ରାଜ୍ୟ ମନ୍ତ୍ରିମଣ୍ଡଳର ନବେକଳେବର ହେବ ହେବ ବୋଲି ବାରମ୍ବାର ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଲାଗୁଛି। କେଉଁଠି ନା କେଉଁଠି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଅଟକି ଯାଉଛି। କିନ୍ତୁ ଏବେ ଆଉ ଅଧିକ ଦିନ ବିଳମ୍ବ କଲେ ଏଥିରେ ଦଳର ଲାଭ ପରିବର୍ତ୍ତେ କ୍ଷତି ହେବ ବୋଲି ଦଳୀୟ ନେତୃତ୍ୱ ହୃଦୟଙ୍ଗମ କରିସାରିଲେଣି। ତେଣୁ ଗ୍ରହଣ ସପ୍ତାହ ପରେ ଯେ କୌଣସି ମୁହୁର୍ତ୍ତରେ ନିଗମ ନିଯୁକ୍ତି ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ। ଇତି ମଧ୍ୟରେ ମୋହନ-ଧର୍ମେନ୍ଦ୍ର ଭେଟଘାଟ ହୋଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ସହମତି ହୋଇସାରିଥିବା କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରୁ ଫେରି ଆସିଲେଣି। ତେଣୁ ସରକାରରେ ଥିବା ନେତାଙ୍କ ଏବେ ଛାତିରେ ଅନେକ ଛନକା। ଏହା ପୂର୍ବରୁ ମନ୍ତ୍ରୀମାନଙ୍କର ଦକ୍ଷତା ରିପୋର୍ଟ ମୁଖ୍ୟମନ୍ତ୍ରୀ ମାଗିବା ଏବଂ କେନ୍ଦ୍ରୀୟ ନେତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟସଭାପତିଙ୍କ ବୈଠକ ହେବା ସେମାନଙ୍କ ଛନକାକୁ ଆହୁରି ବଢ଼ାଇଛି। ଏବେ ସେମାନଙ୍କ ମଧ୍ୟରେ ଗୋଟିଏ ଚିନ୍ତା ତାହା ହେଲା ଚୌକି ରହିବ ନା ଯିବ! କାରଣ ଏଠାରେ କେନ୍ଦ୍ରମନ୍ତ୍ରୀ ପାଖରେଙ୍କ ଲବି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଓ ସଭାପତିଙ୍କ ଗୋଟି ଚାଳନା ଅଧିକ ଗୁରୁତ୍ୱ ଲାଭ କରିଛି।
ସମ୍ପ୍ରସାରଣରେ ୧୧ ମନ୍ତ୍ରୀ କ୍ଷତିଗ୍ରସ୍ତ ହେବେ!
ଓଡ଼ିଶାର ଲୋକମାନଙ୍କ ମତାମତ ଅନୁସାରେ ନୁହେଁ କେନ୍ଦ୍ରୀୟ ନେତାଙ୍କ ମାପକାଠିରେ ବିଫଳ ହୋଇଥିବା ମନ୍ତ୍ରୀମାନେ ମନ୍ତ୍ରିମଣଶ୍ଡଳରୁ ବାଦ୍ ପଡ଼ିବେ। ଆଗାମୀ ସମ୍ପ୍ରସାରଣରେ ରାଜ୍ୟର ୧୫ଜଣ ମନ୍ତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୧୧ଜଣ ମନ୍ତ୍ରୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଏହି ଆଲୋଚନା ଅନୁସାରେ କିଛି ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାକୁ ଥିବାବେଳେ ଆଉ କିଛି ମନ୍ତ୍ରୀଙ୍କ କାମକୁ ହାଲୁକା କରିବା ପାଇଁ ଯୋଜନା ହୋଇଛି। ସେମାନେ ପ୍ରଥମରୁ ପାୱାର ଲବିରେ ମାଡ଼ି ବସିଥିବା ଓଜନିଆ ବିଭାଗ ହରାଇ ପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।
ଦଳୀୟ ମହଲର ଆଲୋଚନା ଅନୁସାରେ ଓଜନିଆ ବିଭାଗର ମନ୍ତ୍ରୀ ହୋଇଥିବା ପ୍ରଭାତୀ ପରିଡ଼ା, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜଙ୍କ ବିଭାଗରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ମୋହନ-ଧର୍ମେନ୍ଦ୍ର ଆଳୋଚନା ଅନୁସାରେ ଉଭୟ ପଟର ଯେଉଁ ୱିକେଟ୍ ପଡ଼ିବ ଅର୍ଥାତ୍ ଧର୍ମେନ୍ଦ୍ର-ମନମୋହନଙ୍କ ସମର୍ଥକ ଥିବା ବିବାଦୀୟ ତଥା ନିକମା ମନ୍ତ୍ରୀମାନେ ନିଜର ପଦବର ହରାଇବେ। ଏହି ତାଲିକାରେ ପ୍ରାୟ ୭ଜଣ ଅଛନ୍ତି।
ପ୍ରଭାତୀଙ୍କ ପାଖରୁ ହଟିପାରେ ପର୍ଯ୍ୟଟନ ବିଭାଗ!

ପ୍ରଥମେ ଆଲୋଚନା କରିବା ଯେଉଁମାନଙ୍କର ବିଭାଗ ପରିବର୍ତ୍ତନ ହେବାର ଆଶଙ୍କା ରହିଛି। ସେମାନଙ୍କ ମଧ୍ୟରୁ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପାଖରେ ପର୍ଯ୍ୟଟନ, ମହିଳା ଓ ଶିଶୁ ବିକାଶ ବିଭାଗ ରହିଛି। ତେଣୁ ସେ ଗତ ଦେଢ଼ବର୍ଷ ଭିତରେ କେବଳ ସୁଭଦ୍ରା ଯୋଜନା ପାଇଁ ଚିନ୍ତିତ ବୋଲି ତାଙ୍କ କାର୍ଯ୍ୟକ୍ରମ ମାଧ୍ୟମରେ ସେ ସୂଚାଇ ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ପ୍ରତି ତାଙ୍କର ଦୃଷ୍ଟି ନାହିଁ। ତେଣୁ ଗୋପାଳପୁର ସମୁଦ୍ର କୂଳରେ ଛାତ୍ରୀ ଗଣଧର୍ଷଣ ମାମଲାରେ ଓଡ଼ିଶା ଛବିରେ ଦାଗ ଲାଗିବା ସହିତ ଏହି ଘଟଣା ଆନ୍ତର୍ଜାତିକ ଲଜ୍ୟାରେ ପରିଣତ ହୋଇଥିଲା। ଫଳରେ ଆମେରିକା ଭଳି ଦେଶ ତାର ନାଗରିକମାନଙ୍କୁ ଓଡ଼ିଶା ବୁଲିବାକୁ ଯିବା ପାଇଁ ବାରଣ କରିଛି। ତେଣୁ ତାଙ୍କ ପାଖରୁ ପର୍ଯ୍ୟଟନ ବିଭାଗ ହଟିବାର ସୂଚନା ମିଳୁଛି।
ସବୁଠାରୁ ଅଧିକ ଚର୍ଚ୍ଚାରେ ଅବକାରୀ, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ

ଅବକାରୀ, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ନାମ ଆଲୋଚନା ହେଉଛି। କାରଣ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିବାରୁ ସେ କୌଣସି ଗୋଟିଏ ବିଭାଗ ପାଇଁ ଉଚିତ ସମୟ ଦେଇପାରୁନାହାନ୍ତି। ତାଙ୍କ ସମୟରେ ଦୁଇ ଦୁଇଟି ରଥଯାତ୍ରାରେ ଅଘଟଣ ଘଟିବା, ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ଘଟଣା ଘଟିଛି। ଏପରିକି ଶ୍ରୀମନ୍ଦିର ପରିଚାଳନାରେ ଅନେକ ବିଭ୍ରାଟ ହେଉଥିଲେ ମଧ୍ୟ ମନ୍ତ୍ରୀ ମହାଶୟ ଏଥିପାଇଁ ନିଜର ଦାୟିତ୍ୱକୁ ବୁଝିପାରୁନାହାନ୍ତି। ତାଙ୍କ ସମୟରେ ଚିକିଟି ମଦମୃତ୍ୟୁ ହୋଇଥିଲା। ତାହାର ତଦନ୍ତ ଘୋଷଣା କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା ଆରମ୍ଭ ହୋଇପାରିନାହିଁ। ପୂର୍ତ୍ତବିଭାଗ କଥା କହିଲେ ରାଜ୍ୟର ରାସ୍ତାଘାଟ ତା’ର ମୁକସାକ୍ଷୀ। ତାଙ୍କର ବିଫଳତାକୁ ମନେପକାଇ ଦେବା ପାଇଁ ରାଜ୍ୟପାଳ, ବିଜେପି ପର୍ଯ୍ୟବେକ୍ଷକ ସୁନୀଲ ବଂଶଲ ତାଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଏପରି ତାଙ୍କ ରାଜନୈତିକ ସୁରକ୍ଷାଦାତା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କର ବିଫଳତା ନେଇ ଚିନ୍ତିତ ବୋଲି ଆଲୋଚନା ହେଉଛି।
ସ୍ୱାସ୍ଥ୍ୟ ବିଭାଗରେ କେହି ମାଆ ବାପା ନାହାନ୍ତି

ସେହିପରି ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗର ମଧ୍ୟ ବିଭାଗରେ ପରିବର୍ତ୍ତନ ହୋଇପାରେ କିମ୍ବା କିଛି ବିଭାଗ ହାତଛଡ଼ା ହୋଇପାରେ। ସ୍ୱାସ୍ଥ୍ୟମନ୍ତ୍ରୀ ହିସାବରେ ଦାୟିତ୍ୱ ତୁଲାଇବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ତାଙ୍କ ସମୟରେ ରାଜ୍ୟରେ ସମଗ୍ର ଅଞ୍ଚଳରେ ହଇଜା ବ୍ୟାପିବା ବଡ଼ ଲଜ୍ୟାକର ବିଷୟ। ଏପରିକି ହଇଜାରେ ୨୫ରୁ ଉର୍ଦ୍ଧ୍ୱ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ମନ୍ତ୍ରୀ ମହାଲିଙ୍ଗ ଆଇଟି ଓ ସଂସଦୀୟ ବ୍ୟାପାର ଭଳି ବିଭାଗ ପାଇଁ ଅଧିକ ସମୟ ଦେଉଥିବାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗରେ କେହି ମାଆ ବାପା ଥିଲା ଭଳି ଲାଗୁନାହିଁ।
ବାଲେଶ୍ୱର ଛାତ୍ରୀ ଆତ୍ମଦାହ ଘଟଣା ଯୋଗୁ ସରକାର ଓ ଦଳ ଅଡୁଆରେ

ସବୁଠାରୁ ଅଧିକ ବିବାଦରେ ଥିବା ମନ୍ତ୍ରୀ ହେଉଛନ୍ତି ଉଚ୍ଚଶିକ୍ଷା, ସଂସ୍କୃତି, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ତାଙ୍କ ମସୟରେ କିଟ୍ ବିଶ୍ୱବିଦ୍ୟାୟରେ ୨ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ବୈଦଶିକ ସମ୍ପର୍କକୁ ବିପଦରେ ପକାଇଥିଲା। ଏହି ଘଟଣାରୁ ମନ୍ତ୍ରୀ ସୂରଜ କିଛି ଶିକ୍ଷାଲାଭ ନ କରିବାରୁ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ଆତ୍ମଦାହ କରିବାକୁ ପଡ଼ିଲା। ସେ ଅଧ୍ୟାପକଙ୍କ ଅଶ୍ଳୀଳ ଇଙ୍ଗିତ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ହେଁ ମନ୍ତ୍ରୀ ସୂରଜ କିମ୍ବା ତାଙ୍କ ବିଭାଗ ତତ୍ପରତା ଦେଖାଇବା ପରିବର୍ତ୍ତେ ଉଦାସୀନ ରହିବା ଘଟଣା ପରିସ୍ଥିତିକୁ ବିଗାଡ଼ି ଦେଇଥିଲା। ଯାହାଫଳରେ ସରକାର ଓ ଦଳକୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ତାଙ୍କ ପାଖରୁ ଉଚ୍ଚଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାଢ଼ି ନିଆଯିବାର ଆଶଙ୍କା ରହିଛି।
ଏମାନଙ୍କ ମଧ୍ୟରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟସଭାପତି ମନମୋହନଙ୍କ କ୍ୟାମ୍ପର କୁହାଯାଉଥିବାବେଳେ ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ ଓ ସୂର୍ଯ୍ୟବଂଶୀ ସୂରଜ ଧର୍ମେନ୍ଦ୍ରଙ୍କ ସମର୍ଥକ ଭାବରେ ଜଣାଶୁଣା।
ଚୌକି ଯିବା ଆଶଙ୍କାରେ ୭ ମନ୍ତ୍ରୀ
ଯେଉଁମନ୍ତ୍ରୀମାନଙ୍କର ମନ୍ତ୍ରୀ ପଦ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି ସେମାନେ ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ଗଣଶିକ୍ଷା, ଏସସି/ଏସଟି ମନନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ, ଏମଏସଏମଇ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୟନଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ।
ପ୍ରଥମରୁ ବିବାଦରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆରମ୍ଭରୁ ବିବାଦରେ ରହିଛନ୍ତି। ତାଙ୍କ ନାମରେ ପ୍ରଥମ କରି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ଧାନକିଣାରେ ମିଲରମାନଙ୍କଠାର କୃଷ୍ଣ ତାଙ୍କ ପିଆଦା କଂସଙ୍କ ଜରିଆରେ ଅହେତୁକ ଅନୁକମ୍ପା ପାଇଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଦେଉଥିବା ମାଗଣା ଚାଉଳକୁ ତାଙ୍କ ବିଭାଗ ବାଣ୍ଟିବାରେ ବିଫଳ ହେବାରୁ ଫୁଲବାଣୀର ୩ଜଣ ଅନୁସୂଚିତ ଜନଜାତିର ଲୋକ ଭୋକ ଉପାସରେ ଆମ୍ବ ଟାକୁଆ ଜାଉ ଖାଇ ପ୍ରାଣ ହରାଇଛନ୍ତି। ଏହି ଖବର ଜାଣିବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କ୍ଷୁବ୍ଧ ହୋଇଥିବା ଦଳୀୟ ମହଲରେ ଆଲୋଚନା ହେଉଛି। ସେ ନିର୍ବାଚନୀ ସତ୍ୟପାଠରେ ନିଜର ଆୟ ସୂତ୍ରକୁ ଲୁଚାଇ ଜମିକିଣା ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ଯାହାଫଳରେ ସରକାର ଓ ଦଳ ଅଡ଼ୁଆରେ ପଡ଼ିଛି।
ମନ୍ତ୍ରୀ ରବି ନାଏକଙ୍କର ବିଭାଗରେ ମନ ନାହିଁ

ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ତାଙ୍କ ବିଭାଗ କେତେ ଗୁରୁତ୍ୱପୂର୍ଣ୍ଣ ସେ ଚିନ୍ତା କରିପାରୁନାହାନ୍ତି। ତେଣୁ ବିଭାଗର କାମରେ ଆଦୌ ସମୟ ଦେଉନାହାନ୍ତି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀ କରାଗଲେ ରବି ନାଏକଙ୍କ ମନ୍ତ୍ରୀ ପଦ ଚାଲିଯାଇପାରେ।
ଶିଳ୍ପମନ୍ତ୍ରୀ ନେଇ ଜିଲ୍ଲା ବିଜେପି ଦୁଇଫାଳ
ପାରାଦୀପ ବିଧାୟକ ସମ୍ପଦ ସ୍ୱାଇଁ ଶିଳ୍ପମନ୍ତ୍ରୀ ହେବା ପରଠାରୁ ରାଜ୍ୟର ଶିଳ୍ପବିକାଶ ପରିବର୍ତ୍ତେ ନିଜର ପାରିବାରିକ ବିକାଶରେ ଅଧିକ ସମୟ ହେଉଥିବା ଜିଲ୍ଲାର ବିଜେପି ନେତା ଓ କର୍ମୀମାନେ ଅଭିଯୋଗ କରୁଛନ୍ତି। ପାରାଦ୍ୱୀପର ସମସ୍ତ ଶ୍ରମିକ ସଂଗଠନରେ ଅଯଥା ହସ୍ତକ୍ଷେପ ଦ୍ୱାରା ସ୍ଥାନୀୟ ସାଂସଦ ବିଭୁ ତରାଇଙ୍କ ସହ ମନ୍ତ୍ରୀଙ୍କ ଶୀତଳଯୁଦ୍ଧ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଯାହା ଫଳରେ ଜିଲ୍ଲା ବିଜେପିର ସାଙ୍ଗଠନିକ ଅସନ୍ତୁଷ୍ଟ ପଦାରେ ପଡୁଛି! ବିଭାଗ କାମ କ’ଣ ରହିଛି ସେ ବୁଝୁ ନ ଥିବାରୁ ବିଭାଗୀୟ ସଚିବ ତାଙ୍କ ସହିତ ଆଲୋଚନା ନ କରି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରୁଛନ୍ତି।
ଏମଏସଏମଇ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୟନଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂହ ଖୁଣ୍ଟିଆ ରାଜ୍ୟର ମନ୍ତ୍ରୀ ବୋଲି ରାଜ୍ୟବାସୀ ଜାଣିପାରୁ ନାହାନ୍ତି। କାରଣ ସେମାନେ ନିଜ ବିଭାଗ କାମରେ ଆଦୌ ମନ ଦେଉନାହାନ୍ତି। କେବଳ ନାମକୁ ମାତ୍ର ମନ୍ତ୍ରୀ ପଦ ଅଳଂକୃତ କରି ଆତ୍ମ ସନ୍ତୋଷ ଲାଭ କରୁଛନ୍ତି।
ଏମାନଙ୍କ ମଧ୍ୟରୁ କେବଳ କୃଷ୍ଣଚନ୍ଦ୍ର ପାତ୍ର, ଗଣେଷରାମ ସିଂହ ଖୁଣ୍ଟିଆଙ୍କୁ ଛାଡ଼ି ଦେଲ ଅନ୍ୟ ସମସ୍ତ ୫ଜଣ ଧର୍ମେନ୍ଦ୍ରଙ୍କ ସମର୍ଥକ ଭାବରେ ଜଣାଶୁଣା। କେନ୍ଦ୍ରୀୟ ନେତାଙ୍କ ଫର୍ମୁଲା ଅନୁସାରେ ଯେଉଁ ଉଭୟ ପକ୍ଷର ୱିକେଟ ପଡ଼ିବାର ନିୟମ ପ୍ରସ୍ତୁତ ହୋଇଛି ତାହା କିପରି କାମ କରୁଛି ସେଥିପାଇଁ ମମକୁ ସମ୍ପସାରଣକୁ ଅପେକ୍ଷା କରିବାକୁ ପଡ଼ିବ।
Also readhttps://purvapaksa.com/europe-is-preparing-for-world-war-iii/
Europe is preparing for World War III ।। ତୃତୀୟ ବିଶ୍ବଯୁଦ୍ଧ ପ୍ରସ୍ତୁତିରେ ୟୁରୋପ

