- ଓଡ଼ିଶା ସବୁଜ ଶକ୍ତିର ଭବିଷ୍ୟତ ସଂରକ୍ଷଣ ଓ ଅକ୍ଷୟ ଶକ୍ତିର ଆକାଂକ୍ଷା ପୂରଣ କରିବା: ସିଂହଦେଓ
- ଅର୍ଥନୈତିକ ଅଭିବୃଦ୍ଧି କଫିଟେବୁଲ ବହି ଉନ୍ମୋଚିତ
ଭାରତର ବୃହତ ପୁଞ୍ଜିନିବେଶ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦ୍ୱିତୀୟ ଦିନରେ ବିକଶିତ ଓଡ଼ିଶା ପାଇଁ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ପାଇଁ ଉପକରଣ ଉତ୍ପାଦନ ନିମନ୍ତେ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟବସ୍ତୁକୁ ନେଇ ଅଧିବେଶନ ଆୟୋଜିତ ହୋଇଯାଇଛି । ଅଧିବେଶନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିବା ବେଳେ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ନିବେଶକ, ଛାତ୍ରଛାତ୍ରୀଙ୍କ ସମେତ ୩ଶହରୁ ଅଧିକ ଅଂଶଗ୍ରହଣ କରିଥିଲେ । ଓଡ଼ିଶାର ସବୁଜ ଶକ୍ତିର ଭବିଷ୍ୟତକୁ ସଂରକ୍ଷିତ କରିବା ଏବଂ ଅକ୍ଷୟ ଶକ୍ତିର ଆକାଂକ୍ଷାକୁ ପୂରଣ କରିବା ଦିଗରେ ରାଜ୍ୟ ସରକାର ନିବେଶକମାନଙ୍କୁ ଆହ୍ୱାନ କରୁଛନ୍ତି ।
ବିକଶିତ ଓଡ଼ିଶା ୨୦୪୭ର ଦୃଷ୍ଟିକୋଣକୁ ଆଧାର କରି ଓଡ଼ିଶା ରାଜ୍ୟ ଶକ୍ତି କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ଏବଂ ଭବିଷ୍ୟତ ଚିନ୍ତାଧାରର ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପରିବେଶ ସନ୍ତୁଳନକୁ ବଜାୟ ରଖି ଉଦ୍ୟୋଗର ବିକାଶ କରିବା ଦିଗରେ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଏହି ସମ୍ମିଳନୀର ଆୟୋଜନ ଦ୍ୱାରା ଶକ୍ତି କ୍ଷେତ୍ର ନିମନ୍ତେ ବିଶ୍ୱର ଅଗ୍ରଣୀ ଶିଳ୍ପପତିମାନେ ୪.୩୩ ଲକ୍ଷ କୋଟି ଟଙ୍କା ନିବେଶ କରିବା ନେଇ ଇଚ୍ଛାପ୍ରକାଶ କରିଛନ୍ତି ।
ଅକ୍ଷୟ ଶକ୍ତିକୁ ନେଇ ଦୁଇଟି ଅଧିବେଶନର ଆୟୋଜନ କରାଯାଇଥିଲା । ପ୍ରଥମ ଅଧିବେଶନରେ ଇମାଦ ଫାଖୋରେ ଆଞ୍ଚଳିକ ନିର୍ଦ୍ଦେଶକ ଆଇଏଫସି (International Finance Corporation), ସମୀର ସକ୍ସେନା ଉପାଧ୍ୟକ୍ଷ ଗ୍ରୀନ ହାଇଡ୍ରୋଜେନ୍ ଆଣ୍ଡ ନିୟୁ ବିଜନେସ୍ ଡେଭଲପମେଣ୍ଟ, ରିନିୟୁ, ରମେଶ କୁମାର କୁରୁପ୍ପାଥ, ମୁଖ୍ୟ ଆଇଏସଏ (International Solar Alliance ), ସାନିଲ୍ ନମ୍ବୋଦିରିପଦ ଏମଡି ଓଟିପିସି, କପିଲ ମାହେଶ୍ୱରୀ ସିଇଓ ୱେଲସ୍ପୁନ୍ ନିୟୁ ଏନର୍ଜି, ଡିଏମଆର୍ ପଣ୍ଡା ମୁଖ୍ୟ ପରିଚାଳକ ଏନଟିପିସି ଉପସ୍ଥିତ ରହି ଅକ୍ଷୟ ଶକ୍ତି ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରାଯାଇ ପାରିବ ସେ ନେଇ ଆଲୋଚନା କରିଛନ୍ତି ।
ଦ୍ୱିତୀୟ ଅଧିବେଶନରେ ମୋଜାମ ମେକାନ ହବ୍ ଲିଡର୍ ଆଇଏଫସି, ପ୍ରଦୀପ କୁମାର ଦାସ ସିଏମଡି ଆଇଆରଇଡିଏ, ସନ୍ତୋଷ ଖରିନାର ଅଧ୍ୟକ୍ଷ ଆଇନକ୍ସ ୱିଣ୍ଡ, ପ୍ରଶାନ୍ତ ଚୌବେ ଅଧ୍ୟକ୍ଷ ଏଭିଏଏଡିଏ ଉପସ୍ଥିତ ରହି ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଓ ସରଞ୍ଜାମର ବିକାଶ କରିବା ସହ ଏକ ଅଭିବୃଦ୍ଧିର ଇକୋସିଷ୍ଟମ ପ୍ରସ୍ତୁତ କରିବା ପାଇଁ ଆଲୋଚନା କରାଯାଇଛି । ଏଥିସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସ୍ୱାଗତ ଅଭିଭାଷଣ ରଖିଥିଲେ ।
ବୁଧବାର ମୋଟ୍ ୧.୨୪ ଲକ୍ଷ କୋଟି ଟଙ୍କା ନିବେଶରେ ଫ୍ଲୋଟିଂ ସୋଲାର୍, ଗ୍ରାଉଣ୍ଡ ମାଉଣ୍ଟେଡ୍ ସୋଲାର୍, ପିଏସି, ୱିଣ୍ଡା ଆଣ୍ଡ ଥର୍ମାଲ ପ୍ରକଳ୍ପ ନିମନ୍ତେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (MCL) ସହ ଚୁକ୍ତିନାମା ସ୍ୱାକ୍ଷର, ସୋଲାର୍ ଏବଂ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଏନଏଲସି (NLC) ସହ ଚୁକ୍ତିନାମା ସ୍ୱାକ୍ଷର, ସୋଲାର୍, ୱିଣ୍ଡ, ହାଇବ୍ରିଡ୍, ଶକ୍ତି ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଆଇଓସିଏଲ୍ (IOCL) ସହ ଚୁକ୍ତି ସ୍ୱାକ୍ଷର, ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ ପ୍ରକଳ୍ପ, ସୋଲାର୍ ଆଣ୍ଡ ୱିଣ୍ଡ ପ୍ରକଳ୍ପ ପାଇଁ ଏନଜିସି (NGC) ସହ ରାଜିନାମା ସ୍ୱାକ୍ଷର, ସୋଲାର୍ ଆଣ୍ଡ ୱିଣ୍ଡ ହାଇବ୍ରିଡ୍ ପ୍ରକଳ୍ପ ପାଇଁ ଆରଇସି-ପିଡିସିଏଲ୍ (REC-PDCL) ସହ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ବେଳେ ସିବିଜି (Compressed Bio-gas) ପ୍ରକଳ୍ପ ପାଇଁ ଏଚପିସିଏଲ୍ (HPCL) ସହ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି । ଏଥିସହିତ ଓଡ଼ିଶା ଶକ୍ତି କ୍ଷେତ୍ର- ଭବିଷ୍ୟତ ନିବେଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କଫି ଟେବୁଲ ବହି ଉନ୍ମୋଚିତ ହୋଇଛି ।
previous article:https://purvapaksa.com/mudra-from-subhadra-women-will-be-entrepreneurs/
