ଭାରତ ତାହାର ପଡୋଶୀ ଦେଶ ଆଫଗାନିସ୍ତାନରେ ନୂଆ କାହାଣୀ ଲେଖିବାକୁ ଯାଉଛି। ଯେଉଁ କାହାଣୀ ପାକିସ୍ତାନ ପାଇଁ ଭଲ ହୋଇ ନପାରେ । ଆଫଗାନିସ୍ତାନ ଭାରତକୁ ନିଜର ସବୁଠାରୁ ଭଲ ବନ୍ଧୁ ବୋଲି ବିବେଚନା କରେ। ଏହା ହିଁ ପାକିସ୍ତାନକୁ ବରାବର ବିରକ୍ତ କରି ଆସିଛି। ଆଫଗାନିସ୍ତାନର ଇସଲାମିକ ଏମିରେଟ୍ର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଅମିର ଖାନ ମୁତ୍ତାକୀ ଏକ ୬ ଦିନିଆ ଯାତ୍ରାରେ ଭାରତ ଆସୁଛନ୍ତି। ମୁତ୍ତାକୀ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିବେ। ସେ ଦାରୁଲ ଉଲୁମ ଦେଓବନ୍ଦ ମଦରସା ଓ ତାଜମହଲ ମଧ୍ୟ ଯିବେ। ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟି ଦ୍ୱାର ବିଦେଶ ଗସ୍ତ ପାଇଁ ଅନୁମତି ପାଇବା ପରେ ମୁତ୍ତାକୀ ଭାରତ ଆସୁଛନ୍ତି। ୨୦୨୧ ଅଗଷ୍ଟରେ ତାଲିବାନ ଅଶରଫ ଗନୀଙ୍କ ସରକାରର ପତନ ପରେ ତାଲିବାନ କାବୁଲ ଉପରେ କବଜା କରିଥିଲା। ରୁଷିଆ ବ୍ୟତୀତ ଭାରତ ଓ ବିଶ୍ୱର ଅନ୍ୟ ଦେଶମାନେ ଏପର୍ଯ୍ୟନ୍ତ ତାଲିବାନ ସରକାରକୁ ଆନୁଷ୍ଠାନିକ ମାନ୍ୟତା ଦେଇନାହାନ୍ତି। ଆଫଗାନିସ୍ତାନରେ ଏବେ ଅମେରିକା ମଧ୍ୟ ଆଗ୍ରହ ଦେଖାଉଛି। ଅନ୍ୟପକ୍ଷରେ, ପାକିସ୍ତାନ ପାଇଁ ଆଫଗାନିସ୍ତାନ ଏକ ବଡ ମୁଣ୍ଡବିନ୍ଧା ହୋଇ ରହିଛି। ଆସନ୍ତୁ ବୁଝିବା ପୂରା ସମୀକରଣ କ’ଣ ଓ କାହିଁକି ପାକିସ୍ତାନ ମୁତ୍ତାକିଙ୍କ ଗସ୍ତକୁ ନେଇ ଖୁସି ନାହିଁ ।
୨୦୨୧ ପରେ ଆରମ୍ଭ ହୋଇଥିଲା କାବୁଲ କାହାଣୀ
ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ୍ ଅନୁସାରେ, ୨୦୨୧ ଅଗଷ୍ଟରେ ତାଲିବାନ ଯେତେବେଳେ କ୍ଷମତା ହାତେଇଥିଲା, ଭାରତର ପ୍ରତିକ୍ରିୟା ଏକାସାଙ୍ଗରେ ସହଜ ଓ ଧୀମା ଥିଲା। ଯୁଦ୍ଧ ତୀବ୍ର ହେବା ସହିତ ଭାରତ ତା’ର ବାଣିଜ୍ୟ ଦୂତାବାସ ଓ ଦୂତାବାସ ବନ୍ଦ କରିବାରେ ଅଧିକ ସମୟ ନେଇନଥିଲା। ଏହା ସହିତ ଭିସା ରଦ୍ଦ କରି ଦେଶରୁ ଭାରତୀୟ ନାଗରିକମାନଙ୍କୁ ବାହାର କରିବାର ବ୍ୟବସ୍ଥା ମଧ୍ୟ ଶୀଘ୍ର କରିଥିଲା। ଏହାର କିଛି ସପ୍ତାହ ପରେ କତାରରେ ଥିବା ଭାରତୀୟ ରାଜଦୂତ ଦୋହାରେ ତାଲିବାନର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଭେଟି ଦେଶରେ ଭାରତର ସୁରକ୍ଷା ଓ ସ୍ୱାର୍ଥ ସୁରକ୍ଷା ସମ୍ପର୍କରେ ଆଶ୍ୱାସନା ନେଇଥିଲେ।
ବାଗ୍ରାମ ଏୟାରବେସ ପୁନଃ ବାକୁ ଚାହୁଁଛି ଅମେରିକା
ଅମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନର ବାଗ୍ରାମ ଏୟାରବେସ ପୁନର୍ବାର ହାସଲ କରିବାକୁ ଚାହୁଁଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦି ଏହି ଏୟାରବେସ ତାଙ୍କୁ ଫେରାଇ ଦିଆନଯାଏ ତେବେ ଏହାର ପରିଣାମ ଖରାପ ହେବ। ଟ୍ରମ୍ପ ଏଥିପାଇଁ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପକୁ ମଧ୍ୟ ନାକଚ କରିନାହାନ୍ତି। ଟ୍ରମ୍ପଙ୍କ ଏହି ଇଚ୍ଛା ପଛରେ ଚୀନ ଏକ ପ୍ରମୁଖ କାରଣ। ବାଗ୍ରାମ ଚୀନ ସୀମାଠାରୁ ପ୍ରାୟ ୮୦୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଶିନଜିଆଙ୍ଗରେ ଥିବା ନିକଟତମ ଚୀନୀ ମିସାଇଲ କାରଖାନାଠାରୁ ପ୍ରାୟ ୨୪୦୦ କିଲୋମିଟର ଦୂରରେ ଅଛି। ଟ୍ରମ୍ପ ଗତ ମାସରେ କହିଥିଲେ ଯେ ଏହି ଏୟାରବେସ ‘ସେହି ସ୍ଥାନଠାରୁ ଏକ ଘଣ୍ଟା ଦୂରରେ ଅଛି ଯେଉଁଠାରେ ଚୀନ ନିଜର ପରମାଣୁ ଅସ୍ତ୍ର ତିଆରି କରୁଛି।’ ଏକ ସମୟରେ ଏହି ଏୟାରବେସ ଅମେରିକା ପାଇଁ ମଧ୍ୟପ୍ରାଚ୍ୟରେ ସାମରିକ ପ୍ରାଧାନ୍ୟର ପ୍ରତୀକ ଥିଲା, ଯାହା ଏବେ ତାଲିବାନ ଶାସନ ଅଧୀନରେ ଅଛି। ଅନ୍ୟପକ୍ଷେ ତାଲିବାନ ସିଧାସଳଖ ବାଗ୍ରାମ ବିମାନଘାଟି ଆମେରିକାକୁ ହସ୍ତାନ୍ତର କରିବାକୁ ମନା କରିଦେଇଛି । ଏହା ସହିତ କହିଛି ଯେ, ଯଦି ଏଥିପାଇଁ ଯୁଦ୍ଧ ହୁଏ ତେବେ ଆମେ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ।
ପାକିସ୍ତାନ ପାଇଁ ମୁଣ୍ଡବିନ୍ଧା ଟିଟିପି
ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆଫାଗନିସ୍ତାନରେ ତା’ର ଆଡ୍ଡା ତିଆରି କରିଛି । ସେହି ଆଡ୍ଡାରୁ ଟିଟିପି ପାକିସ୍ତାନୀ ସେନା ଉପରେ ଆକ୍ରମଣ କରୁଛି ।ପାକିସ୍ତାନ ଏଥିପାଇଁ ଆଫଗାନିସ୍ତାନକୁ ଦାୟୀ କରୁଛି । ୨୦୨୫ ଅକ୍ଟୋବର ୭ରେ ମଧ୍ୟ ଟିଟିପି ୧୨ ଜଣ ସୈନିକଙ୍କୁ ହତ୍ୟା କରିଛି। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମାକୁ ନେଇ ଦୀର୍ଘ ଦିନରୁ ବିବାଦ ଚାଲିଛି। ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାତେଇବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ରହିଛି ଏବଂ ଅନେକ ଆକ୍ରମଣ ହୋଇସାରିଛି। ଉଭୟ ଦେଶ ଆତଙ୍କବାଦ ବିରୋଧୀ ଲଢେଇର ନାଁରେ ଏକ ଅଘୋଷିତ ଯୁଦ୍ଧ ଲଢୁଛନ୍ତି। ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ୨୬୦୦ କିଲୋମିଟର ଲମ୍ବା ସୀମା ରହିଛି ଏବଂ ଯେକୌଣସି ଅମେରିକୀ ସାମରିକ ଅଭିଯାନ ଦ୍ୱାରା ସୀମାରେ ଚାପ ତୁରନ୍ତ ବଢିଯିବ। ଅମେରିକାର ଘୋଷଣା ପରେ ପାକିସ୍ତାନ ମଧ୍ୟ ଚିନ୍ତାରେ ରହିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଆଫଗାନିସ୍ତାନ ସହ ପାକିସ୍ତାନର ସମ୍ପର୍କ କେବେବି ବନ୍ଧୁତ୍ୱପୂର୍ଣ୍ଣ ନଥିଲା ଏବଂ ବର୍ତ୍ତମାନ ଏହା ରସାତଳକୁ ଖସିଯାଇଛି।
ଜୁନ ୨୦୨୨ରେ ଆରମ୍ଭ ହୋଇଥିଲା ମିଶନ କାବୁଲ
୨୦୨୨ ଜୁନରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ପାକିସ୍ତାନ, ଆଫଗାନିସ୍ତାନ ଓ ଇରାନ ବିଭାଗର ତତ୍କାଳୀନ ଯୁଗ୍ମ ସଚିବ କାବୁଲ ଯାତ୍ରା କରିଥିଲେ। ଏହା ପରେ ନୂଆଦିଲ୍ଲୀ ସାହାଯ୍ୟ ପହଞ୍ଚାଇବା ଓ ନିରୀକ୍ଷଣ ପାଇଁ ଦେଶରେ ଏକ ଟେକ୍ନିକାଲ ମିଶନ ଆରମ୍ଭ କରିଥିଲା। ଏହା ସହିତ ତାଲିବାନ ସହ ସମ୍ପର୍କ ପୁନଃସ୍ଥାପନ ପାଇଁ ନୀରବ ସହମତି ଆରମ୍ଭ ହୋଇଥିଲା।
ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବୈଦେଶିକ ସଚିବ ଦୁବାଇରେ ମୁତ୍ତାକୀଙ୍କୁ ଭେଟିଥିଲେ। ଉଭୟ ପକ୍ଷ ମଧ୍ୟରେ ଏହା ଥିଲା ପ୍ରଥମ ଉଚ୍ଚସ୍ତରୀୟ ବୈଠକ। ଏହି ବୈଠକରେ ମାନବୀୟ ଓ ବିକାଶମୂଳକ ସାହାଯ୍ୟରୁ ଆରମ୍ଭ କରି ବ୍ୟାପାର ଓ ଚାବାହାର ବନ୍ଦରର ମହତ୍ୱ ପର୍ଯ୍ୟନ୍ତ ଅନେକ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ତାଲିବାନ ଅଧୀନ ବୈଦେଶିକ ମନ୍ତ୍ରାଳୟ ନିଜ ବୟାନରେ ଭାରତକୁ ଏକ ପ୍ରମୁଖ ‘ଆର୍ଥିକ ଓ ଆଞ୍ଚଳିକ ଖେଳାଳି’ ବୋଲି ବର୍ଣ୍ଣନା କରିଥିଲା। ଆଫଗାନିସ୍ତାନ ପୁଲଗାମ ଆତଙ୍କବାଦୀ ଆକ୍ରମଣର ନିନ୍ଦା ମଧ୍ୟ କରିଥିଲା।
ଭାରତୀୟ ରଣନୀତିରେ ବଡ ପରିବର୍ତ୍ତନ
ଭାରତର ଆଫଗାନିସ୍ତାନ ସହ ସମ୍ପର୍କ ସର୍ବଦା ଦୀର୍ଘକାଳୀନ, ଐତିହାସିକ ଓ ସାଂସ୍କୃତିକ ରହିଆସିଛି। ତାଲିବାନର ପୁନରାଗମନ ପରେ ଅଲ-କାଇଦାକୁ ନୀରବ ସମର୍ଥନ, ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ଆଇଏସକେପି) ପରି ଆତଙ୍କୀ ସଙ୍ଗଠନ ଓ ଭାରତୀୟ ଉପମହାଦେଶରେ ଅଲ-କାଇଦା, ଲସ୍କର-ଏ-ତୈୟବା ଓ ଜୈଶ-ଏ-ମହମ୍ମଦ ପରି ଭାରତୀୟ ସ୍ୱାର୍ଥ ବିରୋଧୀଙ୍କ ଉପସ୍ଥିତି ନୂଆଦିଲ୍ଲୀର ଚିନ୍ତା ବଢାଇଥିଲା। ଏପରି ପରିସ୍ଥିତିରେ ଭାରତ ତାଲିବାନ ସହ ବଢୁଥିବା ଆଞ୍ଚଳିକ ସଂପର୍କ ଓ ସହଯୋଗ ସହିତ ନିଜର ଭାଗୀଦାରୀ ଜାରି ରଖିବା ପାଇଁ ପ୍ରେରଣା ପାଇଥିଲା।
ପାକିସ୍ତାନ ସହ ସମ୍ପର୍କ ତୁଟାଇବାରେ ଭାରତ ପାଇଁ ସୁଯୋଗ
ତାଲିବାନ ପାଇଁ ଭାରତ ସହ ସଂପର୍କ ସେମାନଙ୍କୁ ନିଜ ଘରୋଇ ଘଟକମାନଙ୍କ ପାଇଁ ବୈଧତାର ଧାରଣା ତିଆରି କରିବାର ସୁଯୋଗ ଦେଇଛି। କ୍ଷମତାକୁ ଫେରିବା ପରେ ସେମାନେ ବୈଦେଶିକ ନୀତି ସମ୍ପର୍କିତ ବିଷୟରେ ନିଜ ଦୃଷ୍ଟିକୋଣକୁ ବ୍ୟବହାରିକ କରିଛନ୍ତି, ଯାହା ‘ସନ୍ତୁଳିତ ଓ ଆର୍ଥିକ ବୈଦେଶିକ ନୀତି’ ଉପରେ କେନ୍ଦ୍ରୀଭୂତ। ପାକିସ୍ତାନ ସହ ଖରାପ ହେଉଥିବା ସମ୍ପର୍କ ସେମାନଙ୍କୁ ନିଜ ସ୍ଥିତିକୁ ଉନ୍ନତ କରିବାର ସୁଯୋଗ ଦେଇଛି ଏବଂ ଏହା ମଧ୍ୟ ଦେଖାଇଛି ଯେ ସେମାନେ ଏବେ ନିଜ ଅସ୍ତିତ୍ୱ ପାଇଁ ଇସଲାମାବାଦ ଉପରେ ନିର୍ଭର କରୁନାହାନ୍ତି।
ତାଲିବାନ ଭାରତଠାରୁ କ’ଣ ଚାହୁଁଛି, ଜାଣନ୍ତୁ ?
ତାଲିବାନ ମଧ୍ୟ ଭାରତ ଉପରେ ନିଜର ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ପୁଣି ଆରମ୍ଭ କରିବା ଏବଂ ଉଭୟ ଦେଶ ମଧ୍ୟରେ ନିବେଶକୁ ସ୍ୱାଗତ କରିବା ପାଇଁ ଚାପ ସୃଷ୍ଟି କରୁଛି। ଗତ ୩୧ ଅଗଷ୍ଟରେ ଆସିଥିବା ଭୂମିକମ୍ପ ପରେ ଭାରତ ସାହାଯ୍ୟ ପ୍ରଦାନ କରିଥିବା ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା। ଏହା ଚାବାହାର ବନ୍ଦର ମାଧ୍ୟମରେ ଖାଦ୍ୟ ସାମଗ୍ରୀ, ଜଳ ଶୁଦ୍ଧିକରଣ ଯନ୍ତ୍ର, ତମ୍ବୁ ଓ ଆବଶ୍ୟକୀୟ ଔଷଧ ଯୋଗାଇଥିଲା। ଆଫଗାନିସ୍ତାନ ଭାରତକୁ ନିଜର ବନ୍ଧୁ ବୋଲି ବିବେଚନା କରେ।
ଦିଲ୍ଲୀରେ ତାଲିବାନର ରାଜଦୂତ ନିଯୁକ୍ତି
ଏହି ବୈଠକରେ ନୂଆଦିଲ୍ଲୀସ୍ଥିତ ଦୂତାବାସରେ ତାଲିବାନ ସମର୍ଥିତ ରାଜଦୂତଙ୍କ ନିଯୁକ୍ତି ଉପରେ ଆଲୋଚନା ହେବାର ଆଶା ରହିଛି, ଯାହାର ଦାବି ଏହି ଗୋଷ୍ଠୀ ଦୀର୍ଘ ଦିନରୁ କରି ଆସୁଛି। ପୁରୁଣଆ ସରକାର ଅମଳରେ ନିଯୁକ୍ତ ବ୍ୟକ୍ତିମାନେ ୨୦୨୩ ନଭେମ୍ବର ସୁଦ୍ଧା ଦୂତାବାସ ଛାଡି ଚାଲିଯାଇଛନ୍ତି, ଯେତେବେଳେ କି ମୁମ୍ବାଇସ୍ଥିତ ବାଣିଜ୍ୟ ଦୂତାବାସରେ ଜଣେ ବ୍ୟକ୍ତି ଅଛନ୍ତି ଯିଏ କାବୁଲସ୍ଥିତ ମନ୍ତ୍ରାଳୟକୁ ରିପୋର୍ଟ କରନ୍ତି। ମୁତ୍ତାକୀ ଅଧିକ ଭିସା ଜାରି କରିବା, ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପଗୁଡିକୁ ପୁନଃ ଆରମ୍ଭ କରିବା ପାଇଁ ନିଜର ଦାବିକୁ ଦୋହରାଇ ପାରନ୍ତି। ଭାରତ ପାଇଁ, ପ୍ରାଥମିକତା ହେଉଛି ନିଜର ସୁରକ୍ଷା ସ୍ୱାର୍ଥର ସୁରକ୍ଷା ଓ ଗୋଷ୍ଠୀଠାରୁ ସୁରକ୍ଷା ଗ୍ୟାରେଣ୍ଟି ହାସଲ କରିବା।
ALSO READ https://purvapaksa.com/qatar-airways-vegetarian-passenger-chokes-to-death/
