
ଭାସ୍କର ପରିଚ୍ଛା
୧୯୫୦ ମେ ମାସରେ ହରେକୃଷ୍ଣ ମହତାବ ପଣ୍ଡିତ ନେହେରୁଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଓଡ଼ିଶା ଛାଡ଼ିବା ପରେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ହେଲେ । ୧୯୫୦ ମେ ୧୨ରୁ ୧୯୫୬ ଅକ୍ଟୋବର ୧୯ ଯାଏଁ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଏଥିରୁ ପ୍ରଥମ ଦୁଇ ବର୍ଷ ପ୍ରାକ-ସମ୍ବିଧାନ ଅଧୀନରେ ଓ ଅବଶିଷ୍ଟ ସମୟ ନୂଆ ସମ୍ବିଧାନ ଅଧୀନରେ।

ନବକୃଷ୍ଣ ଚୌଧୁରୀ ଦାୟିତ୍ଵ ନେବା ବେଳକୁ ଓଡ଼ିଶାରେ ଦାରିଦ୍ର୍ୟ ଭୟଙ୍କର ରୂପ ନେଇଥିଲା। ନିରକ୍ଷରତା ଅତ୍ୟନ୍ତ ଉଚ୍ଚରେ ଥିଲା। ଭୁ-ସଂସ୍କାର କାର୍ଯ୍ୟକ୍ରମ ଠିକ୍ ଭାବେ ଆରମ୍ଭ କରାଯାଇ ନଥିଲା, ଯେଉଁଥିପାଇଁ କୃଷକମାନେ ଶୋଚନୀୟ ଅବସ୍ଥାରେ ଜୀବନ ଯାପନ କରୁଥିଲେ। ସେତେବେଳେ ରାଜ୍ୟର ଜନସଂଖ୍ୟା ଥିଲା ପ୍ରାୟ ଦେଢ କୋଟି।। ଏଥିରୁ ୯୬ ପ୍ରତିଶତରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିଲେ। ସହରଗୁଡ଼ିକ ବଡ଼ ବଡ଼ ଗାଁ ଭଳି ଦେଖା ଯାଉଥିଲା। ସର୍ବଭାରତୀୟ ହାର ୨୮ଥିଲା ବେଳେ ଓଡ଼ିଶାରେ ମୃତ୍ୟୁ ହାର ହଜାର ପିଛା ୩୩ ଥିଲା । ଖରାପ ଖାଦ୍ୟପେୟ, ଅଧିକ ସଂଖ୍ୟକ ରୋଗ ଯଥା ମହାମାରୀ, ଅପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ଇତ୍ୟାଦି ଉଚ୍ଚ ମୃତ୍ୟୁ ହାରର ମୁଖ୍ୟ କାରଣ ଥିଲା। ସର୍ବୋପରି ସାମୂହିକ ଜଡ଼ତା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଥିଲା ।
ସେତେବେଳର ଓଡ଼ିଶା ରାଜନୀତିରେ ସାମନ୍ତବାଦୀ ଶକ୍ତିମାନେ ସକ୍ରିୟ ଥିଲେ। ବିଭିନ୍ନ ଦଳରୁ ଆସିଥିବାରୁ ନେତାଙ୍କ ଭିତରେ ଆପୋଷ ବୁଝାମଣା ନଥିଲା। ନବକୃଷ୍ଣଙ୍କ କ୍ଷମତାକୁ ଫେରିବା ନେଇ ସେମାନେ ଅତ୍ୟନ୍ତ ଶଙ୍କିତ ଅବସ୍ଥାରେ ଥିଲେ କାରଣ ମୁଖ୍ୟମନ୍ତ୍ରୀ ଭାବରେ ନବବାବୁ ସେମାନଙ୍କ ଆଧିପତ୍ୟକୁ ଚିରଦିନ ପାଇଁ ନଷ୍ଟ କରିବା ସହ ବ୍ୟାପକ ସଂସ୍କାର ଆଣିବେ ଏକଥା ସେମାନେ ଭଲ ଭାବରେ ଜାଣିଥିଲେ।
ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହେବା ପରେ ନବବାବୁଙ୍କ ପ୍ରଥମ କାମ ଥିଲା ସରକାରୀ ଭାଷା ଭାବେ ଓଡ଼ିଆ ଭାଷାର ପ୍ରବର୍ତ୍ତନ। ନବବାବୁ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ ଯିଏ ଓଡ଼ିଆକୁ ସରକାରୀ ଭାଷା ଭାବରେ ପ୍ରବର୍ତ୍ତନ କରାଇବାର ସାହସ କରିଥିଲେ। ଏକାକୀ ଓ ଦୃଢ଼ ସଂକଳ୍ପର ସହିତ ଓଡ଼ିଆକୁ ପ୍ରଶାସନର ଭାଷା କରିବାକୁ ସେ ଆଗେଇ ଆସିଥିଲେ , ଯଦିଓ ସମଗ୍ର ଅମଲାତନ୍ତ୍ର ଏହାକୁ ବିରୋଧ କରିଥିଲା। ତାଙ୍କ ନିଜ ଦଳର ଅନେକ ନେତା ମଧ୍ୟ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ।
/odishatv/media/post_attachments/uploadimage/library/16_9/16_9_0/Odia-language_1627279220.jpg)
ପୂର୍ବରୁ ବିଧାନସଭାରେ ଯେତେବେଳେ ବି ସେ ଏ ସମ୍ପର୍କିତ ବିତର୍କରେ ନବବାବୁ ଭାଗ ନେଉଥିଲେ, ସେ ଓଡ଼ିଆରେ ହିଁ ଆଲୋଚନା କରୁଥିଲେ। ୧୯୫୧-୫୨ ମସିହାରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏପରିକି ଓଡ଼ିଆରେ ନିଜର ବଜେଟ୍ ଭାଷଣ ଦେଇଥିଲେ, ଯାହା ସେତେବେଳେ ଏକ ଐତିହାସିକ ଘଟଣା ଥିଲା। ଅମଲାତନ୍ତ୍ରଙ୍କ ବିରୋଧ ସତ୍ତ୍ୱେ ସେ ନିଜ ମାତୃଭାଷା ଓଡ଼ିଆରେ ବାର୍ଷିକ ବଜେଟ୍ ଉପସ୍ଥାପନ କରିଥିଲେ। ସେ ଏକ ଇଂରାଜୀ-ଓଡ଼ିଆ ଶବ୍ଦକୋଷ ମଧ୍ୟ ପ୍ରସ୍ତୁତ କରାଇଥିଲେ।
ସ୍ଥାନୀୟ ଭାଷାକୁ ସରକାରୀ ଭାଷାରେ ପରିଣତ କରିବା ପାଇଁ ନବବାବୁ ଯେଉଁ ଆନ୍ତରିକ ପ୍ରୟାସ କରିଥିଲେ ତାହାର ପ୍ରଧାନ କାରଣ ଥିଲା ସାଧାରଣ ଲୋକ ଶାସନର ପ୍ରକ୍ରିୟାକୁ ସହଜରେ ବୁଝିପାରିବେ। ସେମାନେ ପ୍ରଶାସନର ନିକଟତର ବି ହୋଇପାରିବେ ଯାହା ଦ୍ୱାରା ଜାତୀୟ ଏକତା ଏବଂ ଏକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିବ। ନବବାବୁ ଏକଥା ହୃଦୟଙ୍ଗମ କରିଥିଲେ ଯେ ଏହା ଜନସାଧାରଣଙ୍କ ମଧ୍ୟରେ ସଚେତନତା ବି ବୃଦ୍ଧି କରିବ। ସେହି ସମୟରେ ମୁଖ୍ୟ ଶାସନ ସଚିବ ଥିବା ବି ମୁଖାର୍ଜୀ କିନ୍ତୁ ଏହି ପ୍ରୟାସ ଉପରେ ନକାରାତ୍ମକ ମନ୍ତବ୍ୟ ଦେବାକୁ ପଛାଇ ନଥିଲେ। ସେ ଯୁକ୍ତି କରିଥିଲେ ଯେ ଯେତେବେଳେ ଅନ୍ୟ କୌଣସି ପ୍ରଦେଶ ଏପରି ପ୍ରୟାସ କରିନାହାନ୍ତି , ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ସେଭଳି କରିବାକୁ ଆଗ୍ରହୀ ହେଉଛନ୍ତି?
କିନ୍ତୁ ନବବାବୁ ଦୃଢ଼ ସଂକଳ୍ପବଦ୍ଧ ଥିଲେ ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଓଡ଼ିଆ ଟାଇପ୍-ଲେଖକ ବା ଟାଇପ ମେସିନ ପ୍ରସ୍ତୁତ କରିବାକୁ ରେମିଙ୍ଗଟନ୍ କମ୍ପାନୀକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଏକ ଜଣାଶୁଣା କଥା ଯେ ତାଙ୍କ ପରେ, ତାଙ୍କ ଉତ୍ତରାଧିକାରୀମାନେ ଏହି ଉଦ୍ୟମରେ କୌଣସି ଆଗ୍ରହ ଦେଖାଇନଥିଲେ ଯେଉଁଥି ପାଇଁ ଏହି ମହାନ ପ୍ରକଳ୍ପକୁ ପରିତ୍ୟାଗ କରାଯାଇଥିଲା।
ନାଗରିକଙ୍କ ଦ୍ୱାରା ବ୍ୟବହୃତ ସ୍ଥାନୀୟ ଭାଷାକୁ ସରକାରୀ ଭାଷା ଭାବରେ ପରିଣତ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ ହେଁ, କିଛି ଅଣ-ଓଡିଆ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କ ଇସ୍ତଫା ପରେ ଏହାକୁ ପରିତ୍ୟାଗ କରାଯାଇଥିଲା। ଏହା କେବଳ ଏକ ଦୁର୍ଭାଗ୍ୟଜନକ ବିଷୟ ଥିଲା ତାହା ନୁହେଁ ପରବର୍ତ୍ତୀ ସମୟରେ ବି ଏହି ଯୋଜନା ପଥଭ୍ରଷ୍ଟ ହୋଇଥିଲା। ଆଜି ଯାଏଁ ଏହା ଏକ ଅସମ୍ପୂର୍ଣ୍ଣ କରଯା ହୋଇ ରହିଛି।
ଏହା ସତ୍ୟ ଯେ ୧୯୫୦ ଦଶକରେ ଭାରତର ଅମଲାତନ୍ତ୍ର ବ୍ରିଟିଶ ଔପନିବେଶିକ ବ୍ୟବସ୍ଥାର ଛାୟାରେ ରହିଥିଲା। ସ୍ୱାଧୀନତା ପରେ ଅମଲାତନ୍ତ୍ରର ଜାତୀୟକରଣ ହୋଇନଥିଲା ଏବଂ ସେହି ଜନବିରୋଧୀ ଉପାଦାନଗୁଡ଼ିକ କ୍ଷମତାରେ ରହିଥିଲେ। ଓଡ଼ିଆ ସରକରୀ ଭାଷା ଜରିଆରେ ଜନସାଧାରଣ ଏବଂ ସରକାରଙ୍କୁ ନିକଟତର କରିବାର ପ୍ରୟାସ ଏକ ସ୍ୱାଭାବିକ ଅଧିକାର ଓ ପ୍ରକ୍ରିୟା ଥିଲା। କିନ୍ତୁ ନବବାବୁଙ୍କ ଉତ୍ତରାଧିକାରୀମାନଙ୍କ ଦ୍ୱାରା ଏହାକୁ ବିଫଳ କରି ଦିଆଯାଇଥିଲା।ଅନ୍ୟ ଅର୍ଥରେ ,ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ଏହି ଓଡ଼ିଆ ଭାଷା ଯୋଜନାକୁ ଅଳିଆ ଗଦାକୁ ଫୋଫାଡି ଦିଆଯାଇଥିଲା।
କୁହାଯାଏ ଯେ, ଗଞ୍ଜାମ ଜିଲ୍ଲା ସୋରଡ଼ାର ରଙ୍ଗନାଥ ମହାପାତ୍ର ୧୯୪୦ ଦଶକରେ ଜର୍ମାନୀରୁ ଗୋଟିଏ ଟାଇପ ରାଇଟର କିଣି ଆଣିଥିଲେ। କିନ୍ତୁ ତାଙ୍କୁ ଉତ୍ସାହିତ କରିବା ପାଇଁ ସରକାର କିମ୍ବା ଜନସାଧାରଣଙ୍କ ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନଥିଲା। ୧୯୫୨ମସିହାରେ ନବବାବୁ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏଥିଲାଗି ଏକ କମିଟି ଗଠନ କରିଥିଲେ। ସେହି କମିଟି ରିପୋର୍ଟକୁ ଭିତ୍ତି କରି ୧୯୫୪ ମସିହା ଅକ୍ଟୋବର ୧୪ ତାରିଖରେ ସେ ବିଧାନସଭାରେ ଓଡ଼ିଶା ସରକାରୀ ଭାଷା ବିଲ୍ ନାମରେ ଏକ ବିଲ୍ ଆଗତ କରିଥିଲେ ଓ ଏହା ଗୃହୀତ ମଧ୍ୟ ହୋଇଥିଲା।
ବିଡମ୍ବନାର ବିଷୟ ଏହି ଯେ ହରେକୃଷ୍ଣ ମହତାବ ବି ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ନବବାବୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏପରି ଏକ ମହାନ ପ୍ରୟାସକୁ ପରିତ୍ୟାଗ କରି ଦେଇଥିଲେ। ଏହା ସ୍ଵୀକାର କରିବା ପାଇଁ ହେବ ଯେ ମହତାବଙ୍କ ବହୁବିଧ ରାଜନୈତିକ ଜୀବନରେ ଜଣେ ସାହିତ୍ୟିକ ଭାବରେ କାର୍ଯ୍ୟ କରିବାର ସୁଯୋଗ ବି ପ୍ରାପ୍ତ ହୋଇଥିଲା। ପ୍ରଶାସନ ଏବଂ ଅଶିକ୍ଷିତ ଜନତାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବାର ଏକ ବଡ଼ ସୁଯୋଗକୁ କିନ୍ତୁ ମହତାବ ହାତଛଡା କରିଥିଲେ।
୧୮ ମାର୍ଚ୍ଚ ୧୯୫୮ର ବିଧାନସଭା ବିବରଣୀ ଅନୁଯାୟୀ ଓଡ଼ିଆକୁ ଏପର୍ଯ୍ୟନ୍ତ ସରକାରୀ ଭାଷା ଭାବରେ କାହିଁକି ଗ୍ରହଣ କରାଯାଇ ନାହିଁ ମହତାବ ଏହା ପଛରେ ଥିବା ଅନେକ କାରଣ ପ୍ରଦାନ କରିଥିଲେ। ମହତାବଙ୍କ କହିବା କଥା ଥିଲା ଯେ, ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଆହୁରି ଅନେକ ବର୍ଷ ଲାଗିବ।
ଓଡ଼ିଆକୁ ସରକାରୀ ଭାଷା କରିବା ପାଇଁ ଉଦ୍ୟମ ବ୍ୟତୀତ ନବବାବୁଙ୍କ ଶାସନର ପ୍ରଥମ କେଇ ଦିନ ଭିତରେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରଯାଇଥିଲା। ୧୯୫୦ ବେଳକୁ ଜବାହରଲାଲ ନେହେରୁଙ୍କ ସରକାରଙ୍କ ଦ୍ଵାରା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପେନସନ ଦେବାର ବ୍ୟବସ୍ଥା ଆରମ୍ଭ ହେବା ପରେ ନବକୃଷ୍ଣ ଚୌଧୁରୀ ମଧ୍ୟ ଏହାକୁ ଓଡିଶାରେ ଲାଗୁ କରିଥିଲେ।
ALSO READ https://purvapaksa.com/faridabad-badarpur-red-fort-the-road-map-behind-the-delhi-blasts/


