ନିଜ ବିଭାଗର ବିଫଳତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ। ସିଧା ସଳଖ ନ ହେଲେ ବି ଉତ୍ତରରେ ଯାହା ବି କହିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବିଭାଗର ତ୍ରୁଟିକୁ ଜଳଜଳ ଆଗକୁ ଆଣୁଛି। ଏହା ପୁଣି ରାଜ୍ୟ କ୍ୟାବିନେଟର ଦ୍ୱିତୀୟ ପାଓ୍ୱାରଫୁଲ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ହୋଇଛି। କିଛଦିନ ତଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ପୃଥ୍ୱୀରାଜ ଚର୍ଚ୍ଚାରେ ଥିଲେ। ଆଉ ବିଧାନସଭାରେ ସେ ଦେଇଥିବା ଏକ ଉତ୍ତର ଏହି ତୁତୁ-ମେଁମେଁକୁ ଅଧିକ ସଂଗଠିତ କରିଥିବା ନେଇ ପ୍ରଶ୍ନ ଉଠାଇଛି।
ବିଧାନସଭାରେ କଂଗ୍ରେସର ବରିଷ୍ଠ ସଦସ୍ୟ ଆଜି ଏକ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ରାଜ୍ୟର ବିଭିନ୍ନ କୋର୍ଟରେ ବଢ଼ୁଥିବା ବିଚାରାଧୀନ ମାମଲା ବିଷୟରେ ଉଦବେଗ ପ୍ରକାଶ କରାଯାଇଥିଲା। ସେ ପଚାରିଥିଲେ ରାଜ୍ୟରେ ବଢ଼ୁଥିବା ବିଚାରାଧୀନ ମାମଲାର କାରଣ କ’ଣ? ମନ୍ତ୍ରୀ ଯେଉଁ ଉତ୍ତର ଦେଇଛନ୍ତି ତାହାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଉତ୍ତରରେ ଅପାରଗ ବୋଲି କହିବାକୁ ଚାହୁଁଛନ୍ତି। କାରଣ ଯେଉଁ ୮ଟି କାରଣ ସେ ଏଠାରେ ଦେଇଛନ୍ତି ସେଥିରୁ ୭ଟି କାରଣରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ବିଫଳତାକୁ ସ୍ପଷ୍ଟ କରାଯାଇଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏବେ ୧୯ ଲକ୍ଷ୯୭ ହଜାର ୩୧୭ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧୬ ଲକ୍ଷ ୮୪ ହଜାର ୪୩୨ ହୋଇଥିବାବେଳେ ଦେଓ୍ୱାନୀ ମାମଲା ସଂଖ୍ୟା ହେଉଛି ୩ ଲକ୍ଷ ୧୨ ହଜାର ୮୮୫।
ମନ୍ତ୍ରୀ ଦେଇଥିବା ତାଲିକା ଅନୁସାରେ ରାଜ୍ୟର ସବୁଠାରୁ ଅଧିକ ମାମଲା ଖୋର୍ଦ୍ଧା ଜିଲ୍ଲାରେ ବିଚାର ଅପେକ୍ଷାରେ ପଡ଼ି ରହିଛି। ହିସାବ ଅନୁସାରେ ଏଠାରେ ପଡ଼ି ରହିଥିବା ମାମଲା ସଂଖ୍ୟା ହେଉଛି ୨ ଲକ୍ଷ ୧୩ ହଜାର ୬୨୧। ଏଥିରୁ ୧ଲକ୍ଷ ୬୮ ହଜାର ୪୩୮ ହେଉଛି ଫୌଜଦାରୀ ମାମଲା। ସେହିପରି ଖୋର୍ଦ୍ଧା ତଳକୁ ଅଧିକ ବିଚାରାଧୀନ ମାମଲା ଥିବା ଜିଲ୍ଲା ହେଉଛି କଟକ। ଏଠାରେ ୨ଲକ୍ଷ ୫ ହଜାର ୬୫୬ ବିଚାରକୁ ଅପେକ୍ଷା କରୁଛି। ଏଥିରୁ ଫୌଜଦାରୀ ମାମଲା ସଂଖ୍ୟା ହେଉଛି ୧ଲକ୍ଷ ୬୮ ହଜାର ୪୬୩। ସେହିପରି ସବୁଠାରୁ କମ୍ ମାମଲା ରହିଛି ମାଲକାନଗିରି ଜିଲ୍ଲାରେ। ସୁନ୍ଦରଗଡ଼, ଯାଜପୁର, ଗଞ୍ଜାମ, ବାଲେଶ୍ୱରରେ ୧ ଲକ୍ଷ ଉପରକୁ ମାମଲା ବିଚାର ଅପେକ୍ଷାରେ ରହିଛି।
ତେବେ ନ୍ୟାୟାଳୟରେ ବିଚାରକୁ ଅପେକ୍ଷା କରୁଥିବା ମାମଲା ପାଇଁ ନ୍ୟାୟଳୟ ବା କୌଣସି ବିଚାର ବିଭାଗ ଅଧିକାରରୀ ଦାୟୀ ନୁହନ୍ତି। ବରଂ ଏଥିଲାଗି ୮ଟି ଅନ୍ୟ କାରଣ ଦାୟୀ। ଏହି ୮ଟି କାରଣକୁ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ। ଏହି କାରଣ ଭିତରେ ପୁଲିସ, ଡାକ୍ତର, ଫୋରେନ୍ସିକ୍ ଟିମ୍, ସାକ୍ଷୀ ଓ ଅଭିଯୁକ୍ତ କୋର୍ଟକୁ ନ ଆସିବା ଆଦି କାରଣକୁ ଅନ୍ତର୍ଭୁକ୍ତ କରାଯାଇଛି।
ବିଳମ୍ବର ପ୍ରଥମ କାରଣ ଭାବେ ମନ୍ତ୍ରୀ ଶ୍ରୀ ହରିନ୍ଦନ ମାମଲାର ବିଚାରବେଳେ ସାକ୍ଷୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତର ଉପସ୍ଥିତ ନ ରହିବା ଉଲ୍ଲେଖ କରିଛନ୍ତି। ସେହିପରି ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଓ୍ୱାରେଣ୍ଟକୁ କାରର୍ଯ୍ୟକାରୀ ନ କରାଯିବା, ଓକିଲମାନଙ୍କ ଦ୍ୱାରା ବାରମ୍ବାର ତାରିଖ ପାଇଁ ଆବେଦନ କରାଯିବା, ତଦନ୍ତ ରିପୋର୍ଟ ନ ଆସିବା, ଅଭିଯୁକ୍ତମାନେ ଯଥା ସମୟରେ ଉପସ୍ଥିତ ନ ରହିବା, ରାସାୟନିକ ରିପୋର୍ଟ ଦାଖଲରେ ବିଳମ୍ବ ହେବା, ମୃତ୍ୟୁ ରିପୋର୍ଟ ଠିକ ସମୟରେ ଦାଖଲ ନ ହେବା ଆଦି କହିଛନ୍ତି। ଖାଲି ସେତିକି ନୁହେଁ ଦିନକୁ ଦିନ ନୂଆ ମାମଲା ଆସୁଥିବାରୁ କୋର୍ଟରେ ମାମଲା ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।
ଅର୍ଥାତ୍ ନିଜ ଉପରକୁ ଦୋଷ ନେଇ ସମାଧାନର ବାଟ କାଢ଼ିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଶାନ୍ତିରେ ଖସିଯିବାକୁ ଚାହିଁଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କିଛିଦିନ ତଳେ ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କମ୍ ଦକ୍ଷ ମନ୍ତ୍ରୀଙ୍କ ବିଭାଗ ବଦଳ ବା ମନ୍ତ୍ରିମଣ୍ଡଳରୁ ବାହାର କରିବା ପାଇଁ ପରାମର୍ଶ ରହିଥିବା ଆଲୋଚନା ହେଉଥିଲା। ପୁଣି ଯେଉଁମାନେ ଏକାଧିକ ବିଭାଗ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ ସଙ୍କୁଚିତ କରିବାକୁ ମଧ୍ୟ ଚିନ୍ତା କରାଯାଇଥିଲା। ଏହି ତାଲିକାରେ ଆଇନ ମନ୍ତ୍ରୀଙ୍କ ନା ବି ରହିଥିବା ଚର୍ଚ୍ଚା ହୋଇଥିଲା।
ଆଉ ଏହା ଜାଣିବା ପରେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣଙ୍କ ପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ନାରାଜ ରହିଥିବା ଚର୍ଚ୍ଚା ହେବାରୁ ମନ୍ତ୍ରିମଣ୍ଡଳର ସଂସ୍କାର ଅଧାରୁ ପଡ଼ି ରହିଛି। ମଝିରେ ଏହି ପ୍ରକ୍ରିୟାର ଅଚଳାବସ୍ଥା ଦୂର କରିବାକୁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ବିଜେପିର ବଡ଼ ବଡ଼ ନେତାମଧ୍ୟ ତାଙ୍କୁ ଭେଟିଥିବା ଆଲୋଚନା ହୋଇଛି। ହେଲେ ଏଯାଏ ସେ ପ୍ରକ୍ରିୟାର ଅଚଳାବସ୍ଥା ଦୂର ହୋଇପାରି ନାହିଁ। ଏବେ ଆଇନ ମନ୍ତ୍ରୀଙ୍କ ଏପରି ତେରେଛା ଦୋଷାରୋପ କରିବା ଉଦ୍ୟମ ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ କିଛି ପ୍ରଭାବ ପକାଇବ କି?
Also readhttps://purvapaksa.com/hird-world-war-entry-of-aliens-takeover-of-ai/

