ପାଦନ କରିବ । ଗାଡ଼ିରେ ୫ସ୍ପିଡ୍ ଗିୟର ବକ୍ସ, ଟେଲିସ୍କୋପିକ ସସ୍ପେନସନ, ସମ୍ମୁଖ ଚକରେ ୩୦୦ ଏମଏମ ଓ ପଛ ଚକରେ ୨୪୦ ଏମଏମ ଡିସ୍କ ବ୍ରେକ୍ ଓ ଡୁଆଲ ଚ୍ୟାନେଲ ଏବିଏସ ଲଗାଯାଇଛି।
କ’ଣ ରହିଛି ସ୍ୱତନ୍ତ୍ର ଫିଚର୍ସ
୧- ଡିଜିଟାଲ-ଆନାଲଗ ଇନ୍ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଯାହା ସ୍ପିଡ୍, ଆରପିଏମ, ଫୁଏଲ ଓ ଟ୍ରିପ୍ ସୂଚନା ପ୍ରଦାନ କରିବ
୨- ଏଲଇଡି ଲାଇଟ୍ , ୟୁଏସବି ଚାର୍ଜିଂ ପୋର୍ଟ, ଅନ-ଦ-ଗୋ ଚାର୍ଜିଂ
୩- ବ୍ଲ୍ୟୁଟୁଥ୍ କନେକ୍ଟିଭିଟି, ନ୍ୟାଭିଗେସନ
୪- ଡୁଆଲ ଚ୍ୟାନେଲ ଏବିଏସ
ନୂଆ ରାଜଦୂତ ଆଗାମୀ ଦିନରେ ରୟାଲ ଏନଫିଲ୍ଡ କ୍ଲାସିକ ୩୫୦ ଏବଂ ଜାୱା ୩୫୦ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ସହ ହୋଣ୍ଡା ହେନେସ୍ ସିବି୩୫୦ ଭଳି ନୂଆ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବ।
previous article: https://purvapaksa.com/maruti-suzuki-dzire-bags-5-star-global-ncap-rating/
