ସିଂହଦ୍ୱାରରେ ପ୍ରବେଶ, ତିନି ଦ୍ୱାରରେ ପ୍ରସ୍ଥାନ
ଆଜିଠୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏଥି ପାଇଁ ଶ୍ରୀମନ୍ଦିର ସମେତ ସମସ୍ତ ଦେବାଳୟରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମଙ୍ଗଳବାର ଭୋର ସମୟରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଠେଲାପେଲା ଯୋଗୁଁ ଅନେକ ଭକ୍ତ ଆହତ ହୋଇଥିବା ଖବର ଆସିଛି । ପତିତପାବନ ବ୍ୟାରିକେଡଠାରେ ଠେଲାପେଲା ହୋଇଛି । ପ୍ରଶାସନ ଓ ପୁଲିସ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ବୟସ୍କଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇନଥିବା ଅଭିଯୋଗ ଆଣିଛନ୍ତି ଶ୍ରଦ୍ଧାଳୁ। ସେବାୟତଙ୍କ ପାଇଁ ଯିବାକୁ ଥିବା ରାସ୍ତାରେ ଶ୍ରଦ୍ଧାଳୁ ଧସେଇ ପଶୁଛନ୍ତି। ପଞ୍ଚୁକ ବ୍ରତକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଟାଉନ୍ ଥାନାଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ ନିର୍ମାଣ କରାଯାଇଛି। ସିଂହଦ୍ୱାର ଦେଇ ପ୍ରବେଶ ଏବଂ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।
ମାର୍କେଟ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ‘ନୋ ଭେଇକିଲ୍ ଜୋନ’ କରାଯାଇଛି। ସବୁ ବିଭାଗ ଅଧିକାରୀଙ୍କୁ ନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିବା କହିଛନ୍ତି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।
ମନ୍ଦିର ଭିତରେ ଚାଲିଥିବା ଠାକୁରଙ୍କ ନୀତିକାନ୍ତି ଏବଂ ଦର୍ଶନ ବନ୍ଦ ସମ୍ପର୍କରେ ଅପେକ୍ଷାରତ ଭକ୍ତଙ୍କୁ ସୂଚନା ଦିଆଯିବ। ସୁରକ୍ଷା ଦାୟିତ୍ୱରେ ୪୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ତଦାରଖ ପାଇଁ ୫ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୧୪ ଉପଆରକ୍ଷୀ ଅଧୀକ୍ଷକ, ୩୭ ଇନ୍ସପେକ୍ଟର ନିୟୋଜିତ ହୋଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି। ପୌର ସଂସ୍ଥା ପକ୍ଷରୁ ଭକ୍ତଙ୍କ ପାଇଁ ମରିଚିକୋଟ ଛକରେ ଅସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ ଖୋଲାଯାଇଛି। ମନ୍ଦିର ପ୍ରଶାସନ ତରଫରୁ ଚାରିଦ୍ୱାର ସମ୍ମୁଖରେ ମାଗଣା ଜୋତା ଷ୍ଟାଣ୍ଡ ରହିଛି। ଶ୍ରଦ୍ଧାଳୁଙ୍କ ସହାୟତା ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁଲିସ ସହାୟତା କେନ୍ଦ୍ର ଖୋଲାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦଳାଚକଟା ପରିସ୍ଥିତି ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସାଧା ପୋଷାକଧାରୀ ପୁଲିସ୍ ମୁତୟନ କରାଯାଇଛି।
ପୁରୀରେ ପଞ୍ଚୁକ ବ୍ରତ ପାଳନ ପାଇଁ ଆଉ ପ୍ରାୟ ୧୦ ହଜାର ହବିଷ୍ୟାଳୀ ଆସି ପହଞ୍ଚିଛନ୍ତି। ସୋମବାର ପ୍ରାୟ ୬୦ରୁ ୭୦ ହଜାର ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି। ଆସନ୍ତା ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ହବିଷ୍ୟାଳୀମାନେ କାର୍ତ୍ତିକ ବ୍ରତ ଉଦଯାପନ କରିବେ। ସେଦିନ ଡଙ୍ଗା ଭସାଇବା ପାଇଁ ସମୁଦ୍ର ଏବଂ ତୀର୍ଥ ପୁଷ୍କରିଣୀ ଗୁଡିକରେ ପ୍ରବଳ ଭିଡ଼ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ଲୋକଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିର ଭିତରକୁ ଛଡ଼ାଯାଉଛି।
ତେବେ ବଡ଼ଦାଣ୍ଡରେ ଏବଂ ମନ୍ଦିର ଚାରିପାଖରେ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନାହିଁ। ଏଥିଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏଥର ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତ ମାନଙ୍କୁ ୪ ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ବୁଧବାର ବାଙ୍କଚୂଡ଼ା ବେଶ ଏବଂ ୧୪ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ। ୧୫ ତାରିଖ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ ।
story read: https://purvapaksa.com/11-kuki-militants-killed-in-manipur/