ଯୋଗାଣ ମନ୍ତ୍ରୀ କଲେ ଶୁଭାରମ୍ଭ
ରାଜ୍ୟରେ ଖୋଲିଛି ଖରିଫ ଧାନ ମଣ୍ଡି । ବରଗଡରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାର ଶୁଭାରମ୍ଭ କରିଛନ୍ତି । ଏଥିସହ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ମୋହନ ମାଝୀ ସରକାର ଅମଳରେ କଟନୀ ଛଟନୀ ସମସ୍ୟା ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୱିଣ୍ଟାଲ ପ୍ରତି ଚାଷୀ ୩୧ ଶହ ଟଙ୍କା ପାଇବେ । ଏଥିସହ ଧାନର କଳାବଜାରୀ ରୋକିବାକୁ ସୀମା ସିଲ୍ କରାଯାଇଛି । ବରଗଡ଼ କଳାପାଣି ମଣ୍ଡିରେ ଆଜି ଧାନ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ଯୋଗାଣ ମନ୍ତ୍ରୀ । ବରଗଡ ଅତାବିରା ସମେତ ସମୁଦାୟ ୩ଟି ସ୍ଥାନରେ ମନ୍ତ୍ରୀ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତ । ଆଜିଠୁ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ ହେବ ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଜିର ଦିନ ହେଉଛି ଚାଷୀଙ୍କ ପାଇଁ ଉତ୍ସବର ଦିନ । ବରଗଡ ଜିଲ୍ଲା ହେଉଛି ଓଡିଶାର ଭାତ ହାଣ୍ଡି । ତେଣୁ ଏହିଠାରୁ ମଣ୍ଡି ଖୋଲିବାର ଶୁଭାରମ୍ଭ କରାଗଲା । ଗୁରୁବାରଠୁ ଅନ୍ୟ ଜିଲ୍ଲାମାନଙ୍କରେ ମଣ୍ଡିରେ ଧାନ କିଣା ଆରମ୍ଭ ହେବ । ଆମ ସରକାର ଦେଇଥିବା କଥା ରଖିଲା । ସୀମା ସିଲ୍ କରାଯିବାର ବ୍ୟବସ୍ଥା କରାଯାଇଛି । ସୀମାରେ ସିସିଟିଭି ଲଗାଯାଇଛି । ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ବାହାର ରାଜ୍ୟର ଧାନ ଆମ ରାଜ୍ୟରେ ପଶିବନି ।
ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ମଣ୍ଡିରେ ଚାଷୀଙ୍କ ପାଇଁ ଖାଇବା, ଶୌଚାଳୟ ବ୍ୟବସ୍ଥା କରାଯାଇଛି । ପଲିଥିନ ବ୍ୟବସ୍ଥା ବି କରାଯାଇଛି । ବାହାର ରାଜ୍ୟର ଧାନ କିପରି ଆମ ରାଜ୍ୟରେ ପ୍ରବେଶ ନ କରିବ ତାହାର ବ୍ୟବସ୍ଥା କରାଯାଇଛି । ପ୍ରତି ଜିଲ୍ଲାରେ ବିଜେପି କର୍ମୀ ବି ସଜାଗ ଅଛନ୍ତି । ଧାନର ଯେପରି କଳା ବଜାରୀ ନ ହେବ କି ଚୋରା କାରବାର ନ ହେବ ତା’ ଉପରେ ତୀକ୍ଷଣ ଦୃଷ୍ଟି ରଖାଯାଇଛି ।
ତେବେ ଏଥର ଯେପରି ଧାନର କଳାବଜାରୀ ନ ହୁଏ ତା’ ଉପରେ କଡା ନଜର ରଖାଯାଇଛି । ଧାନ କିଣାରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ଅଫିସର ଜଗିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ୪ରୁ ୫ଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ଓ ଦଲାଲମାନେ ଯେପରି ମଣ୍ଡିକୁ ନ ଆସିବେ ସେଥିପାଇଁ ପାଟ୍ରୋଲିଂ କରାଯିବ । ୮୦୦ ଟଙ୍କା ସବସିଡି ପାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।
previous article: https://purvapaksa.com/the-video-of-the-model-dancing-in-front-of-india-gate-wearing-only-a-rug-has-left-people-in-awe/