BJD: ଏହାର ଆଉ ଏକ ବଡ଼ କାରଣ ହେଉଛି ଦଳର ହିନ୍ଦୁ ନେତାମାନେ ଏକାଠି ନାହାନ୍ତି। ସେମାନେ ନିଜର ଭୋଟ ବ୍ୟାଙ୍କକୁ ନେଇ ନବୀନ କିମ୍ବା ପାଣ୍ଡିଆନ୍ଙ୍କୁ ଚାପ ପ୍ରୟୋଗ କରିପାରୁ ନାହାନ୍ତି। ଯାହା ଫଳରେ ମୁସଲମାନ-ଖ୍ରୀଷ୍ଟିଆନ କଳିରେ ସଂଖ୍ୟା ବହୁଳ ହିନ୍ଦୁ ନେତାଙ୍କୁ ଦଣ୍ଡିତ କରିବାକୁ ବିଜେଡି ନେତୃତ୍ୱ ଦୁଃସାହାସ କରିବାକୁ ଯାଉଛି।
ନିଜକୁ ଧର୍ମ ନିରପେକ୍ଷ ବୋଲି ଦାବି କରୁଥିବା ବିଜୁ ଜନତା ଦଳ ବାସ୍ତବରେ କେତେ ଧର୍ମ ନିରପେକ୍ଷ? ବିଜେଡି ରାଜନୀତିରେ ଖ୍ରୀଷ୍ଟିଆନ ଓ ମୁସଲମାନ ସମ୍ପ୍ରଦାୟ ଭିତରେ ସୃଷ୍ଟି ହୋଇଥିବା ବିଭେଦକୁ କେମିତି ପ୍ରଶମିତ କରାଯିବ? ମୁସଲମାନ ନେତାଙ୍କ ଦାବିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଖ୍ରୀଷ୍ଟିଆନ ନେତା ସସ୍ମିତଙ୍କୁ ନିଲମ୍ବନ କରିବେ କି? ନା ଏ ଲଢ଼େଇରେ ବଳି ପଡ଼ିବେ ଜଣେ ହିନ୍ଦୁ ନେତା?
ଖ୍ରୀଷ୍ଟିଆନ ଓ ମୁସଲମାନ ନେତାଙ୍କୁ ନେଇ ଏମିତି ଅନେକ ସନ୍ଦେହ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଲାଗି ରହିଛି। ଆଉ ଏ ଚର୍ଚ୍ଚାକୁ ଘୋଡ଼ାଇବା ଲାଗି ପାଣ୍ଡିଆନ୍ଙ୍କ ଇଙ୍ଗିତରେ ରାଜ୍ୟସଭାରେ ଦଳର ହିନ୍ଦୁ ସାଂସଦ ଦେବାଶୀଷ ସାମନ୍ତରାୟଙ୍କୁ ଚୋଟ ଖାଇବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏ ବିଷୟକୁ ନେଇ ଆଜିର ଆଲୋଚନା।
ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ। ଅବା ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି। ଏହି ଦୁଇ ଓଡ଼ିଆ ରୁଢ଼ି ଏବେ ତାମିଲ ବାବୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ସମର୍ଥକଙ୍କ ଲାଗି ବେଶ୍ ପ୍ରଯୁଜ୍ୟ ହେଉଛି। କାରଣ ରାଜ୍ୟସଭାରେ ଓ୍ୱାକଫ୍ ବିଧେୟକକୁ ନେଇ ବିଜେଡିରେ ଭୋଟ୍ ବିଭାଜନ ପରେ ଯେଉଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଏ ବିଷୟକୁ ସ୍ପଷ୍ଟ କରୁଛି। ବିଷୟ ବାବଦରେ ଆପଣ ବେଶ୍ ଭଲ ଭାବେ ଅବଗତ ଥିବେ। କିନ୍ତୁ ମୁଁ ଆପଣଙ୍କୁ କିଛି ବିନ୍ଦୁ ମାଧ୍ୟମରେ ଏହାକୁ ସଂକ୍ଷେପରେ ମନେପକାଇ ଦେବାକୁ ଚାହୁଁଛି।
ଗତ ୩ ତାରିଖ ରାତିରେ ରାଜ୍ୟସଭାରେ ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକକୁ ନେଇ ଭୋଟିଂ ହୋଇଥିଲା। ଏଥିରେ ଏନଡିଏ ୧୨୮ ଭୋଟ୍ ସମର୍ଥନ ହାସଲ କରି ବିଧେୟକକୁ ପାରିତ କରିବାରେ ସମର୍ଥ ହୋଇଥିଲା। ଏହି ବିଧେୟକରେ ଭୋଟ ଦେବା ଲାଗି ବିଜେଡି କୌଣସି ଅଫିସିଆଲ ହ୍ୱିପ୍ ଜାରି କରିନଥିଲା। ଅର୍ଥାତ୍ ଦଳର ନେତାଙ୍କୁ ବିବେକ ଅନୁସାରେ ଭୋଟ ଦେବାକୁ ଖୋଲା ଅନୁମତି ଦେଇଥିଲା। ଗଣତାନ୍ତ୍ରିକ ଇତିହାସରେ କୌଣସି ପାର୍ଟି ତା’ର ସାଂସଦମାନଙ୍କୁ ସଂସଦରେ ଭୋଟିଂ ସମୟରେ ଖୋଲା ଛାଡ଼ିବା ପ୍ରଥମ ହୋଇପାରେ, କିନ୍ତୁ ବିଜେଡି ଏହା କରି ଦଳରେ ବିଶୃଙ୍ଖଳା ଓ ବିଭ୍ରାନ୍ତି ପ୍ରଚାର କରିଥିଲା।
ସେଦିନ ମଧ୍ୟାହ୍ନରେ ଦଳର ମୁସଲମାନ ସାଂସଦ ମୁନା ଖାଁ ରାଜ୍ୟସଭାରେ ନିଜର ବକ୍ତବ୍ୟ ରଖି ଦଳର ସଭାପତି ନବୀନ ପଟ୍ଟନାୟକ ଏ ବିଧେୟକ ବିରୁଦ୍ଧରେ ଭୋଟ ଦେବା ଲାଗି କହିଥିବା ଦର୍ଶାଇଥିଲେ ଏବଂ ବିଧେୟକକୁ ବିରୋଧ କରିଥିଲେ। ହେଲେ ସନ୍ଧ୍ୟାବେଳକୁ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ର ଟ୍ୱିଟରରେ ସ୍ପଷ୍ଟ କରିଲେ ଯେ ସାଂସଦମାନେ ମନଇଚ୍ଛା ଭୋଟ ଦେଇପାରିବେ। ଆଉ ସେ ବିଜେପି ସମର୍ଥନରେ ଭୋଟ ଦେଇଥିଲେ।
ସସ୍ମିତଙ୍କ ସହ ଦଳର ଆଉଜଣେ ସାଂସଦ ବିଧେୟକ ସପକ୍ଷରେ ଭୋଟ ଦେଇଥିବାବେଳେ ଜଣେ ବିରୋଧରେ ଏବଂ ଆଉ ଜଣେ କକ୍ଷତ୍ୟାଗ କରିଥିଲେ। ଅନ୍ୟ ତିନିଜଣ ସାଂସଦ ଏଯାଏ କାହାକୁ ଭୋଟ କରିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି।
ଏ ଭିତରେ ମୁନା ଖାନ୍ ନବୀନ ନିବାସରେ ନିଜର ମୁସଲିମ ସମର୍ଥକଙ୍କ ସହ ପହଞ୍ଚି ବିଜେଡି ଇତିହାସରେ ପ୍ରଥମ ଥର ପାଇଁ ନବୀନଙ୍କୁ ନାଲିଆଖି ଦେଖାଇଛନ୍ତି। ତାଙ୍କ ସମର୍ଥକମାନେ ନବୀନଙ୍କୁ ଆଙ୍ଗୁଠି ଦେଖାଇ ସସ୍ମିତ ପାତ୍ରଙ୍କୁ ନିଲମ୍ବନ କରନ୍ତୁ ବୋଲି ଦାବି କରିଛନ୍ତି। ଖାଲି ସେତିକି ନୁହେଁ, ଟ୍ୱିଟ କରିବାକୁ ସସ୍ମିତଙ୍କୁ କିଏ କହିଲା ବୋଲି ପ୍ରଶ୍ନ କରିଛନ୍ତି। ଏଠାରେ ମନେପକାଇ ଦେବାକୁ ଚାହେଁ ଯେ, ନବୀନ ନିବାସରେ ପଶି ନବୀନଙ୍କୁ ପ୍ରଶ୍ନ କରୁଥିବା ଦୃଶ୍ୟ କେବେ ଗଣମାଧ୍ୟମ ଦେଖିନଥିଲା। ଏହା ୨୮ ବର୍ଷର ବିଜେଡି ରାଜନୀତିରେ ପ୍ରଥମ ଘଟଣା ହେବ।
ଖାଲି ସେତିକି ନୁହେଁ, ବିରଳ ଘଟଣାକ୍ରମେ ଗତକାଲି ନବୀନ ନିବାସ ଭିତରେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ ଶୁଣିବାକୁ ଓ ଦେଖଇବାକୁ ମିଳିଥିଲା। ଅର୍ଥାତ୍ ଏହି ଘଟଣା ପଛରେ ପାଣ୍ଡିଆନ୍ଙ୍କ ହାତ ରହିଛି ବୋଲି ପରୋକ୍ଷ ପ୍ରମାଣ ମିଳିଥିଲା।
କିନ୍ତୁ ଏହି ପ୍ରମାଣ ଓ ଅଭିଯୋଗକୁ ଖଣ୍ଡନ କରିବା ଲାଗି ୪ ଜଣ ସାଂସଦ ଅଣ୍ଟାରେ ଲୁଗା ବାନ୍ଧି ସୁରକ୍ଷା ଦେବା ପାଇଁ ବାହାରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏ ଘଟଣା ପଛରେ ଦେବାଶୀଷ ସାମନ୍ତରାୟ ଦାୟୀ। ଏଣୁ ସୋଶାଲ୍ ମିଡିଆ ଏବଂ ଟିଭିରେ ମତ ଦେଇଥିବାରୁ ପାଣ୍ଡିଆନଙ୍କ ସମର୍ଥକ ୪ ଜଣ ସାଂସଦ ଦେବାଶୀଷଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିଛନ୍ତି। ଦେବାଶୀଷ ପାଣ୍ଡିଆନ୍ଙ୍କୁ ଅଯଥାରେ ବିବାଦ ଭିତରକୁ ଟାଣି ଆଣୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପାଣ୍ଡିଆନ୍ ୧୦ ମାସ ହେଲା ସକ୍ରିୟ ରାଜନୀତିରୁ ଅବସର ନେଇଛନ୍ତି ଏବଂ ସେ ଆଉ ରାଜନୀତି କଥା ବୁଝୁ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ଅର୍ଥାତ୍ ଠାକୁର ଘରେ କିଏ ନା କଦଳୀ ଖାଇନାହିଁ ନ୍ୟାୟରେ ପାଣ୍ଡିଆନ୍ଙ୍କ ସମ୍ପୃକ୍ତି ଏବେ ପୁଣି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି।
ସବୁଠାରୁ ବଡ଼ କଥା ହେଲା ଜଣେ ସାଂସଦ ରାଜନୀତିରେ ପ୍ରତ୍ୟାଖ୍ୟାତ ହୋଇଥିବା ନେତା ପାଣ୍ଡିଆନ୍ଙ୍କୁ ସାର କହିବାକୁ ଳଜ୍ଜା ଅନୁଭବ କରୁନାହାନ୍ତି। ସେ ଗର୍ବର ସହିତ ବାରମ୍ବାର ପାଣ୍ଡିଆନ୍ ସାର ବୋଲି କହି ଛାଲିଥିବା ଦେଖିବାକୁ ମିଳିଥିଲା।
ଏଠାରେ ମନେପକାଇ ଦେବାକୁ ଚାହେଁ ଯେ, ଓଡ଼ିଶା ରାଜନୀତିରେ ପାଣ୍ଡିଆନ୍ କାରକ ୨୦୧୮ରୁ ଅତ୍ୟନ୍ତ କ୍ରିୟାଶୀଳ ହୋଇଥିଲା। ୨୦୧୯ ନିର୍ବାଚନରେ ଏହି କାରକ ଟିକଟ ଦେବାଠୁ ଆରମ୍ଭ କରି ବରିଷ୍ଟ ନେତାଙ୍କୁ ତଳିତଳାନ୍ତ କରିବା ପଛର କାରଣ ହୋଇଥିଲା। ପୁଣି ନିର୍ବାଚନରେ ଜିତିଥିବା କିଛି ବରିଷ୍ଠ ନେତାଙ୍କ ଘର ଭାଙ୍ଗିବାରେ ମଧ୍ୟ ଏହି କାରକ ଦାୟୀ ବୋଲି ଚର୍ଚ୍ଚା ହୋଇଛି। ଏଥିରେ ରଘୁନାଥ ମହାନ୍ତି, ଦାମୋଦର ରାଉତ, ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଟାଣୁଆ ନେତାମାନଙ୍କ ନାଁ ନିଆଯାଇପାରେ। ସେତେବଳେ ଏହି କାରକ ପ୍ରତ୍ୟକ୍ଷ ରାଜନୀତିରେ ନ ଥିଲେ। ଏପରିକି ଗଣମାଧ୍ୟମରେ ମଧ୍ୟ ତାଙ୍କ ଚେହେରା ଦିଶୁ ନ ଥିଲା। ହେଲେ ବରିଷ୍ଠ ନେତାଙ୍କ ଚାପ ତଥା ବିରୋଧୀ ଦଳର କଟାକ୍ଷ ପରେ ଭି କେ ପାଣ୍ଡିଆନ୍ ପର୍ଦ୍ଦା ପଛର ଅଧିକାରୀ ଭୂମିକା ଛାଡ଼ି ୨୦୨୩ ଦଶହରାରେ ପର୍ଦ୍ଦା ଉପରକୁ ରାଜନେତା ଭାବେ ଆସିଥିଲେ।
ଏହାପରେ ବିଜେଡିର ପ୍ରଚାର ରାଲିରେ ନବୀନଙ୍କ ଫଟୋ ଭଳି ପାଣ୍ଡିଆନ୍ଙ୍କ କଟ୍ ଆଉଟ ସବୁ ରାସ୍ତାଘାଟରେ ଲାଗିଲା। ପାଣ୍ଡିଆନ୍ ହେଲିକପ୍ଟରରେ ଏକା ବୁଲି ନବୀନଙ୍କ ଦୂତ ଭାବେ ପ୍ରଚାର କଲେ। କିନ୍ତୁ ନିର୍ବାଚନରେ ଏହାର ବିପରୀତ ପ୍ରଭାବ ପଡ଼ିଲା। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହା ସ୍ପଷ୍ଟ ହେବା ପରେ ନବୀନ ସ୍ପଷ୍ଟୀକରଣ ଦେଲେ। ସେ ଉତ୍ତରାଧିକରାରୀ ନୁହଁନ୍ତି ବୋଲି ସ୍ପଷ୍ଟ ମଧ୍ୟ କଲେ। କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା। ଅର୍ଥାତ୍ ୨୪ ବର୍ଷର ସରକାରରୁ ବିଜେଡି ଟଳି ବିରୋଧି ଦଳରେ ବସିବାକୁ ବାଧ୍ୟ ହେଲା। ଲୋକସଭାରେ ବିଜେଡିର ସଂଖ୍ୟା ଶୂନ୍ୟ ହୋଇଗଲା, ଯାହା କେବେ ହୋଇନଥିଲା।
ଏହାପରେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବୋଲି ପାଣ୍ଡିଆନ୍ ଘୋଷଣା କଲେ। ସେବେଠାରୁ ସେ ଆଉ ପର୍ଦ୍ଦା ଉପରକୁ ଆସୁନାହାନ୍ତି ନାହିଁ କି କୌଣସି ରାଜନୀତିକ କାର୍ଯ୍ୟକ୍ରମରେ ସେ ଯୋଗ ଦେଉନାହାନ୍ତି। ନବୀନଙ୍କ ସହ ଆଉ ତାଙ୍କୁ ଦେଖିବାକୁ ମିଳୁ ନାହିଁ। କିନ୍ତୁ ଏହାର ଅର୍ଥ ଯେ ସେ ରାଜନୀତି ଭୁଲି ଯାଇଛନ୍ତି ବା ବିଜେଡିକୁ ନିୟନ୍ତ୍ରଣ କରୁନାହାନ୍ତି ତାହା କହିବା ଠିକ୍ ହେବ ନାହିଁ। କାରଣ ୨୦୨୩ ପୂର୍ବରୁ ଜଣେ ଅଧିକାରୀଭାବେ ସେ ବିଜେଡିକୁ ପରିଚାଳନା କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏଣୁ ନବୀନ ନିବାସରେ ତାଙ୍କର ଉପସ୍ଥିତି ହିଁ ରାଜନୀତିକ ନିୟନ୍ତ୍ରଣର କାରଣ ବୋଲି କୁହାଯାଉଛି। ଏପରିକି ନବୀନ ଗୃହବନ୍ଦୀ ରହିଛନ୍ତି ବୋଲି ବିରୋଧୀ ଦଳ ଅଭିଯୋଗ କରିବା ଆରମ୍ଭ କରିଲେଣି। ବରିଷ୍ଠ ନେତାମାନେ ନବୀନଙ୍କୁ ଭେଟି ଦଳରେ ସୃଷ୍ଟି ହେଉଥିବା ବିଶୃଙ୍ଖଳା ଜଣାଇଲେଣି। କିନ୍ତୁ ନବୀନ କେବେ ପାଣ୍ଡିଆନଙ୍କ ବିଷୟକୁ ସ୍ପଷ୍ଟ କରିବାକୁ ଚାହିଁ ନାହାନ୍ତି। ଏହା ସିଧାସଳଖ ଇଙ୍ଗିତ କରୁଛି ଯେ ଆଜି ବି ପାଣ୍ଡିଆନ୍ କାରକ ବିଜେଡିରେ ରହିଛି।
ଏବେ ରାଜ୍ୟସଭାରେ ବିଶୃଙ୍ଖଳା ନେଇ ଯେଉଁ ପ୍ରକାର ବିରୋଧ ହେଉଛି ସେଥିରୁ ମଧ୍ୟ ଏକଥା ସ୍ପଷ୍ଟ ବାରି ହୋଇପଡ଼ୁଛି।
ଯେଉଁ ୭ ଜଣ ଏବେ ରାଜ୍ୟସଭାରେ ବିଜେଡିର ସଦସ୍ୟ ରହିଛନ୍ତି ସେମାନଙ୍କ ଭିତରୁ କେବଳ ଜଣେ ସାଂସଦ ପୂର୍ବରୁ ନିର୍ବାଚନ ଜିତି ପ୍ରତିନିଧି ହେବାର ନଜୀର ରହିଛି। ସେ ହେଉଛନ୍ତି ଦେବାଶୀଷ ସାମନ୍ତରାୟ। ଅନ୍ୟ ସମସ୍ତେ ହେଉଛନ୍ତି ମନୋନୀତ ନେତା। ପୁଣି ସେତେବେଳେ ପାଣ୍ଡିଆନ୍ଙ୍କ ଆଶୀର୍ବାଦରେ ହିଁ ରାଜ୍ୟସଭାକୁ ଯାଇଛନ୍ତି। ଖାଲି ସେତିକି ନୁହେଁ ପାଣ୍ଡିଆନ୍ଙ୍କ ଆଶୀର୍ବାଦରେ କୌଣସି ନା କୌଣସି ସରକାରୀ ବ୍ୟବସ୍ଥାରେ ହିତାଧିକାରୀ ପାଲଟିଛନ୍ତି। ଆଉ ଏବେ ଦେବାଶୀଷଙ୍କ ବିରୁଦ୍ଧରେ ସେମାନେ ଏକାଠି ହେବା ଏବଂ ପାଣ୍ଡିଆନ୍ଙ୍କ ସପକ୍ଷରେ କହିବା ତାହାକୁ ସ୍ପଷ୍ଟ କରୁଛି।
ଅତୀତର ଇତିହାସକୁ ନିରୀକ୍ଷଣ କଲେ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ, ବିଜେଡିରେ ଦୋଷ ଲୁଚାଇବା ଲାଗି କୌଣସି ନା କୌଣସି ସମୟରେ ଜଣେ ଟାଣୁଆ ନେତାଙ୍କୁ ବଳି ପକାଯାଇଥାଏ। ତାଙ୍କୁ କ୍ଷମତାଚ୍ୟୁତ କରାଯାଇଥାଏ। ଏଣୁ ଏଥର ଯେଉଁ ମୁସଲମାନ ନେତା ମୁନା ଖାଁ ଓ ଖ୍ରୀଷ୍ଟିଆନ୍ ନେତା ସସ୍ମିତ ପାତ୍ରଙ୍କ ଭିତରେ କାଦୁଅ ଫୋପଡ଼ା ଆରମ୍ଭ ହୋଇଛି, ସେଥିରେ ହିନ୍ଦୁ ସାଂସଦ ଦେବାଶୀଷ ସାମନ୍ତରାୟ ବଳି ପଡ଼ିପାରନ୍ତି। ନିଜକୁ କୌଣସି ପକ୍ଷଭୁକ୍ତ କରିପାରିନଥିବା ଏ ନେତାଙ୍କୁ ବିଜେଡି ଶୃଙ୍ଖଳା ଭଙ୍ଗର ଦୋଷ ଭୋଗିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।
ଏହାର ଆଉ ଏକ ବଡ଼ କାରଣ ହେଉଛି ଦଳର ହିନ୍ଦୁ ନେତାମାନେ ଏକାଠି ନାହାନ୍ତି। ସେମାନେ ନିଜର ଭୋଟ ବ୍ୟାଙ୍କକୁ ନେଇ ନବୀନ କିମ୍ବା ପାଣ୍ଡିଆନ୍ଙ୍କୁ ଚାପ ପ୍ରୟୋଗ କରିପାରୁ ନାହାନ୍ତି। ଯାହା ଫଳରେ ମୁସଲମାନ-ଖ୍ରୀଷ୍ଟିଆନ କଳିରେ ସଂଖ୍ୟା ବହୁଳ ହିନ୍ଦୁ ନେତାଙ୍କୁ ଦଣ୍ଡିତ କରିବାକୁ ବିଜେଡି ନେତୃତ୍ୱ ଦୁଃସାହାସ କରିବାକୁ ଯାଉଛି।
ରାଜ୍ୟସଭାରେ ବିଭ୍ରାନ୍ତ ସୃଷ୍ଟିକାରୀ ସସ୍ମିତ ନୁହନ୍ତି ଦେବାଶୀଷଙ୍କ ମୁଣ୍ଡରେ ଦୋଷ ଲଦାଯିବ। ଆଉ ଯଦି ଏହା ହୁଏ ତାହା ସ୍ପଷ୍ଟ କରିବ ଯେ, ସସ୍ମିତଙ୍କ ଟ୍ୱିଟ୍ ପଛରେ ନିହାତି ନବୀନଙ୍କ ଉପରେ ଥିବା କୌଣସି ସୁପର ପାଓ୍ୱାରର ହାତ ରହିଛି। ଆଉ ସେ ସୁପର ପାଓ୍ୱାର କିଏ ତାହା ଆପଣ ଭଲ ଭାବେ ଅନୁମାନ କରିପାରୁଥିବେ।
ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ହିନ୍ଦୁ ନେତାମାନେ ଏକାଠି ନ ହେଲେ ମୁସଲମାନ-ଖ୍ରୀଷ୍ଟିଆନ ଭୋଟ ପାଇଁ ସେମାନେ ପୁଣି ବଳି ପଡ଼ିବେ। ଏବେ ଦେବାଶୀଷଙ୍କ ପାଳି, ଆଗକୁ ଆଉ ପାଳି ପଡ଼ିବ ତାହା ସମୟ କହିବ।
Also readhttps://purvapaksa.com/bad-news-for-india-as-300000-indians-in-us-at-risk-of-the-new-bill-threatens/
ପ୍ରବାସୀ ବିରୋଧୀ ବିଲ: ଆମେରିକାରେ ପଢୁଥିବା ୩ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଏବେ ବିପଦରେ