ରବିବାର ଦିନ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ଵର ମହାନଗର ନିଗମ ତରଫରୁ ଦିନତମାମ କାର୍ଯ୍ୟକ୍ରମ ଚାଲିଥିଲା । ସକାଳୁ ବିଏମ୍ସି କାର୍ଯ୍ୟଳୟରେ ପତାକା ଉତ୍ତୋଳନ ସହ ବିଭିନ୍ନ ପ୍ରକଳ୍ପର ଆରମ୍ଭ ଓ ଲୋକାର୍ପଣ ଏବଂ ସନ୍ଧ୍ୟାରେ ଜୟଦେବ ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ ପତ୍ର ବି ପଠାଯାଇଥିଲା। ସେଥିରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ମଧ୍ୟ ଭୁବନେଶ୍ୱର ବିଧାୟକ ତଥା ବିଏମ୍ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ଵର ବିଧାୟକ ସୁଶାନ୍ତ କୁମାର ରାଉତ, ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂ, ଜଟଣୀ ବିଧାୟକ ବିଭୂତି ବଳବକରାୟ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଡେପୁଟି ମେୟର ଲଲିତା କହଁରଙ୍କ ନାମ ଅତିଥି ତାଲିକାରେ ଯଥାକ୍ରମେ ଉପରୁ ତଳ ପର୍ଯ୍ୟନ୍ତ ରହିଥିଲା।
ଉଭୟ ସକାଳ ଓ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଅତିଥି ତାଲିକାରେ ଏମାନଙ୍କ ନାମ ରହିଥିଲେ ମଧ୍ୟ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେଡିର ଜଣେ ବି ହେଲେ ବିଧାୟକ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ। କେବଳ ସେତିକି ନୁହେଁ, ସକାଳ କାର୍ଯ୍ୟକ୍ରମରେ କିଛି ବିଜେପି କର୍ପୋରେଟର ସାମିଲ ହୋଇନଥିଲେ। ସନ୍ଧ୍ୟାରେ ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ ଉପସ୍ଥିତ ଥିବାବେଳେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନୁପସ୍ଥିତ ରହିଥିଲେ।
୨୦୨୪ ସାଧାରଣ ନିର୍ବାଚନରେ କ୍ଷମତା ପରିବର୍ତ୍ତନ ପରେ ବିଏମସିରେ ଏବେ ଛକାପଞ୍ଝା ଚାଲିଛି। କ୍ଷମତାକୁ ନେଇ ବିଜେଡି ଓ ବିଜେପି ନେତାମାନେ ବାରମ୍ବାର ମୁହାଁମୁହିଁ ହେଉଛନ୍ତି। କେତେବେଳେ ବିଜେଡି ବିଧାୟକ ବୈଠକକୁ ଆସୁନାହାନ୍ତି ତ ଆଉ କେବେ ସାଂସଦ ଅନୁପସ୍ଥିତ ରହୁଛନ୍ତି।
ନିଗମ ଅଞ୍ଚଳରେ ଥିବା ୪ଜଣ ବିଧାୟକଙ୍କ ମଧ୍ୟରୁ କେବଳ ବିଧାୟକ ବାବୁ ସିଂ ଅଧିକାଂଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହୁଛନ୍ତି। ମାତ୍ର ଅନ୍ୟ ତିନି ବିଜେଡି ବିଧାୟକଙ୍କର କାଁ ଭାଁ ଦେଖା ମିଳୁଛି। ଯେତେବେଳେ ବିଜେଡି ବିଧାୟକ ଆସୁଛନ୍ତି ସେତେବେଳେ ବିଜେପି ସାଂସଦ ଓ ବିଧାୟକ ଆସୁନାହାନ୍ତି।
ଏବେ ବି ବିଜେଡି ଅଧୀନରେ ଭୁବନେଶ୍ୱର ମହାନଗର ନିଗମ ରହିଛି। ବିଏମ୍ସି ମେୟର, ଡେପୁଟି ମେୟରଙ୍କ ସମେତ ପ୍ରାୟ ୫୦ କର୍ପୋରେଟର୍ ଦଳ ସହ ରହିଛନ୍ତି। ତେବେ, ମଧ୍ୟ ଜନପ୍ରତିନିଧି ଭାବେ ବିଧାୟକମାନଙ୍କ ବାରମ୍ବାର ଅନୁପସ୍ଥିତିକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବ ସରକାର ସମୟରେ ବିଭିନ୍ନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଉନଥିବା ସମ୍ପର୍କରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବାରମ୍ବାର ଅଭିଯୋଗ କରୁଥିଲେ। ନିମନ୍ତ୍ରଣପତ୍ରରେ ତାଙ୍କ ନାମ ନ ଥିବାରୁ ରାଜ୍ୟ ସରକାର ଓ ବିଏମ୍ସକୁ ସମାଲୋଚନା କରିଥିବାର ନଜିର ବି ରହିଛି। ଏମିତିକି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କେଉଁମାନେ ଏଭଳି ତ୍ରୁଟି ପାଇଁ ଦାୟୀ ତାହାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଚଳିତବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ଆସି ନ ଥିଲେ । ଓଡ଼ିଶା ବାହାରେ ଜରୁରୀ କାର୍ଯ୍ୟ ଥିବାରୁ ଅନୁପସ୍ଥିତ ରହିଥିବା ଦର୍ଶାଇଥିଲେ। ଏଥର ସ୍ୱାୟତ୍ତ ଶାସନ ଦିବସରେ ବିଏମସି ନିମନ୍ତ୍ରଣପତ୍ରର ସର୍ବାଗ୍ରେ ତାଙ୍କ ନାଁ ରହିଥିଲେ ମଧ୍ୟ ତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛି।
ALSO READ https://purvapaksa.com/wp-content/uploads/2025/09/M4nigVN3vvA5EEnNX9atxY-scaled.jpg
