- ଦେଓମାଳି ଓ ପୁଟସିଲ ଇକୋ-ରିଟ୍ରିଟ ଦେଖିଲେ
- ନୂଆପୁଟ କଫି ପ୍ଲାଣ୍ଟେସନ ବୁଲିଲେ
- ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଅଛି
ମାଲକାନଗିରି ଜିଲ୍ଲା ଖଇରପୁଟର ମୁଦୁଲିପଡାଠାରେ ବଣ୍ଡାଘାଟି ଅଞ୍ଚଳରେ ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷାରେ ଚିତ୍ରକୋଣ୍ଡା ଓ ମାଲକାନାଗିରି ବିଧାୟକ, ଜିଲ୍ଲାପାଳ, ଏସପି ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ହୋଇ ଆସୁଥିଲା। ଏହି ସଂକ୍ରାନ୍ତରେ ଉପମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବେ ବୋଲି କହିଥିଲେ। ଦୁଇଦିନିଆ ଉପମୁଖ୍ୟମନ୍ତ୍ରୀଙ୍କ କୋରାପୁଟ-ମାଲକାନଗିରି ଗସ୍ତରେ ନିଜ କଥା ଅନୁସାରେ ନିଜେ ବଣ୍ଡାଘାଟି ଯାଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି।
ଏହାପୂର୍ବରୁ ଗୁରୁବାର ଦିନ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋରାପୁଟଗସ୍ତର ଦ୍ୱିତୀୟ ଦିନରେ ପଣ୍ଡିଘାଟ ପରିଦର୍ଶନ କରି କୋଲାବ ଜଳଭଣ୍ଡାରରେ ନୌବିହାର କରିବା ସହ ସିମିଲିଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ । ପରେ ଦେଓମାଳି ଏବଂ ଇକୋ-ରିଟ୍ରିଟ ପୁଟସିଲ ଗସ୍ତ କରିଥିଲେ । ଗୁରୁବାର ସକାଳେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋରାପୁଟ ବ୍ଲକ ଅନ୍ତର୍ଗତ ପଣ୍ଡି ଘାଟ ଏବଂ କୋଲାବ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଏବଂ ହୃଦୟସ୍ପର୍ଶୀ। ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଅପାର ସଂଭାବନା ଅଛି ଏବଂ ଏଥିପାଇଁ ବିଭାଗ ତରଫରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ କୋରାପୁଟ ବିଧାୟକ ରଘୁରାମ ମାଛ, ପର୍ଯ୍ୟଟନ ବିଭାଗର ସଚିବ ବଲୱନ୍ତ ସିଂ, ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଓ ଏସପି ଏବଂ ଅନ୍ୟ ଅଧିକାରୀଙ୍କ ସହ କୋଲାବ ଜଳଭଣ୍ଡାରରେ ନୌବିହାର ମଧ୍ୟ କରିଥିଲେ ।
ପରେ କୋରାପୁଟରୁ ପୁଟସିଲ ଯିବା ରାସ୍ତାରେ ସ୍ଥାନୀୟ ଜନ ସାଧାରଣମାନଙ୍କ ଦ୍ଵାରା ସୁନାବେଡ଼ା ଏବଂ ପାକଝୁଲାରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଵାଗତ ଓ ସମ୍ବର୍ଦ୍ଧନା ସମୟରେ ଲୋକ ମାନଙ୍କର ସମସ୍ୟା ସହ ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ । ଏଥି ସହ ନୂଆପୁଟ ଠାରେ କଫି ପ୍ଲାଣ୍ଟେସନ ବୁଲି ଦେଖିଥିଲେ ଏବଂ କଫି ଚାଷକ୍ଷେତ୍ରରେ କିପରି ଆହୁରି ଅଗ୍ରଗତି ହୋଇପାରିବ ସେ ସମ୍ପର୍କରେ ଚାଷୀ ଏବଂ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପୁଟସିଲ ଇକୋ-ରିଟ୍ରିଟରେ ପହଞ୍ଚି ଏହାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ କିପରି ଏହି ଅଞ୍ଚଳରେ ପର୍ଯ୍ୟଟନ ଭିତ୍ତିଭୂମିରେ ଆହୁରି ଅଧିକ ବିକାଶ ହୋଇପାରିବ ତାହା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ଅପରାହ୍ନରେ କୋରାପୁଟରୁ ଦେଓମାଳି ଯିବା ରାସ୍ତାରେ ବିଭାଗୀୟ ସଚିବ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ପ୍ରାଥମିକ ସ୍ତରରେ ଚିହ୍ନଟ ହୋଇଥିବା ସ୍ଥାନର ଭିତ୍ତିଭୂମି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଘନ କୁହୁଡି ସତ୍ତ୍ୱେ ଦେଓମାଳି ଗସ୍ତ କରିଥିଲେ। ଦେଓମାଳିରେ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶର ଅନୁଧ୍ୟାନ କରିବା ସହ ସାଧାରଣ ଜନତାଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ।
ଆଗାମୀ ଦିନରେ ଦେଓମାଳିକୁ ଅଧିକ ସରସ ଓ ସୁନ୍ଦର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସାଧାରଣ ଜନତାଙ୍କ ନିମନ୍ତେ ରୋଜଗାର ସୃଷ୍ଟି କରିବା ପାଇଁ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଯୋଜନା ପ୍ରସ୍ତୁତ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିଲେ । ସନ୍ଧ୍ୟାରେ କୋରାପୁଟ ଓ କୋଟପାଡ ବିଧାୟକଙ୍କ ଉପସ୍ଥିତିରେ ପ୍ରଦକ୍ଷଣ ଗୃହ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ସମସ୍ତ ଯୋଜନାର ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ।
previous article:https://purvapaksa.com/the-winter-session-was-26-days/
