ଆସନ୍ତାକାଲି ଅସ୍ଥାୟୀ ରତ୍ନଭଣ୍ଡାରରେ ରହିଥିବା ସମସ୍ତ ରତ୍ନ ଅଳଙ୍କାର ସବୁକୁ ମରାମତି ଓ ସଂରକ୍ଷଣ ହୋଇଥିବା ସ୍ଥାୟୀ ରତ୍ନଭଣ୍ଡାର ଗୃହକୁ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସ୍ଥାନାନ୍ତର କରାଯିବ। ଏ ନେଇ କାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ହେବା ସହ ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ।ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ବା ଖଟଶେଜ ଓ ଚାଙ୍ଗଡା ଘରୁ ରତ୍ନ ଅଳଙ୍କାର ଗୁଡ଼ିକ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାର ଘରକୁ ସ୍ଥାନାନ୍ତର ଆସନ୍ତାକାଲି କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧୀକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,ପୁରୀ ଜିଲ୍ଲାପାଳ, ଏସପି,ଏଏସଆଇ ଅଧିକାରୀ,ରତ୍ନଭଣ୍ଡାର ସବ କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର,ଦେଉଳ କରଣ,ତଢଉ କରଣ,ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ଦୁଇଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର,ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ,ଅତରିକ୍ତ ମୁଖ୍ୟ ଯନ୍ତ୍ରୀ କମିଟିରେ ସାମିଲ୍ ରହିଛନ୍ତି।
ମାର୍ଗଦର୍ଶିକା ଆଧାରରେ ଆସନ୍ତାକାଲି ସକାଳ ୧୦ଟାରୁ ଶ୍ରୀଜିଉଙ୍କୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ।ତେବେ ମହାପ୍ରସାଦ ଓ ଭୋଗ ପାଇବାକୁ ଇଚ୍ଛୁକ ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପନ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ କରାଯିବ।ନାଟମଣ୍ଡପ,ଗର୍ଭଗୃହ ଓ ଜଗମୋହନରେ ପାଳି ଥିବା ସେବାୟତ ହିଁ ଯାଇ ପାରିବେ। ପୋଲିସ ପ୍ରଶାସନ ପକ୍ଷରୁ ସକାଳ ୮ ଠାରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ।ଶ୍ରୀମନ୍ଦିର ଚାରି ଦ୍ଵାରରେ ଭକ୍ତଙ୍କୁ ଚେକିଂ କରି ଛଡାଯିବ।ବେହେରଣ ଦ୍ଵାର ନିକଟରେ ପ୍ରବେଶ ପାଇଁ ଦୁଇ ପ୍ରକାର ପାସ ବ୍ୟବସ୍ଥା କରାଯାଇଛି ।
ପୋଲିସ ସହ ପ୍ରତିହାରୀ , ଜେଟିପି ମୁତୟନ ରହିବେ।ଚାରିଗୋଟି ଷ୍ଟାଇକିଙ୍ଗ ଫୋର୍ସ ମୁତୟନ ସହ ସୁରକ୍ଷା ଯାଞ୍ଚ ନେଇ ବ୍ୟାପକ ପୋଲିସ ମୃତୟନ କରାଯିବ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ପ୍ରଦାନ କରିଛନ୍ତି।ତେବେ ଅସ୍ଥାୟୀ ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ପରିଚାଳନା କମିଟି ବୈଠକରେ ଭିତର ଓ ବାହାର୍ ରତ୍ନଭଣ୍ଡାର ଗଣତି ମଣତି ନେଇ ଆଲୋଚନା ପରେ ଚୂଡାନ୍ତ ନିଷ୍ପତି ନିଆଯିବ।
ALSO READ https://purvapaksa.com/2-4-million-in-the-peon-job-line-2-5-million-in-the-iphone-line/
