- ପୁରୀରେ ଶ୍ରୀଜୀଉଙ୍କୁ କରିବେ ଦର୍ଶନ
- ନୌସେନା ଦିବସରେ ହେବେ ମୁଖ୍ୟ ଅତିଥି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠୁ ପାଞ୍ଚଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଅପରାହ୍ନ ୫ଟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ୭ ତାରିଖ ଯାଏ ସେ ଓଡ଼ିଶାରେ ରହିବେ । ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ସମୁଦ୍ର ବେଳାଭୂମିରେ ହେବାକୁ ଥିବା ଭାରତୀୟ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।
ରାଜଧାନୀରେ ଓୟୁଏଟିର ସମାବର୍ତ୍ତନ ଉତ୍ସବ, ନୂଆ ଜୁଡିସିଆଲ୍ କମ୍ପ୍ଲେକ୍ସର ଉଦ୍ଘାଟନୀ କାର୍ଯ୍ୟକ୍ରମ ସହିତ ରାଜଧାନୀ ଓ ମୟୂରଭଞ୍ଜର ଏକାଧିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ରାଜଧାନୀର ନୀଳାଦ୍ରିବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂଆ ପ୍ରତିମୂର୍ତ୍ତି ଅନାବରଣ କରିବେ । ସେଠାରେ ଥିବା ଆଦିବାସୀଙ୍କ ଇଷ୍ଟଦେବ ମାରାଂ ବୁରୁଙ୍କ ସ୍ଥାନ ‘ଆଦିମ ଓୱାର ଜାର୍ପା ଜାହେର’ ପରିଦର୍ଶନ କରିବେ । ୪ ତାରିଖରେ ସେ ପୁରୀ ଯାଇ ଜଗନ୍ନାଥ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ।
ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ଯୋଗଦେବେ । ଅପରାହ୍ନରେ ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ଆୟୋଜିତ ନୌସେନା ଦିବସ ସମାରୋହ ଓ ସମର କୌଶଳ ପ୍ରଦର୍ଶନରେ ଯୋଗଦେବେ । ନୌସେନା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତ ବିଧାୟକ ପୁରୀ ଯିବେ । ଏକ ସ୍ୱତନ୍ତ୍ର ବସ୍ରେ ସମସ୍ତଙ୍କୁ ପୁରୀ ନିଆଯିବ । ପୁରୀରେ ନୌସେନା ସମରାଭ୍ୟାସ ଦେଖିବା ପରେ ସେମାନଙ୍କୁ କୋଣାର୍କ ନୃତ୍ୟ ମହୋତ୍ସବକୁ ନିଆଯିବ।
ଏହାକୁ ଦେଖବା ପରେ ସମସ୍ତେ ରାଜଧାନୀ ଫେରିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ଗୃହରେ ସୂଚନା ଦେଇଛନ୍ତି । ୫ ତାରିଖରେ ରାଷ୍ଟ୍ରପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୪୦ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଦିନ ଭୁବନେଶ୍ୱର କୋର୍ଟ ପାଖରେ ଥିବା ଜୁଡିସିଆଲ୍ କମ୍ପ୍ଲେକ୍ସକୁ ସେ ଉଦ୍ଘାଟନ କରିବେ । ୬ ତାରିଖରେ ରାଷ୍ଟ୍ରପତି ମୟୂରଭଞ୍ଜ ଉପରବେଡ଼ାଠାରେ ଛାତ୍ରଛାତ୍ରୀ ଓ ଗାଁ ଲୋକଙ୍କ ସହ ମତବିନିମୟ କରିବେ ।
ସେଦିନ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହ କଥା ହେବେ । ୭ରେ ରାଷ୍ଟ୍ରପତି ବାଙ୍ଗିରିପାଷି-ଗୋରୁମହିଷାଣୀ, ବୁରମରା-ଚକୁଳିଆ ଏବଂ ବାଦାମପାହାଡ଼, କେନ୍ଦୁଝରଗଡ଼ ରେଳଲାଇନ୍, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ରାଇରଙ୍ଗପୁର-ଦାଣ୍ଡପୋଷ ବିମାନବନ୍ଦର ଓ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ।
previous article: https://purvapaksa.com/5-medical-students-killed-in-accident/
