ଋତୁଚକ୍ରର ଆବର୍ତ୍ତନରେ ଗୋଟିକ ପରେ ଗୋଟିଏ ଋତୁର ଆଗମନରେ ଧରାପୃଷ୍ଠରେ ଯେଉଁ ଜୈବିକ ପରିବର୍ତ୍ତନ ଘଟେ ତାକୁ ନେଇ କେତେ ସେ ସାହିତ୍ୟ ସୃଷ୍ଟି ହୋଇଛି ତାର ସୀମା ନାହିଁ । ଭାରତୀୟ ଋତୁମାନେ ସବୁବେଳେ ମଣିଷ, ମିଷ୍ଟିକ୍, କବି ଓ ଦାର୍ଶନିକଙ୍କ ମନରେ ମଞ୍ଜୁଳ ଅନୁଭୂତି ଆଣିଦେଇଛନ୍ତି । ମହାନ୍ ସଂସ୍କୃତ କରି କାଳିଦାସଙ୍କଠାରୁ ଆରମ୍ଭ କରି ଆଜିକାଲିର କବିଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ଋତୁ ଯଥା ବର୍ଷା, ଗ୍ରୀଷ୍ମ , ଶରତ , ହେମନ୍ତ, ଶୀତ ଓ ବସନ୍ତକୁ ନେଇ ଅଭିନବ ସୃଷ୍ଟି କରିଚାଲିଛନ୍ତି ।
କେବଳ କବି କାହିଁକି, ଚିତ୍ରଶିଳ୍ପୀ, ଏବଂ ସଙ୍ଗୀତକାରମାନେ ମଧ୍ୟ ଦିଗ୍ବଳୟର ପରିବର୍ତ୍ତନକୁ ଅନୁଭବ କରିଛନ୍ତି ଏବଂ ସେମାନଙ୍କ ଭିତରେ ଯେଉଁ ସୃଜନାତ୍ମକ ପ୍ରେରଣା ଜନ୍ମ ନେଇଛି ତାହା ରାଗ ରାଗିଣୀରେ ରୂପାନ୍ତରିତ ହୋଇଛି କିମ୍ବା କ୍ୟାନ୍ଭାସରେ । ବିଭିନ୍ନ ଋତୁକୁ ନେଇ ଭାରତର ଏନ ବିରାଟ ଚିତ୍ର ପାରଂପର୍ଯ୍ୟ ରହିଛି –ରାଗମାଳା ପେଣ୍ଟିଙ୍ଗ । ଆମର ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ତାର ଉପସ୍ଥିତିକୁ ଜାହିର କରି ଆସିଛି ପ୍ରତ୍ୟେକ ଋତୁକୁ ନେଇ !
ବର୍ଷା କଥା ଯେଳେବେଳେ ଉଠେ ପ୍ରଥମେ କାଳିଦାସଙ୍କ ମେଘଦୂତ କାବ୍ୟ ହିଁ ସ୍ମରଣକୁ ଆସେ। ପ୍ରକୃତିର ଅନୁପମ ରମଣୀୟ ଦୃଶ୍ୟ ମହାକବି କାଳିଦାସଙ୍କ ହୃଦୟକୁ ଯେତେ ସୁନ୍ଦର ଭାବରେ ସ୍ପର୍ଶକରିଛି, ଅନ୍ୟ କାହାକୁ ହୁଏତ୍ ସେଭଳି କରିନାହିଁ । ଦର୍ଷା ଋତୁର ଦୃଶ୍ୟ ସମ୍ଭାର ତାଙ୍କର ‘ଋତୁ ସଂହାର’ କାବ୍ୟରେ ବର୍ଣ୍ଣନା ଥିଲେ ହେଁ ତାହା ପୁଷ୍ପିତ ଓ ପଲ୍ଲବିତ ହୋଇ ପୁନର୍ବାର ରୂପନିଏ ‘ମେଘଦୂତମ୍’ରେ ।
ପର୍ବତର ଅଗ୍ରଭାଗରେ ମେଘ ଖଣ୍ଡର ସଂଲଗ୍ନ ଦୃଶ୍ୟ, ବିକଶିତ ବର୍ଷାକାଳୀନ ପୁଷ୍ପରାଜି , ପୂର୍ଣ୍ଣଗର୍ଭା ନଦୀ, ବର୍ଷାକାଳର ଅବ୍ୟବହିତ ପୂର୍ବରୁ ପ୍ରଜ୍ଵଳିତ ଦାବାଗ୍ନି, ମେଘ ଦ୍ଵାରା ତାହାର ପ୍ରଶମନ – ଏ ସମସ୍ତ ଦୃଶ୍ୟ କାଳିଦାସଙ୍କୁ ଅସୀମ ଆନନ୍ଦ ଦେଇଛି ।
ଆଷାଢର ପହିଲି ମେଘ। ସେ କଣ ମେଘ? କଳାହାଣ୍ଡିଆ ବଳୁଆ ହାତୀଟି କି ଆଉ ! ସେ ପୁଣି ଉଡ଼ିଉଡ଼ି ଆକାଶମାର୍ଗରେ ଆସୁଛି । ଖାଲି ଉଡୁନାହିଁ ତ ସେ ହସ୍ତୀ, ପର୍ବତ ଆଗରେ ଲାଖି ରହିବାବେଳେ ଉନ୍ମତ୍ତ ହସ୍ତୀର ଉଦ୍ଦାତ୍ତ କେଳି ପରି ଦେଖାଯାଉଛି । ଲେଖିଲେ କାଳିଦାସ :
तस्मिन्नद्रौ कतिचिदबलाविप्रयुक्त: स कामी,
नीत्वा मासान्कनकवलयभ्रंशरिक्तप्रकोष्ठ: ।
आषाढस्य प्रथम दिवसे मेघमाश्लिष्टसानुं,
वप्रक्रीडापरिणतगजप्रेक्षणीयं ददर्श ।
॥ ପୂର୍ବମେଘ ॥
ଶ୍ଳୋକାର୍ଥ କିଛି ଏହିଭଳି :
ଏକଦା ଜଣେ ଯକ୍ଷ ଅଳକାପୁରରେ ଯକ୍ଷରାଜ କୁବେରଙ୍କ ଆଦେଶରେ ଏକ ପ୍ରମୋଦୋଦ୍ୟାନର ପଦ୍ମ ପୁଷ୍କରିଣୀର ସଂରକ୍ଷଣ ଦାୟିତ୍ଵରେ ଥିଲା । ସେ ଥିଲା ନବବିବାହିତ । ହୃଦୟରେ ନବାଗତା ପତ୍ନୀ ପ୍ରତି ଅସୀମ ପ୍ରେମ । ପ୍ରତି ମୁହୂର୍ତ୍ତରେ ନବବଧୂର ମୁଖମଣ୍ଡଳ ଉଙ୍କି ମାରୁଥାଏ ତା ମାନସପଟରେ । କର୍ତ୍ତବ୍ୟରେ ଅବହେଳା ଓ ମନରେ ଚଞ୍ଚଳତା। ଏହି ସମୟରେ ହାତୀପଲ ଦ୍ୱାରା ସେଠାରେ ଥିବା ସୁଶୋଭିତ ପଦ୍ମବନ ଧ୍ଵଂସ ପାଇଲା । ଖବର ପାଇ ରାଜା କ୍ରୋଧାନ୍ୱିତ ହେଲେ । ଏକ ବର୍ଷ ପର୍ଯ୍ୟନ୍ତ ପ୍ରିୟା-ବିରହିତ ହୋଇ ଭୂପୃଷ୍ଠରେ ଅବସ୍ଥାନ କରିବାକୁ ତାକୁ ଆଦେଶ ଦିଆଗଲା। ଏହି ନିର୍ବାସନ ଦଣ୍ଡ ଭୋଗିବା ପାଇଁ ଯକ୍ଷ ଭାରତବର୍ଷର ରାମଗିରିରେ ରହିଲା । ଏହି ଭଳି ଆଠମାସ ବିତିଯିବା ପରେ ଯକ୍ଷ ନିଜର ନବବିବାହିତା ପତ୍ନୀକୁ ଝୁରିଝୁରି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲା, ଏବଂ ତା’ ହାତର କଙ୍କଣ ବି ଗଳିପଡ଼ୁଥିଲା । ଦିନେ ଅଷାଢର ପ୍ରଥମ ଦିବସରେ ସେ ଦେଖିଲା ମେଘଖଣ୍ଡମାନ ଆକାଶରେ ଉତ୍ତର ଦିଗକୁ ଉଡ଼ିଯାଉଛନ୍ତି । ପତ୍ନୀପାଗଳ ଯକ୍ଷ ଜୀବ-ନିର୍ଜୀବ ବିଷୟ ବିଚାର କରିବା ଅବସ୍ଥାରେ ନ ଥିଲା । କୂଟଳ ଫୁଲ ଆଞ୍ଜୁଳାଏ ଧରି ସ୍ଵାଗତ ଜଣାଇଲା ସେ ମେଘକୁ ଓ ତାର ପ୍ରିୟା ନିକଟକୁ ସନ୍ଦେଶ ପ୍ରେରଣ କଲା ।
ବର୍ଷା ଋତୁର ବିଭିନ୍ନ ପର୍ୟାୟର ଦୃଶ୍ୟ କବି କାଳିଦାସଙ୍କ କାବ୍ୟରେ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ସଂସ୍କୃତ କାବ୍ୟ ସାହିତ୍ୟରେ ଅନ୍ୟତ୍ର ତାହା ବିରଳ। ଠିକ ସେହିଭଳି ମହାନ କବି ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଥମ ଅଷ୍ଟପଦୀରେ ମଧ୍ୟ ବର୍ଷା ଓ ମେଘର ବର୍ଣ୍ଣନା ଅନନ୍ୟ।
ସଂସ୍କୃତ ସାହିତ୍ୟ ବ୍ୟତିରେକେ ଇଂରାଜୀ ସାହିତ୍ୟରେ ବର୍ଷାକୁ ନେଇ ସେକସପିୟରଙ୍କ ଠାରୁ ଲଂଫେଲୋଙ୍କ ପର୍ଯନ୍ତ ସମସ୍ତେ ସେମାନଙ୍କର କାବ୍ୟିକ ଅଭିବ୍ୟକ୍ତିକୁ ପରିପ୍ରକାଶ କରିଛନ୍ତି।
Twelfth Nightରେ ସେକସପିୟର:
When that I was and a little tiny boy,
With hey, ho, the wind and the rain,
A foolish thing was but a toy,
For the rain it raineth every day.
ଆଧୁନିକ ସମୟର ବିଶିଷ୍ଟ ଔପନ୍ୟାସିକ ଗାବ୍ରିଏଲ ଗାର୍ସିଆ ମାର୍କୁଇଜ ତାଙ୍କର Watching It Rain In Galicia’ ରେ ଲେଖିଛନ୍ତି:”We walked through this main as if through a state of grace, eating shellfish galore, the only five shellfish left in this devastated world: eating fish which on the ‘plate still looked like fish and salads that continue to grow on the table. And we know that all this was by virtue of the rain which never stops falling.”
ଓଡ଼ିଶାରେ ବର୍ଷାର ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଅର୍ଥ ରହିଛି । ଏହା ରାଜ୍ୟର କୃଷିପ୍ରଧାନ ସମାଜ ଏବଂ ଧାର୍ମିକ ପରମ୍ପରାର ମୂଳ ଆଧାର।
ବର୍ଷାକୁ ଏକ ଦିବ୍ୟ ଆଶୀର୍ବାଦ ଭାବରେ ଦେଖାଯାଏ।ଏହା ଜୀବନଧାରଣ, ଜୀବନ ଏବଂ ଋତୁ ପରିବର୍ତ୍ତନର ପ୍ରତୀକ। ବର୍ଷା ଭଗବାନ ଇନ୍ଦ୍ରଙ୍କ ଭଳି ଦେବତା ଏବଂ ରଜ ଭଳି ପର୍ବ ସହିତ ଜଡିତ। ମୌସୁମୀ ଏବଂ ରଜ ପର୍ବ ପ୍ରଜନନକୁ ପାଳନ କରେ ।
ଓଡ଼ିଆ ସାହିତ୍ୟରେ ବର୍ଷାର ଆବେଦନ ଖୁବ ସମୃଦ୍ଧ। ଏହା ନବୀକରଣର ପ୍ରତୀକ। ପ୍ରାୟ ସମସ୍ତ ବର୍ଷା କବିତାରେ ଏହାର ଚକ୍ରାକାର, ଜୀବନଦାୟକ ପ୍ରକୃତି ଉପରେ କବିମାନେ ଗୁରୁତ୍ୱାରୋପ କରି ଆସିଛନ୍ତି। “ବର୍ଷା” ଋତୁକୁ ପର୍ବ, ଗୀତ ଏବଂ ନୃତ୍ୟ ମାଧ୍ୟମରେ ପାଳନ କରାଯାଏ । ଜୀବନକୁ ବଞ୍ଚାଇ ରଖିବାରେ ବର୍ଷାର ଭୂମିକା ପାଇଁ ସଚରାଚର ପ୍ରାଣୀ କୃତଜ୍ଞତା ପ୍ରକାଶ କରନ୍ତି। ଓଡ଼ିଆ ପ୍ରବାଦ ଏବଂ ଲୋକକଥାରେ ମଧ୍ୟ ବର୍ଷାର ଉପସ୍ଥିତି କିଛି କମ ନୁହେ।ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବର୍ଷା ହେଉଛି ଆଶାର ପ୍ରତୀକ।
ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟରେ କେବଳ ଜଣେ ଉଚ୍ଚକୋଟୀର ସାଧକ ନଥିଲେ , ଥିଲେ ମଧ୍ୟ ଜଣେ ପ୍ରତିଭାସଂପନ୍ନ କବିବ୍ୟକ୍ତି । ଓଡିଶାର ଧାର୍ମିକ ଜୀବନକୁ ପରିପୁଷ୍ଟ କରିବାରେ ତାଙ୍କର ଭାଗବତ ଯେମିତି ଏକ ଅନବଦ୍ୟ ଗ୍ରନ୍ଥ ,ଭାଗବତର ଦଶମ ସ୍କନ୍ଦ ଗୋପଲୀଳାରେ ବର୍ଷା ଋତୁର ଶୋଭା ବର୍ଣ୍ଣନା ସେହିଭଳି ଚମତ୍କାର ଓ ଅନବଦ୍ୟ :
ଏବେ ଗ୍ରୀଷମ କାଳ ଗଲା
ବରଷାଋତୁ ପ୍ରକାଶିଲା ।।
ସକଳ ଋତୁଙ୍କର ସାର
ଶସ୍ୟ ସଂପଦ ଭରପୁର ॥
ମେଘ ମିଳିଲେ ଶୂନ୍ୟପଥେ
ବିଜୁଳି ଶବଦ ସଂଗତେ ॥
ଭୂମି ସାଗର ଶୂନ୍ୟ ବ୍ୟାପି
ନୀଳ ଜୀମୂତ ବିଶ୍ଵରୂପୀ ॥
ଯେମନ୍ତ ନିବିଡ଼ ଆକାଶ.
ଭୁମିର ରସ ଅଷ୍ଟମାସ ॥
ଆଦିତ୍ୟ କରିଥିଲା ଗ୍ରାସ
ସେ ତାପ କଲା ମେଘ ନାଶ ॥
ମହୀମଣ୍ଡଳ ଦୁଃଖ ଚାହିଁ
ଜଳ ଛାଡିଲା ତୋଷ ହୋଇ ॥
ଘୋର ଶବଦେ ମେଘମାଳ
ଗରଜି ବରଷନ୍ତି ଜଳ ॥
ମଣ୍ଡୁକେ ମେଘନାଦ ଶୁଣି
ଗର୍ଜନ୍ତି ଆବୋରିଣ ପାଣି ॥
ଅଳପେ ନଦୀଏ ପୂରିଲେ
ଲହରୀ ମତେ ଉଛୁଳିଲେ ॥
ନାନା ପ୍ରକାର ଶସ୍ୟ ରାଶି
ଏଣେ ପୁରିତ ମହୀ ଦିଶି ॥
ପଲ୍ଲୀକବି ନନ୍ଦକିଶୋର ବଳ ‘ବର୍ଷା ସନ୍ଧ୍ୟା’ ଶୀର୍ଷକ କବିତାରେ ବର୍ଷାଋତୁରେ ଗାଁ ଗହଳିର ଏକ ନିଛକ ଦୃଶ୍ୟ ଆଙ୍କିଛନ୍ତି:
ଚୁଲିମୁଣ୍ଡେ ବସି ଦରିଦ୍ର କୃଷକ/ପୁତ୍ରକନ୍ୟା କୋଳେ ଧରି
କୃଷକ ଘରଣୀ କଥା ଶୁଣୁଥାଏ /ରନ୍ଧାବଢ଼ା କାମ ସାରି
ନଈବଢ଼ି ଜଳେ ଭାସି ଆସିଥିବା /କାଠ ଥାଏ ଆମୁଲିଆ
ଚୂଲିରେ ପଡ଼ିଣ ଜଳୁଥିବା ବେଳେ / ହେଉଥାଏ ସେଏଁସାଆଁ
କବି ସୌଭାଗ୍ୟ ମିଶ୍ର ବର୍ଷା ଋତୁକୁ ନେଇ ତାଙ୍କ ‘ମେଘ’ କବିତାରେ ଲେଖନ୍ତି :
ଶ୍ରାବଣର କଞ୍ଚାମେଘ ହେଉ ସିଏ
ସଂବର୍ତ୍ତକ, ଦ୍ରୋଣ ବା ପୁଷ୍କର
ସେ ମେଘରେ କେତେ ଜଳ
ଛଳଛଳ ମନରେ କିଆରୀ
ଉର୍ବରତା ଜମି ପୁଣି ତୁମ
ଦେହ ସାରା ଉପରେ
କାଚକେନ୍ଦୁ ପୋଖରୀରେ କୁନିକୁନି
ଲାଞ୍ଜ ଛାଟେ ସ୍ଵପନର ସଫାରୀ
ନିର୍ବାସିତ ଯକ୍ଷ ଆଜି କାନ୍ଦିପାରେ
ଝରକା ପାଖରେ
କାଠଯୋଡି ନଈକୁଳେ ପଞ୍ଚାବନ ବନ୍ୟା ଆସିପାରେ ।
ଗିରିବାଳା ମହାନ୍ତିଙ୍କ କବିତାରେ ବର୍ଷାର ଅନୁଭବ କିଛି ଏହିଭଳି :
ଆଷାଢ଼ର ପ୍ରଥମ ଦିନେ
ଏଇନେ ମରିବାକୁ ଫୁର୍ସତ୍ ନାଇଁ
ମେଘର।
ଏଇନେ ଢ଼େର କାମ।
ଧୋଇବାକୁ ହବ ପାହାଡ଼ ପର୍ବତ
ଗଛବୃଚ୍ଛ ଜୀବଜନ୍ତୁଙ୍କ ଦେହରୁ
ଖରା ଆଉ ଧୂଳି।
ମେଣ୍ଟେଇବାକୁ ହବ ପ୍ରାଣୀଙ୍କର ତୃଷ୍ଣା ।
ନଦୀନାଳ ପୁଷ୍କରିଣୀଙ୍କ ଅଭାବ ପୂର୍ଣ କରିବାକୁ ହବ ଏଇନେ।
ଏହିକ୍ଷଣି ଭିଜାଇବାକୁ ହବ ମାଟି ବତୁରେଇବାକୁ ପଡ଼ିବ ବୀଜ।
ସଦ୍ୟ ଆଁ କରୁଥିବା ବୀଜକୁ
ଯୋଗାଇ ଦବାକୁ ହବ ରସ-ସ୍ତନ
ମଥାଟେକିବାକୁ ଉନ୍ମୁଖ ଅଙ୍କୁରଙ୍କୁ ସିଞ୍ଚିବାକୁ ହବ ଜଳ
ଯିଏ ଆଗକୁ ବଢ଼େଇବ ଜୀବନ
ଫୁଟେଇବ ଫୁଲ ଫଳ।
ଏଇନେ ମରିବାକୁ ବି ଫୁରସତ୍ ନାଇଁ ମେଘର ।
ଓଡ଼ିଶା ଏକ ଉପକୂଳବର୍ତ୍ତୀ ରାଜ୍ୟ । ନିସର୍ଗ ସୁଷମାର ଗନ୍ତାଘର ଓଡ଼ିଶା ବିଧାତାର ଇଙ୍ଗିତରେ ସତେ ଯେପରି ସୁଖଦୁଃଖ, ଘାତପ୍ରତିଘାତ, ଯାତନା ଯନ୍ତ୍ରଣା, ଉତଥାନ ପତନକୁ ଆପଣାର କରି ନେଇଛି । ଓଡ଼ିଶାର ନାନ୍ଦନିକ ପ୍ରକୃତି ଓଡ଼ିଶାବାସୀଙ୍କୁ କେତେବେଳେ ଆହ୍ଲାଦିତ କରେ ତ କେତେବେଳେ ପ୍ରଳୟଙ୍କରୀ କରାଳ ତାଣ୍ଡବରେ ଅନ୍ତରରେ ଭୀତି ସଞ୍ଚାର କରେ । ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁତି ଆଦି ଦୈବୀପାକ କବଳରେ କବଳିତ ଓଡ଼ିଶା । ତେଣୁ ଉତ୍କଳ ଭୂମି ସବୁବେଳେ ଦରିଦ୍ରର କଷାଘାତରେ ମ୍ରିୟମାଣ ହୋଇ ଆସିଛି ।
ଓଡ଼ିଶାର ଅନେକ ପ୍ରଧାନ ନଦୀ, ତାହାର ଉପନଦୀ ଓ ଶାଖାନଦୀ ପ୍ରବାହିତ ହେଉଛନ୍ତି । ଘଞ୍ଚ ଅରଣ୍ୟାନୀ ମଧ୍ୟରୁ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଓ ବଂଶଧରା ଆଦି ନଦୀଗୁଡ଼ିକ ନିର୍ଗତ ହୋଇ ସେମାନଙ୍କର ପ୍ରବାହମାନ ଜଳଧାରାରେ ଉତ୍କଳର ସମତଳ ଅଞ୍ଚଳକୁ ସୁଚନା, ସୁଫଳା, ଶସ୍ୟଶ୍ୟାମଳା କରି ସବୁଜଶ୍ରୀରେ ମଣ୍ଡିତ କରି ଆସିଛନ୍ତି ।
ଦିନଥିଲା ଓଡ଼ିଶା ଭୂଖଣ୍ଡର ବିସ୍ତିର୍ଣ୍ଣ ବକ୍ଷରେ ପ୍ରାଚୀନ ବଣିକ ତାର ବାଣିଜ୍ୟତରୀ ଭସାଇ ସୁଦୂର ବିଦେଶକୁ ବାଣିଜ୍ୟ ଯାତ୍ରା କରୁଥିଲ। ଓଡ଼ିଶାର ପୂର୍ବ ଗର୍ଭା ନଦୀଗୁଡ଼ିକ ଏହାର କୃଷି ତଥା ବାଣିଜ୍ୟ ପ୍ରଗତିରେ ସହାୟକ ହେଉଥିଲା। ସେହିସବୁ ନଦୀ କୂଳପ୍ଲାବନୀ ହୋଇ ବନ୍ୟାର ଦାରୁଣ ବିଭୀଷିକା ସୃଷ୍ଟି କରିବା ଯେତିକି ବାସ୍ତବ, ସେଥିରେ ଜନସାଧାରଣଙ୍କ ସୁଖ ସମୃଦ୍ଧି ପ୍ରତିହତ ହେବ ସେତିକି ସତ।
ମୌସୁମୀ ପ୍ରବାହ ଯୋଗୁଁ ଦିନଦିନ ଧରି ଉପରମୁଣ୍ଡରେ କ୍ରମାଗତ ବୃଷ୍ଟିପାତ ହେବା ଫଳରେ ବନ୍ୟାର ଆଶଙ୍କା ଏବଂ ପୂର୍ଣ୍ଣଗର୍ଭା ନଦୀରେ କୂଳବାସୀ ଆତଙ୍କିତ ହେବ ଏକ ସାଧାରଣ ଘଟନା । କ୍ଷିପ୍ର ଜଳଧାର ଓ ପ୍ରଖର ସ୍ରୋତରେ ନଦୀଜଳ କୂଳଲଙ୍ଘନ କରି ଯେଉଁ ପ୍ରଳୟ ତାଣ୍ଡବ ରଚନା କରନ୍ତି ତାହାର ବର୍ଣ୍ଣନା ଅନାବଶ୍ୟକ।
ଓଡ଼ିଶାର ଅର୍ଥନୀତି ପ୍ରଚୁର ପରିମାଣରେ ବର୍ଷା ଉପରେ ନିର୍ଭର କରେ, ଏବଂ ଏହାର ସାଢ଼େ ଚାରି କୋଟି ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ କୃଷି ଉପରେ ନିର୍ଭରଶୀଳ। ବର୍ଷା ସିଧାସଳଖ ପ୍ରଭାବିତ କରେ ଫସଲ ଉତ୍ପାଦନକୁ। ଓଡ଼ିଶାର ମୁଖ୍ୟ ଫସଲ ଧାନ ମୌସୁମୀ ବର୍ଷା ଉପରେ ହିଁ ନିର୍ଭର କରେ।
ଭାରତର ସବୁଠାରୁ ବନ୍ୟାପ୍ରବଣ ଅଞ୍ଚଳ ମଧ୍ୟରୁ ଓଡ଼ିଶା ଗୋଟିଏ। ଗତ ୧୦୦ ବର୍ଷ ମଧ୍ୟରୁ ପାଖାପାଖି ୫୦ ବର୍ଷ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି ରାଜ୍ୟ । ଘୂର୍ଣ୍ଣିବଳୟ ଦ୍ୱାରା ପ୍ରାୟତଃ ପ୍ରବଳ ବର୍ଷା ହେବା ଫଳରେ ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ଭିତରେ ରହେ ଏବଂ ଫସଲ ହାନି ଏଠି ଏକ ଧରାବନ୍ଧା କଥା। ବିପରୀତ ଭାବରେ, ଅନିୟମିତ ମୌସୁମୀ ବର୍ଷା ମରୁଡ଼ି ସୃଷ୍ଟି କରିଥାଏ।
ଓଡ଼ିଶାରେ ବର୍ଷା ଏକ ଦୁଇଧାର ଖଣ୍ଡା ଭଳି। କୃଷି ଏବଂ ପରିସଂସ୍ଥା ପାଇଁ ବର୍ଷା ଏକ ଅତ୍ୟାବଶ୍ୟକ ଜୀବନଦାୟକ ଶକ୍ତି ସତ । ତଥାପି ଏହା ବନ୍ୟା, ଘୂର୍ଣ୍ଣିଝଡ଼ ଏବଂ ଆର୍ଥିକ କ୍ଷତିର ଏକ ବଡ କାରଣ ମଧ୍ୟ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଖାପାଖି ଚାରି ମାସ ଧରି ଓଡ଼ିଶାର ଜୀବନରେ ପ୍ରାଧାନ୍ୟ ବିସ୍ତାର କରେ, କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଣମୌସୁମୀ ବର୍ଷା ଏବଂ ଘୂର୍ଣ୍ଣିବଳୟ ଏବେ ଏକ ବଡ଼ ଆହ୍ଵାନ ହୋଇଛି । ସକ୍ରିୟ ବିପର୍ଯ୍ୟୟ ପରିଚାଳନା ଆଜି ସରକାର ମାନଙ୍କ ପାଇଁ ଏକ ବଡ ଆହ୍ଵାନ।
ସାଂସ୍କୃତିକ ଦୃଷ୍ଟିରୁ, ବର୍ଷାକୁ ନବ ଉନ୍ମାଦନାର ପ୍ରତୀକ ଭାବରେ ପୂଜା କରାଯାଏ। ଓଡ଼ିଶାର ପର୍ବପର୍ବାଣୀ, ଜୀବନଧାରା ଏବଂ ସାହିତ୍ୟ ବର୍ଷା ସହିତ ଓତପ୍ରୋତ ଭାବେ ଜଡ଼ିତ।
ମାନବଶାସ୍ତ୍ର ଦୃଷ୍ଟିକୋଣରୁ, ବର୍ଷା ଏପରି ଏକ ଉପାଦାନ ଯାହାକୁ ସାରାବିଶ୍ୱର ସମସ୍ତ ମଣିଷ ନିରନ୍ତର ଭାବରେ ନିଜ ଇନ୍ଦ୍ରିୟ ମାଧ୍ୟମରେ ଅନୁଭବ କରନ୍ତି – ଘରଠାରୁ ବାହାରେ ଥିବା ସମୟରେ ତ ବେଶୀ। ବର୍ଷା କ’ଣ, ଋତୁ ପରିବର୍ତ୍ତନର କାରଣ ସବୁ କ’ଣ, ଅନୁକୂଳ ପାଗ କଣ ,ଖରାପ ପାଗର ବିଭିନ୍ନ ପରିସ୍ଥିତି ମଣିଷ ଉପରେ କ’ଣ ପ୍ରଭାବ ପକାଏ ଏସବୁକୁ ନେଇ ସାମାଜିକ ଏବଂ ବୈଜ୍ଞାନିକ ଭାବରେ ବିଶଦ ଜ୍ଞାନର ଉପସ୍ଥିତି ରହିଛି । ବର୍ଷା ଏପରି ଏକ ଋତୁ-ଅନୁକ୍ରମ ଯାହା ବିଷୟରେ କି ମୂର୍ଖ କି ପଣ୍ଡିତ କେହି ଆଲୋଚନାରୁ କେବେ ବି ବିରତ ହୁଅନ୍ତି ନାହିଁ।
ଭାରତୀୟ ଋତୁ ଚକ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଭୋଗ୍ୟ ଋତୁ ହେଉଛି ବର୍ଷା ଋତୁ। ଏହି ଋତୁ ଜୁନ୍ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିଥାଏ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନନ୍ୟତାକୁ ନିଜ ଭିତରେ ବଜାୟ ରଖେ। ବର୍ଷାବିନ୍ଦୁ ପୃଥିବୀକୁ ନୂତନ ଜୀବନଦାୟକ ଶକ୍ତି ପ୍ରଦାନ କରେ।
ଏହି ଋତୁ ଚାଷୀଙ୍କ ପାଇଁ ଏକ ଆଶୀର୍ବାଦ ପ୍ରମାଣିତ ହୁଏ, କାରଣ ଏହା ସେମାନଙ୍କୁ ଫସଲ ଉତ୍ପାଦନରେ ସାହାଯ୍ୟ କରେ। ବର୍ଷା ଋତୁରେ ସବୁଜିମାର ଅସରନ୍ତି ଦୃଶ୍ୟ, ଗଛ ଏବଂ ଉଦ୍ଭିଦର ଜୀବନ୍ତ ପ୍ରକୃତି, ବର୍ଷାର ସୁଗନ୍ଧ ଏବଂ ମାଟିର ବାସ୍ନା ଲୋକଙ୍କୁ ବିଭୋର କରିଥାଏ। ଏହି ଋତୁରେ ମେଘ, ବିଜୁଳି ଏବଂ ଘଡ଼ଘଡ଼ିର ଶବ୍ଦ ସମସ୍ତଙ୍କୁ ବିମୋହିତ କରିଥାଏ। ବର୍ଷା ହେଉଛି ପ୍ରକୃତିର ଏକ ଆନନ୍ଦୋତ୍ସବ,ଏକ ଆହ୍ଲାଦିତ ଅବସର।
ଆଲେକଜାଣ୍ଡର ଫ୍ଲେଟର ମୌସୁମୀ ଉପରେ ଖଣ୍ଡିଏ ଚମତ୍କାର ପୁସ୍ତକ ଲେଖିଛନ୍ତି :
“Chasing the Monsoon’। ଆଲେକଜାଣ୍ଡର ଏଥିରେ ମୌସୁମୀର ବ୍ୟାପକ ପ୍ରଭାବ ଉପରେ ବେଶ କିଛି ତଥ୍ୟ ଦେଇଛନ୍ତି।
ଫ୍ରେଟରଙ୍କ ମତରେ ମୌସୁମୀ ଭାରତକୁ ଆସିଲା ୬୦୦ରୁ ୮୦୦ ନିୟୁତ ବର୍ଷ ତଳେ [Miocene epoch) । ହିମାଳୟର ଉଦବୃତ୍ତ ଶିଖର ଓ ତିବ୍ବତ ମାଳଭୂମି ହିଁ ଏହାର ମୂଳ କାରଣ। ଏହି ‘ପ୍ରମତ୍ତ ଉତ୍ତୋଳନ’ ପୁଣି ବହୁ
ନିୟୁତ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ଯେତେବେଳେ ଉତ୍ତରାଭିମୁଖୀ ଭାରତୀୟ ଉପମହାଦେଶ ଏସୀୟ ପଟ୍ଟଳ – ସହିତ ଧକ୍କା ଖାଇଥିଲା ।
ଜୁନ୍ ମାସ ପୂର୍ବରୁ ଅପ୍ରେଲ ଓ ମେ’ ମାସରେ ଯେତେବେଳେ ବୈଶାଖୀ ମେଘ ପକାଏ ତାହା କିନ୍ତୁ ମୌସୁମୀ ବର୍ଷା ନୁହେଁ । ଭାରତର ବୈଜ୍ଞାନିକମାନେ ମୌସୁମୀର ଆଗମନ ଓ ପ୍ରସ୍ଥାନକୁ କେତୋଟି ପରିମାପକ ଦ୍ଵାରା ଜାଣି ପାରିଥାନ୍ତି : ଉଷ୍ଣତା, ବାୟୁ ଏବଂ ତୁଷାର ଏହିଭଳି ୧୬ଟି ପରିମାପକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଗଣନା କରିଥାନ୍ତି କେବେ ନିର୍ଦ୍ଦିଷ୍ଟ ଭାବରେ ମୌସୁମ ଆସି ପହଞ୍ଚିବ । ଏଣୁ ପ୍ରାକ୍- ମୌସୁମୀ ବର୍ଷକୁ ମୌସୁମୀ ବର୍ଷାଠାରୁ ଅଲଗା କରି ଦେଖାଯିବା ଦରକାର ।
ଘଡ଼ଘଡ଼ିର ଶବ୍ଦ ଧ୍ୱନି ସହିତ ମୌସୁମୀ ନିଜର ଆଗମନକୁ ପ୍ରଥମେ ଘୋଷଣା କରେ ଦକ୍ଷିଣ କେରଳର ସମୁଦ୍ର ତଟରେ । ଆପଣ ଯଦି ମୌସୁମୀର ମହାର୍ଘ, ଜୀବନ୍ତ ଓ ହୃଦୟସ୍ପର୍ଶୀ ଆଗମନର ଚିତ୍ର ଦେଖିବାକୁ ଚାହୁଁଥାନ୍ତି ତେବେ ‘କୋଭଳମ’ ବୀଚକୁ ଯିବେ ନିଶ୍ଚିତ । କୋଭଳମଠାରେ ଯେଉଁ ବତୀଘର ଅଛି ତାହାରି ଉପରୁ ଦୃଷି ପ୍ରସାରିତ କଲେ ଦିଗ୍ଳୟର ଆରପଟରୁ ବର୍ଷାର ସମ୍ଭାର ଓ ତାର ଜୀବନ୍ତ ଚିତ୍ର ଦେଖିହେବ । ସମୁଦ୍ରର ଜଳରାଶି ଓ ଆକାଶର ମେଘ ଯେତେବେଳେ ମିଳିତ ହୁଅନ୍ତି ସେତେବେଳେ ଏହା ଯୁଗପତ ଆନନ୍ଦ ଆଣିଦିଏ ମନରେ ।
ବର୍ଷା
ପ୍ରକୃତିର ଏହି ଯାଦୁକରୀ ଦୃଶ୍ୟକୁ ସମସ୍ତେ ଦେଖିଛନ୍ତି କିନ୍ତୁ ଦେଖିବା ଅପେକ୍ଷା ଅନୁଭବ କରିବା ଭଲ । ଇଣ୍ଡୋ-ଆଙ୍ଗଲିଅନ କବୟତ୍ରୀ କମଳା ଦାସ ‘ଦି ଟାଇମ ଅଫ୍ ଦି ଡ୍ରଟ’ ରେ ଲେଖିଛନ୍ତି :
‘ପ୍ରତିଟି ରାତିରେ ମୋର ସବାସାନ ଛୁଆଟି
ନିଦରୁ ଉଠି ମୋର କୋଳକୁ ଆଣ୍ଠେଇ ଆସିବାବେଳେ
ମୋ ଆଖିରେ ଅଝରା ଅଶ୍ରୁ
ମୁଁ ପାଲଟିଯାଏ ବର୍ଷା ପୂର୍ବର ସେହି କଳାହାଣ୍ଡିଆ ମୌସୁମୀ ଆକାଶ!‘
