ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଲିଖିତ ନବୀନ ପଟ୍ଟନାୟକ ବହିଟି ଆଗାମୀ ୨୫ ତାରିଖ ଦିନ ଉନ୍ମୋଚିତ ହେବାକୁ ଯାଉଛି। ଏହି ବହିଟି ଇାରାଜୀ ବହିର ଓଡ଼ିଆ ଅନୁବାଦ ହୋଇଥିଲେ ମଧ୍ୟ ଏହା ୨୦୨୪ ନିର୍ବାଚନ ପରର ଘଟଣାକୁ ନେଇ ସଂଶୋଧିତ ସଂସ୍କରଣ ବୋଲି କୁହାଯାଉଛି। ଏହି ବହିରେ ଅନେକ କଥା ଥିଲେ ମଧ୍ୟ ପାଣ୍ଡିଆନଙ୍କ ଯୋଗୁ କିପରି ବିଜେଡି ନେତା ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ନିର୍ବାଚନରେ ପରାଜିତ ହେଲେ ସେକଥା ବିଷଦ ଭାବରେ ଆଲୋଚନା କରାଯାଇଛି।
ବହିର ଲେଖା ଅନୁସାରେ ୨୦୨୪ ବର୍ଷଟି ଓଡ଼ିଶା ଲାଗି ଅନେକ ଚମକପ୍ରଦ ଘଟଣା ଧରି ଆସିଥିଲା। ସେଥିମଧ୍ୟରୁ ସବୁଠାରୁ ଗରୁତ୍ଵପୂର୍ଣ୍ଣ ଥିଲା ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା। ତାମିଲନାଡୁରୁ ଆସିଥିବା ଜଣେ ମଝି ପାହ୍ୟାର ଆଇ.ଏ.ଏସ ଅଫିସର ଥିଲେ ପାଣ୍ଡିଆନ। ତାଙ୍କର ମୂଳ କ୍ୟାଡ଼ର ଥିଲା ପଞ୍ଜାବ। ୨୦୦୦ ମସିହାରେ ଜଣେ ଓଡ଼ିଆ ଆଇ.ଏ.ଏସ. ଅଫିସର ସୁଜାତା ରାଉତଙ୍କୁ ବିବାହ କଲାପରେ ସେ ତାଙ୍କର କ୍ୟାଡ଼ର ଓଡ଼ିଶାକୁ ବଦଳାଇ ଦେଇଥିଲେ ।
ପଚାଶ ବର୍ଷ ବୟସ୍କ ପାଣ୍ଡିଆନ ତାଙ୍କର ଅସଲି ଅସ୍ତିତ୍ୱଠାରୁ ବିଶାଳ ପାଲଟି ଯାଇଥିଲେ। ପାଞ୍ଚ ଫୁଟ ଉଚ୍ଚତା ଓ ପତଳା ଚେହେରାର ଅଫିସର ଥିଲେ। ପାଣ୍ଡିଆନ ତାଙ୍କର ମାର୍କାମରା ପୋଷାକ, ଚିପା ପ୍ୟାଣ୍ଟ ଏବଂ କେତେବେଳେ ବି ଇନ୍ କରାଯାଉ ନ ଥିବା ପୁରାହାତ ସାର୍ଟ, ହଳେ ସାଦା ଚପଲ ପିନ୍ଧା ପାଣ୍ଡିଆନ ଏତେ ଗୁରୁତ୍ଵପୂର୍ଣ ସ୍ଥାନ ଅଧିକାର କରିଥିଲେ ଯାହା ଆଉ କେହି ଏପରିକି ତାଙ୍କ ନେତା ନବୀନ ମଧ୍ୟ ପାଇନଥିଲେ । ଏହା ଏଭଳି ଏକ ରାଜନୀତିକ ଝଡ଼ ସୃଷ୍ଟି କରିଥିଲା ଯାହା ୨୦୨୪ ନିର୍ବାଚନରେ ବିଜେଡ଼ିକୁ ଗାଦିଚ୍ୟୁତ ନ କରିବା ପର୍ଯ୍ୟନ୍ତ ଥମି ନ ଥିଲା।
୨୦୨୪ ନିର୍ବାଚନ ପରେ ବିଜେଡି ମଧ୍ୟ ନିଜକୁ ନିରାଶାରେ ପାଇଲା। ନବୀନ ଯଦିଓ ଲୋକପ୍ରିୟ ହୋଇ ରହିଲେ, ପାଣ୍ଡିଆନ ରାଜ୍ୟସାରା ଯେତେ ଗସ୍ତ କରି ବୁଲିଲେ ଏବଂ ନିଜକୁ ନବୀନଙ୍କ ପରେ ଏକମାତ୍ର ଗୁରୁତ୍ଵପୂର୍ଣ ନେତା ଭାବରେ ଦର୍ଶାଇଲେ ଜନତା ବିଜେଡି ଉପରେ ସେତେ ରାଗିଲେ। ଏହାର ଫଳ ଓଲଟା ହେଲା। ଅସଲରେ ପାଣ୍ଡିଆନ ବିଜେଡିର ନୁହେଁ ବିଜେପିର ତାରକା ପ୍ରଚାରକ ପାଲଟିଗଲେ। ତାଙ୍କର ଅପ୍ରିୟ ହେବାଟା ନବୀନଙ୍କର ଲୋକପ୍ରିୟତାକୁ ହ୍ରାସ କଲା।
ପାଣ୍ଡିଆନ ଦଳୀୟ ପ୍ରଚାରକୁ ସମ୍ପୂର୍ଣ ଏକଚାଟିଆଭାବେ ଚଳାଇବାର ଅନ୍ୟ ପରିଣାମ ମଧ୍ୟ ଥିଲା। ଗତ ଚାରିବର୍ଷ ଭିତରେ ନବୀନଙ୍କର ଏହି ବିଶ୍ୱସ୍ତ ସହଯୋଗୀ ଦଳ ଭିତରେ ଅନେକ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ହାତେଇ ନେଇଥିଲେ। ଏହାର ଅର୍ଥ ଦଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ କଣଠେସା କରାଯାଇଥିଲା। ଦଳ ଭିତରେ କେବଳ ପାଣ୍ଡିଆନଙ୍କର ହିଁ ଗୁରୁତ୍ଵ ଥିଲା।
ସେ ଜଣେ ଆଇ.ଏ.ଏସ ଅଫିସର ଥାଇ ମଧ୍ୟ ୨୦୧୯ ନିର୍ବାଚନବେଳେ ସେ ପର୍ଦା ପଛରେ ରହି ସବୁ ଟିକିନିଖି ପରିଚାଳନା କରିଥିଲେ। କିନ୍ତୁ ୨୦୨୪ ମସିହାରେ ସେ ଯେତେବେଳେ ପ୍ରଚାର କାମ ଆରମ୍ଭ କଲେ କେନ୍ଦ୍ରୀୟ ପରିଚାଳନା କରିବାକୁ ଆଉ କେହି ନ ଥିଲେ। ରାଜ୍ୟର ଭିତିରି ଅଞ୍ଚଳର ପ୍ରାର୍ଥୀମାନେ ବ୍ୟସ୍ତ ବିବ୍ରତ ଥିଲେ। ସେମାନେ ପଇସାପତ୍ର ଆବଶ୍ୟକ କରୁଥିଲେ, ସ୍ଥାନୀୟ ଅଞ୍ଚଳର ପରିସ୍ଥିତି ଓ ଜନତାଙ୍କର ପରିବର୍ତ୍ତିତ ଆବେଗ ବିଷୟରେ ଜଣାଇବାକୁ ଋହୁଁଥିଲେ। ସେମାନେ ଏହାର ଉପଚାର ଓ ପ୍ରତିକାର ଲାଗି ଉପାୟ ଓ ସହାୟତା ଚାହୁଁଥିଲେ। କିନ୍ତୁ ସେମାନଙ୍କ କଥା ଶୁଣିବାକୁ କେହି ନ ଥିଲେ। କାରଣ ପାଣ୍ଡିଆନ ନିଜର ପ୍ରଚାରରେ ବ୍ୟସ୍ତ ଥିଲେ।
ସେ ଭୁବନେଶ୍ଵରରେ ତାଙ୍କର ବିଶ୍ଵାସ୍ତ ସହଯୋଗୀମାନଙ୍କୁ ପରିସ୍ଥିତି ସମ୍ଭାଳିବାକୁ ବସାଇଥିଲେ। ମାତ୍ର ସେମାନେ ନିଜକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ପ୍ରମାଣିତ କଲେ। ପାଣ୍ଡିଆନଙ୍କର ଘନିଷ୍ଠ ଥିବା ଜଣେ ଆଇ.ପି.ଏସ ଅଫିସର କୁଆଡ଼େ ଜଣେ ଦଳୀୟ ଏଜେଣ୍ଟ ସାଜି ତାଙ୍କର ପୋଲିସ ଟିମକୁ ଲଗାଇ ସର୍ଭେ କରାଇ ଥିଲେ। ତାଙ୍କ ସର୍ବେକ୍ଷଣ ଅନୁସାରେ ୧୪୭ ଆସନରୁ ବିଜେଡି ଅତି କମରେ ୧୧୦ଟି ଆସନ ଜିତିବ, ଯାହା ଭୁଲ ପ୍ରମାଣିତ ହେଲା। ଏହି ବହିଟିକୁ ଚୌଧୁରୀ ରଞ୍ଜିତା ପ୍ରହରାଜ ଓଡ଼ିଆ ଅନୁବାଦ କରିଥିବାବେଳେ ବିକେ ପବ୍ଲିକେଶନ ପ୍ରକାଶନ ଦାୟିତ୍ୱ ନେଇଛନ୍ତି।
Also Read https://purvapaksa.com/richest-cms-in-india/


