ଅଘଟଣ ଘଟିଥିଲା କଶ୍ମୀରର ପହଲଗାମରେ। ଧର୍ମ ପଚାରି ୨୬ ଜଣଙ୍କୁ ପାକିସ୍ତାନୀ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କଲେ। ଖାଲି ସେତିକି ନୁହେଁ, ଧର୍ମ ପଚାରି ଧର୍ମ ପରୀକ୍ଷା ଦେବାକୁ ବି କହିଲେ। ଯେତେବେଳେ ପହଲଗାମର ପର୍ଯ୍ୟଟକ ହିନ୍ଦୁ ବୋଲି ଜାଣିଲେ ସେତେବେଳେ ଜଣକ ପରେ ଜଣଙ୍କୁ ହତ୍ୟା କଲେ। ଏହାକୁ ସାରାବିଶ୍ୱ ନିନ୍ଦା କରିଛି ଓ ଏହାର ଜବାବ ଦେବା ଲାଗି ଭାରତ ଗଲା ତିନିଦିନ ହେଲା ଅପରେସନ୍ ସିନ୍ଦୂର ଚଳାଇଛି। ଭାରତ ପାଇଁ ଏହି ଅପରେସନ୍ ଅନେକ ଗୁରୁତ୍ୱପୂର୍ଣ୍ଣ। କାରଣ ଦକ୍ଷିଣ ଏସିଆରେ ଭାରତର ରାଜନୈତିକ ଶକ୍ତି ଓ ପ୍ରଭାବକୁ ଏହା ନାଟକୀୟଭାବେ ବୃଦ୍ଧି କରିପାରେ।
ବିଶ୍ୱର ପ୍ରମୁଖ ଶକ୍ତିମାନେ ଦୀର୍ଘକାଳୀନ ଯୁଦ୍ଧରେ ଲିପ୍ତ ରହି ଭାରତ-ପାକିସ୍ତାନ ଭିତରେ ଯୁଦ୍ଧକୁ ଏ ଦୁଇଦେଶ ଉପରେ ଛାଡ଼ିଦେବାକୁ ଉଚିତ ମଣିଛନ୍ତି। ଆମେରିକା, ଇଂଲଣ୍ଡ, ରୁଷ୍ ଭଳି ଦେଶ ଏ ଭିତରେ ପ୍ରବେଶ କରିବାକୁ ଚାହୁଁନାହାନ୍ତି। କାରଣ ଅତୀତରେ ଲମ୍ବା ସମୟ ଧରି ଯୁଦ୍ଧର କୁପରିଣାମ ସେମାନେ ଭୋଗିଛନ୍ତି। ତଥାପି ପରିସ୍ଥିତିକୁ ଅପେକ୍ଷା କରିଛନ୍ତି। କାରଣ ଏସିଆରେ କ୍ଷମତା ନିୟନ୍ତ୍ରଣ କରିବା ଲାଗି କାହା ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ତ କାହାପାଇଁ ଭାରତର ଶତ୍ରୁ। ୫ଟି ବନ୍ଦୁରେ ମୁଁ ଏଠାରେ ଆପଣଙ୍କୁ ଭାରତ ପାଇଁ ପାକିସ୍ତାନ ଉପରେ ବିଜୟ ବା ଅପରେସନ୍ ସିନ୍ଦୂରର ଲକ୍ଷ୍ୟ ହାସଲ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ଓ ଏହା କିପରି ବିଶ୍ୱ ରାଜନୀତିକୁ ପ୍ରଭାବିତ କରିବ ତାହାକୁ ବର୍ଣ୍ଣନା କରିବାକୁ ଚେଷ୍ଟା କରୁଛି।
ପ୍ରଥମ ହେଉଛି ଆଞ୍ଚଳିକ ଶକ୍ତି ବୃଦ୍ଧି। ପାକିସ୍ତାନ ଉପରେ ବିଜୟ ଅର୍ଥାତ୍ ଅପରେସନ୍ ସିନ୍ଦୂରର ଲକ୍ଷ୍ୟ ହାସଲ ଭାରତକୁ ଦକ୍ଷିଣ ଏସିଆରେ ଅପ୍ରତିଦ୍ୱନ୍ଦ୍ୱୀ ଶକ୍ତିଭାବେ ପ୍ରତିଷ୍ଠିତ କରିବ। ପାକିସ୍ତାନର ସାମରିକ ଓ ରାଜନୈତିକ ଦୁର୍ବଳତା ଭାରତକୁ ଅଞ୍ଚଳରେ ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସୁଯୋଗ ଦେବ। ବାଂଲାଦେଶ, ଶ୍ରୀଲଙ୍କା, ନେପାଳ ଓ ଭୁଟ୍ଟାନ ଭଳି ପଡ଼ୋଶୀ ଦେଶମାନେ ଭାରତର ନେତୃତ୍ୱକୁ ଅଧିକ ଗ୍ରହଣ କରିପାରନ୍ତି। ଏବେ ବାଂଲାଦେଶ କିଛିଦିନ ହେଲା ଭାରତ ବିରୋଧୀ ଆଭିମୁଖ୍ୟରେ ପରିଚାଳିତ ହୋଇଛି, ତାହା ଏହି ଯୁଦ୍ଧଦ୍ୱାରା ପରିବର୍ତ୍ତନ ହୋଇପାରେ। ଅର୍ଥାତ୍ ଏହା ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ) ଭଳି ମଞ୍ଚରେ ଭାରତର ପ୍ରାଧାନ୍ୟକୁ ଆହୁରି ଦୃଢ଼ ତଥା ମଜଭୁତ କରିବ।
ଦ୍ୱିତୀୟ ବିନ୍ଦୁ ହେଉଛି କଶ୍ମୀର ସମସ୍ୟାର ସମାଧାନ। କାଶ୍ମୀର ହିଁ ଭାରତ-ପାକିସ୍ତାନ ବିବାଦର ମୂଳ ବିନ୍ଦୁ। ୧୯୪୭ ମସିହାରୁ ଏଠାରେ ମିଛ ଅପପ୍ରଚାର କରି ବିଭ୍ରାନ୍ତ ସୃଷ୍ଟି କରିବାରେ ପାକିସ୍ତାନ ଲାଗିଛି। ଯୁଦ୍ଧରେ ବିଜୟ ଭାରତକୁ କାଶ୍ମୀର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ପ୍ରତିଷ୍ଠା କରିବାରେ ସହାୟକ ହୋଇପାରେ, ଯାହା ଦୀର୍ଘଦିନର ଏହି ବିବାଦକୁ ଶେଷ କରିଦେବ। ଏହା ଭାରତର ଆଭ୍ୟନ୍ତରୀଣ ସ୍ଥିରତାକୁ ମଜବୁତ କରିବ ଏବଂ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ନୂଆ ପରିବେଶ ସୃଷ୍ଟି କରିବ।
ତୃତୀୟ ବିନ୍ଦୁ ହେଉଛି ଅର୍ଥନୈତିକ କ୍ଷମତା ବୃଦ୍ଧି। ଆପଣମାନେ ଜାଣିଛନ୍ତି ଯେ ଭାରତର ଅର୍ଥନୀତି ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି। ପାକିସ୍ତାନ ଉପରେ ବିଜୟ ଭାରତର ଅର୍ଥନୈତିକ ପ୍ରତିଷ୍ଠାକୁ ଆହୁରି ଶକ୍ତିଶାଳୀ କରିବ। ଏହା ବିଦେଶୀ ନିବେଶକମାନଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବ, କାରଣ ଏକ ସ୍ଥିର ଓ ଶକ୍ତିଶାଳୀ ଭାରତ ଦକ୍ଷିଣ ଏସିଆରେ ଅର୍ଥନୈତିକ କେନ୍ଦ୍ରଭାବେ ଉଭା ହେବ। ଏହା ସହ ଭାରତ ମଧ୍ୟ ଏସିଆ ଓ ମଧ୍ୟ ପୂର୍ବର ବାଣିଜ୍ୟ ମାର୍ଗରେ ଅଧିକ ନିୟନ୍ତ୍ରଣ ହାସଲ କରିପାରେ।
ଚତୁର୍ଥରେ ଭାରତର କୂଟନୈତିକ ପ୍ରଭାବ ବିଶ୍ୱରେ ଅଧିକ ପ୍ରଭାବଶାଳୀ ରାଷ୍ଟ୍ରର ପରିଚୟ ହାସଲ କରିବ। ବିଶ୍ୱ ରାଜନୀତିରେ ଭାରତର ପ୍ରଭାବ ବୃଦ୍ଧି ପାଇବ। ଯୁକ୍ତରାଷ୍ଟ୍ର, ରୁଷିଆ ଓ ଇଉରୋପୀୟ ସଂଘ ଭଳି ଶକ୍ତିଶାଳୀ ଦେଶମାନେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଅଂଶୀଦାରଭାବେ ଗ୍ରହଣ କରିବେ। ଏହା ସହ ଚୀନ୍, ଯିଏ ପାକିସ୍ତାନର ଏକ ପ୍ରମୁଖ ସହଯୋଗୀ, ତା’ର ଆଞ୍ଚଳିକ ପ୍ରଭାବରେ କ୍ଷତି ହେବ, ଯାହା ଭାରତ-ଚୀନ୍ ଶକ୍ତି ସନ୍ତୁଳନକୁ ଭାରତ ପକ୍ଷକୁ ଆକର୍ଷିତ କରିବ।
ରାଜନୀତି, ଅର୍ଥନୀତି ଓ କୂଟନୀତିକ ଫାଇଦା ସହ ଏହି ଲଢ଼େଇ ଭାରତର ସାମାଜିକ ଓ ସାଂସ୍କୃତିକ ପ୍ରଭାବକୁ ବୃଦ୍ଧି କରାଇବ। ଭାରତର ବିଜୟ ଦେଶରେ ଜାତୀୟତାବାଦୀ ଭାବନାକୁ ବୃଦ୍ଧି କରିବ, ଯାହା ଆଭ୍ୟନ୍ତରୀଣ ଏକତାକୁ ମଜବୁତ କରିପାରେ। ଏହା ସହ ଦକ୍ଷିଣ ଏସିଆରେ ଭାରତୀୟ ସଂସ୍କୃତି, ଶିକ୍ଷା ଓ ନୀତି ଆଦର୍ଶର ପ୍ରଭାବ ବୃଦ୍ଧି ପାଇବ। ଭାରତ ଏକ ନରମ ଶକ୍ତି ବା ସଫ୍ଟ ପାୱାର ଭାବେ ନିଜର ପରିଚୟକୁ ଆହୁରି ବିସ୍ତାର କରିପାରିବ।
ଅନ୍ୟ ସମସ୍ତ ଯୁଦ୍ଧ ତଥା ସର୍ଜିକାଲ୍ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ପରି ଏହି ମିସାଇଲ୍ ଷ୍ଟ୍ରାଇକ୍ ବା ଅପରେସନ୍ ସିନ୍ଦୂରରେ ବିଜୟ ଭାରତର ପ୍ରଭାବକୁ ଆନ୍ତର୍ଜାତିକ ସ୍ତରରେ ବୃଦ୍ଧି କରିବା ସହ ଅନେକ ଆହ୍ୱାନ ମଧ୍ୟ ସୃଷ୍ଟି କରିବ। ପାକିସ୍ତାନରେ ଅସ୍ଥିରତା ଓ ସନ୍ତ୍ରାସବାଦୀ ଗୋଷ୍ଠୀମାନଙ୍କ ବୃଦ୍ଧି ଭାରତ ପାଇଁ ନୂଆ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଏହା ସହ ଆନ୍ତର୍ଜାତୀକ ସମୁଦାୟର ଚାପ ଓ ମାନବାଧିକାର ସମ୍ବନ୍ଧୀୟ ପ୍ରଶ୍ନ ଉଠିପାରେ। ଭାରତକୁ ଏହି ଚ୍ୟାଲେଞ୍ଜଗୁଡ଼ିକର ସମାଧାନ ପାଇଁ କୂଟନୈତିକ ଓ ରାଜନୈତିକ ଦକ୍ଷତା ଦେଖାଇବାକୁ ହେବ। ଯାହା ଦକ୍ଷିଣ ଏସିଆରେ ଭାରତକୁ ଏକ ଅପ୍ରତିଦ୍ୱନ୍ଦ୍ୱୀ ଶକ୍ତିଭାବେ ପ୍ରତିଷ୍ଠିତ କରିବ। ଏହା ରାଜନୈତିକ, ଅର୍ଥନୈତିକ ଓ କୂଟନୈତିକ ସ୍ତରରେ ଭାରତର ପ୍ରଭାବକୁ ବୃଦ୍ଧି କରିବ ଏବଂ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠାରେ ନୂଆ ସୁଯୋଗ ସୃଷ୍ଟି କରିବ। ତେବେ, ଏହି ଶକ୍ତିକୁ ବଜାୟ ରଖିବା ପାଇଁ ଭାରତକୁ ସମନ୍ୱୟମୂଳକ ନୀତି ଓ ଦୂରଦୃଷ୍ଟି ସହିତ ଆଗକୁ ବଢ଼ିବାକୁ ହେବ। ଦକ୍ଷିଣ ଏସିଆର ଭବିଷ୍ୟତ ଭାରତର ନେତୃତ୍ୱ ଉପରେ ବହୁମାତ୍ରାରେ ନିର୍ଭର କରିବ।
ଏଣୁ ଭାରତର ପ୍ରତିଟି ନାଗରିକ ଏହି ଯୁଦ୍ଧର ଅଂଶ ବିଶେଷ ହେବା ଆବଶ୍ୟକ। ଯିଏ ଯେଉଁଠି ଅଛି ସେ ସେଇଠି ଭାରତ ସରକାରଙ୍କ ସହ ରହିବା ଉଚିତ। ଯେମିତି ଭାରତର ରାଜନୀତିକ ଦଳମାନେ ଉଦାହରଣ ସୃଷ୍ଟି କରିଛନ୍ତି ଠିକ୍ ସେମିତି ଦେଶର ଲୋକେ ସେନାର ମନୋବଳ ବୃଦ୍ଧି କରିବା ଆବଶକ।
Also readhttps://purvapaksa.com/india-dont-forget-chicken-neck-bangladesh-play-in-pakistans-lap/
ଚିକେନ୍ ନେକକୁ ନ ଭୁଲୁ ଭାରତ, ପାକିସ୍ତାନ କୋଳରେ ବସିଥିବା ବାଂଲାଦେଶ କରିବ ଖେଳ