ଗତ ମଧ୍ୟରାତ୍ରୀରେ ଭାରତର ‘ଅପରେସନ ସିନ୍ଦୂର’ ପାକିସ୍ତାନୀଙ୍କ ନିଦ ହଜାଇଛି। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତ ମାଟିରୁ ନିକ୍ଷେପ କରାଯାଇଥିବା ମିଶାଇଲଦ୍ୱାରା ପାକିସ୍ତାନର ୪ ମସ୍ଜିଦ ଧ୍ୱସ୍ତ ହୋଇଛି। ପାକିସ୍ତାନୀ ହିସାବ ଅନୁସାରେ ୧୫ଜଣଙ୍କ ଜୀବନ ଯାଇଛି ଏବଂ ୩୫ରୁ ଅଧିକ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ମୃତାହତଙ୍କ ସଂଖ୍ୟା ଦିଆଯାଇନି। ଭାରତ ବିପକ୍ଷରେ ଷଡ଼ଯନ୍ତ୍ର କରୁଥିବା ଆଡ୍ଡାସ୍ଥଳଗୁଡ଼ିକୁ ବାଛି ବାଛି ଧ୍ୱଂସ କରାଯାଇଛି ବୋଲି କୁହାଯାଇଛି। ଏହିକ୍ରମରେ ୯ଟି ସ୍ଥାନରେ ଆକ୍ରମଣ ହୋଇଛି। ଆଉ ଏହା ହୋଇଛି ପହଲଗାମରେ ପରିବାର ସାମ୍ନାରେ ସିନ୍ଦୂର ଉଜାଡ଼ିଥିବା ପାକିସ୍ତାନୀ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଉପରେ ଉଚିତ ଜବାବ।
ହେଲେ ଓଡ଼ିଶା ରାଜନୀତିରେ ଏ ନେଇ ଆଉ ଏକ ସମୀକରଣ ସୃଷ୍ଟି କରାଯାଉଛି। କୁହାଯାଉଛି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଏଭଳି ଏକ ମିଶନ ସୋମବାରଦିନ ରଚିଥିଲେ। ଯାହାର ଉଦ୍ଦେଶ୍ୟ ଥିଲା ‘ସୁଜାତା ପାଣ୍ଡିଆନ୍’ଙ୍କ ସିନ୍ଦୁରକୁ ସୁରକ୍ଷିତ କରିବା। ଏ ବିଷୟକୁ ନେଇ ଆଜିର ଆଲୋଚନା।
ଏହା ବି ଏକ ଅପରେସନ୍ ସିନ୍ଦୂର, ଯାହା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ବଞ୍ଚାଇବା ଲାଗି ଉଦ୍ଦିଷ୍ଟ। ଆଉ ସେ ବିଶ୍ୱସ୍ତ କର୍ମଚାରୀ ହେଉଛନ୍ତି ଏକଦା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବା ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍। ସିଏ ଯେତେବେଳେ ଚାହିଁବେ ଦଳରେ ବସିପାରନ୍ତି,, କର୍ମୀଙ୍କୁ ଯୋଡ଼ିପାରନ୍ତି, ବାନ୍ଧି ପାରନ୍ତି, ବହିଷ୍କାର କରିପାରନ୍ତି। ଆଉ ସେ ଚାହିଁଲେ ଦଳରେ ରହିପାରନ୍ତି ନ ହେଲେ ସନ୍ନ୍ୟାସ ବି ନେଇପାରନ୍ତି।
ଏହି କ୍ଷମତାଶାଳୀ ସର୍ବଶକ୍ତିମାନ ନେତା କିନ୍ତୁ ନିର୍ବାଚନ ପରଠାରୁ ଆତ୍ମଗୋପନ କରିଛନ୍ତି। ଏପରିକି ଗୋପନରେ ବିଜେଡିକୁ ହାଇଜାକ କରୁଛନ୍ତି ବୋଲି ବି ଅଭିଯୋଗ ହୋଇଛି। ହେଲେ ନବୀନ କିନ୍ତୁ ଏହାକୁ ମାନିବାକୁ ନାରାଜ। ନବୀନ ତାଙ୍କୁ ଉତ୍ତରାଧିକାରୀ ନ କହିଲେ ବି ତାଙ୍କୁ ସମସ୍ତ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ। ଏପରିକି ସୋମବାରଦିନ ନବୀନ ଏମତି ଏକ କାର୍ଯ୍ୟ କରିଛନ୍ତି ଯେଉଁଥିରେ ପାଣ୍ଡିଆନ୍ଙ୍କ ଟିମ୍ର ସମସ୍ତ ନେତାଙ୍କୁ ହିଁ ସୁରକ୍ଷା ମିଳିଛି। କୁହାଯାଉଛି ଏହା ସୁଜାତାଙ୍କ ମାନରକ୍ଷା ପାଇଁ ଉଦ୍ଦିଷ୍ଟ। ଆଉ ତାଙ୍କୁ ପରୋକ୍ଷରେ ସଭାପତି କରିବା ଲାଗି ଏକ ଯୋଜନା ଚାଲିଛି। ତାହା କେମିତି ଆସନ୍ତୁ ଜାଣିବା?
ଶ୍ରୀ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ପ୍ରଚାର ବି କରିଛନ୍ତି। ହେଲେ ନବୀନ ନିବାସରେ ସବୁ ନିଷ୍ପତ୍ତି ପଛରେ ସେ ହିଁ ମେରୁଦଣ୍ଡ ବୋଲି ଜାଣିବା ପରେ କର୍ମୀ ଓ ବରିଷ୍ଠ ନେତା ଖପ୍ପା ହୋଇଥିବା ନଜରକୁ ଆସିଥିଲା। ଏପରିକି ଦଳୀୟ ନିର୍ବାଚିତ ନେତା ବିଧାୟକ ଓ ତାଙ୍କ କର୍ମୀମାନେ ବିଭିନ୍ନ ସ୍ଥାନରେ ତାଙ୍କୁ ନେଇ ଚର୍ଚ୍ଚା ଓ ବିଦ୍ରୋହ ବି କରିଥିଲେ। ଏ ବିଦ୍ରୋହ ନବୀନ ନିବାସରେ ବି ଦେଖିବାକୁ ମିଳିଥିଲା। ଯାହାଦ୍ୱାରା ଚାରିଆଡ଼େ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଂସଦରେ ମତ ବିଭାଜନ ପଛରେ ପାଣ୍ଡିଆନ୍ ହିଁ ମୁଖ୍ୟ କାରକ ବୋଲି ପ୍ରଚାର ହେଲା। ଲୋକେ ନବୀନ ନିବାସରେ ନବୀନଙ୍କୁ ନାଲି ଆଖି ଦେଖାଇଲେ। ନବୀନ କିଛିଦିନ ପରେ ପର୍ଦ୍ଦାକୁ ଆସିଲେ, ପାଣ୍ଡିଆନ୍ଙ୍କୁ କ୍ଲିନ୍ ଚିଟ୍ ଦେଲେ କିନ୍ତୁ କର୍ମୀ ପଚାରିଥିବା କୌଣସି ପ୍ରଶ୍ନର ଉତ୍ତର ମିଳିଲା ନାହିଁ।
ଅପରପକ୍ଷେ ଯେତେବେଳେ ସାଂଗଠନିକ କର୍ମକର୍ତ୍ତା ଚୟନ ଆସିଲା ସେତେବେଳେ ଜଣାଇଦେଲେ ଯେ, ଦଳର ପ୍ରକୃତ ଉତ୍ତରାଧିକାରୀ ହିଁ ପାଣ୍ଡିଆନ୍। କାରଣ ଯେଉଁ ରାଜନୀତିକ ପରିଷଦ ନବୀନ ତିଆରି କରିଛନ୍ତି ସେଥିରେ ବରିଷ୍ଠ ନେତାଙ୍କୁ ସୁଯୋଗ ମିଳି ନାହିଁ। ଏପରିକି ବିଜେଡି ପ୍ରତିଷ୍ଠାରେ ଜଡ଼ିତ ନେତାଙ୍କ ଭିତରୁ କାହାରିକୁ ଏଠାରେ ସ୍ଥାନୀତ କରାଯାଇନାହିଁ। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି ପରିଷଦରେ ନବୀନଙ୍କୁ ମିଶାଇ ସମୁଦାୟ ୧୦ ଜଣ ନେତା ରହିଛନ୍ତି।
ଯେଉଁଥିରେ ସମସ୍ତେ ଅତୀତରେ ପାଣ୍ଡିଆନ୍ଙ୍କ ଅତ୍ୟନ୍ତ ନିକଟତର ନେତାଭାବେ ଜଣାଶୁଣା ଥିଲେ, ଏବେବି ରହଛନ୍ତି। ଏମାନଙ୍କ ଭିତରେ ଅଛନ୍ତି, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଡି, ଟୁକୁନି ସାହୁ, ସସ୍ମିତ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର। ଅବଶ୍ୟ ଟିକଟ ବଣ୍ଟାକୁ ନେଇ ସଞ୍ଜୟ ଦାସବର୍ମା ଓ ପାଣ୍ଡିଆନ୍ କୋଟେରୀ ଭିତରେ ପୂର୍ବରୁ ମତ ପାର୍ଥକ୍ୟ ରହିଥିଲା। ହେଲେ ପରାଜୟ ପରେ ଉଭୟ ଗୋଟିଏ ଡଙ୍ଗାର ଯାତ୍ରୀ ହୋଇଛନ୍ତି।
ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ର ହେଉଛନ୍ତି ବିଜେଡିର ସର୍ବପୂରାତନ ନେତା, ପ୍ରତିଷ୍ଠାତା ସଦସ୍ୟ। ଏପରିକି ନବୀନଙ୍କୁ ରାଜନୀତିକୁ ଆଣିବା ଲୋକଙ୍କ ଭିତରେ ଏମାନେ ରହିଛନ୍ତି। ସମୟ ଏପରି ଥିଲା ଏ ଯେଉଁ ରାଜନୀତିକ ପରିଷଦ କଥା ଆମେ ଆଜି ଆଲୋଚନା କରୁଛନ୍ତି ତାହାର ସଂସ୍ଥାପକ ଏଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ହୋଇଥିଲା। ଏକଦା କ୍ଷମତାଶାଳୀ ରାଜନୀତିକ ପରିଷଦକୁ ପଙ୍ଗୁ କରିବାରେ ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଭୂମିକା ଥିବା କୁହାଯାଏ। କାରଣ ରାଜନୀତିକ ପରିଷଦ ଅପେକ୍ଷା ସଭାପତି ଯେ ବଡ଼ ତାହାକୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମୟରେ ସ୍ଥାପିତ କରାଯାଇଥିଲା।
ଅର୍ଥାତ୍ ରାଜନୀତିକ ପରିଷଦର ନିଷ୍ପତ୍ତିକୁ ସଭାପତି ଚାହିଁଲେ ରଖିପାରିବେ ନ ହେଲେ ତାହାକୁ କାଟ୍ କରିଦେଇପାରିବେ। ନବୀନଙ୍କ ନିକଟତର ହେବା ପାଇଁ ଏକଦା ଯୋଜନା କରିଥିବା ପ୍ରସନ୍ନ ଏବେ କେଉଁ କୂଳରେ ନାହାନ୍ତି। ଏପରିକି ରାଜନୀତିକ ପରାମର୍ଶଦାତା କମିଟିର ସଦସ୍ୟ ବି ନାହାନ୍ତି ପ୍ରସନ୍ନ। ସଂକ୍ଷେପରେ କହିଲେ ରାଜନୀତିକ ପରିଷଦ ଏବେ ପଙ୍ଗୁ ପ୍ରାୟ।
ଏଭଳି ପରିସ୍ଥିତିରେ ବିଜେଡିର ନେତୃତ୍ୱ କିଏ ନେବେ। ଯଦିଓ ପରିସ୍ଥିତି ଅନୁସାରେ ଭିକେ ପାଣ୍ଡିଆନ୍ଙ୍କ ନାଁକୁ ଚର୍ଚ୍ଚା କରାଯାଇ ଆସୁଛି କିନ୍ତୁ ସେ ତାଙ୍କ ଜନ୍ମଗତ କାରଣରୁ ଏ ପଦରେ ରହିବା ଲାଗି ସୁଯୋଗ ଅର୍ଜନ କରିପାରୁ ନାହାନ୍ତି। ଅର୍ଥାତ୍ ତାମିଲନାଡ଼ୁରେ ଜନ୍ମ ହୋଇଥିବା କାରଣରୁ ତାଙ୍କୁ ଲୋକେ ସମର୍ଥନ କରିପାରୁ ନାହାନ୍ତି। ହେଲେ ସେ ନ ହେଲେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟ ପାଣ୍ଡିଆନ୍ ତ ଦଳର ସଭାପତି ଆସନରେ ବସିପାରିବେ!
ଏ ଚିନ୍ତାଧାରାର ପ୍ରସାର ଏବେ ଜୋର ଧରିଛି। ଏ ପଛରେ କାରଣ ହେଉଛି ବିଜେପି ସରକାରକୁ ଆସିବା ପରେ ଆଇଏଏସ୍ ଚାକିରିରୁ ସୁଜାତା ଅବସର ନେବା। ଯଦିଓ ଚାକିରି ଛାଡ଼ି ସେ ଓ ତାଙ୍କ ସ୍ୱାମୀ ବିଦେଶ ଯିବେ ବୋଲି ଚର୍ଚ୍ଚା ହେଉଥିଲା, ହେଲେ ତାହା ଏଯାଏ ହୋଇନାହିଁ। ଏପରିକି ବିଦେଶରେ ଚାକିରି କରିବା ଏକ ମନଗଢ଼ା କାହାଣୀ ଓ ସିଧାସଳଖ ପାଣ୍ଡିଆନ୍ଙ୍କ ଦ୍ୱାରା ପ୍ରସାରିତ ହୋଇଥିବା ନେଇ ଚର୍ଚ୍ଚା ହୋଇଛି।
ମୋଟାମୋଟି ଭାବେ କହିବାକୁ ଗଲେ ରାଜନୀତିକ ପରାମର୍ଶଦାତା କମିଟିରେ ପ୍ରତିଷ୍ଠାତା ସଦସ୍ୟଙ୍କୁ ବାହାରେ ରଖାଯିବା ପାଣ୍ଡିଆନ୍ଙ୍କ ଇଙ୍ଗିତରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏହା ଭବିଷ୍ୟତରେ ସୁଜାତା ପାଣ୍ଡିଆନ୍ଙ୍କ ସ୍ୱାଭିମାନକୁ ସୁରକ୍ଷା ଦେବା ପାଇଁ କୁହାଯାଉଛି। ସେଥିଲାଗି କେବଳ ତାଙ୍କରି ବିଶ୍ୱସ୍ତ ନେତାଙ୍କୁ ହିଁ ଏଠାରେ ରଖାଯାଇଛି। ଆଉ ଏହା ସୁଜାତାଙ୍କୁ ଦଳର ପରବର୍ତ୍ତୀ ସଭାପତି ତଥା ବିଜେଡିର ପ୍ରମୁଖ କରିବା ଲାଗି ଉଦ୍ଦିଷ୍ଟ ବୋଲି ବି ଚର୍ଚ୍ଚା ହେଉଛି। କିନ୍ତୁ ଏ ଚର୍ଚ୍ଚାକୁ କେବଳ ନବୀନ ହିଁ ଠିକ୍ ଉତ୍ତର ଦେଇପାରିବେ।