ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହେଲା
କ୍ରମାଗତ ତୃତୀୟ ଥର ଟସ୍ ଜିତିଲା ଭାରତ
ଏଥର ରୋହିତ ନେଲେ ଫିଲ୍ଡିଂ ନିଷ୍ପତ୍ତି
ବ୍ରିସବେନରେ ଆଜି ଦିନ ତମାମ ବର୍ଷା ଲାଗି ରହିବାରୁ ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହୋଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପଥମ ଇନିଂସରେ ୨ ରନ୍ ସଂଗ୍ରହ କରିଛି। ଓପନର ଉସମାନ ଖୱାଜା ୧୯ ଓ ନାଥାନ ମ୍ୟାକସ୍ୱିନି ୪ ରନ୍ କରି ଅପରାଜିତ ରହିଛନ୍ତି।
ତୃତୀୟ ଟେଷ୍ଟରେ ଖଳନାୟକ ସାଜିଛି ବର୍ଷା। ବ୍ରିସବେନରେ ଆଜି ପ୍ରବଳ ବର୍ଷା ଯୋଗୁଁ ମାତ୍ର ୧୩.୨ ଓଭର ଖେଳ ସମ୍ଭବ ହୋଇଛି। ଆସନ୍ତା କାଲି ସହଳ ମ୍ୟାଚ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆ ଯାଇଛି। ମେଘୁଆ ପାଗ ଏବଂ ସବୁଜ ଘାସରେ ଆଚ୍ଛାଦିନ ପିଚ୍ ଦେଖି ଭାରତ ଆଜି ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପୂର୍ବ ରେକର୍ଡ ମଧ୍ୟ ଫିଲ୍ଡିଂ ନିଷ୍ପତ୍ତି ପଛର ମୁଖ୍ୟ କାରଣ ରହିଥିଲା। ଏଠାରେ ଖେଳାଯାଇଥିବା ଶେଷ ୭ଟି ଟେଷ୍ଟରୁ ପ୍ରଥମେ ଫିଲ୍ଡିଂ କରିଥିବା ଦଳ ୬ଟିରେ ବିଜୟୀ ହୋଇଛି।
ଭାରତୀୟ ଦଳର ପେସ ବାହିନୀ ପ୍ରାରମ୍ଭରୁ ଲୟ ଖୋଜି ପାଇ ନଥିଲେ। ପ୍ରଥମ ୫.୩ ଓଭରରେ ଅଷ୍ଟ୍ରେଲିଆ ୧୯ ରନ୍ ସଂଗ୍ରହ କରିଥିଲା। ଖୱାଜା ୧୩ ରନ୍ ସଂଗ୍ରହ କରିସାରିଥିଲେ। ଏତିକି ବେଳେ ବର୍ଷା ଆରମ୍ଭ ହେବାରୁ ଖଳ ସ୍ଥଗିତ ରହିଥିଲା। ଭାରତୀୟ ଦଳକୁ ପୁଣିଥରେ ସଂଗଠିତ ହେବା ପାଇଁ ସମୟ ମିଳିଯାଇଥିଲା।
ଅଧଘଣ୍ଟା ପରେ ବର୍ଷା ଛାଡ଼ିଥିଲା ଓ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା। ଏଥର ଭାରତୀୟ ବୋଲିଂ ବାହିନୀ ଲୟ ଫେରିପାଇଥିଲେ। ଶୃଙ୍ଖଳିତ ବୋଲିଂ କରି ଉଭୟ ଓପନରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ। ହର୍ଷିତ ରାଣାଙ୍କ ସ୍ଥାନରେ ଦଳକୁ ଫେରିଥିବା ଆକାଶ ଦୀପଙ୍କ ଇନ୍ ସୁଇଂକୁ ପରଖିବା ଅଷ୍ଟ୍ରଲିଆ ଓପନର ମ୍ୟାକସ୍ୱିନିଙ୍କ ପାଇଁ କଷ୍ଟକର ହୋଇଯାଇଥିଲା। ସେ ମ୍ୟାକସ୍ୱିନିଙ୍କୁ ବାରମ୍ବାର ଚକ୍ମା ଦେଇଥିଲେ। ପରବର୍ତ୍ତୀ ୭.୫ ଓଭରରେ ଭାରତୀୟ ବୋଲିଂ ବାହିନୀ ମାତ୍ର ୯ ରନ୍ ପ୍ରଦାନ କରିଥିଲା। ଏହା ପରେ ପୁନର୍ବାର ବର୍ଷା ଆରମ୍ଭ ହୋଇଥିଲା। ଆଉ ଛାଡ଼ିବାକୁ ନାଁ ଧରି ନଥିଲା। ଗାବା ଗ୍ରାଉଣ୍ଡର ଜଳ ନିଷ୍କାସନ ସୁବିଧା ବେଶ ଉନ୍ନତ ଥିବାରୁ ବର୍ଷା ଛାଡ଼ିବାର ୩୦ମିନିଟ୍ ମଧ୍ୟରେ ଖେଳ ଆରମ୍ଭ ହୋଇପାରିଥାନ୍ତା।
ଅପରାହ୍ନ ପ୍ରାୟ ୩ଟା ସମୟରେ ବର୍ଷା କମିଥିଲେ ହେଁ କିଛି ସମୟ ପରେ ପୁଣି ଫେରି ଆସିଥିଲା। ଶେଷରେ ପଡ଼ିଆ ଅମ୍ପାୟାର ଅପରାହ୍ନ ୪ଟା ୧୩ମିନିଟ୍ରେ ଷ୍ଟମ୍ପ ଘୋଷଣା କରିଥିଲେ।
ଆଜି ଭାରତ ଏକାଦଶରେ ୨ଟି ପରିବର୍ତ୍ତନ କରିଥିଲା। ଆକାଶ ଦୀପଙ୍କ ବ୍ୟତୀତ ଆର ଅଶ୍ୱିନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ପ୍ରଥମ ଥର ପାଇଁ ଏକାଦଶକୁ ଡ଼ାକରା ମିଳିଥିଲା। ଅର୍ଥାତ ପ୍ରଥମ ତିନୋଟି ଟେଷ୍ଟରେ ଭାରତ ୩ଜଣ ଭିନ୍ନ ଭିନ୍ନ ସ୍ପିନର ଖେଳାଇଛି। ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଗୋଟିଏ ପରିବର୍ତ୍ତନ ହୋଇଛି। ସ୍କଯ ବୋଲାଣ୍ଡଙ୍କ ସ୍ଥାନରେ ଜୋଶ ହେଜଲଉଡ୍ ଏକାଦଶକୁ ଫେରିଛନ୍ତି। ସେ ଆହତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି।
previous article: https://purvapaksa.com/harry-brook-has-scored-seven-centuries-in-his-first-ten-away-tests/