ପର୍ଯ୍ୟଟନ ନିବେଶ ଦୃଷ୍ଟିରୁ ଓଡ଼ିଶା ଅତ୍ୟନ୍ତ ଅନୁକୂଳ; କେଭି
ପୂର୍ବ ଭାରତର ପ୍ରବେଶ ପଥ ଭାବେ ପରିଚିତ ଓଡ଼ିଶା ପ୍ରାକୃତିକ ସମ୍ପଦର ଗନ୍ତାଘର । ୪୮୦ କିଲୋମିଟର ବିସ୍ତୀର୍ଣ୍ଣ ବେଳାଭୂମି, ପରିବ୍ୟାପ୍ତ ନଦୀ, ପରିପୂର୍ଣ୍ଣ ଖଣିଜ ସମ୍ପଦ, ହଜାର ହଜାର ଏକର ଅରଣ୍ୟ ହେଉଛି ଓଡ଼ିଶାର ଶକ୍ତି । ଏଥିସହ ଏଠାରେ କୁଶଳୀ ଓ ଦକ୍ଷ ମାନବ ସମ୍ବଳ ଉପଲବ୍ଧ । ଏସବୁକୁ ଦେଖିଲେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପର୍ଯ୍ୟଟନ ଓ ନିବେଶ ଦୃଷ୍ଟିରୁ ଓଡ଼ିଶା ନିବେଶକଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରବାସୀ ଭାରତୀୟ ଦିବସରେ ଅନୁଷ୍ଠିତ “ଅପାର ସମ୍ଭାବନାର ଭୂମି ଆମ ଓଡ଼ିଶା” ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ କରିଥିଲେ । କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଦେଶ ବିଦେଶ ସହ ବିମାନ ସଂଯୋଗୀକରଣକୁ ଅଧିକ ଉନ୍ନତ କରିପାରିଲେ ଓଡ଼ିଶାର ଅର୍ଥନୀତି ସୁଦୃଢ ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଥିଲେ। ଐତିହ୍ୟ ପର୍ଯ୍ୟଟନ ଓ ବନ୍ୟପ୍ରାଣୀ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେବା ସହ ବୌଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକୁ ବିକଶିତ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ।
ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଅନୁ ଗର୍ଗ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଦିଗରେ ଥିବା ବିଭିନ୍ନ ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ଅଧିକ ବନ୍ଦର, ବିମାନ ବନ୍ଦର, ଭିତ୍ତିଭୂମିର ବିକାଶ, ଶିଳ୍ପ ଅଭିବୃଦ୍ଧି, ମହିଳା ସଶକ୍ତୀକରଣ, ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଙ୍ଗକୁ ସାମାଜିକ-ଅର୍ଥନୈତିକ ସମାନତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ନିମ୍ନ ଆୟକାରୀ ରାଜ୍ୟ ବର୍ଗରୁ ଉନ୍ନୀତ ହୋଇ ମଧ୍ୟମ ବର୍ଗରେ ଅନ୍ତର୍ଭୁକ୍ତ ହୋଇଥିବା ଦର୍ଶାଇ ସେ ଆଗାମୀ ଦିନରେ ରାଜ୍ୟକୁ ଉଚ୍ଚ ଆୟକାରୀ ରାଜ୍ୟ ବର୍ଗରେ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ। ଅଭିନବ ବିନ୍ଦ୍ରା ଫାଉଣ୍ଡେସନର ପ୍ରତିଷ୍ଠାତା ପଦ୍ମଭୂଷଣ ଅଭିନବ ବିନ୍ଦ୍ରା ଓଡ଼ିଶାର ବିକାଶରେ କ୍ରୀଡାର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ର (ଓଡ଼ିଶା) ମୁଖ୍ୟ ଦକ୍ଷତା ଅଧିକାରୀ ବ୍ରୁନ୍ସ ପୋହ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପି. ଏଲ. ହରନାଧ, ଇଣ୍ଡିଆନ କାଉନ୍ସିଲ ଫର ରିସର୍ଚ୍ଚ ଅନ ଇଣ୍ଟରନେସନାଲ ଇକୋନୋମିକ ରିଲେସନ୍ସ (ଆଇସିଆରଆଇଇଆର)ର ନିରଦ୍ଦେଶକ ଡଃ ଦୀପକ ମିଶ୍ର, ଭାରତ ବାୟୋଟେକର ମୁଖ୍ୟ ଉନ୍ନୟନ ଅଧିକାରୀ ଡଃ ରାଚେସ ଏଲା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ସେହିପରି ଓଡ଼ିଶାର କଳା, ସଂସ୍କୃତି, ଇତିହାସ ଏବଂ ପରମ୍ପରା କାଳଜୟୀ ହୋଇଥିବାବେଳେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଭରପୁର ଆମ ରାଜ୍ୟର ଲୋକକଳା, ଶାସ୍ତ୍ରୀୟ ନୃତ୍ୟ, ଲୋକନୃତ୍ୟ, ସଂଗୀତ ଓ ଖାଦ୍ୟ ପରମ୍ପରାର ସ୍ଵାତନ୍ତ୍ର୍ୟ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତ । ଓଡିଶାକୁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କରାଇବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀର ପ୍ରଥମ ଦିନ ‘ଓଡ଼ିଶାର ଶ୍ରେଷ୍ଠ ସୁରକ୍ଷିତ ରହସ୍ୟର ଉନ୍ମୋଚନ’ ପ୍ରସଙ୍ଗ ଉପରେ ଆୟୋଜିତ ଅଧିବେଶନରେ ଶ୍ରୀମତୀ ପରିଡା ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ଭାବନଗୁଡିକ ଉପରେ ଆଲୋକପାତ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଉପଲକ୍ଷେ ଓଡିଶାକୁ ଦେଶ ଓ ବିଦେଶରୁ ଆସିଥିବା ଅତିଥିମାନେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବେ, ଫଳରେ ସେମାନେ ଆମର କଳା, ସଂସ୍କୃତି ଓ ପରମ୍ପରା ସମ୍ବନ୍ଧରେ ଅବଗତ ହୋଇପାରିବେ । ଆମ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷିତ କରିବା ସହିତ ଲୋକକଳା ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଏବଂ ଇକୋ-ରିଟ୍ରିଟଗୁଡିକର ବହୁଳ ପ୍ରଚାର ଓ ପ୍ରସାର କରିବା ଦିଗରେ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି ଏବଂ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଓଡ଼ିଶାର ମହିଳାମାନଙ୍କର ଅଗ୍ରଣୀ ଭୂମିକା ରହିବ ବୋଲି ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ।
ଆଲୋଚନାରେ ଭାରତର ଜି-୨୦ ଶେରପା ଅମିତାଭ କାନ୍ତ, ବିଶିଷ୍ଟ ସେଫ୍ ସଂଜୀବ କପୁର, ଲଲିତ ସୁରୀ ହସପିଟାଲିଟି ଗ୍ରୁପର ସିଏମଡ଼ି ଜ୍ୟୋତ୍ସ୍ନା ସୁରୀ, ୱେଡ଼ିଙ୍ଗ ଲାଇନର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଏମ. ଡ଼ି ଚେତନ ବୋହରା, ଓଡ଼ିଶା ପର୍ଯ୍ୟଟନର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଅଭୟାରଣ୍ୟ, ଅରଣ୍ୟ ସମ୍ପଦ, ବନ୍ୟପ୍ରାଣୀ ସମ୍ପଦ ଓ ଖାଦ୍ୟ ସଂସ୍କୃତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପାରମ୍ପରିକ ଖାଦ୍ୟକୁ ନେଇ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତି ବାବଦରେ ମଧ୍ୟ ମତବିନିମୟ ହୋଇଥିଲା ।ବେଲଗାଡ଼ିଆ ପ୍ୟାଲେସର ନିର୍ଦ୍ଦେଶକ ଅକ୍ସିତା ଏମ ଭଞ୍ଜଦେଓ କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
previous article:https://purvapaksa.com/the-indian-diaspora-is-our-cultural-ambassador/
