ନୂଆଦିଲ୍ଲୀରେ ଆଜି ଓଡ଼ିଶା ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରକୁ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ଓ ସହଯୋଗ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଉଛି । ଏହି ବୈଠକ ସମୟରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କ ସହ ତାଙ୍କ ଧର୍ମପତ୍ନୀ ଓ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହ ଦେଓ, ତାଙ୍କ କନ୍ୟା ଓ ଜ୍ୱାଇଁ ଏବଂ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମଧ୍ୟ ଉପସ୍ଥିତ ଥିଲେ । ପରିବାର ସହିତ ହୋଇଥିବା ଏହି ସାକ୍ଷାତକାର ଏକ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖନୀୟ ଯେ ଏହା ପ୍ରଥମ ଥର ନୁହେଁ ଯେ କେ.ଭି. ସିଂହ ଦେଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ଗତ ୨୦୨୫ ଅଗଷ୍ଟ ମାସରେ ସଂସଦ ଭବନରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ସେହି ଆଲୋଚନା ପରେ ଏବେ ପୁଣିଥରେ ଏହି ସାକ୍ଷାତକାର ହେବା ଦ୍ୱାରା ଓଡ଼ିଶା-କେନ୍ଦ୍ର ସମ୍ପର୍କ ଆହୁରି ମଜବୁତ ହେଉଥିବା ସଂକେତ ମିଳୁଛି ।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ, କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ମଧ୍ୟରେ ସେତୁ ଭୂମିକା ନିଭାଉଛନ୍ତି କେ.ଭି. ସିଂହ ଦେଓ । ତାଙ୍କର ନିୟମିତ ଦିଲ୍ଲୀ ଦୌରା ଓ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା ଦ୍ୱାରା ରାଜ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ଗତି ମିଳୁଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମିଶି କେ.ଭି. ସିଂହ ଦେଓ ଏବେ ରାଜ୍ୟ ସରକାରର ଏକ ଶକ୍ତ ଭିତ୍ତିସ୍ଥମ୍ଭ ଭାବେ ଉଭୟ ଦେଖାଯାଉଛନ୍ତି । ନୀତି ନିର୍ଦ୍ଧାରଣ ଠାରୁ ଆରମ୍ଭ କରି ମାଟିସ୍ତରରେ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଦୁହେଁ ମିଶି ସରକାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ଲାଗିଛନ୍ତି ।
ଏହି ସାକ୍ଷାତକାର ଏମିତି ସମୟରେ ହୋଇଛି, ଯେତେବେଳେ କେନ୍ଦ୍ର ସରକାର ଓ ଓଡ଼ିଶା ପ୍ରଶାସନ ମଧ୍ୟରେ ନିରନ୍ତର ସମ୍ପର୍କ ଜାରି ରହିଛି। ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ୍ମଦିନ ଅବସରରେ ତାଙ୍କୁ “ଏକ ଅତ୍ୟନ୍ତ ପରିଶ୍ରମୀ ମୁଖ୍ୟମନ୍ତ୍ରୀ” ବୋଲି ପ୍ରଶଂସା କରିଥିଲେ। ଏହା ମଧ୍ୟ କେନ୍ଦ୍ରର ଓଡ଼ିଶା ପ୍ରତି ସକାରାତ୍ମକ ଭାବନାକୁ ପ୍ରତିଫଳିତ କରେ।ସାର୍ବିକ ଭାବେ, କେ.ଭି. ସିଂହ ଦେଓଙ୍କ ଏହି ଦିଲ୍ଲୀ ଗ୍ରସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକାର ଆସନ୍ତା ଦିନରେ ଓଡ଼ିଶାର ବିକାଶ ଯାତ୍ରାକୁ ଆହୁରି ଗତି ଦେବ ବୋଲି ଆଶା କରାଯାଉଛି।
also read https://purvapaksa.com/what-are-you-forgetting-you-have-this-serious-disease/


