ରାଜ୍ୟ ବିଜେପିରେ ସବୁକିଛି ଠିକ୍ ଚାଲି ନାହିଁ। ଯେଉଁ ବିଜେପି ଦିନେ ବିଜେଡିର ‘ଚାଣକ୍ୟ’ ବୋଲାଉଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ବିରୋଧରେ ଅଭିଯୋଗମୂଳକ ପ୍ରଚାର କରି ଓଡ଼ିଆ ମତଦାତାଙ୍କ ମନରେ ନିଜେ ନିଜକୁ ବିକଳ୍ପଭାବେ ପରିଚିତ କରିଥିଲା, ଆଜି ସେହି ବିଜେପି ଆଶଙ୍କା ଭିତରେ। ଏଠାରେ ବି ନେତା ଓ କର୍ମୀମାନଙ୍କ ଆତ୍ମବିଶ୍ୱାସ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ତଳୁ ଉପର ଯାଏ କେଉଁଠି କିଛି ନିଷ୍ପତ୍ତି ନା ଆଗକୁ ବଢ଼ୁଛି ନା ଘଟୁଛି। ଦୁଇ ଦଶନ୍ଧିର ଶାସନ ପରେ ବିଜେଡିରେ ଯେଉଁଭଳି ସ୍ଥିତାବସ୍ଥା ଜାରି ରହିଥିଲା, ସବୁକିଛି ସ୍ଥିର ହୋଇଯାଇଥିଲା; ଜଣଙ୍କ ହାତରେ ସବୁ ନିୟନ୍ତ୍ରଣ ନ୍ୟସ୍ତ ଥିଲା; ଏବେ ବିଜେପିର ଏକ ବର୍ଷ ଶାସନ ଭିତରେ ସେହି ଅବସ୍ଥା ସୃଷ୍ଟି ହୋଇଛି। ଅର୍ଥାତ୍ ରାଜ୍ୟ ବିଜେପିକୁ ବି ଗ୍ରାସ କରିଛି ପାଣ୍ଡିଆନ୍ ସିଣ୍ଡ୍ରୋମ୍।
ଗତବର୍ଷ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା କରାଯିବା ସମୟରେ ଓଡ଼ିଶାରେ ବିଜେପି ଯେ ସରକାର ଗଠନ କରିବାକୁ ଯୋଗ୍ୟ ହୋଇଛି ତାହା ପ୍ରମାଣିତ ହୋଇଥିଲା। ଆଉ ଜୁନ୍ ୧୨ ତାରିଖରେ ଜନତାଙ୍କ ରାୟକୁ ସମ୍ମାନ ଦେଇ ବିଜେପି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଇ ମନ୍ତ୍ରିମଣ୍ଡଳ ଗଠନ କରିଥିଲା। ସେହି ମୋହନଙ୍କ ସରକାରକୁ ଏକ ବର୍ଷ ପୂରିବାକୁ ଯାଉଛି। ଏଣୁ ରାଜ୍ୟର ବିଭିନ୍ନ କୋଣରେ ସରକାର ସଫଳତାର ଏକ ବର୍ଷ ପାଳନ କରୁଛନ୍ତି। ଏହା କୌଣସି ନୂଆ କଥା ନୁହେଁ। ଆଜିକାଲି ପ୍ରତିଟି କାର୍ଯ୍ୟର ବର୍ଷ ପୂରଣୀ ପାଳନ କରାଯାଉଛି, ପ୍ରତିଟି ବ୍ୟକ୍ତି ନିଜର ଜନ୍ମଦିନକୁ ପାରୁପର୍ଯ୍ୟନ୍ତ ଗ୍ରାଣ୍ଡ୍ ଇଭେଣ୍ଟରେ ପରିଣତ କରିବାକୁ ଚେଷ୍ଟା କରୁଛି, ଏଣୁ ଗୋଟିଏ ସରକାରର ଜନ୍ମଦିନ ପାଳିବା ଆଦୌ ସମାଲୋଚନା ପଦବାଚ୍ୟ ନୁହେଁ।
ଏବେ ପ୍ରଶ୍ନ ଉଠୁଛି ଯେଉଁ ସରକାର ଉତ୍ସବ ପାଳନ କରିବାକୁ ଯାଉଛି, ସେଥିରେ ବିଜେପିର କର୍ମୀ ଓ ନେତା ସାମିଲ ରହିଛନ୍ତି ତ? ସେମାନଙ୍କ ଭିତରେ ହର୍ଷୋଲ୍ଲାସ, ଆତ୍ମବିଶ୍ୱାସ ରହିଛି ତ?
ଏ ଦୁଇଟି ପ୍ରଶ୍ନ ଉଠିବାର କାରଣ ହେଉଛି, ନିକଟରେ ବିଜେପି ଭିତରେ ଚାଲିଥିବା ପରସ୍ପର ବିରୋଧୀ ପ୍ରତିଦ୍ୱନ୍ଦ୍ୱିତା ଏବେ ପଦାକୁ ଆସିଲାଣି। କେବଳ ପ୍ରତିଦ୍ୱନ୍ଦ୍ୱିତାରେ ଏହା ସୀମିତ ନ ରହି ଏବେ ବିଦ୍ରୋହମୁହାଁ ବି ହେଲାଣି। ହାତ ଗଣତି କିଛି ନେତା କର୍ମୀମାନଙ୍କ ପରିଶ୍ରମର କ୍ରିମ୍ ଖାଉଛନ୍ତି ବୋଲି ଅଭିଯୋଗ ଆରମ୍ଭ ହେଲାଣି। ଅର୍ଥାତ୍ ତୃଣମୂଳ ସ୍ତରର ବିଜେପି ନେତାଙ୍କର ସରକାରଙ୍କ ଉପରୁ ଆସ୍ଥା ତୁଟିବା ଆରମ୍ଭ ହେଲାଣି। ଆଉ ନେତା ଦୁର୍ବଳ ହେଲେ କର୍ମୀଙ୍କ ଆତ୍ମବିଶ୍ୱାସ ନିମ୍ନଗାମୀ ହେବା ସ୍ୱାଭାବିକ କଥା। ଅର୍ଥାତ୍ ଦଳରେ ଦେଖାଇବା ଦାନ୍ତ ଓ ଖାଇବା ଦାନ୍ତ ଅଲଗା ଅଲଗା ହୋଇ ଦୁର୍ବଳ ହେବାକୁ ଲାଗିଲାଣି। ପୂର୍ବରୁ ବିଜେଡିରେ ଏମିତି ହୋଇଥିଲା, ନେତା ଓ କର୍ମୀମାନେ ହତୋଽତ୍ସାହିତ ହୋଇଥିଲେ। ନବୀନଙ୍କ ଦୂତ ସାଜିଥିବା ପାଣ୍ଡିଆନ୍ଙ୍କ ନିର୍ବାଚନୀ ସଭାରେ ଲୋକ ସିନା ଜମା ହେଉଥିଲେ କିନ୍ତୁ ମନରେ ବିଦ୍ୱେଷ ଭାବ ଆସୁଥିଲା। ବଡ଼ସାନ ନେତାମାନେ ନୀରବ ରହିବାକୁ ବାଧ୍ୟ ହେଉଥିଲେ। ଫଳରେ ସେହି ସମାଗମ ଭୋଟରେ ପରିଣତ ନ ହୋଇ ୨୦୨୪ ଜୁନ୍ ୪ ଫଳାଫଳରେ ବିଜେଡିକୁ ପରାଜିତ ଘୋଷଣା କରିଥିଲା। ଅର୍ଥାତ୍ ସାରାଂଶରେ କହିଲେ ହାତୀର ଦୁଇ ପ୍ରକାର ଦାନ୍ତ ଭଳି ବିଜେଡି ସଭାରେ ସେତେବେଳେ ଯୋଗ ଦେଉଥିବା ଜନତା ଓ ନେତାଙ୍କ ଦୁଇ ପ୍ରକାର ଚେହେରା ରହିଥିଲା। ଯାହାକୁ ରାଜନୀତିକ ପଣ୍ଡିତମାନେ ପାଣ୍ଡିଆନ୍ ସିଣ୍ଡ୍ରୋମ କହୁଥିଲେ, ଆଜି ତାହା ବିଜେପିରେ ଦେଖିବାକୁ ମିଳୁଛି। ଫରକ ଏତିକି ବିଜେଡି ଶାସନରେ ତାହା ଦୁଇଦଶନ୍ଧି ଶାସନର ପାର୍ଶ୍ୱପ୍ରତିକ୍ରିୟା ବୋଲି କୁହାଯାଉଥିଲା ହେଲେ ବିଜେପି ପାଇଁ ଦ୍ୱିତୀୟ ବର୍ଷର ଆରମ୍ଭ ପୂର୍ବରୁ ଏଭଳି ବିପଦ ଦେଖା ଦେବା ଆରମ୍ଭ ହୋଇଛି।
ଏଠି ପାଣ୍ଡିଆନ୍ ସିଣ୍ଡ୍ରୋମ୍ କ’ଣ ତାହାକୁ ଆଉ ଅଧିକ ବ୍ୟାଖ୍ୟା କରିବା ଅନାବଶ୍ୟକ। କିନ୍ତୁ ବିଜେପିରେ ଆରମ୍ଭ ହୋଇଥିବା ପାଣ୍ଡିଆନ୍ ସିଣ୍ଡ୍ରୋମ୍ର ପାର୍ଶ୍ୱପ୍ରତିକ୍ରିୟା ଭାବେ କିଛି ଉଦାହରଣକୁ ବ୍ୟାଖ୍ୟା କରାଯାଇପାରେ। ପ୍ରଥମ ହେଉଛି ନେତାଙ୍କ ଅସନ୍ତୋଷ। କୁଜି ନେତାଙ୍କ ପରେ ଏବେ ବଡ଼ ବଡ଼ ନେତାମାନେ ଦଳର ଏହି ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ନିମାପଡ଼ାର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ସମୀର ଦାଶ ଏହାର ସଦ୍ୟତମ ଉଦାହରଣ। ବୁଧବାର ଉତ୍କର୍ଷ ନିମାପଡ଼ା ସମାବେଶରେ ଯେଉଁ ବୟାନ ସମୀର ଦାଶ ଦେଇଛନ୍ତି ତାହା ଦୀର୍ଘଦିନର ଚାପି ହୋଇ ରହିଥିବା ଅସନ୍ତୋଷକୁ ବ୍ୟାଖ୍ୟା କରୁଛି। ‘ଆମେ ଭୋଟ୍ ଦେଇଛୁ, ତାଙ୍କର କର୍ତ୍ତବ୍ୟ ସେ କରନ୍ତୁ, ଦୟା ନୁହେଁ’ ବୋଲି କହି ସମୀର ଦାଶ ସିଧାସଳଖ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହାସହ ସମୀର ଦାଶ କହିଛନ୍ତି ଯେ, ପ୍ରଭାତୀଙ୍କ ପାଖରେ ଭୋଟ୍ ନାହିଁ, ଯେ ସେ ଜିତି ପାରିନଥାଆନ୍ତେ। ଅର୍ଥାତ୍ ସମୀର ଦାଶ ପରୋକ୍ଷରା ପ୍ରଭାତୀ ପରିଡ଼ାଙ୍କୁ ତାଙ୍କ ‘ଔକାତ୍’ ମନେପକାଇ ଦେଇଛନ୍ତି। ଗୋଟିଏ ପଞ୍ଚାୟତର ଉଦାହରଣ ଦେଇ ସମୀର ଦାଶ କହିଛନ୍ତି ବିଜେପି କର୍ମୀ ୨୦୦ ଭୋଟ୍ ଗୋଟାଇବାରେ ସକ୍ଷମ ଥିଲେ କିନ୍ତୁ ସମୀର ଦାଶଙ୍କ ନେତୃତ୍ୱରେ ୨୪୦୦ ଭୋଟ ମିଳିଥିଲା ପ୍ରଭାତୀଙ୍କୁ।
ନିର୍ବାଚନ ପୂର୍ବରୁ ସମୀର ବିଜେପିକୁ ଆସିଥିଲେ। ବିଜେଡିର ପାଣ୍ଡିଆନ୍ଙ୍କ ତନ୍ତ୍ରରେ ସେ ଯନ୍ତ୍ରସ୍ଥ ନ ହୋଇ ଦଳରୁ ଇସ୍ତଫା ଦେବାକୁ ଶ୍ରେୟସ୍କର ଭାବିଥିଲେ। ପ୍ରଭାତୀଙ୍କୁ ରାତି ଅଧିଆ ସମର୍ଥନ ଦେଲେ। କ’ଣ ବୁଝାମଣା ହୋଇଥିଲା ତାହା ଆମେ କହିବା ମୁସ୍କିଲ, ଏ ବିଷୟରେ ପ୍ରଭାତୀ ଓ ସମୀର ନିଶ୍ଚୟ ଜାଣିଥିବେ। କିନ୍ତୁ ଏହା ସତ୍ୟ ସେ ପ୍ରଭାତୀ ଆଜି ଉପମୁଖ୍ୟମନ୍ତ୍ରୀ ଆଉ ସମୀର ପୂର୍ବତନ ମନ୍ତ୍ରୀ। ଦୀର୍ଘ ଏକ ବର୍ଷ ଧରି ଚୁପ ରହିବା ପରେ ସେ ପ୍ରଭାତୀଙ୍କ ପାରିଲାପଣିଆକୁ ପଦାରେ ପକାଇବାକୁ ଚାହିଁଛନ୍ତି। ସେ କହିଛନ୍ତି ଯେ, ଗଲା ବର୍ଷକ ଭିତରେ ନିମାପଡ଼ା ପାଇଁ ଗୋଟିଏ ବି ପଇସାର ପ୍ରକଳ୍ପ ଆସିନାହିଁ। ଯାହା ଉଦ୍ଘାଟନ ଓ ଶିଳାନ୍ୟାସ ହେଉଛି ତାହା ତାଙ୍କ ସମୟରେ ଅନୁମୋଦନ କରାଯାଇଥିବା ଅର୍ଥ। ଏହା ସ୍ପଷ୍ଟ କରୁଛି ଯେ, ସମୀର ଦାଶଙ୍କ ରାଜନୀତିକ ସ୍ୱାର୍ଥ ହାସଲ ହୋଇପାରିନାହିଁ।
ସମୀରଙ୍କ ଭଳି ଅନେକ ନେତା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜୟ ନାରାୟଣ ମିଶ୍ର ଏହାର ଏକ ପ୍ରମୁଖ ଉଦାହରଣ। ଅନେକ ଦିନ ଧରି ସେ ନିଜର ଅସନ୍ତୋଷକୁ ବ୍ୟକ୍ତ କରିଚାଲିଛନ୍ତି। ସରକାରୀ କଳ ଏହାକୁ ପ୍ରଶମିତ କରିବାକୁ ଚାହୁଁଥିଲେ ମଧ୍ୟ ତାହା ସଫଳ ସାବ୍ୟସ୍ତ ହେଉ ନାହିଁ। ସମ୍ବଲପୁରରେ ହନୁମାନ ଯାତ୍ରା, ଶୀତଳଷଷ୍ଠୀକୁ ପ୍ରୋତ୍ସାହନ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶିବିର ଆୟୋଜନ ପ୍ରଭୃତି ବିଷୟ ସ୍ପଷ୍ଟ କରୁଛି ଯେ, ନେତୃତ୍ୱ ଚାହୁଁ ନାହାନ୍ତି ଜୟନାରାୟଣଙ୍କୁ ଅସନ୍ତୁଷ୍ଟ କରିବା। କିନ୍ତୁ କେହି ଜଣେ ‘ବ୍ୟକ୍ତି’ ଅଦୃଶ୍ୟ ଭାବେ ଏତେ ଶକ୍ତିଶାଳୀ ହୋଇଛନ୍ତି ଯାହାଙ୍କ ପଜିଟିଭ୍ ସିଗ୍ନାଲ ଏଭଳି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଶକ୍ତି ଦେଇପାରୁନାହିଁ।
ଏଭଳି ଅସନ୍ତୋଷ ସୃଷ୍ଟିର ମୂଳ କାରଣରେ ରହିଛି ଏକ ବର୍ଷ ହେଲାଣି ଏହି ପ୍ରଭାବଶାଳୀ ନେତାମାନଙ୍କୁ ପଦବୀ ତଥା କ୍ଷମତା ବଣ୍ଟନ ନ ହେବା। ସରକାରଙ୍କ ପାଖରେ ଥିବା କମିଶନ, ନିଗମ ଓ ବୋର୍ଡଗୁଡ଼ିକରେ ରାଜନୀତିକ ନିଯୁକ୍ତି ହୋଇନପାରିବା ଏବଂ ଅଧ୍ୟକ୍ଷ ପଦବୀଗୁଡ଼ିକ ଅଫିସରଙ୍କ ଦାୟିତ୍ୱରେ ରହିବା ଏହାର ମୂଳ କାରଣ। ଏହି ନିଯୁକ୍ତି ଦଳରେ ଶୃଙ୍ଖଳା ରକ୍ଷା ତଥା କିଛି ପ୍ରଭାବଶାଳୀ ନେତାଙ୍କୁ କ୍ଷମତା ପ୍ରଦାନରେ ସହାୟକ ହୋଇଥାଏ। ଏହାସହ ଏଯାଏ ଦଳର ଅଧ୍ୟକ୍ଷ କିଏ ହେବ ତାହା ବି ସ୍ଥିର ହୋଇପାରୁନାହିଁ। ଅର୍ଥାତ୍ ରାଜନୀତିକ ମୁଖିଆ ଚୌକି ଏବେ ଦ୍ୱନ୍ଦ୍ୱ ଭିତରେ ଝୁଲୁଛି।
ଖାଲି ସେତିକି ନୁହଁନ୍ତି ରାଜ୍ୟର ୨୨ ଅଧିକୃତ ମନ୍ତ୍ରିମଣ୍ଡଳ ସଂଖ୍ୟାରୁ ଏଯାଏ ବର୍ଷେ ହେଲା ୬ ପଦବୀ ଖାଲି ପଡ଼ିଛି। ସରକାର ଏହା ବି ଜାଣି ପାରୁନାହାନ୍ତି ଯେ କାହାକୁ ମନ୍ତ୍ରୀ କରିବେ। ଏହାର ଦୁଇଟି କାରଣ ହୋଇପାରେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭିତରେ ସେ ଶକ୍ତିକୁ ଠଉରାଇପାରୁ ନାହାନ୍ତି ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପରେ କେହି ଅଦୃଶ୍ୟ ବ୍ୟକ୍ତିଙ୍କ ହାତ ରହିଛି। ସେ ଦୃଶ୍ୟ ଶକ୍ତି କିଏ?
ରାଜ୍ୟ ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ଅଧିକାଂଶ ସମୟ ରାଜ୍ୟ ଅଫିସରେ ଡେରା ପକାଉଛନ୍ତି। ଏହାର ଅର୍ଥ ସେ ବି ଏ ନେତାଙ୍କୁ ସମ୍ଭାଳିବାରେ ସକ୍ଷମ ହୋଇପାରୁ ନାହାନ୍ତି। ନ ହେଲେ କିଛି ଗୋଟିଏ କେଁ କେନ୍ଦ୍ରୀୟ ନେତା ଓ ଓଡ଼ିଶା ସଂଗଠନ ଭିତରେ ରହିଛି। ଏହିଁ କେଁରୁ ହିଁ ବିଜେପିରେ ପାଣ୍ଡିଆନ୍ ସିଣ୍ଡ୍ରୋମ୍ ସୃଷ୍ଟି ହୋଇଛି। ଏବେ ଏହି ସିଣ୍ଡ୍ରୋମ୍ ଲାଗି ଆସନ୍ତା ୪ ବର୍ଷ ଭିତରେ ଦଳକୁ ଔଷଧ ମିଳିବ ନା ତାହା ବଢ଼ି ସମ୍ପୂର୍ଣ୍ଣ ଦଳକୁ କ୍ୟାନସର ଆକ୍ରାନ୍ତ କରିବ। ଆଉ ବିଜେଡିକୁ ଯେମିତି ଲୋକମାନେ ଅକସ୍ମାତ ଗାଦିଚ୍ୟୁତ କଲେ ତାହାର ପନରାବୃତ୍ତି ହେବ। ୨୦୨୯ ନିର୍ବାଚନ ହିଁ ଏହାକୁ ସ୍ପଷ୍ଟ କରିବ।