ଗଲା କିଛିଦିନ ହେଲା ବିଜୁ ଜନତା ଦଳକୁ ନେଇ ମିଡିଆ ଯେମିତି ସରଗରମ ଟିପ୍ପଣୀ ଦେଉଛି ସେଥିରେ ନବୀନ ପଟ୍ଟନାୟକ ଓ ତାଙ୍କର ସହାୟକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ପ୍ରତିଛବିରେ ଅନେକ ଦାଗ ଚିହ୍ନ ଲାଗିଛି। ଖାଲି ସେତିକି ନୁହେଁ ଏଥିରେ ବିରୋଧୀ ବି ଉତ୍ସାହିତ ହୋଇଛନ୍ତି। ଯୁବାଠାରୁ ଭେଟେରାନ୍ ନେତାଏ ବିଜେଡିର ଗୁମର ଖୋଲିବାକୁ ପଛାଉ ନାହାନ୍ତି। ଆଗକୁ ଏହା ବିସ୍ଫୋରଣ ଆଶଙ୍କା ଦେଉଥିବାରୁ ଚୁପ୍ଥିବା ପାଣ୍ଡିଆନ୍ ଏବେ ଆକ୍ସନ ମୋଡ୍କୁ ଆସିଛନ୍ତି। ଆଉ ଏଥିରେ ତାଙ୍କୁ ହାରୁ ନେତାମାନେ ବିଶେଷ ସହାୟକ ହେଉଛନ୍ତି। ଅପରପକ୍ଷେ ବିନା ପାଣ୍ଡିଆନରେ ତାଙ୍କର ସତ୍ତା ରହିବ ନାହିଁ ବୋଲି ଏହି ହାରୁ ନେତାମାନେ ଚିନ୍ତା କରିଛନ୍ତି। ଏଣୁ ଏମାନଙ୍କ ସର୍ଦ୍ଦାର ପାଲଟିଛନ୍ତି ପାଣ୍ଡିଆନ୍।
ପାଣ୍ଡିଆନ୍ଙ୍କ ଦୁଇ ଖାସ୍ ନେତା
ହାରୁ ନେତା କହିଲେ ଯେଉଁମାନେ ଗତ ନିର୍ବାଚନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି ବା ନିର୍ବାଚନ ଲଢ଼ିବାକୁ ସାହସ ପାଇ ନାହାନ୍ତି। ଏହି ନେତାମାନଙ୍କର ଏବେ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ବି ଓଜନ କମିବାରେ ଲାଗିଛି। ଏହାକୁ କେହି ଅସ୍ୱୀକାର କରିବେ ନାହିଁ। ଏପରିକି କିଛି ନେତାଙ୍କ ମୁହଁ ତ ପ୍ରାର୍ଥୀ ହୋଇଥିବା ନିର୍ବାଚନମଣ୍ଡଳିରେ ବି ଦେଖିବାକୁ ମିଳୁନି। ଏହି ତାଲିକାରେ ପାଣ୍ଡିଆନଙ୍କ ଦୁଇ ଖାସ ନେତା ରହିଛନ୍ତି। ଜଣେ ହେଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଯାହାଙ୍କୁ ପାଣ୍ଡିଆନ୍ ଗୁରୁ ବୋଲି ଗ୍ରହଣ କରିଥିବା କହନ୍ତି। ଆଉଜଣେ ହେଉଛନ୍ତି ପ୍ରଣବ ପ୍ରକାଶ ଦାସ ଯିଏ ତାଙ୍କ ଚେଲା ବୋଲି ବିଭିନ୍ନ ସ୍ଥାନରେ ଆଲୋଚନା ହୁଏ।
ଏ ଦୁଇଜଣ ପରାଜିତ ପ୍ରାର୍ଥୀ ହୋଇଥିବାବେଳେ ଖୋଦ୍ ପାଣ୍ଡିଆନ୍ କୌଣସି ନିର୍ବାଚନ ଲଢ଼ିବାକୁ ଏ ଯାଏ ସାହସ କରିପାରି ନାହାନ୍ତି। ଅର୍ଥାତ୍ ସେ ଜାଣିଛନ୍ତି ଯେ ସେ ଯଦି ପ୍ରାର୍ଥୀ ହେବେ ତାହା ହେଲେ ଲୋକଙ୍କ ପ୍ରତ୍ୟାଖ୍ୟାନ ପାଇବା ନିଶ୍ଚିତ।
ଏପରିକି ଗଲା ନିର୍ବାଚନରେ ବିଜେଡି ଆଶାତୀତ ସଫଳତା ନ ପାଇବାର କାରଣ ଖୋଦ୍ ପାଣ୍ଡିଆନ୍ ବୋଲି ରାଜ୍ୟର ଆବାଳ ବୃଦ୍ଧବନୀତା ଜାଣନ୍ତି। ଏହାକୁ ଆଉଥରେ ବ୍ୟାଖ୍ୟା କରିବାକୁ ଆବଶ୍ୟକତା ନାହିଁ। ଅର୍ଥାତ୍ ଏ ତିନିଜଣଯାକ ହେଉଛନ୍ତି ହାରୁ ନେତା। ଜଣେ ମଝିରେ ରହି ଦୁଇ ପଟକୁ ନିୟନ୍ତ୍ରଣ କରୁଥିବା ଚର୍ଚ୍ଚ ହୁଏ।
ପାଣ୍ଡିଆନ୍ଙ୍କ ହାତମୁଠାକୁ ସୁଦୃଢ଼ କରୁଛନ୍ତି ହାରୁ ନେତା
କିନ୍ତୁ ଏହି ତ୍ରିମୂର୍ତ୍ତିରେ ତାଲିକା ସରୁନି। ଲୋକଙ୍କ ପ୍ରତ୍ୟାଖ୍ୟାନ ପରେ ବି ପାଣ୍ଡିଆନ୍ଙ୍କ ହାତମୁଠାକୁ ଯେଉଁମାନେ ସୁଦୃଢ଼ କରିବାରେ ଲାଗିଛନ୍ତି ସେମାନଙ୍କ ଭିତରେ ଅନେକ ହାରୁ ନେତା ରହିଛନ୍ତି। ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ଦୂରେଇ ଥିବା କହୁଥିଲେ ମଧ୍ୟ ବିଜେଡିର ପ୍ରତିଟି ରଣନୀତିକ ଗୋଷ୍ଠୀକୁ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ନୁହଁନ୍ତି ବରଂ ଏହି ହାରୁ ନେତାମାନେ ନିୟନ୍ତ୍ରଣ କରୁଛନ୍ତି। ଏହା ପ୍ରମାଣିତ କରୁଛି ଯେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଭିତରୁ ଅଧିକାଂଶ ଏବେ ପାଣ୍ଡିଆନ୍ଙ୍କ ଆଦେଶାଧୀନ ନାହାନ୍ତି। ସେମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି।
ବିଜେଡି ରାଜନୀତିକ ଉପଦେଷ୍ଟା ମଣ୍ଡଳୀରେ ୭ ହାରୁ ନେତା
ଆପଣଙ୍କୁ ଏଠାରେ ଏମିତି କିଛି ସଂଗଠନ ଓ ନିଷ୍ପତ୍ତି କଥା କହୁଛି ଯାହାକୁ ଦେଖିଲେ ଏ ବିଷୟ ଅତ୍ୟନ୍ତ ସ୍ପଷ୍ଟ ହୁଏ। ପ୍ରଥମେ ଆପଣ ବିଜେଡିର ରାଜନୀତିକ ଉପଦେଷ୍ଟାମଣ୍ଡଳୀ ଉପରେ ନଜର ପକାନ୍ତୁ। ଯେତେବେଳେ ବିଜେଡିରେ ପାଣ୍ଡିଆନ୍ଙ୍କ ପ୍ରଭାବ ନେଇ ଉଠିଲା ପଡ଼ିଲା ସେଥିରୁ ନିଜକୁ ବଞ୍ଚାଇବା ଲାଗି ନବୀନ ବିଭିନ୍ନ କମିଟି ଘୋଷଣା କଲେ। ଏ ଘୋଷଣା ଅନୁସାରେ ୧୦ ଜଣ ସଦସ୍ୟଙ୍କୁ ନେଇ ଏକ ରାଜନୀତିକ ଉପଦେଷ୍ଟାମଣ୍ଡଳୀ ଗଠନ କରାଗଲା। ଏଥିରେ ନବୀନ ଅଧ୍ୟକ୍ଷ ରହିଲେ। ଅର୍ଥାତ୍ ପାଣ୍ଡିଆନ୍ ନୁହେଁ ନବୀନ ହିଁ ସବୁ ନିଷ୍ପତ୍ତି ନେଉଛନ୍ତି ବୋଲି ଏହା ଅଫିସିଆଲି କହିବାକୁ ଚାହିଁଲା ଦଳ।
ଏହି ରାଜନୀତିକ ଉପଦେଷ୍ଟାମଣ୍ଡଳିରେ ଯେଉଁ ୧୦ ଜଣ ସଦସ୍ୟ ରହିଛନ୍ତି ସେମାନେ ହେଲେ; ନବୀନ ପଟ୍ଟନାୟକ, ବିକ୍ରମ କେଶରୀ ଆରୁଖ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ସନ୍ତୃପ୍ତ ମିଶ୍ର, ସସ୍ମିତ ପାତ୍ର, ପ୍ରମିଳା ମଲ୍ଲିକ ଓ ନିରଞ୍ଜନ ପୂଜାରୀ। ଏହି ୧୦ ଜଣଙ୍କ ଭିତରୁ ସସ୍ମିତ ପାତ୍ର ହେଉଛନ୍ତି ରାଜ୍ୟସଭା ସାଂସଦ। ପ୍ରମିଳା ଏବଂ ନିରଞ୍ଜନ ହେଉଛନ୍ତି ବିଧାୟକ। ଆଉ ସମସ୍ତେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ।
ନବୀନ ପଟ୍ଟନାୟକ ହିଞ୍ଜିଳି ଜିତିଥିଲେ ବି ପଶ୍ଚିମ ଓଡ଼ିଶା ଗଡ଼ରେ ବିଜେଡି ଗଡ଼କୁ ଧ୍ୱଂସମୁଖରୁ ରକ୍ଷା କରିବାରେ ସେ ବିଫଳ। ଏପରିକି ଖୋଦ୍ ନବୀନ କଣ୍ଟାବାଞ୍ଝିରୁ ହାରିଛନ୍ତି। ପୁଣି ସସ୍ମିତ କେବେ ସିଧାସଳଖ ନିର୍ବାଚନ ଲଢ଼ିବାକୁ ସାହସ କରିନାହାନ୍ତି। ମୋଟା ମୋଟି ଭାବେ କହିଲେ, ୭ ଜଣ ବା ୭୦ ପ୍ରତିଶତ ହେଉଛନ୍ତି ହାରୁ ନେତା।
କ୍ରୁସିଆଲ କମିଟିରେ ୫ ହାରୁ ନେତା
ଏବେ ବିଜେଡି କ୍ରୁସିଆଲ କମିଟି କଥା। ଗଣମାଧ୍ୟମ ରିପୋର୍ଟରେ ଏ ବିଷୟରେ ଖବର ପ୍ରକାଶ ପାଇଛି। ଏଥିରେ ୭ ଜଣ ନେତା ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦେବୀ ମିଶ୍ର, ପ୍ରଦୀପ ଅମାତ, ଚନ୍ଦ୍ରଶେଖର ସାହୁ, ରାଜଶ୍ରୀ ମଲ୍ଲିକ, ସର୍ମିଷ୍ଠା ସେଠୀ, ଶାରଦା ପ୍ରସନ୍ନ ଜେନା, ଏବଂ ଲୋପାମୂଦ୍ରା ବକ୍ସ ପାତ୍ର । ଏହି ତାଲିକାରେ ସ୍ଥାନୀତ ସଦସ୍ୟଙ୍କ ଭିତରେ ଏକମାତ୍ର ସାରଦା ହିଁ ହେଉଛନ୍ତି ବିଧାୟକ । ଲୋପାମୂଦ୍ରା ତ ନିର୍ବାଚନ ଲଢ଼ିବାକୁ ସାହସ କରିନଥିଲେ ବା ଦଳ ତାଙ୍କ ବାବଦ ନିର୍ବାଚନ ପୂର୍ବ ସର୍ବେକ୍ଷଣରେ ପ୍ରାର୍ଥୀ ହେବାକୁ ଯୋଗ୍ୟତା ଦେଖି ନଥିଲା। ଅର୍ଥାତ୍ ୭ରୁ ୬ ବା ୮୫% ହେଉଛନ୍ତି ହାରୁ ନେତା।
ବିଧାୟକଙ୍କୁ ହାଲୁକା ଦାୟିତ୍ୱ
ଏବେ ଯେଉଁ ଛାମୁଆ ସେଲଗୁଡ଼ିକ ରହିଲେ ସେ କଥା ବାବଦରେ ଅନୁଶୀଳନ କରିବା। ଏହି ଛାମୁଆ ସଂଗଠନଗୁଡ଼ିକ ସମ୍ପୃକ୍ତ ଗୋଷ୍ଠୀମାନଙ୍କୁ ଏକାଠି କରି ଦଳ ପାଇଁ ସମ୍ପତ୍ତି ସୃଷ୍ଟି କରିଥାଆନ୍ତି। ଏଗୁଡ଼ିକ ପରବର୍ତ୍ତୀ ସମୟରେ ଚାପ ଗୋଷ୍ଠୀ ବି ହୋଇଥାଆନ୍ତି। କିନ୍ତୁ ଏହି ଚାପ ଗୋଷ୍ଠୀଗୁଡ଼ିକରେ ବିଜେଡି ବିଜୟୀ ନେତା ନୁହେଁ, ବରଂ ହାରୁ ନେତାଙ୍କୁ ଗୁରୁତ୍ୱ ଦେଇଛି। ଆଞ୍ଚଳିକ ବିକାଶ ପାଇଁ ଗଠନ ହୋଇଥିବା ସେଲରେ ବିଜେଡି ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓଙ୍କୁ ସ୍ଥାନୀତ କରିଛି। ଏବେ ସେ ବିଜେଡି ରାଜନୀତିରେ ନିଷ୍କ୍ରୟ ପ୍ରାୟ। ସେ ବି ଜଣେ ହାରୁ ନେତା।
ସେହିପରି କୃଷକ ସେଲ ରହିଛି ପ୍ରସନ୍ନ ଆଚାର୍ଯ୍ୟଙ୍କ ପାଖରେ। ଅବଶ୍ୟ ସେ ବିଧାନସଭାରେ ବିଧାୟକ ଭାବେ ରହିଛନ୍ତି କିନ୍ତୁ ବିଜେଡିର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଆଉ ଦେଖିବାକୁ ମିଳୁନି। ଦଳର ହାବଭାବରେ ସେ ଆଦୌ ଖୁସି ନ ଥିବା ଆଲୋଚନା ହେଉଛି। ଶିକ୍ଷା ସେଲ ଦାୟିତ୍ୱରେ ରହିଛନ୍ତି ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର।
ମତ୍ସ୍ୟଜୀବୀ ସଂଗଠନ ଦିଆଯାଇଛି ଆଉଜଣେ ହାରୁ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ। ଆଦିବାସୀ ସେଲ ରହିଛି ମଙ୍ଗଳା କିଷାନଙ୍କ ହାତରେ। ସେ କୌଣସି ନିର୍ବାଚନ ଲଢ଼ି ନ ଥିଲେ। ଅନୁସୂଚିତ ଜାତି ସେଲ ଦାୟିତ୍ୱରେ ମହେଶ ସାହୁ ରହିଥିବା ବେଳେ ସଂଖ୍ୟାଲଘୁ ଦଳର ଅଧ୍ୟକ୍ଷ ହୋଇଛନ୍ତି ଦିଲ୍ଲୀପ ତିର୍କୀ। ସେ ପୂର୍ବରୁ ସାଂସଦ ଥିଲେ ହେଲେ ଏବେ ନାହାନ୍ତି।
ଆଇଟି ସେଲ ଅଧ୍ୟକ୍ଷ ଭାବେ ଅମର କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ ଦିଆଯାଛି। ଯାହାଙ୍କୁ ଆଉଥରେ ରାଜ୍ୟସଭା ଓ ଲୋକସଭାର ସାଂସଦ ଭାବେ ପଠାଇବାକୁ ଦଳ ସାହସ କରି ନଥିଲା। ଅର୍ଥାତ୍ ଲୋକ ତଥା ଦଳ ପାଇଁ ଦିନେ ଅଲୋଡ଼ା ରହିଥିବା ନେତାମାନେ ଏବେ ହଠାତ୍ ରାତାରାତି ଆବଶ୍ୟକତା ଭିତରକୁ ଆସିଯାଇଛନ୍ତି। କିନ୍ତୁ ଯଦି କାମ କ’ଣ କରୁଛନ୍ତି ପଚରାଯାଏ ତେବେ ତାଙ୍କର ଏହି ଘର ଶୂନ ଥିବା ସ୍ପଷ୍ଟ। ଯାହା ନବୀନ ନିବାସରୁ ଆଦେଶ ଆସେ ତାହାକୁ ଏବାନେ କେବଳ ଦସ୍ତଖତ କରି ଫରଓ୍ୱାର୍ଡ କରନ୍ତି।
ପାଣ୍ଡିଆନଙ୍କ ବିନା ଅନୁମତିରେ ନବୀନ ବି କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ
ଆପଣ ଜାଣନ୍ତି ନବୀନ ନିବାସ କାହାଦ୍ୱାରା ପରିଚାଳିତ ହୁଏ। ଯଦିଓ ଏହା ପ୍ରମାଣିତ ହୋଇ ନାହିଁ କିନ୍ତୁ ଏବେ ବି ନବୀନ ନିବାସର ପ୍ରତିଟି ଘଟଣା ପାଣ୍ଡିଆନ୍ଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଥିବା କୁହାଯାଏ। ତାଙ୍କର ବିନା ଅନୁମତିରେ ନବୀନ ପଟ୍ଟନାୟକ ବି କୌଣସି ନିଷ୍ପତ୍ତି ନେଇପାରନ୍ତି ନାହିଁ। ଏବେ କିଛିଦିନ ହେଲା ଏହି କଥାକୁ ନେଇ ନେତାମାନେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ଆଉ ଏ ଚର୍ଚ୍ଚା ଥମୁ ନାହିଁ। ଏହାକୁ ଥମାଇବା ଲାଗି ପାଣ୍ଡିଆନ୍ ହାରୁ ନେତାଙ୍କୁ ଏକାଠି କରିଥିବା କୁହାଯାଉଛି। ଏପରିକି ତାଙ୍କ ବିରୋଧରେ କହୁଥିବା ନେତାମାନଙ୍କ ଭିତରୁ କିଛିଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନିଜକୁ ‘ଡାଉନ୍ ବଟ ନଟ ଆଉଟ୍’ ବୋଲି ପ୍ରମାଣିତ କରିବାକୁ ପଛାଉ ନାହାନ୍ତି।
କିନ୍ତୁ ପ୍ରଶ୍ନ ଯେଉଁମାନେ ପ୍ରତ୍ୟାଖ୍ୟାତ ସେମାନେ କ’ଣ ପାଣ୍ଡିଆନ୍ଙ୍କୁ ଶକ୍ତିଶାଳୀ କରିପାରିବେ? ସେମାନେ କ’ଣ ୨୦୨୯ ରଣନୀତିରେ ସହାୟକ ହୋଇପାରିବେ? ସର୍ବୋପରି ସେମାନେ କ’ଣ ବିଜେଡିକୁ ବିଭାଜନରୁ ରକ୍ଷା କରିପାରିବେ?
Also readhttps://purvapaksa.com/21-of-mps-mlas-mlcs-have-a-hereditary-background/
