ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧି ଓଡ଼ିଶାର ଲୋକଙ୍କୁ ସଚେତନ କଲେ ନା ବଦନାମ କଲେ? ଓଡ଼ିଶାରେ ଦିନକୁ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି ବୋଲି କହି କ’ଣ ପ୍ରମାଣିତ କରିବାକୁ ଚାହିଁଲେ ରାହୁଲ ଗାନ୍ଧି? କିଛିଦିନ ତଳେ ଆମେରିକା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଯାତ୍ରା ମାର୍ଗଦର୍ଶିକା ପଛରେ ଏହା ଏକ ଷଡ଼ଯନ୍ତ୍ର କି? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଆସିଥିବା ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ସଭା ଏବେ ରାହୁଲଙ୍କୁ ଓଲଟା ପ୍ରଶ୍ନ ପଚାରିଛି। ଏ ପ୍ରଶ୍ନଗୁଡ଼ିକୁ ନେଇ ଆଜିର ଆଲୋଚନାରେ ‘ଓଡ଼ିଶାକୁ ବଦନାମ ଷଡ଼ଯନ୍ତ୍ର ପଛରେ ରାହୁଲ !’
ଗତକାଲି କଂଗ୍ରେସ ନେତା ତଥା ଗାନ୍ଧି ପରିବାରର ଦାୟାଦ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କର ଓଡ଼ିଶାରେ ପ୍ରଥମ ସମ୍ବିଧାନ ବଞ୍ଚାଅ ସଭା ଆୟୋଜନ କରାଯାଇଥିଲା। ପୂର୍ବରୁ ଭାରତ ଯୋଡ଼ୋ ଯାତ୍ରାରେ ଯୋଡ଼ି ହୋଇନଥିବା ରାଜ୍ୟର ରାଜଧାନୀକୁ ଏବେ କଂଗ୍ରେସ ସୁପ୍ରିମୋଙ୍କ ନଜର ପଡ଼ିବା ଏଠାର ନେତା ଓ କର୍ମୀଙ୍କୁ ଉତ୍ସାହ ଆଣି ଦେଇଥିଲା। ରାଜ୍ୟର ବିଭିନ୍ନ କୋଣରୁ ଲୋକଙ୍କୁ ଅଣାଯାଇଥିଲା ଏବଂ କିଛି ଆସିଥିଲେ। ତାଙ୍କରି ଆଗରେ ରାହୁଲ ରାଜ୍ୟର ବିଜେପି ସରକାରଙ୍କୁ ସମାଲୋଚନା କରି ରକ୍ତ ତ ଗରମ କଲେ କିନ୍ତୁ ତା ଭିତରେ ରାଜ୍ୟକୁ ଅପମାନିତ କରିବାକୁ ଭୁଲିଲେ ନାହିଁ। କେମିତି?
ଓଡ଼ିଶାରେ ପ୍ରତିଦିନ ୧୫ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି ବୋଲି କହିଛନ୍ତି ରାହୁଲ। ମହିଳାଙ୍କ ପ୍ରତି ସରକାର ସମ୍ବେଦନଶୀଳ ନୁହନ୍ତି ବୋଲି କହିବାକୁ ଯାଇ ରାହୁଲ କହିଛନ୍ତି ରାଜ୍ୟରେ ୪୦ ହଜାର ମହିଳା ନିଖୋଜ ରହିଛନ୍ତି। ଖାଲି ସେତିକି ନୁହେଁ ଏଠାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି ଖୋଲାଖୋଲି କହିଛନ୍ତି ରାହୁଲ।
କିଛିଦିନ ପୂର୍ବେ ଜୁନ୍ ୧୮ ତାରିଖରେ ଆମେରିକା ସରକାର ଏମିତି ଏକ କଥା କହିଥିଲେ। ଆମେରିକୀୟ ନାଗରିକଙ୍କ ପାଇଁ ଜାରି କରିଥିବା ଯାତ୍ରା ମାର୍ଗଦର୍ଶିକାରେ ଓଡ଼ିଶାରେ ମହିଳା ସୁରକ୍ଷିତ ନୁହନ୍ତି ବୋଲି କହିଥିଲେ। ଯାହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ହେଲେ ଆଜି ରାହୁଲଙ୍କ ମୁହଁରେ ସେହି କଥା ସ୍ପଷ୍ଟ କରୁଛି ଯେ, ଓଡ଼ିଶା ବିରୋଧରେ ହେଉଥିବା ଷଡ଼ଯନ୍ତ୍ରରେ ରାହୁଲ ଜଡ଼ିତ। ଏକ ଶାନ୍ତିପ୍ରିୟ ରାଜ୍ୟଭାବେ ପରିଚିତ ଓଡ଼ିଶାକୁ ବଦନାମ କରିବାକୁ ହେଉଥିବା ପ୍ରୟାସକୁ ରାହୁଲ ଚେଙ୍ଗୁଛନ୍ତି।
ସମ୍ବିଧାନ ହିଁ ଆମ ଗଣତନ୍ତ୍ରର ଦେବତା। ଏଣୁ ଏହି ଉଦ୍ଦେଶ୍ୟରେ ସଚେତନତା ସଭା କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ହେଲେ ଏହା ପଛରେ ରାଜ୍ୟ ବା ଦେଶକୁ ବଦନାମ କରିବା କେବେ କାହାକୁ ପସନ୍ଦ ହେବ ନାହିଁ। କିନ୍ତୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କୌଣସି ଛୋଟ ପିଲା ନୁହନ୍ତି ବରଂ ଦେଶର ଏକ ସାମ୍ବିଧାନିକ ପଦବୀକୁ ଧାରଣ କରୁଥିବା ଜଣେ ନେତା। ଏଣୁ ଏହାକୁ ଅଜାଣତ ଦୋଷ ବୋଲି କୁହାଯାଇନପାରେ ବରଂ ଏହାକୁ ଏକ ଜାଣତ ଷଡ଼ଯନ୍ତ୍ରର ଅଂଶ ବିଶେଷ ବୋଲି କୁହାଯାଇପାରେ।
ରାହୁଲଙ୍କ ଏ ସମ୍ବିଧାନ ବଞ୍ଚାଅ ସମାବେଶରେ ସମ୍ବିଧାନ କମ୍ ରାଜନୀତିକ ଗନ୍ଧ ଅଧିକ ଥିଲା। ରାହୁଲ ଯେଉଁ ବିନ୍ଦୁଗୁଡ଼ିକୁ ଉପସ୍ଥାପନ କରିଥିଲେ ସେଗୁଡ଼ିକୁ ଏହି ସନ୍ଦର୍ଭରେ ବ୍ୟାଖ୍ୟା କରାଯାଇପାରେ।
ବିରୋଧୀ ଦଳ ନେତା ରାହୁଲ କହିଥିଲେ ଓଡ଼ିଶା ସରକାର ହେଉଛି ଆଦାନୀଙ୍କ ସରକାର। ଏହାପୂର୍ବରୁ ସେ କେନ୍ଦ୍ର ସରକାରଙ୍କୁ ଏହି ଇଙ୍ଗିତ କରି ସମାଲୋଚିତ ହୋଇଛନ୍ତି। ସେ କହିଛନ୍ତି ରଥଯାତ୍ରା ସମୟରେ ଓଡ଼ିଶା ସରକାର ଆଦାନୀ ଓ ତାଙ୍କ ପରିବାର ପାଇଁ ଡ୍ରାମା ରଚିଥିଲେ। ଅର୍ଥାତ୍ ରଥଯାତ୍ରା ସମୟରେ ଯେଉଁ କର୍ଡନ ଭଙ୍ଗା ବା ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ତାହାକୁ ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ବୋଲି ସେ ସୂଚାଇ ଦେବାକୁ ଚାହିଁଛନ୍ତି। ରଥଟଣାରେ ବିଳମ୍ବ ସତରେ କ’ଣ ଆଦାନୀଙ୍କ ଯୋଗୁ ପ୍ରଭାବିତ ହୋଇଥିଲା। ଏ ବାବଦରେ ଶ୍ରୀମନ୍ଦିରର ସେବାୟତମାନେ ମଧ୍ୟ ନିଜ ମନ୍ତବ୍ୟ ରଖିବା ଦରକାର। ଯାହାଦ୍ୱାରା ସାଧାରଣ ଓଡ଼ିଆ ଏ ନେଇ ଅଧିକ ସଚେତନ ହେବେ।
ବିଜେପିକୁ ନିର୍ବାଚନ ଚୋର ବୋଲି ସମ୍ବୋଧନ କରିଛନ୍ତି ରାହୁଲ ଗାନ୍ଧି। ନିର୍ବାଚନ କମିଶନଙ୍କ ବାରମ୍ବାର ସ୍ପଷ୍ଟୀକରଣ ସତ୍ତ୍ୱେ ରାହୁଲ ବାରମ୍ବାର ମହାରାଷ୍ଟ୍ର ଭୋଟର ତାଲିକାକୁ ନେଇ ପ୍ରଶ୍ନ ଉଠାଇ ଚାଲିଛନ୍ତି। ଯଦି ମହାରାଷ୍ଟ୍ର ନିର୍ବାଚନ ପରିଚାଳନାରେ ବିଭ୍ରାଟ ହୋଇଛି ତେବେ ସୁପ୍ରିମକୋର୍ଟ କାହିଁକି ମହାରାଷ୍ଟ୍ର ସରକାରଙ୍କୁ ବରଖାସ୍ତ କରୁନାହାନ୍ତି? ବାରମ୍ବାର ଗୋଟିଏ ମିଛକୁ ଦମ୍ଭର ସହ କହି ଏହାକୁ କ’ଣ ସତରେ ପ୍ରମାଣିତ କରିବାକୁ ଚାହୁଁଛନ୍ତି କି ରାହୁଲ?
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାହୁଲ ଗାନ୍ଧିଙ୍କ ଭାଷଣରେ ଏହି ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ। ତାହା ହେଲା ଜାତିବାଦ। ରାଜ୍ୟରେ ଜାତି ରାଜନୀତି ଏକ ନଗଣ୍ୟ ଭୂମିକା ନିଏ। କିନ୍ତୁ କଂଗ୍ରେସ ଏ ସମାଜରେ ଥିବା ବନ୍ଧନକୁ ଭାଙ୍ଗି ରାଜନୀତିକ ଫାଇଦା ନେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଜାତି ଜନଗଣନାକୁ କଂଗ୍ରେସର ଶକ୍ତି ବୋଲି କହିଛନ୍ତି ରାହୁଲ। ‘ଏ କ୍ଷେତ୍ରରେ ତେଲେଙ୍ଗାନା କମାଲ କରିଛି। କାରଣ ଏହି ରିପୋର୍ଟ ବୁଝାଇ ଦେଇଛି ଯେ କେଉଁ ବର୍ଗର କେତେଜଣ ଲୋକ ରହିଛନ୍ତି’। ଏହାକୁ ଏକ ଏକ୍ସରେ ରିପୋର୍ଟ ବୋଲି କୁହାଯାଇପାରିବ ବୋଲି ରାହୁଲ କହିଛନ୍ତି। ଏହି ରିପୋର୍ଟରେ କେଉଁ ବର୍ଗ ପାଖରେ କେତେ ଧନ ରହିଛି ତାହା ସ୍ପଷ୍ଟ ହୋଇଛି। କାହାର କେତେ ଜନସଂଖ୍ୟା ବି ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି। ‘ଆମକୁ ଜାଣିବା ଦରକାର କେଉଁ ବର୍ଗର କେତେ ଲୋକ ରହିଛନ୍ତ। କାରଣ ଏହାରି ମାଧ୍ୟମରେ ସରକାର, ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସମାନ ନ୍ୟାୟ ମିଳିବ’। ଏଣୁ ସମସ୍ତ କଂଗ୍ରେସ କର୍ମୀ ଦମ ଲଗାଇ ଜାତି ଜନଗଣନା ବାବଦରେ ସମସ୍ତଙ୍କୁ ବୁଝାଇ ଦିଅନ୍ତୁ ବୋଲି ସେ କହିଥିଲେ। ଏହାଦ୍ୱାରା ଗରିବ ସାଧାରଣ ଲୋକଙ୍କୁ ନିଜ ଶକ୍ତି କ’ଣ ତାହା ଜଣାପଡ଼ିବ ବୋଲି ସେ କହିଛନ୍ତି। କିନ୍ତୁକେନ୍ଦ୍ର ସରକାର ତ ଜାତି ଜନଗଣନାକୁ ଏବର୍ଷ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜନଗଣନାରୁ ଜାତି ଗଣନାକୁ ସ୍ୱାଧୀନତା ପରେ ବାଦ୍ ଦେଇଥିବା କଂଗ୍ରେସ ଦଳ ଏବେ ଏପରି ଦାବି କରି ରାଜନୀତିକ ଉଦ୍ଦେଶ୍ୟ ସାଧନ କରିବାକୁ ଚାହୁଁନି କି?
Also readhttps://purvapaksa.com/rahul-gandhi-targets-bjp-government-and-adani-in-odisha/
