Odisha Cricket Association: ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମର ଆଧୁନିକୀକରଣ ସହ ଫ୍ଲଡ୍ ଲାଇଟ୍ ପାଇଁ ସ୍ଥାୟୀ ଜେନେରେଟର ନିର୍ମାଣ କରିବାକୁ ସେ ଯୋଜନା କରିଛନ୍ତି।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ନୂଆ ସଭାପତିଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। କ୍ରିକେଟ୍ ବୋର୍ଡ ଏ ପର୍ଯ୍ୟନ୍ତ ଏ ନେଇ ଘୋଷଣା କରିନଥିବାବେଳେ ଶ୍ରୀ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟକାରୀ ସଭାପତିଭାବେ କାର୍ଯ୍ୟ ଆରମ୍ଭ କରିଥିବା ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଓସିଏର ପୂର୍ବତନ ସଭାପତି ପ୍ରଣବ ପ୍ରକାଶ ଦାସ ନିକଟରେ ଇସ୍ତଫା ଦେଇଥିଲେ। ଶ୍ରୀ ମହାନ୍ତି ଏକମାତ୍ର ପ୍ରାର୍ଥୀଭାବେ ଏହି ପଦପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯେଉଁଥିପାଇଁ ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ପଙ୍କଜ ଲୋଚନ ମହାନ୍ତି ତାଙ୍କ ପୂର୍ବବର୍ତ୍ତୀ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ଓସିଏ ସଭାପତିଭାବେ ଦାୟିତ୍ୱ ତୁଲାଇବେ। ଏହାପରେ ଚଳିତ ବର୍ଷ ଅକ୍ଟୋବରରେ ପୂର୍ଣ୍ଣକାଳୀନ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ।
ସେପଟେ କଟକ ବାରବାଟୀ ଷ୍ଟାଡିୟମର ଆଧୁନିକୀକରଣ ଓ ଭିତ୍ତିଭୂମି ପ୍ରସ୍ତୁତି ସୁନିଶ୍ଚିତ କରିବା ପାଇଁ ଶ୍ରୀ ମହାନ୍ତି ସକ୍ରିୟ ପ୍ରୟାସ ଆରମ୍ଭ କରିଛନ୍ତି।
ନୂଆ କାର୍ଯ୍ୟକାରୀ ସଭାପତି ନିଶ୍ଚିତ କରିଛନ୍ତି ଯେ ଷ୍ଟାଡିୟମରେ ଥିବା ୬ଟି ଫ୍ଲଡ୍ ଲାଇଟ୍ ପାଇଁ ଗୋଟିଏ ଲେଖାଏଁ କାର୍ଯ୍ୟକ୍ଷମ ଏବଂ ଗୋଟିଏ ବ୍ୟାକଅପ୍ ଦୁଇଟି ସ୍ଥାୟୀ ଜେନେରେଟର ଲଗାଯିବ ଏବଂ ଅତିରିକ୍ତ ୪ଟି ଜେନେରେଟର ସବୁବେଳେ ପ୍ରସ୍ତୁତ ରଖାଯିବ।
ଗତ ଫେବ୍ରୁଆରି ୯ ତାରିଖରେ ଭାରତ-ଇଂଲଣ୍ଡ ଦିନିକିଆରେ ଗୋଟିଏ ଫ୍ଲଡ୍ ଲାଇଟ୍ ଜଳିଯିବାରୁ ଖେଳ ସାମୟିକଭାବେ ବନ୍ଦ ହେବା ସହ ବ୍ୟାପକ ହଙ୍ଗାମା ହେବା ପରେ ପ୍ରସ୍ତାବିତ ମୋଟ ୧୬ଟି ସ୍ଥାୟୀ ଜେନେରେଟର ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।
କଟକ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଏବେ ପ୍ରତ୍ୟେକ ଫ୍ଲଡ୍ ଲାଇଟରେ ସବୁବେଳେ ଦୁଇଟି ଜେନେରେଟର ରହିବ, ଯାହାଦ୍ୱାରା ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ ହେବ। ବର୍ତ୍ତମାନ ଆମ ପାଖରେ ଜେନେରେଟର ଭଡ଼ାରେ ଅଛି କିନ୍ତୁ ଖୁବ୍ଶୀଘ୍ର ସେଗୁଡ଼ିକୁ ସ୍ଥାୟୀ ଜେନେରେଟରରେ ପରିବର୍ତ୍ତିତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ବାରବାଟୀ ଷ୍ଟାଡିୟମର ସମ୍ପୂର୍ଣ୍ଣ ଆଧୁନିକୀକରଣ ନେଇ ଓସିଏ ରାଜ୍ୟ ସରକାରଙ୍କ ସହ ଆଲୋଚନା କରୁଛି। ଷ୍ଟାଡିୟମର ବିକାଶ ଓ ନବୀକରଣ ଦିଗରେ ରାଜ୍ୟ ସରକାର ସକାରାତ୍ମକ ଥିବା ବେଳେ ଖୁବଶୀଘ୍ର ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ପଙ୍କଜ ଲୋଚନ ମହାନ୍ତି କହିଛନ୍ତି।
Also readhttps://purvapaksa.com/supply-minister-conspiring-to-defame-mohan-government/


