କେଜ୍ରିୱାଲ ଝୁକେଗା ନେହିଁ… ଫୋର୍ଥ ଟର୍ମ କମିଂ ସୁନ
ଏବେ ଖାଲି ଦେଶ କାହିଁକି, ସାରା ବିଶ୍ୱରେ ବି ଝଡ଼ ସୃଷ୍ଟି କରିଛି ପୁଷ୍ପାରାଜ । ଫିଲ୍ମ ‘ପୁଷ୍ପା ୱାନ୍’ ଓ ‘ପୁଷ୍ପା ଟୁ’ର କ୍ରେଜ ଏବେ ଚାରିଆଡେ ଦେଖିବାକୁ ମିଳିଛି । ଏହି ଫିଲ୍ମ ମାୟାରେ ବାୟା ଯୁବପିଢ଼ି । ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଫିଲ୍ମ । ଅଲ୍ଲୁ ଅର୍ଜୁନଙ୍କ ସ୍ପେଶାଲ ଡାଏଲଗ୍ ମେଁ ଝୁକେଗା ନେହିଁ’ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଏହି ସମାନ ରଙ୍ଗ ଏବେ ଦିଲ୍ଲୀ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶାସକ ଆମ୍ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପା ଷ୍ଟାଇଲ୍ର ପୋଷ୍ଟର ୱାର୍ । ଏକ ପୋଷ୍ଟରରେ ‘ଆପ୍’ କରିଥିବା ବିଭିନ୍ନ ଘୋଟାଲା ଦର୍ଶାଇ ବିଜେପି ଟାର୍ଗେଟ କରିଥିବାବେଳେ ଏହାର ପାଲଟ ଜବାବ ଦେଇଛି ଆପ । ଦିଲ୍ଲୀ ଶାସକ ଦଳ ଆପ୍ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛି ।
ବିଜେପି ଶନିବାର ଏକ ପୋଷ୍ଟର ଜାରିରେ ଆପ୍ ସରକାରର କଥିତ ଘୋଟାଲା ବିଷୟରେ କହିଛି । ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଫଟୋ ଲଗାଯାଇଛି । ଏହାର କ୍ୟାପ୍ସନରେ କେଜରିୱାଲଙ୍କ ଘୋଟାଲର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍ ବଟନ, ସିଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ ଏବଂ ସିସିଟିଭି ଘୋଟାଲାକୁ ଦର୍ଶାଯାଇଛି ।
ଆଉ ଏହାର ଜବାବରେ ଆପ୍ ମଧ୍ୟ ପୋଷ୍ଟରରେ ଦିଲ୍ଲୀ ଆଇନ ବ୍ୟବସ୍ଥାକୁ ନେଇ ବିଜେପିକୁ ଘେରିଛି । ଆପ୍ ଏକ ପୋଷ୍ଟରେ ଅରବିନ୍ଦ କେଜରିୱାଲଙ୍କ ହାତରେ ଝାଡ଼ୁ ଦେଖାଇ ପୁଷ୍ପା ଷ୍ଟାଇଲରେ ବିଜେପି ଉପରେ ପାଲଟା ଆକ୍ରମଣ କରିଛି । ଏହି ଫଟୋର କ୍ୟାପ୍ସନରେ କେଜରିୱାଲ ଝୁକେଗା ନେହିଁ… କେଜରିୱାଲ ଫୋର୍ଥ ଟର୍ମ କମିଙ୍ଗ ସୁନ୍ ଲେଖାଯାଇଛି ।
ଆପ୍ର ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ନିର୍ବାଚନ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଏହା ଆମ୍ ଆଦମୀ ପାର୍ଟିର ୨୦୨୫ ବିଧାନସଭା ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇପାରେ, ଯେଉଁଠାରେ କେଜ୍ରିୱାଲ ତାଙ୍କ ନୀତିକୁ ଦୃଢ଼ ଭାବରେ ଉପସ୍ଥାପନ କରିବେ ଏବଂ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ । ଏହାପୂର୍ବରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ‘ଅବ ନହିଁ ସହେଙ୍ଗେ, ବଦଲ କେ ରହେଗେଁ’ ସ୍ଲୋଗାନ ଦେଇଛି । ଏହା ଦିଲ୍ଲୀବାସୀଙ୍କ ସ୍ଲୋଗାନ ବୋଲି ବିଜେପି କହିଛି । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଆସନ୍ତା ଫେବୃଆରିରେ ନିର୍ବାଚନ ହେବ । ବିଜେପି ୧୯୯୮ରୁ ଦିଲ୍ଲୀରେ ଶାସନରୁ ବାହାର ଅଛି । ୨୦୧୫ରୁ ଦିଲ୍ଲୀରେ ଆପ ଶାସନରେ ରହିଛି । ବିଜେପିକୁ ୨୦୧୫ରେ ତିନି ଏବଂ ୨୦୨୦ରେ ମାତ୍ର ୮ ଆସନ ମିଳିଥିଲା ।
previous article:https://purvapaksa.com/national-panchayat-award-to-be-given-on-11th/
