ଓଡ଼ିଶାରେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୈତିକ ପାରଦ ଉପରମୁହାଁ ଥିବାବେଳେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସୁଥିବା ଖବର ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଦିନକୁ ଦିନ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସାମ୍ବିଧାନିକ ଅନୁଷ୍ଠାନ ସହ ରାଜ୍ୟ ସରକାରଙ୍କ ବଢ଼ୁଥିବା ସଂଘର୍ଷ, ପଶ୍ଚିମବଙ୍ଗକୁ ଏକ ବଡ଼ ରାଜନୈତିକ ଭୂକମ୍ପ ଆଡ଼କୁ ଟାଣି ନେଉଛି। ରାଜନୈତିକ କରିଡରରେ ଏବେ ଗୋଟିଏ ପ୍ରଶ୍ନ – ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ୩୫୬ ଧାରା ବା ରାଷ୍ଟ୍ରପତି ଶାସନ ଜାରି ହେବ କି?
ମୁଖ୍ୟମନ୍ତ୍ରୀଙ୍କ ୧୪ ଘଣ୍ଟିଆ ଧାରଣା: ଏକ ଅସ୍ୱାଭାବିକ ପ୍ରତିବାଦ
ପଶ୍ଚିମବଙ୍ଗ ରାଜନୀତିରେ ମମତା ବାନାର୍ଜୀ ଜଣେ ‘ଷ୍ଟ୍ରିଟ୍ ଫାଇଟର’ ଭାବେ ଜଣାଶୁଣା। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ପ୍ରାୟ ୧୪ ଘଣ୍ଟା ଧରି ରାଜରାସ୍ତାରେ ଧାରଣାରେ ବସିବା ଏକ ବିରଳ ଏବଂ ଅଭାବନୀୟ ଘଟଣା। ସାଧାରଣତଃ ବିରୋଧୀ ଦଳ ଧାରଣା ଦିଅନ୍ତି, କିନ୍ତୁ ଶାସକ ଦଳର ମୁଖ୍ୟ କାହିଁକି ଏମିତି କଲେ? ଏହାର ମୂଳ କାରଣ ହେଉଛି ‘ଭୋଟର ତାଲିକା ସଂଶୋଧନ’। ନିର୍ବାଚନ କମିଶନଙ୍କ ଏହି ପ୍ରକ୍ରିୟାକୁ ମମତା ବାନାର୍ଜୀ କେବଳ ବିରୋଧ କରୁନାହାନ୍ତି, ବରଂ ଏହାକୁ କେନ୍ଦ୍ର ସରକାରଙ୍କ ଏକ “ରାଜନୈତିକ ଚାଲ୍” ବୋଲି ଅଭିହିତ କରିଛନ୍ତି।
ଭୋଟର ତାଲିକା ଏବଂ ଅନୁପ୍ରବେଶକାରୀ ବିବାଦ: ଅସଲ ଗୁମର କ’ଣ?
ପଶ୍ଚିମବଙ୍ଗରେ ଭୋଟର ତାଲିକା ବିବାଦ କୌଣସି ନୂଆ କଥା ନୁହେଁ। ଅଭିଯୋଗ ହୋଇଆସୁଛି ଯେ, ବାଂଲାଦେଶ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ସଂଖ୍ୟାରେ ଅନୁପ୍ରବେଶକାରୀ ବେଆଇନ ଭାବେ ଭାରତୀୟ ପରିଚୟ ପତ୍ର ହାସଲ କରିଛନ୍ତି। ଏହି ଅନୁପ୍ରବେଶକାରୀମାନେ ଶାସକ ତୃଣମୂଳ କଂଗ୍ରେସର ଏକ ବଡ଼ ‘ଭୋଟ୍ ବ୍ୟାଙ୍କ’ ବୋଲି ବିରୋଧୀ ବିଜେପି ବାରମ୍ବାର ଦାବି କରିଆସୁଛି।
ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଭୋଟର ତାଲିକାର ପୁନଃ ଯାଞ୍ଚ ପାଇଁ ବିଚାର ବିଭାଗୀୟ ଅଧିକାରୀ ଏବଂ ଜଜ୍ମାନଙ୍କୁ ନିୟୋଜିତ କରାଯାଇଛି। ସୂତ୍ର ଅନୁଯାୟୀ, ଯଦି ନିରପେକ୍ଷ ଭାବେ ଯାଞ୍ଚ ହୁଏ, ତେବେ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ପ୍ରାୟ ୩୦ ରୁ ୪୦ ଲକ୍ଷ ନକଲି ବା ବେଆଇନ ଭୋଟରଙ୍କ ନାମ କଟିଯାଇପାରେ। ଏହି ସମ୍ଭାବନା ମମତା ବାନାର୍ଜୀଙ୍କୁ ବିବ୍ରତ କରିଛି। ଯଦି ଏତେ ପରିମାଣର ଭୋଟ୍ କଟିଯାଏ, ତେବେ ନିର୍ବାଚନ ଜିତିବା ଟିଏମସି ପାଇଁ କଷ୍ଟକର ହୋଇପଡ଼ିବ।
ସାମ୍ବିଧାନିକ ସଂଘର୍ଷ: ରାଷ୍ଟ୍ରପତିଙ୍କ ପ୍ରତି ଆଭିମୁଖ୍ୟ ଓ ଆଦିବାସୀ ଭୋଟ୍
କେବଳ ଭୋଟର ତାଲିକା ନୁହେଁ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜ୍ୟ ଶାସକ ଦଳର କିଛି ନେତାଙ୍କ ଆକ୍ଷେପମୂଳକ ଟିପ୍ପଣୀ ମଧ୍ୟ ନୂଆ ବିବାଦ ସୃଷ୍ଟି କରିଛି। ଓଡ଼ିଶାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ଭାବେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିବା ପରେ, ସାରା ଦେଶରେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ଯାଇଛି।
ପଶ୍ଚିମବଙ୍ଗର ଜଙ୍ଗଲମହଲ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଟିଏମସିର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ରାଷ୍ଟ୍ରପତିଙ୍କୁ ଅପମାନିତ କରିବା କିମ୍ବା ତାଙ୍କ ପଦବୀ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଦ୍ୱାରା ଆଦିବାସୀ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେପି ଆଡ଼କୁ ଢଳିଯିବା ଭୟ ମମତାଙ୍କୁ ଘାରିଛି। ଏହି ରାଜନୈତିକ ସଙ୍କଟରୁ ବର୍ତ୍ତିବା ପାଇଁ ସେ ଏବେ ‘ବିକଟିମ୍ କାର୍ଡ’ ଖେଳିବା ଆରମ୍ଭ କରିଛନ୍ତି।
ରାଷ୍ଟ୍ରପତି ଶାସନ: ଆଶଙ୍କା ନା ସମାଧାନ?
ପଶ୍ଚିମବଙ୍ଗରେ ନିର୍ବାଚନ ସମୟରେ ହିଂସା ଏକ ସାଧାରଣ କଥା ହୋଇଗଲାଣି। ଗତ ପଞ୍ଚାୟତ ନିର୍ବାଚନ ଏବଂ ପରବର୍ତ୍ତୀ ସମୟରେ ହୋଇଥିବା ରାଜନୈତିକ ହତ୍ୟାକାଣ୍ଡ ଗଣତନ୍ତ୍ରକୁ ଲଜ୍ଜିତ କରିଛି। ଏଭଳି ସ୍ଥିତିରେ ଆସନ୍ତା ବିଧାନସଭା ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ନିର୍ବାଚନ କମିଶନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।
ଯଦି ରାଜ୍ୟ ପୋଲିସ ଏବଂ ପ୍ରଶାସନ ଶାସକ ଦଳର କ୍ୟାଡର ଭାବେ କାମ କରନ୍ତି, ତେବେ କେନ୍ଦ୍ରୀୟ ବାହିନୀ ମଧ୍ୟ ଶାନ୍ତି ବଜାୟ ରଖିବାରେ ସଫଳ ହେବେ ନାହିଁ। ଏହି ସ୍ଥିତିରେ ନିର୍ବାଚନ କମିଶନ ଏବଂ ଗୃହ ମନ୍ତ୍ରାଳୟ ପାଖରେ ରାଷ୍ଟ୍ରପତି ଶାସନ ଏକ ବଡ଼ ବିକଳ୍ପ। ଯଦି ଏପ୍ରିଲ ମାସ ସୁଦ୍ଧା ସ୍ଥିତି ନ ସୁଧୁରେ, ତେବେ ସମ୍ବିଧାନର ୩୫୬ ଧାରା ପ୍ରୟୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇ ନିର୍ବାଚନ କରାଯାଇପାରେ।
ପଶ୍ଚିମବଙ୍ଗର ରାଜନୀତି ଏବେ ଏକ ଜଟିଳ ମୋଡ଼ରେ। ମମତା ବାନାର୍ଜୀଙ୍କ ପାଇଁ ଏହା କେବଳ ସତ୍ତା ରକ୍ଷାର ଲଢ଼େଇ ନୁହେଁ, ବରଂ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାର ପ୍ରଶ୍ନ। ସେପଟେ ଅସଲି ଭୋଟରଙ୍କ ଅଧିକାର ରକ୍ଷା ଏବଂ ବେଆଇନ ଅନୁପ୍ରବେଶ ରୋକିବା ପାଇଁ କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକ ଅଣ୍ଟା ଭିଡ଼ିଛନ୍ତି। ରାଷ୍ଟ୍ରପତି ଶାସନ ଜାରି ହେବ କି ନାହିଁ ତାହା କେବଳ ସମୟ କହିବ, ମାତ୍ର ଏତିକି ସ୍ପଷ୍ଟ ଯେ ଆଗାମୀ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଏକ ବିରାଟ ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିବ।
ଗଣତନ୍ତ୍ରରେ ଜନତାଙ୍କ ଭୋଟ୍ ହିଁ ଶେଷ ନିଷ୍ପତ୍ତି, କିନ୍ତୁ ସେହି ଭୋଟ୍ ଯେପରି ସ୍ୱଚ୍ଛ ହେବ ତାହା ସୁନିଶ୍ଚିତ କରିବା ସାମ୍ବିଧାନିକ ସଂସ୍ଥାର ପ୍ରାଥମିକ ଦାୟିତ୍ୱ।
AlsoRead; https://purvapaksa.com/naveen-worried-about-cross-voting/
ରାଜ୍ୟସଭା ନିର୍ବାଚନ : କ୍ରସ ଭୋଟିଂ ଚିନ୍ତାରେ ନବୀନ || Naveen worried about cross voting


