ଜାତୀୟ ସଂଗୀତର ୧୫୦ତମ ବାର୍ଷିକୀ ପାଳନ ଅବସରର ଏକ ଅଂଶ ସ୍ୱରୂପ ନଭେମ୍ବର ୭ ତାରିଖରେ ‘ବନ୍ଦେ ମାତରମ୍’ ଗାଇବା ପାଇଁ ଓଡ଼ିଶା ସରକାର ରାଜ୍ୟର ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ସ୍କୁଲ, ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଜାରି କରାଯାଇଛି, ଯେଉଁଥିରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ନଭେମ୍ବର ୭ ତାରିଖରେ ସେମାନଙ୍କ କ୍ୟାମ୍ପସ ଭିତରେ ବନ୍ଦେ ମାତରମ୍ ଗାଇବା ପାଇଁ ଆୟୋଜନ କରିବାକୁ ଅନୁରୋଧ କରାଯାଇଛି।

ଉଲ୍ଲେଖନୀୟ ଯେ, କେନ୍ଦ୍ର କ୍ୟାବିନେଟ୍ ଅକ୍ଟୋବର ୧ ତାରିଖରେ ବନ୍ଦେ ମାତରମ୍ ର ୧୫୦ ବର୍ଷ ପାଳନ ପାଇଁ ଦେଶବ୍ୟାପୀ ଉତ୍ସବ ପାଳନ କରିବାକୁ ଅନୁମୋଦନ କରିଥିଲା।ଯାହାଦ୍ୱାରା ନାଗରିକମାନେ, ବିଶେଷକରି ଛାତ୍ର ଏବଂ ଯୁବପିଢ଼ିଙ୍କୁ ବନ୍ଦେ ମାତରମ୍ ର ମୂଳ ଦେଶାତ୍ମବୋଧ ଏବଂ କ୍ରାନ୍ତିକାରୀ ସାର ସହିତ ଯୋଡା ଯାଇପାରିବ। ଏହି ଉତ୍ସବଗୁଡ଼ିକ ଜାତୀୟ ଗୀତର କାଳଜୟୀ ବାର୍ତ୍ତାକୁ ସମ୍ମାନ ଜଣାଇବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାର ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଚେଷ୍ଟା କରାଯାଇଛି।
୧୮୭୦ ଦଶକରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ସଂସ୍କୃତ ଭାଷାରେ ରଚିତ, ବନ୍ଦେ ମାତରମ୍ ପ୍ରଥମ ଥର ପାଇଁ ୧୮୮୨ ମସିହାରେ ତାଙ୍କର ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଆନନ୍ଦମଠ’ରେ ପ୍ରକାଶିତ ହୋଇଥିଲା। ଏହାର ଶୀର୍ଷକ ଅର୍ଥ ହେଉଛି “ମା’ ମୁଁ ତୁମକୁ ପ୍ରଣାମ କରୁଛି, ମାତୃଭୂମିର ବନ୍ଦନା କରୁଛି।”
ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଗୀତଟି ୧୮୯୬ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନରେ ରବୀନ୍ଦ୍ରନାଥ ଟାଗୋର ପ୍ରଥମେ ଗାଇଥିଲେ, ଯାହା ଲୋକପ୍ରିୟତା ହାସଲ କରିଥିଲା। ୧୯୦୫ ସୁଦ୍ଧା, ଏହା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଏକ ଶକ୍ତିଶାଳୀ ମାର୍ଚ୍ଚ ଗୀତ ପାଲଟିଥିଲା।


