ଆଜି ଓଡ଼ିଶା ରାଜନୀତି ପାଇଁ ବେଶ୍ ସ୍ମରଣୀୟ ଦିନଟିଏ। କାରଣ ଦୁଇଜଣ ରାଜନେତାଙ୍କ ପାଇଁ ଆଜି ରାଜ୍ୟ ରାଜଧାନୀ ଚଳଚଞ୍ଚଳ। ଏହି ଦୁଇଜଣ ନେତାଙ୍କ ପାଇଁ ସେମାନଙ୍କ ଦଳର ଛାମୁଆ ନେତା, କର୍ମୀ ଏୟାରପୋର୍ଟରେ ଗଦା ହୋଇଛନ୍ତି। ଏହି କର୍ମୀମାନେ ଜଣ ନେତା ରାଜ୍ୟ ବାହାରକୁ ଯାଉଥିବାରୁ ତାଙ୍କୁ ଶୁଭକାମନା ଜଣାଇବେ, ଆଉ ଜଣକୁ ରାଜ୍ୟକୁ ଆସୁଥିବାରୁ ସ୍ୱାଗତ ଜଣାଇବେ। ଏହି ଦୁଇଜଣ ନେତା ହେଲେ ବିଜେଡି ସଭାପତି ତଥା ରାଜ୍ୟର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ଓ ଦେଶକୁ ଶକ୍ତିଶାଳୀ କରିବା ପାଇଁ ପଣ କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଥମେ ବିଜେଡି ସଭାପତି ନବୀନଙ୍କ କଥା। ରାଜ୍ୟରେ ତାଙ୍କ ଚେଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଦ୍ୱାରା ରୂପାନ୍ତରିତ ହୋଇଥିବା ବିଶ୍ୱସ୍ତରୀୟ ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଜର ଚିକିତ୍ସା ନ କରାଇ ମୁମ୍ବାଇର ଲୀଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କର ଶୁଭକାମନା କରି ଦଳର ବରିଷ୍ଠ ନେତା, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ସମିତିସଭ୍ୟ, ବ୍ଳକ ଚେୟାରମ୍ୟାନ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ସରପଞ୍ଚ, ୱାର୍ଡ ମେମ୍ବରମାନେ ସକାଳ ୮ଟାରେ ବିଜୁପଟ୍ଟନାୟକ ଏୟାରପୋର୍ଟରେ ଏକତ୍ରିତ ହୋଇଥିଲେ। ବିଜେଡି ନେତାମାନଙ୍କର ହାବଭାବରୁ ଯେପରି ଜଣାପଡ଼ୁଥିଲା ଯେପରି ନବୀନ ସବୁଦିନ ପାଇଁ ରାଜ୍ୟ ଛାଡ଼ି ଚାଲିଯାଉଛନ୍ତି। ଆଉ ସେ ବିଜେଡି ରାଜନୀତିରେ ମୁଣ୍ଡ ପୁରାଇବେ ନାହିଁ। କିନ୍ତୁ ବାସ୍ତବତା କ’ଣ ଖୁବ୍ ଶୀଘ୍ର ଜଣାପଡ଼ିଯିବ।
ଏହାରି ଭିତରେ ଆଉ ଜଣେ ନେତାଙ୍କୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟର କୋଣଅନୁକୋଣରୁ କର୍ମୀମାନେ ଏୟାରପୋର୍ଟରେ ଏକତ୍ରିତ ହୋଇଛନ୍ତି। ଏହି ନେତା ହେଲେ ଭାରତର ଯୁଗପୁରୁଷ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କୁ ଜୋରଦାର ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ, କେନ୍ଦ୍ରମନ୍ତ୍ରୀ ତଥା ସରକାରୀ ଦଳର ସଦସ୍ୟ ଓ କଳର ବରିଷ୍ଠ ଅଧିକାରୀମାନେ ଏୟାରପୋର୍ଟରେ ଏକତ୍ରିତ ହୋଇଛନ୍ତି। ଏହି ନେତା ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏୟାରପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ପାଛୋଟି ଆଣିବେ।
ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ ସମାରୋହରେ ଉଦବୋଧନ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସରକାରଙ୍କର ଅନେକ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ।
ପ୍ରଧାନମନ୍ତ୍ରୀ ୨୦୩୬ ଏବଂ ୨୦୪୭ ପାଇଁ ବିକଶିତ ଓଡ଼ିଶାର ଏକ ଭିଜନ ଡକୁମେଣ୍ଟ ଉନ୍ମୋଚନ କରିବେ। ଭବିଷ୍ୟତ ପାଇଁ ସାମଗ୍ରିକ ବିକାଶର ଏକ ରୋଡମ୍ୟାପ ଭାବରେ ଏହି ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ୨୦୩୬ରେ ସ୍ବତନ୍ତ୍ର ଓଡ଼ିଶା ଗଠନକୁ ୧୦୦ ବର୍ଷ ପୁରୁଛି ଏବଂ ୨୦୪୭ରେ ସ୍ୱାଧୀନ ଭାରତବର୍ଷକୁ ୧୦୦ ବର୍ଷ ପୂରୁଛି। ସେଥିଲାଗି ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି।
ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୮ ହଜାର ୬ଶହ କୋଟି ଟଙ୍କାର ପ୍ରକଳ୍ପ ଦେବେ । କିଛି ପ୍ରକଳ୍ପର ଶିଳାନ୍ୟାସ କରାଯିବ ଓ ଆଉ କିଛି ପ୍ରକଳ୍ପର ଉଦଘାଟନ ହେବ। ପାନୀୟ ଜଳ ଯୋଗାଣ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମ୍ୟ ରାସ୍ତା ଓ ସେତୁ, ଜାତୀୟ ରାଜପଥ ସଂପ୍ରସାରଣ ଏବଂ ନୂଆ ରେଳପଥର ଏହିସବୁ ପ୍ରକଳ୍ପ ପ୍ରଧାନମନ୍ତ୍ରୀଙ୍କ ହାତରେ ଲୋକାର୍ପିତ ହେବ।
ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନ ଜଣାଇ ରାଜ୍ୟ ସରକାର ଆରମ୍ଭ କରୁଥିବା ନୂଆ ଯୋଜନା ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହିଥିବା ବରପୁତ୍ରମାନଙ୍କ ଗାଁକୁ ବିକଶିତ କରାଯିବ। ସେମାନଙ୍କ ସ୍ମୃତିରେ ମ୍ୟୁଜିୟମ ପ୍ରତିଷ୍ଠା, ଅଭ୍ୟର୍ଥନା ଗୃହ, ପ୍ରତିମୂର୍ତ୍ତି ପ୍ରତିଷ୍ଠା, ପାଠାଗାର ଓ ଅନ୍ୟାନ୍ୟ ସୁବିଧା ସେହି ଗାଁରେ ଏହି ଯୋଜନାରେ ହେବ ।
ପ୍ରଧାନମନ୍ତ୍ରୀ ସରକାରଙ୍କ ଏହି ବର୍ଷ ପୂର୍ତ୍ତି ସମାରୋହରେ ବୌଦ୍ଧ ଜିଲ୍ଲାକୁ ପ୍ରଥମ ରେଳ ଚଳାଚଳର ଶୁଭାରମ୍ଭ କରିବେ। ରେଳ ପଥ ବୌଦ୍ଧ ଜିଲ୍ଲାକୁ ସଂପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ହାତରେ ରେଳ ଚଳାଚଳର ଶୁଭାରମ୍ଭ କରାଯିବ। ସେହିପରି ପରିବେଶ ଅନୁକୂଳ ୧୦୦ଟି ଇଲେକ୍ଟିକ ବସ୍ ଚଳାଚଳର ଶୁଭାରମ୍ଭ ମଧ୍ୟ ପ୍ରଧାନମନ୍ତ୍ରୀ କରିବେ। କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ ବ୍ୟବସ୍ଥାରେ ଏହି ବସ ଚାଲିବ।
କିନ୍ତୁ ଏସବୁ ପରେ ବି ରାଜ୍ୟ ସରକାର ଓ ବିଜେପିରେ କୌଣସି ଗତିଶୀଳତା ଆସିବ ବୋଲି ଆଶା କରିବା ବୃଥା। କାରଣ କେନ୍ଦ୍ରୀୟ ନେତୃତ୍ୱ ଯେପରି ଗୋଷ୍ଠୀ କନ୍ଦଳକୁ ପ୍ରୋତ୍ସାହିତ କରୁଛନ୍ତି ତାହା ସରକାର ଓ ଦଳ ପାଇଁ ଆଦୌ ଶୁଭଙ୍କର ନୁହେଁ।
Also readhttps://purvapaksa.com/world-peace-index-2025-report/
