ଓଡ଼ିଶାରେ ପୁଣିଥରେ କି ଟେଣ୍ଡର ଫିକ୍ସିଂର ପୁରୁଣା ଛାୟା ଫେରିଆସୁଛି? ଯେଉଁ ସରକାର “ଜିରୋ ଟଲରେନ୍ସ” ଏବଂ “ଓଡ଼ିଆ ଅସ୍ମିତା”ର ନାରା ଦେଇ ଶାସନକୁ ଆସିଥିଲା, ସେଠି କ’ଣ ଏବେ ଅଫିସର ଓ କିଛି ପ୍ରଭାବଶାଳୀ ନେତାଙ୍କ ମନମାନି ଚାଲିଛି? କାହିଁକି ଓଡ଼ିଆ ଠିକାଦାରମାନେ ଆଜି ଆନ୍ଦୋଳନର ମାର୍ଗ ଧରିବାକୁ ବାଧ୍ୟ ହେଉଛନ୍ତି? ଏହି ସମସ୍ତ ପ୍ରଶ୍ନର କେନ୍ଦ୍ରବିନ୍ଦୁ ହୋଇଉଠିଛି ନୟାଗଡ଼ ଡିଭିଜନ୍ର ଏକ ଟେଣ୍ଡର ଘଟଣା, ଯାହା ଏବେ ରାଜ୍ୟର ନିର୍ମାଣ ଓ ପ୍ରକଳ୍ପ ପ୍ରଣାଳୀକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି।
ଡାହୁକା ସ୍ରୋତ ନିୟନ୍ତ୍ରଣ ବନ୍ଧ: ଘଟଣାର ଆରମ୍ଭ
୨୦୨୫ ଡିସେମ୍ବରରେ ନୟାଗଡ଼ ଡିଭିଜନ୍ର ଡାହୁକା ସ୍ରୋତ ନିୟନ୍ତ୍ରଣ ବନ୍ଧ ପାଇଁ ଟେଣ୍ଡର ଡାକାଯାଇଥିଲା। ଏହା ଜଳସମ୍ପଦ ବିଭାଗ ଅଧୀନର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଅନେକ ଠିକାଦାର ସଂସ୍ଥା ଆବେଦନ କରିଥିଲେ। ପ୍ରକ୍ରିୟା ସାଧାରଣ ଭାବେ ଆଗକୁ ବଢ଼ୁଥିବା ସମୟରେ ହଠାତ୍ ବିନା ସ୍ପଷ୍ଟ କାରଣରେ ଟେଣ୍ଡର ବାତିଲ୍ ହେଲା।
ଏଠାରୁ ଆରମ୍ଭ ହେଲା ସନ୍ଦେହ। କାହିଁକି ବାତିଲ୍? କୌଣସି ଟେକ୍ନିକାଲ୍ ଅସୁବିଧା? ଅଭିଯୋଗ? ନା କିଛି ଅନ୍ୟ କାରଣ? ବିଭାଗ ପକ୍ଷରୁ ସ୍ପଷ୍ଟ ଜବାବ ମିଳିଲା ନାହିଁ।
ପରେ ପୁଣିଥରେ ରି-ଟେଣ୍ଡର ହେଲା। ଏଥର ଯେଉଁ ପରିଣାମ ଆସିଲା, ସେଥିରେ ଚମକ ତୁଳନାରେ ସନ୍ଦେହ ଅଧିକ ଦେଖାଗଲା।

L-1 ଓ L-2: ଏକେ ଠିକଣା, ଏକେ ପରିବାର
ରି-ଟେଣ୍ଡରରେ ‘ଆଶୀର୍ବାଦ ଫ୍ୟାବ୍ରିକେଟର୍ସ’କୁ L-1 (ସର୍ବନିମ୍ନ ଦରଦାତା) ଏବଂ ‘ଆଭିରୂପ ଷ୍ଟିଲ୍ ପ୍ରଡକ୍ଟ’କୁ L-2 ଘୋଷଣା କରାଗଲା। ପ୍ରଥମ ଦୃଷ୍ଟିରେ ଏହା ସାଧାରଣ ପ୍ରକ୍ରିୟା ମନେହେବ। କିନ୍ତୁ ଖୋଜଖବର କରିବା ପରେ ଜଣାପଡ଼ିଲା—ଦୁଇଟି ସଂସ୍ଥାର ଠିକଣା ସମାନ। ମାଲିକ ହେଉଛନ୍ତି ସ୍ୱାମୀ-ସ୍ତ୍ରୀ—ନିରଞ୍ଜନ ଲେଙ୍କା ଓ ସନ୍ଧ୍ୟା ଲେଙ୍କା।
ନିୟମ ଅନୁସାରେ, ସମାନ ଗୋଷ୍ଠୀର ସଂସ୍ଥାମାନେ ଟେଣ୍ଡରରେ ଅଂଶଗ୍ରହଣ କଲେ ଏହାକୁ “କଲୁସିଭ୍ ବିଡିଂ” କିମ୍ବା ଟେଣ୍ଡର ଫିକ୍ସିଂର ଶଙ୍କା ଭାବରେ ଦେଖାଯାଏ। ଏହାର ଉଦ୍ଦେଶ୍ୟ ହୁଏ ପ୍ରତିଯୋଗିତାର ଭ୍ରମ ସୃଷ୍ଟି କରି ନିର୍ଦ୍ଦିଷ୍ଟ ପକ୍ଷକୁ କାମ ଦେବା।
- ଏଠାରେ ପ୍ରଶ୍ନ ଉଠୁଛି—ଏହା କି ସଂଯୋଗ ମାତ୍ର? ନା ଏକ ଯୋଜନାବଦ୍ଧ ବ୍ୟବସ୍ଥା?
- ଅଧିକାରୀଙ୍କ ନିର୍ବାକତା: ସନ୍ଦେହକୁ ଆହୁରି ଗାଢ଼ କରୁଛି କି?
ଅଭିଯୋଗ ହେଉଛି, ଏହି ଦୁଇ ସଂସ୍ଥା ସମାନ ଗୋଷ୍ଠୀର ହେବା ସତ୍ତ୍ୱେ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଏହାକୁ ଅନଦେଖା କରିଛନ୍ତି। କେହି କହୁଛନ୍ତି, ମନ୍ତ୍ରୀସ୍ତରରୁ ମଧ୍ୟ ସବୁଜ ସଙ୍କେତ ମିଳିଥିଲା।
ଯଦି ଏହା ସତ୍ୟ, ତେବେ ଏହା କେବଳ ଏକ ଟେଣ୍ଡର ଅନିୟମିତତା ନୁହେଁ; ଏହା ପ୍ରଶାସନିକ ନୀତି ଓ ପ୍ରକ୍ରିୟାର ଗଭୀର ତ୍ରୁଟି।

କ୍ୟାପିଂ ବ୍ୟବସ୍ଥା ଉଠିଗଲା—ଏବେ ୫୮% କମ୍ ଦର!
ପୂର୍ବ ସରକାର ସମୟରେ ଟେଣ୍ଡରରେ ୧୪.୯%ରୁ ଅଧିକ କମ୍ ଦରରେ ବିଡ୍ ଦେବାକୁ “କ୍ୟାପିଂ” ମାଧ୍ୟମରେ ନିୟନ୍ତ୍ରଣ କରାଯାଉଥିଲା। ଏହାର ଉଦ୍ଦେଶ୍ୟ ଥିଲା—ଅତ୍ୟଧିକ କମ୍ ଦରରେ କାମ ନେଇ ପରେ ଗୁଣବତ୍ତା ହ୍ରାସ କରିବାକୁ ରୋକିବା।
ନୂତନ ସରକାର ଆସିବା ପରେ ସେହି କ୍ୟାପିଂ ବ୍ୟବସ୍ଥା ଉଠାଇ ଦିଆଗଲା। ଏବେ ଅଭିଯୋଗ ଆସୁଛି—କେହି କେହି ୫୦%ରୁ ୫୮% ପର୍ଯ୍ୟନ୍ତ କମ୍ ଦରରେ ବିଡ୍ କରୁଛନ୍ତି।
ଏଠାରେ ଏକ ମୂଳ ପ୍ରଶ୍ନ- ଯଦି ଜଣେ ଠିକାଦାର ୫୮% କମ୍ ଦରରେ କାମ ନେବେ, ସେ ଲାଭ କେଉଁଠାରୁ କରିବେ? କାମର ଗୁଣବତ୍ତା କିପରି ରହିବ? ଲୋକଙ୍କ ସୁରକ୍ଷା କେଉଁଠି?
ଅସ୍ମିତା ବନାମ ଅଫିସର ରାଜ୍
ସରକାର ଯେତେବେଳେ ଶାସନକୁ ଆସିଲା, ତା’ବେଳେ “ଓଡ଼ିଆ ଅସ୍ମିତା”ର ନାରା ଦିଆଯାଇଥିଲା। କିନ୍ତୁ ଏବେ ଓଡ଼ିଆ ଠିକାଦାରମାନେ ଅଭିଯୋଗ କରୁଛନ୍ତି—ସ୍ଥାନୀୟଙ୍କୁ ପଛକୁ ଠେଲି ବାହାର ରାଜ୍ୟର ବଡ଼ କମ୍ପାନୀଙ୍କୁ ସୁଯୋଗ ଦିଆଯାଉଛି।
ତାମିଲନାଡୁ, ହାଇଦ୍ରାବାଦ, ଗୁଜରାଟର ବଡ଼ କମ୍ପାନୀମାନେ ପ୍ରବେଶ କରୁଛନ୍ତି। ସେଥିରେ ଦୋଷ ନାହିଁ, ଯଦି ପ୍ରକ୍ରିୟା ସ୍ପଷ୍ଟ ଓ ପ୍ରତିସ୍ପର୍ଧା ନ୍ୟାୟସଂଗତ। କିନ୍ତୁ ଯଦି ସ୍ଥାନୀୟ ଠିକାଦାରମାନେ ଅନ୍ୟାୟର ଅଭିଯୋଗ କରୁଛନ୍ତି, ତେବେ ସରକାରକୁ ସ୍ପଷ୍ଟତା ଦେଖାଇବାକୁ ହେବ।

ଠିକାଦାର ସଂଘର ଆନ୍ଦୋଳନ
ତିନିଟି ଠିକାଦାର ସଂଘ ମିଳିତ ଭାବେ ଆନ୍ଦୋଳନର ଘୋଷଣା କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଦାବି କରିଛନ୍ତି। ପୁଣିଥରେ କ୍ୟାପିଂ ବ୍ୟବସ୍ଥା ଲାଗୁ କରାଯାଉ ଏବଂ ସ୍ଥାନୀୟଙ୍କୁ ସୁଯୋଗ ମିଳୁ।
ଏହା କେବଳ ଏକ ବିଭାଗୀୟ ବିବାଦ ନୁହେଁ; ଏହା ରାଜନୀତିକ ଭବିଷ୍ୟତ ସହିତ ମଧ୍ୟ ଜଡ଼ିତ।
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଆବଶ୍ୟକ?
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ପରିବାରରୁ ଆସିଥିବା ନେତା। ତାଙ୍କର ପ୍ରତିଛବି ହେଉଛି ସରଳ ଓ ସତ୍ୟନିଷ୍ଠ। ଏପରି ସମୟରେ ଯଦି ଅଫିସର ରାଜ୍ କିମ୍ବା ଅନିୟମିତତାର ଅଭିଯୋଗ ଆସୁଛି, ତେବେ ତାଙ୍କର ନିଜସ୍ୱ ହସ୍ତକ୍ଷେପ ଦରକାର।
ଯଦି ସରକାର ଏହି ଅଭିଯୋଗକୁ ଅନଦେଖା କରିଦେଉଛି, ତେବେ ଏହାର ରାଜନୀତିକ ପରିଣାମ ଆସନ୍ତା ନିର୍ବାଚନରେ ଦେଖାଯିବ।
ବିକାଶ କାଗଜରେ କି ମାଟିରେ?
ଟେଣ୍ଡର ପ୍ରକ୍ରିୟା ହେଉଛି ବିକାଶର ମୂଳ ଆଧାର। ଯଦି ଏଠାରେ ଅନିୟମିତତା ହୁଏ, ତେବେ ସଡ଼କ, ବନ୍ଧ, ପୋଲ- ସବୁ କାଗଜରେ ରହିଯିବ।
ସରକାର ପାଇଁ ଏହା ଏକ ପରୀକ୍ଷା- ଅଭିଯୋଗକୁ ଗଭୀରତାର ସହ ନେଇ ସ୍ପଷ୍ଟତା ଦେଖାଇବେ, ନା କି ନିର୍ବାକ ରହିବେ?
ଲୋକତନ୍ତ୍ରରେ ପ୍ରଶ୍ନ କରିବା ଦୁର୍ଭାବନା ନୁହେଁ; ଏହା ଉତ୍ତରଦାୟିତ୍ୱର ଆହ୍ୱାନ। ଏବେ ଦେଖିବାକୁ ହେବ- ଟେଣ୍ଡର ଫିକ୍ସିଂର ଏହି ଅଭିଯୋଗ କେବଳ ରାଜନୀତିକ ଆକ୍ରମଣ ରହିଯିବ କି, ନା ଏହାର ପୂରା ଗୁମର ଖୋଲିବ।
AlsoRead; https://purvapaksa.com/leaders-remember-biju-patnaik-on-his-birth-anniversary/


