ତାରିଖ ନଭେମ୍ବର ୧୧, ଭୋଟ ଦେବେ ଜନତା, ନୂଆପଡ଼ା ପାଇଁ ନୂଆ ବିଧାୟକର ସନ୍ଧାନ ହେବ। କିନ୍ତୁ ପ୍ରଶ୍ନ କିଏ ବିଧାୟକ ହେବେ ? କାରଣ ସରକାରୀ ଦଳକୁ ସରକାରୀ ଅଫିସର ପଛାକୁ ଟାଣୁଛନ୍ତି । ଅର୍ଥାତ୍ ସରକାରୀ ବାବୁମାନେ ଚାହୁଁଛନ୍ତି ନୂଆପଡ଼ାରେ ବିଜେପି ହାରୁ? ଗତ କିଛିଦିନ ହେଲା ଯେଉଁ ଚର୍ଚ୍ଚା ଲାଗି ରହିଥିଲା କି ନୂଆପଡ଼ାରେ ବିଜେପି ଜିତିବ ତାହା ଏବେ କମି କମି ଆସୁଛି। ବିଜେଡି ତାର ଗଡ଼ରେ ଏବେ ଗର୍ଜ୍ଜନ କରିବା ଆରମ୍ଭ କରିଛି। ଆଉ ସେଠାରେ ବିଜେଡିକୁ ସାଥ ଦେଉଛନ୍ତି ସରକାରୀ ବାବୁମାନେ।
ନୂଆପଡ଼ାରେ ସ୍ଥିତି ଏବେ ଏମିତି ଯେ ବିଜେପି ମଝି ଦରିଆରେ ଫସି ଯାଇଛି । ଦୀର୍ଘ ୨୦ ବର୍ଷ ଧରି ଯେଉଁ ଢୋଲକିଆ ପରିବାରକୁ ବୁଥ୍ ସ୍ତରର କର୍ମୀମାନେ ବିରୋଧ କରି ଆସୁଥିଲେ। ଆଜି ଦଳର ଉପରମୁଣ୍ଡର ଡିଲ କାରଣରୁ ତାଙ୍କୁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି । ଯାହା ବିଜେପିର ତୃଣମୂଳ କର୍ମୀଙ୍କ ହଜମ ହେଉନି। ତେଣୁ ତୃଣମୂଳ ସ୍ତରର କର୍ମୀମାନେ ଜୟ ଢୋଲକିଆଙ୍କୁ ବିରୋଧ କରୁନଥିଲେ ମଧ୍ୟ ସମର୍ଥନରେ ବାହାରି ପ୍ରଚାର କରୁନାହାନ୍ତି। ଯାହାକି ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଅନ୍ୟପକ୍ଷରେ ବସନ୍ତ ପଣ୍ଡା ଏବଂ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା କର୍ମୀମାନଙ୍କୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ସେମାନେ ମାନିବାକୁ ନାରାଜ। ତୃଣମୁଳ ସ୍ତରରେ କର୍ମୀ ଜୟ ଢୋଲକିଆଙ୍କୁ ମାନିବାକୁ ନାରାଜ। ହଁ ଯଦି ଏମିତି ହୋଇଥାନ୍ତା କି ଜୟଙ୍କ ପଞ୍ଚାୟତ ସ୍ତରୀୟ ସଂଗଠନ ଭଲ ଥାଆନ୍ତା ତାହେଲେ ବିଜେପିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁନଥାନ୍ତା। ବାପାଙ୍କ ନାଁରେ ଯେଉଁ ସଂଗଠନ ଥିଲା ତାହା ବିଜେଡିରେ ରହିଗଲା। ବିଜେପି ଯେଉଁ ଆଶା କରିଥିଲା ଜୟଙ୍କୁ ଆଣି ନୂଆପଡ଼ାରେ ବିଜେଡି ଗଡ଼କୁ ଦୋହଲାଇ ଦେବ ତାହା ସମ୍ଭବ ହୋଇପାରୁ ନାହିଁ। ବିଜେଡି ସଂଗଠନ ଅଳ୍ପ କେଇଜଣଙ୍କୁ ଛାଡ଼ି ହେଲେ ଆଉ କେହି ବିଜେପିକୁ ଆସିଲେ ନାହିଁ। ଯାହା ଫଳରେ ଏବେ ଜୟଙ୍କ ପାଇଁ ପଞ୍ଚାୟତରେ ପଶିବା ଲାଗି କେବଳ ଅଭିନନ୍ଦନ କି ବସନ୍ତ ସାହାରା। ବିଜେପିର ସଂଗଠନ ଭିତରେ ପଶି ବିଜେପି କର୍ମୀମାନଙ୍କୁ ଆପଣାଇବା ଏତେବି ସହଜ କଥା ନୁହେଁ । ସେ ପୁଣି ତାଙ୍କ ନେତାଙ୍କ ଉପସ୍ଥିତିରେ ।
ବିଜେପି ସିନା ଜୟଙ୍କୁ ନେଇଆସିଲା କିନ୍ତୁ ବିଜେଡି ପାଇଁ ବିଜୟର ରାସ୍ତା ଖୋଲିଦେଲା । ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କଲା ପରେ ଜିଲ୍ଲା ବାହାରର ନେତ୍ରୀ ବୋଲି ଯେଉଁ ନେରେଟିଭ ଖେଳାଯାଉଥିଲା ତାହା ଏବେ ନୂଆପଡ଼ାରେ ଫେଲ ମାରିଲାଣି । ଧିରେ ଧିରେ ସ୍ନେହାଙ୍ଗିନୀଙ୍କୁ ବିଜେଡିର ପଞ୍ଚାୟତ ସ୍ତରୀୟନେତା କର୍ମ୍ମୀ ଆପଣାଇଲେଣି, ଆଉ ତାଙ୍କ ବିଜୟ ପାଇଁ ଦିନରାତି ଏକ କରି ପରିଶ୍ରମ କରିବା ଆରମ୍ଭ କଲେଣି ।
ଖାଲି ସେତିକି ନୁହେଁ ନୂଆପଡ଼ାରେ ଅଫିସରମାନେ ଏବେ ବିଜେଡି ପାଇଁ କାମ କରିବା ସହିତ ବିଜେପି ବିରୋଧରେ ପ୍ରଚାର ଆରମ୍ଭ କଲେଣି ବୋଲି ଚର୍ଚ୍ଚା ହେଲାଣି। ଯେଉଁ ଅଫିସରମାନଙ୍କୁ ବିଜେପି ସରକାର ଗତ ଦେଢ଼ବର୍ଷ ହେଲା ମୁଣ୍ଡରେ ମୁଣ୍ଡାଇ ବୁଲୁଛି, ଯେଉଁ ଅଫିସରମାନଙ୍କ ପାଇଁ ତାଙ୍କ ଦଳର ନେତାଙ୍କୁ ଜେଲ ପଠାଇଥିଲେ ସେହିମାନେ ହିଁ ଏବେ ମୋହନ ସରାକରାଙ୍କ ପରାଜୟ ପାଇଁ ରୋଡ ମ୍ୟାପ ଧରି ବୁଲୁଛନ୍ତି । ଏଭଳି ଅଫିସରଙ୍କ ହାତରେ ଏବେ ଦୁଇଟି ରୋଡ ମ୍ୟାପ ରହିଛି। ସରକାରଙ୍କୁ ଦେଖାଇବା ପାଇଁ ବିଜୟର ରୋଡ ମ୍ୟାପ । ଆଉ ଫିଲ୍ଡ ପାଇଁ ଅର୍ଥାତ୍ କାର୍ଯ୍ୟକାରୀ କରିବା ପାଇଁ ପରାଜୟର ରୋଡ ମ୍ୟାପ । ଏଠି ବିଜେପି ନେତା ମନ୍ତ୍ରୀଙ୍କୁ ଖାଲି ଯାହା ବିଜୟ ରୋଡ ମ୍ୟାପକୁ ଦେଖାଯାଉଛି । କିନ୍ତୁ କାର୍ଯ୍ୟକାରୀ ହେଉଛି ବିଜେଡି ବିଜୟର ରୋଡମ୍ୟାପ।
ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନୂଆପଡ଼ାରେ ବର୍ତ୍ତମାନ ସ୍ଥିତି ଯାହା ଲାଗୁଛି ରାଜ୍ୟରେ ବିଜେପି ସରକାର ନୁହେଁ ବିଜେଡି ସରକାର ଚାଲିଛି ଆଉ ଏ ଅଫିସରମାନେ ବିଜୁ ଜନତା ଦଳକୁ ଜିତାଇବା ପାଇଁ ଲାଗି ପଡ଼ିଛନ୍ତି । ସିଧାସିଧା କହିବାକୁ ଗଲେ ଗତ ନିର୍ବାଚନରେ ଅପିସରମାନେ ଯେଉଁ ଭଳି ବିଜେଡି ପାଇଁ କାମ କରୁଥିଲେ ଏ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି। ଫରକ ଆପଣ ବୁଝିପାରୁଥିବେ। ବେଶୀ ଆଉ ଆମର କହିବାର ଆବଶ୍ୟକ ନାହିଁ।
ଯଦି ସରକାରୀ ଦଳ ବିଜେପି ଏବେଠାରୁ ସରକାରୀ କଳ ଅର୍ଥାତ୍ ବିଜେଡିର ଗୋଡ଼ାଣିଆ ଅଫିସରମାନଙ୍କ ଉପରେ ଏବେଠାରୁ ଲଗାମ୍ ନ ଲଗାଏ ତେବେ ଖୁବ୍ ଶୀଘ୍ର ମାଟି କାମୁଡ଼ିବା ସହିତ ମୋହନ ସରକାର ବଦ୍ନାମ ହେବ। ଏଥିରେ ବିଜେପିରେ ଥିବା ମୋହନ-ମନମୋହନଙ୍କ ବିରୋଧୀ ତଥା ବିଜେଡି ସମର୍ଥକ ନେତାମାନେ ଖୁସି ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଗକୁ କ’ଣ ହେବ ସେଥିପାଇଁ ଆମକୁ କେବଳ ଭୋଟ୍ ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।
also read https://purvapaksa.com/will-the-coming-winter-be-the-decades-coldest-yet/
Will the coming winter be the decade’s coldest yet? ।। ଆଗାମୀ ଶୀତ ଦଶନ୍ଧିର ସବୁଠାରୁ ଥଣ୍ଡା ହେବ କି?
