ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କେବଳ ଗୋଟିଏ ଦଳ ନୁହେଁ, ଗୋଟିଏ ପ୍ରଣାଳୀ ଭାବେ କାମ କରିଆସିଛି। ଏହି ପ୍ରଣାଳୀର କେନ୍ଦ୍ରବିନ୍ଦୁରେ ରହିଛନ୍ତି ନବୀନ ପଟ୍ଟନାୟକ- ଶାନ୍ତ ଚେହେରା, ସଦା ନିରବ, ବିବାଦଠାରୁ ଦୂରତା ରଖୁଥିବା ନେତା। କିନ୍ତୁ ସମୟ ସହିତ ଏହି ପ୍ରଣାଳୀରେ ଆଉ ଗୋଟିଏ କେନ୍ଦ୍ର ଗଢ଼ିଉଠିଛି-ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଆଜି ବିଜେଡି ଭିତରେ ଏକ ଅଦ୍ଭୁତ ବିରୋଧାଭାସ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାହା ହେଲା ପାଣ୍ଡିଆନ ବିଜେଡି ନେତାଙ୍କ ପାଇଁ ଅତି ‘ନିଜର’ ବୋଲି ପ୍ରମାଣିତ ହେଉଥିଲାବେଳେ ଦଳର ସଭାପତି ନବୀନ ପଟ୍ଟନାୟକ ଧୀରେ ଧୀରେ ‘ପର’ ହେଉଥିବା ପରି ଲାଗୁଛି। ଏହି ଧାରଣା କୌଣସି ଗୁଜବ ନୁହେଁ; ଦଳର ଆଚରଣ, ପ୍ରତିକ୍ରିୟା ଓ ନିରବତା- ସବୁ ଏହାକୁ ଆଉ ପ୍ରମାଣିତ କରୁଛି।

ପାଣ୍ଡିଆନ କିମ୍ବା ପତ୍ନୀଙ୍କୁ ସମାଲୋଚନା: ତୁରନ୍ତ ପ୍ରତିରୋଧ
ନିକଟ ଅତୀତରେ ବିଜେଡି ନେତାଙ୍କ ଭିତରେ ଏକ ପ୍ରବୃତ୍ତି ନିରନ୍ତର ଦେଖାଯାଇଛି। ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଯଦି କେହି ସାର୍ବଜନୀନ ଭାବେ ସମାଲୋଚନା କରନ୍ତି, ତେବେ ସମଗ୍ର ବିଜେଡି ବାହିନୀ ପ୍ରାୟ ଅଣ୍ଟାଭିଡ଼ି ବାହାରି ଆସେ—ପ୍ରେସ୍ ବିବୃତ୍ତି, ସୋସିଆଲ ମିଡ଼ିଆ ପୋଷ୍ଟ, ଟେଲିଭିଜନରେ ଡିବେଟ୍ କରିବା ପାଇଁ ବିଜେଡି ନେତାଙ୍କ ଭିତରେ ପ୍ରତିଯୋଗୀତା ଚାଲେ। ଉଦ୍ଦେଶ୍ୟ ସ୍ପଷ୍ଟ ପାଣ୍ଡିଆନ ଶୁଭଦୃଷ୍ଟି ପଡ଼ିଲେ ରାଜନୈତିକ ଫାଇଦା ନିଶ୍ଚୟ ମିଳିବ।
କିନ୍ତୁ ଏହି ଦୃଶ୍ୟ ଓଲଟା ହୁଏ ଯେତେବେଳେ ନବୀନ ପଟ୍ଟନାୟକ ସିଧାସଳଖଭାବେ ସମାଲୋଚନାର ସମ୍ମୁଖୀନ ହୁଅନ୍ତି- ସେତେବେଳେ ଦଳର ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତେ ଅଧିକାଂଶ ସମୟରେ ନିରବ ରୁହନ୍ତି। ଏହି ନିରବତା କେବଳ ଯୋଗାଯୋଗ ରଣନୀତି ନୁହେଁ; ଏହା ଏକ ମନୋଭାବର ପ୍ରତିଫଳନ।
ଦୁଇ ବିଧାୟକଙ୍କ ନିଲମ୍ବନ: ଆଘାତର କେନ୍ଦ୍ରବିନ୍ଦୁ
ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରିବା ପରେ ବିଜେଡି ଭିତରେ ଯେଉଁ ପ୍ରତିକ୍ରିୟା ଆସିବା କଥା, ତାହା ଆସିବା ଦେଖିବାକୁ ମିଳିନାହିଁ। ବାହାରେ ତୀବ୍ର ସମାଲୋଚନା, ଭିତରେ ଅସନ୍ତୋଷ- କିନ୍ତୁ ସାର୍ବଜନୀନ ଭାବେ ଦଳର ବରିଷ୍ଠ ନେତାମାନେ ପ୍ରାୟ ନିରବ ରହିଛନ୍ତି। ପ୍ରଥମ ଦିନ ମହାକଳପଡ଼ାର ପୂର୍ବତନ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କିଛି ପ୍ରତିକ୍ରିୟା ରଖିଥିବାବେଳେ ପରବର୍ତ୍ତୀ ସମୟରେ ନିରବ ରହିଛନ୍ତି। ଜିଲ୍ଲାର ଅନ୍ୟତମ ବିଧାୟକ ପ୍ରତାପ ଦେବ, ଦଳର ଉପସଭାପତି ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା ସମସ୍ତେ ନୀରବ ରହିବାକୁ ଉଚିତ ମନେକରିଛନ୍ତି।
ନବୀନଙ୍କ ପରାମର୍ଶ: ଯାହା କାମ କଲା ନାହିଁ
ବିଜେଡି ନେତାମାନଙ୍କର ଏହି ନୀରବତାକୁ ଦେଖି ଗତ ୨୦ ତାରିଖ ଦିନ ନବୀନ ନିବାସରେ ଏକ ପରାମର୍ଶ ବୈଠକ ହେଲା। ସେଠାରେ ବରିଷ୍ଠ ନେତା- ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ (ବବି ଦାସ), ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ—ସମସ୍ତଙ୍କୁ ଗଣମାଧ୍ୟମରେ ମତ ରଖିବାକୁ ପରାମର୍ଶ କରାଗଲା।
ଏହି ବୈଠକ ପରେ କେବଳ ପ୍ରମିଳା ମଲ୍ଲିକ ପ୍ରଥମେ ମତ ଦେଇଥିବାବେଳେ ପରେ ସେ ମଧ୍ୟ ଚୁପ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଥିବା ଅନ୍ୟନେତାମାନେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ଆଦୌ ଉଚିତ ମନେକରୁ ନାହାନ୍ତି।
ଏହା ନବୀନଙ୍କ ଦୀର୍ଘ ରାଜନୈତିକ ଜୀବନରେ ଏକ ଦୁର୍ଲଭ ଘଟଣା; ନିଜେ ଆଗୁଆ ହୋଇ ନିଲମ୍ବନକୁ ଠିକ୍ ବୋଲି ଦର୍ଶାଇବା ପାଇଁ ନେତାମାନଙ୍କୁ କହିବାକୁ ପଡ଼ିଲା। କିନ୍ତୁ ୧୧ ଦିନ ବିତିଗଲାଣି ଏହି ପରାମର୍ଶ କାର୍ଯ୍ୟକାରୀ ହେଲା ନାହିଁ।
ଏହି ନିଲମ୍ବନ ଦଳୀୟ ଶୃଙ୍ଖଳାର ପ୍ରଶ୍ନ ହୋଇପାରେ, କିନ୍ତୁ ରାଜନୈତିକ ଭାବେ ଏହା ଆଉ ଗୋଟିଏ ବାର୍ତ୍ତା ଦେଲା-ନେତା ନୁହେଁ, ନେତାଙ୍କୁ ଚଳାଉଥିବା ସେବକ ମୁଖ୍ୟ।
ନିରବତାର ରାଜନୀତି: ଭୟ, ଗଣନା ନା ଅବହେଳା?
ପ୍ରଶ୍ନ ଉଠୁଛି—ନବୀନଙ୍କ ପରାମର୍ଶକୁ ଦଳର ବରିଷ୍ଠ ନେତାମାନେ କାହିଁକି ଅନୁସରଣ କଲେ ନାହିଁ?
ଏହାର ଉତ୍ତର ତିନିଟି ସ୍ତରରେ ମିଳେ।
ପ୍ରଥମ—ଭୟ। ଦଳ ଭିତରେ ଏକ ଧାରଣା ଗଢ଼ିଉଠିଛି ଯେ ପାଣ୍ଡିଆନ ସଂପୃକ୍ତ ପ୍ରସଙ୍ଗରେ କଥା କହିବା ଅର୍ଥ ନିଜ ପାଇଁ ଅସୁବିଧା ଡାକିଆଣିବା। ଯଦି କହିବାବେଳେ ସାମ୍ବାଦିକମାନେ ପାଣ୍ଡିଆନ ପ୍ରସଙ୍ଗ ଉଠାନ୍ତି ତେବେ ତାହା ସେମାନଙ୍କ ପାଇଁ ଉଭୟ ପଟୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। କହିଲେ ପାଣ୍ଡିଆନ ଅସନ୍ତୁଷ୍ଟ ହେବେ ଓ ଦଳରେ ଗୁରୁତ୍ୱ କମିବ। ନ କହିଲେ ଜନସାଧାରଣଙ୍କୁ ବାର୍ତ୍ତା ଯିବ ଏହି ନେତାମାନେ ଟମତାରୁ ଯିବା ପରେ ବି ପାଣ୍ଡିଆନଙ୍କୁ ଭୟ କରୁଛନ୍ତି।
ଦ୍ୱିତୀୟ—ଗଣନା। ଅନେକ ନେତା ଭାବୁଛନ୍ତି, ସମୟ ଏବେ ନବୀନଙ୍କ ନୁହେଁ; ପାଣ୍ଡିଆନଙ୍କର। ନବୀନ ଥାଉ ଥାଉ କି ତାଙ୍କ ଅବର୍ତ୍ତମାନରେ ଯଦି ପାଣ୍ଡିଆନ କିମ୍ବା ପତ୍ନୀ ସୁଜାତାଙ୍କ ହାତକୁ ଦଳର ନେତୃତ୍ୱ ଆସେ ତେବେ ସେମାନେ ପୂର୍ବ କଥାକୁ ସମୀକ୍ଷା କରିବେ। ସେହି ଅନୁସାରେ ଦଳରେ ନେତାମାନଙ୍କୁ ଦାୟିତ୍ୱ ଓ ଗୁରୁତ୍ୱ ପ୍ରଦାନ କରିବେ।
ତୃତୀୟ—ଅବହେଳା। ନବୀନଙ୍କ ପରାମର୍ଶକୁ ଏକ ଔପଚାରିକତା ଭାବେ ନେଇ, ତାହାକୁ ଗୁରୁତ୍ୱ ନ ଦେବା। ଏହାର କାରଣ ହେଲା ଏବେ ଦଳରେ ନବୀନ ଆଉ ମୁଖ୍ୟ ନୁହଁନ୍ତି। ସେ ଏବେ ପାଣ୍ଡିଆନଙ୍କ ପରାମର୍ଶ ଉପରେ ସମ୍ପୂର୍ଣ୍ଣ ନୀର୍ଭରଶୀଳ। ତେଣୁ ନବୀନଙ୍କ କଥାକୁ ମାନିଲେ ପାଣ୍ଡିଆନ ଅସନ୍ତୁଷ୍ଟ ହେବେ। ତେଣୁ ତାଙ୍କ କଥାକୁ ଗୁରୁତ୍ୱ ନ ଦେଲେ କିଛି ବିଶେଷ ଅସୁବିଧା ହେବ ନାହିଁ।
ପାଣ୍ଡିଆନ: ପ୍ରଶାସକରୁ ରାଜନୀତିକ କେନ୍ଦ୍ର

ଭି.କେ. ପାଣ୍ଡିଆନଙ୍କ ଉଦୟ କୌଣସି ଆକସ୍ମିକ ଘଟଣା ନୁହେଁ। ପ୍ରଶାସକ ଭାବେ ତାଙ୍କ ଦକ୍ଷତା, ତାଙ୍କ ଉପରେ ନବୀନଙ୍କର ଭରସା- ଏହା ଧୀରେ ଧୀରେ ତାଙ୍କୁ ଦଳୀୟ କେନ୍ଦ୍ରରେ ଆଣିଥିଲା। ଯାହାକି ଏବେବି ଅତୁଟ ରହିଛି। ତେଣୁ ତାଙ୍କୁ ଦଳୀୟ ନେତାମାନେ ଅସନ୍ତୁଷ୍ଟ ନ କରି କିପରି ସନ୍ତୁଷ୍ଟ କରି ହେବ ସେହି ଦିଗରେ ତତ୍ପରତା ଦେଖାଉଛନ୍ତି।
କିନ୍ତୁ ସମସ୍ୟା ଆସିଲା ସେତେବେଳେ, ଯେତେବେଳେ ପ୍ରଶାସନିକ ସମନ୍ୱୟ ରାଜନୈତିକ ନିୟନ୍ତ୍ରଣର ରୂପ ନେଲା। ଦଳୀୟ ନେତାମାନେ ଦେଖିଲେ-ନିଷ୍ପତ୍ତି ନେଉଛନ୍ତି ଅନ୍ୟ ଜଣେ, କିନ୍ତୁ ଦାୟିତ୍ୱ ଆସୁଛି ତାଙ୍କ ଉପରେ।
ନବୀନ ‘ପର’ କାହିଁକି?
ନବୀନ ପଟ୍ଟନାୟକ ଆଜି ମଧ୍ୟ ଦଳର ସର୍ବୋଚ୍ଚ ନେତା। କିନ୍ତୁ ଦଳୀୟ କାର୍ଯ୍ୟକଳାପରେ ତାଙ୍କ ଉପସ୍ଥିତି ଧୀରେ ଧୀରେ ଆନୁଷ୍ଠାନିକ ହେଉଛି-ଏମିତି ଧାରଣା ଦଳ ଭିତରେ ବଢ଼ୁଛି।
ନବୀନଙ୍କ ନାମ ଆଜି ମଧ୍ୟ ଭୋଟ ଆଣେ, କିନ୍ତୁ ନିଷ୍ପତ୍ତି ନେଉଛି କିଏ-ଏହି ପ୍ରଶ୍ନ ଏବେ ଅନୁତ୍ତରିତ। ଏଭଳି ପରିସ୍ଥିତିରେ ଦଳର ନେତାମାନେ ଏବେ ନବୀନ ପଟ୍ଟନାୟକଙ୍କୁ ବିଶ୍ୱାସ ନ କରି ନିରବ ରହିବାକୁ ଶ୍ରେୟ ମନେ କରୁଛନ୍ତି।
ବିଜେଡି ପାଇଁ ସଙ୍କଟର ସଙ୍କେତ
ଏହି ପରିସ୍ଥିତି ବିଜେଡି ପାଇଁ ଗଭୀର ସଙ୍କଟର ସଙ୍କେତ ମିଳୁଛି। ଗୋଟିଏ ଦଳ ଯେତେବେଳେ ନିଜ ନେତୃତ୍ୱ ଓ ସଂଗଠନ ମଧ୍ୟରେ ସମନ୍ୱୟ ହରାଏ, ସେତେବେଳେ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହୁଏ- ଧୀରେ, କିନ୍ତୁ ନିଶ୍ଚିତ। ଯାହାକି ଏବେ ବିଜେଡିରେ ଆରମ୍ଭ ହୋଇଛି।
ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ଭାବିଥିଲେ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବିତ କଲେ ସେମାନେ ନିଜର ପରିଚୟ ହରାଇବେ। କିନ୍ତୁ ଫଳାଫଳ ଓଲଟା ହୋଇଛି। ରାଜନୀତିରେ ଅପରିଚିତ ଥିବା ଯୁବ ଚେହରା ନବୀନଙ୍କ ଅପରିଣାମଦର୍ଶୀ ପଦକ୍ଷେପ ଦ୍ୱାରା ରାଜ୍ୟରେ ଓ ଦିଲ୍ଲୀ ରାଜନୈତିକ ଦରବାରରେ ପରିଚିତ ହେବାର ସୁଯୋଗ ପାଇଛନ୍ତି। ଯେଉଁ ଅରବିନ୍ଦଙ୍କୁ ରାଜ୍ୟବାସୀ ବିଧାୟକ ଭାବରେ ଜାଣିନଥିଲେ ତାଙ୍କୁ ଏବେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ଭେଟିବା ପାଇଁ ଲାଇନ ଲଗାଉଛନ୍ତି। ଯାହାକି ନିକଟରେ ସେ ଦିଲ୍ଲୀ ଯାଇଥିଲାବେଳେ ଦେଖିବାକୁ ମିଳିଛି। ସେହି ରହଣି ସମୟରେ ବିଜେପିର ଜଣେ ଜାତୀୟ ସ୍ତରର ଉପସଭାପତି ଓ ଜଣେ କେନ୍ଦ୍ରମନ୍ତ୍ରୀ ଭେଟିଥିବାର ସୂଚନା ମିଳିଛି।
ଆଗକୁ ପଥ: ନବୀନ, ପାଣ୍ଡିଆନ ଓ ବିଜେଡି

ତେଣୁ ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି-
ନବୀନ ପଟ୍ଟନାୟକ ଦଳ ଭିତରେ ପୁନର୍ବାର ସକ୍ରିୟ ଭୂମିକା ନେବେ କି?
କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଓ ବୟସକୁ ଦେଖିଲେ ତାହା ସମ୍ଭବ ହେଲା ପରି ଲାଗୁନାହିଁ।
ପାଣ୍ଡିଆନ ନିଜ ସୀମା ନିର୍ଦ୍ଧାରଣ କରିବେ କି? ଏହା ମଧ୍ୟ ଅସମ୍ଭବ। କାରଣ ଯେଉଁବ୍ୟକ୍ତି ଓଡ଼ିଶାକୁ ଚାକିରି କରିବାକୁ ଆସି ଓଡ଼ିଆ ନେତାମାନଙ୍କୁ ମେଣ୍ଢା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଦିବା ସ୍ୱପ୍ନ ଦେଖୁଥିଲା ତାର ମନରୁ ତାହା ସହଜରେ ଯିବ ନାହିଁ। ସେ ଏ ରାଜ୍ୟର ଲୋକ ହୋଇନଥିବାବେଳେ ସ୍ୱାମୀ-ସ୍ତ୍ରୀ ଚାକିରିରୁ ଅବସର ନେଲା ପରେ ବି ରାଜ୍ୟ ଛାଡ଼ୁ ନାହାନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ହୋଇ ମେଣ୍ଢା ଓଡ଼ିଆମାନଙ୍କୁ ଶାସନ କରିବାର ସ୍ୱପ୍ନ ରାଇଜରେ ଅଛନ୍ତି।
ବିଜେଡି ଏକ ଦଳ ଭାବେ ନିଜକୁ ପୁନଃଗଠିତ କରିପାରିବ କି? ଏହା ମଧ୍ୟ ଅସମ୍ଭବ। କାରଣ ନବୀନ ପଟ୍ଟନାୟକ ଦଳରୁ ନିଜର କର୍ତ୍ତୃତ୍ୱ ହରାଇ ତାମିଲ ହାତରେ ତାହାକୁ କେବେଠାରୁ ଟେକି ଦେଇସାରିଛନ୍ତି। ଏବେ ଦଳ ଅନେକ ଗୋଷ୍ଠୀରେ ବିଭକ୍ତ। ଏଭଳି ପରିସ୍ଥିତିରେ ବିଜେଡି ଏକ ଦଳ ଭାବେ ନିଜକୁ ପୁନଃଗଠିତ କରିପାରିବ ନେଇ ସନ୍ଦେହ ରହିଛି।
ଦଳ ନା ଦରବାର?
ବିଜେଡି ଆଜି ଏକ ବିଚିତ୍ର ପରିସ୍ଥିତିରେ ପହଞ୍ଚିଛି। ଏହା ଏକ ଗଣତାନ୍ତ୍ରିକ ଦଳ ଭାବେ ଆଗକୁ ବଢ଼ିବ, ନା କିଛି ଚୟନିତ ବ୍ୟକ୍ତିଙ୍କ ଦରବାରରେ ସୀମିତ ହୋଇଯିବ- ତାହାର ଉତ୍ତର ଆଗାମୀ ଦିନ ଦେବ।
କିନ୍ତୁ ଏହା ନିଶ୍ଚିତ- ଯେଉଁ ଦଳରେ ପାଣ୍ଡିଆନ ‘ନିଜର’ ଓ ନବୀନ ‘ପର’ ହୋଇଯାଆନ୍ତି, ସେଠାରେ ସମସ୍ୟା କେବଳ ବ୍ୟକ୍ତିଗତ ନୁହେଁ; ସେଠାରେ ରାଜନୀତିର ଆତ୍ମା ଆହତ।
also read https://purvapaksa.com/trump-ready-for-war/
Trump ready for war ।। ଆମେରିକା ପଠାଇଲାଣି ପୁଳା ପୁଳା ଅସ୍ତ୍ରଶସ୍ତ୍ର


