- ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇଏମଡି ଭିଜନ – ୨୦୪୭ ଉନ୍ମୋଚିତ
- ବର୍ଷ ପୂର୍ତ୍ତି ଉପଲକ୍ଷେ ପୋଷ୍ଟାଲ ଷ୍ଟାମ୍ପ ଓ କଏନର ପ୍ରଚଳନ
- କ୍ଲାଇମେଟ ସ୍ମାର୍ଟ ନେସନ ଗଢିବା ମିଶନ ମୌସମର ଲକ୍ଷ୍ୟ
ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି । ଉତ୍ସବରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି । ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ । ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ ।
ନିଜର ଦେଢ ଶହ ବର୍ଷର ଯାତ୍ରା ଲାଗି ଆଇଏମଡି ପକ୍ଷରୁ ଯୁବକମାନଙ୍କ ଲାଗି ଜାତୀୟ ପାଣିପାଗ ଅଲିମ୍ପିୟାଡର ଆୟୋଜନ କରାଯାଇଛି । ହଜାର ହଜାର ଛାତ୍ର ଏଥିରେ ଭାଗ ନେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିବେ ବୋଲି ମୋଦି କହିଛନ୍ତି । ଉତ୍ସବ ସ୍ଥଳରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେଇଥିବା ଯୁବକମାନଙ୍କୁ ସେ ସାଧୁବାଦ ଜଣାଇଥିଲେ । ମକର ସଂକ୍ରାନ୍ତି ପାଖାପାଖି ୧୫ ଜାନୁଆରି ୧୮୫୭ ମସିହାରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପିତ ହୋଇଥିଲା । ତେବେ ଆମେ ସମସ୍ତେ ମକର ସଂକ୍ରାନ୍ତିର ଗୁରୁତ୍ୱ ସମ୍ପର୍କରେ ଊଣା ଅଧିକେ ଅବଗତ ଅଛୁ ବୋଲି ମୋଦି କହିଥିଲେ । ଗୁଜରାଟରୁ ଆସିଥିବା କାରଣରୁ ଏହି ମକର ସଂକ୍ରାନ୍ତି ତାଙ୍କର ପ୍ରିୟ ପର୍ବ ବୋଲି ସେ କହିଥିଲେ ।
ଏହି ସଂକ୍ରାନ୍ତିରେ କାପ୍ରିକନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରି ତାଙ୍କର ଉତ୍ତରାୟନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ତେଜ ବୃଦ୍ଧି କାରଣରୁ କୃଷି କାର୍ଯ୍ୟ ପାଇଁ ସଜବାଜ ଆରମ୍ଭ ହୁଏ । ସାରା ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଦେଶର ବିଜ୍ଞାନ ଭିତ୍ତିକ ପ୍ରତିଷ୍ଠାନଗୁଡିକର ଅଗ୍ରଗତି ଏହାର ବିଜ୍ଞାନ ପ୍ରତି ରହିଥିବା ସଚେତନତାକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନବ ଭାରତ ପାଇଁ ବିଜ୍ଞାନ ପ୍ରତିଷ୍ଠାନଗୁଡିକରେ ହେଉଥିବା ଗବେଷଣା ଓ ଆବିଷ୍କାର ଖୁବ ଯୁଗପୋଯୋଗୀ ବୋଲି ମୋଦି କହିଛନ୍ତି ।
ଗତ କିଛି ଦଶନ୍ଧି ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପରିମାର୍ଜିତ ଡପ୍ଲଲର ପାଣିପାଗ ରାଡାର, ସ୍ୱୟଂ ଚାଳିତ ପାଣିପାଗ ଷ୍ଟେସନ, ରନବେ ପାଣିପାଗ ନୀରିକ୍ଷଣ ଷ୍ଟେସନ, ଜିଲ୍ଲା ଭିତିକ ବୃଷ୍ଟିପାତ ନୀରିକ୍ଷଣ ଷ୍ଟେସନର ଅଭିବୃଦ୍ଧି ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି ବୋଲି ମୋଦି କହିଛନ୍ତି । ମହାକାଶ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପାଣିପାଗ ବିଭାଗକୁ ବିଶେଷ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଆଣ୍ଟାର୍କାଟିକାରେ ମୈତ୍ରୀ ଓ ଭାରତୀ ନାଁରେ ଦୁଇଟି ପାଣିପାଗ ନୀରିକ୍ଷଣ କେନ୍ଦ୍ର ରହିଛି । ଗତବର୍ଷ ଆର୍କ ଓ ଅରୁଣିକାର ପ୍ରବେଶ ଘଟିଛି । ଭାରତର ମିଶନ ମୌସମ ଆରମ୍ଭ ହେବା ପରେ ଆମେ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବରେ ବିବେଚିତ ହୋଇଛୁ ବୋଲି ମୋଦି କହିଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ତେବେ ଆଗକୁ ଏପରି ବିପର୍ଯ୍ୟୟର ପ୍ରଭାବ ମାତ୍ରା କମାଇବା ଲାଗି ପାଣିପାଗ ବିଭାଗର ଦକ୍ଷତା ବୃଦ୍ଧି ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଆଗରୁ ଅନତିକ୍ରମ୍ୟ ବୋଲି ବିବେଚିତ ହେଉଥିବା ଏଭଳି ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଆମ ଦେଶ ଏବେ ସକ୍ଷମ ହୋଇପାରିଛି । ୧୯୯୮ର କୁଚ କାଣ୍ଡଲା ଝଡ, ୧୯୯୯ର ଓଡିଶା ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡିବା କଥାକୁ ମନେ ପାଇଥିଲେ ପ୍ରଧାନମନ୍ତ୍ରୀ ।
ପାଣିପାଗ ବିଜ୍ଞାନର ସଠିକ ଆକଳନ ଫଳରେ ଏହାର ଗୁରୁତ୍ୱ ବଢିଛି । ବିଭିନ୍ନ ସେକ୍ଟର, ଶିଳ୍ପ ଓ ପ୍ରତିଦିନ ଜୀବନ ଚର୍ଯ୍ୟାରେ ଏପ୍ରକାର ଡାଟା ବା ତଥ୍ୟ ପାଇବା ପାଇଁ ଚାହିଦା ବୃଦ୍ଧି ପାଇବ । ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ସମେତ ଅନ୍ୟାନ୍ୟ ବିପର୍ଯ୍ୟୟ ଉପରେ ଆଗୁଆ ସୂଚନା ପାଇବା ଦିଗରେ ବି କାର୍ଯ୍ୟ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବୈଜ୍ଞାନିକ, ଗବେଷକ, ଆଇଏମଡି ପରି ପ୍ରତିଷ୍ଠାନ ଏ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି । ବୈଶ୍ୱିକ ସେବା ଓ ନିରାପତା ଦୃଷ୍ଟିରୁ ଭାରତ ଏ ଦିଗରେ କାମ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଢ ଶହ ବର୍ଷର ଯାତ୍ରାରେ ସାମିଲ ହୋଇଥିବା ପାଣିପାଗ ବିଜ୍ଞାନୀ ଓ ଅନ୍ୟମାନଙ୍କୁ ଏହି ଅବସରରେ ଧନ୍ୟବାଦ ଦେଇଥିଲେ ପ୍ରଧାନମନ୍ତ୍ରୀ ।
ଏହି ଉତ୍ସବରେ ଅନ୍ୟ ପଦାଧିକାରୀଙ୍କ ସମେତ ଆର୍ଥ ସାଇନ୍ସର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ, ପ୍ରଫେସର ସିଲେଷ୍ଟି ସାଉଲୋ, ବିଶ୍ୱ ପାଣିପାଗ ସଂଘ (ଡବ୍ଲୁଏମଓ)ର ସାଧାରଣ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଆଇଏମଡି ଭିଜନ – ୨୦୪୭ ଡକ୍ୟୁମେଂଟକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ପାଣିପାଗ ପୂର୍ବାନୁମାନ, ପରିଚାଳନା, ଜଳବାୟୁ ପରିବର୍ତ୍ତନ ପରି ବିଭିନ୍ନ କ୍ଷେତ୍ରରେ ଏହା କାମ କରିବ ବୋଲି କୁହାଯାଇଛି । ଆଇଏମଡିର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରାଯାଇଛି। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପାଣିପାଗ ତଥା ଜଳବାୟୁ ସମ୍ପର୍କରେ ସୂଚନା ତଥା ସେବା ଯୋଗାଇବା ପାଇଁ ବିଭିନ୍ନ ସରକାରୀ ପ୍ରତିଷ୍ଠାନର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି ।
previous article:https://purvapaksa.com/the-young-generation-is-the-skilled-weavers-of-developed-odisha-and-developed-india/
