ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକା ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨ ରୁ ୩ ଦିନ ଯାଏଁ ଏହା ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରଯାଇଛି। ଆଇଏମଡି ଅନେକ ଜିଲ୍ଲା ପାଇଁ ରେଡ଼୍, ଅରେଞ୍ଜ ଏବଂ ଏଲୋ ୱାର୍ଣ୍ଣିଂ ଜାରି କରିଛି, ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ଝଡ଼ ପବନର ସତର୍କତା ଜାରି କରଯାଇଛି।
ଏହା ପ୍ରଭାବରେ ସୋମବାର ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥି ପାଇଁ କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଢେଙ୍କାନାଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ବିଶେଷକରି ବନ୍ୟାପ୍ରବଣ ଏବଂ ତଳିଆ ଅଞ୍ଚଳରେ, ଏବଂ ସମ୍ଭାବ୍ୟ ପାଗ ସମ୍ବନ୍ଧୀୟ ବାଧା ପାଇଁ ଜରୁରୀକାଳୀନ ସେବା ପ୍ରସ୍ତୁତ ରଖିବାକୁ ସତର୍କ କରାଇଛି।
ଆଇଏମଡି ତଥ୍ୟ ଅନୁଯାୟୀ, ଲଘୁ ଚାପ କାରଣରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ ହୋଇଥିବା ବେଳେ, ୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୦ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲା, ୧୧ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ୟେଲେ। ୱାର୍ଣ୍ଣିଂ ଜାରି ହୋଇଛି ।
ଶନିବାର ଠାରୁ ଲଗାତାର ବର୍ଷା ଯୋଗୁଁ ଅନେକ ଜିଲ୍ଲା, ବିଶେଷକରି ପଶ୍ଚିମ ଓଡ଼ିଶାରେ, ଜଳବନ୍ଦୀ ଅବସ୍ଥାରେ ରହିଛି। ପରିବହନ ବାଧାପ୍ରାପ୍ତ ହେବା ସହ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି ଏବଂ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ବରରେ ସ୍ଥିତି ସଙ୍ଗିନ ରହିଥିବା ବୈତରଣୀ ନଦୀ ଫୁଲୁଛି । ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ଜଳସ୍ତର ।ସେପଟେ ହୀରାକୁଦର ୨୦ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ।
ରବିବାର ସକାଳରୁ ସଂଧ୍ୟା ଭିତରେ ବାରିପଦାରେ ସର୍ବାଧିକ ୯୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାଲେଶ୍ୱରରେ ୬୭ ମିଲିମିଟର, ପାରାଦୀପରେ ୨୦.୨, ବଲାଙ୍ଗୀରରେ ୧୧.୫, ଢେଙ୍କାନାଳରେ ୧୨, ନୂଆପଡ଼ାରେ ୧୦.୨, ଟିଟିଲାଗଡ଼ରେ ୧୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର, ପୁରୀରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ା ଦେଓଗାଁରେ ୩୦୬ ମିମି, ସମ୍ବଲପୁର ବାମରାରେ ୨୮୫.୪, ଝାରସୁଗୁଡ଼ା ଲଇକେରାରେ ୨୭୦.୪, କୋଲାବିରାରେ ୨୩୩, ସୁନ୍ଦରଗଡ଼ରେ ୨୦୭.୮, କେନ୍ଦୁଝର ବାଂଶପାଳରେ ୧୭୯.୯, ସୁନ୍ଦରଗଡ଼ ହେମଗିରିରେ ୧୭୬ ଓ କେନ୍ଦୁଝର ତେଲକୋଇରେ ୧୦୬ ମିମି ବର୍ଷା ରେକର୍ଡ ହୋଇଛି।
Also read https://purvapaksa.com/who-will-be-the-next-bjp-president/
Who will be the next BJP president? ।। କିଏ ହେବେ ପରବର୍ତ୍ତୀ ବିଜେପି ଅଧ୍ୟକ୍ଷ?
