ସବୁ ଜିଲ୍ଲାରେ ରହିଛି ପର୍ଯ୍ୟବେକ୍ଷଣ କେନ୍ଦ୍ର
ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଓ ଭାରତ ପାଣିପାଗ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଭାରତ ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ ହଲରେ ଏକ ଦିବସୀୟ ଉପଯୋଗକର୍ତ୍ତା କର୍ମଶାଳା ଆୟୋଜିତ ହୋଇଥିଲା l ଏହି କର୍ମଶାଳାର ବିଷୟବସ୍ତୁ “ଓଡ଼ିଶା ଉପରେ ଅତ୍ୟନ୍ତ ଭୀଷଣ ପାଣିପାଗ ଜନିତ ଘଟଣାସମୂହ” ରହିଥିଲା l ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିବାବେଳେ ଅନ୍ୟଅତିଥି ମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଭାରତ ପାଣିପାଗ ବିଜ୍ଞାନ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ଡ଼ ସୋମନାଥ ଦତ୍ତ, ମନୋରମା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ l
ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱରେ ଓଡ଼ିଶା ଆଜି ଏକ ମଡେଲ ରୂପେ ପରିଗଣିତ ହେଉଛି l ଏହାର ପ୍ରମୁଖ ଶ୍ରେୟ ଭାରତ ପାଣିପାଗ ବିଜ୍ଞାନ ବିଭାଗକୁ ଦିଆଯାଏ l ପ୍ରମୁଖ ବୈଜ୍ଞାନିକ ଓ ପାଣିପାଗ ବିଶେଷଜ୍ଞଙ୍କ ଆକଳନକୁ ପାଥେୟ କରି ପ୍ରାକୃତିକ ବିପର୍ଯ୍ୟୟବେଳେ ଆଜିର ସମୟରେ ବହୁ ପରିମାଣରେ ଧନଜୀବନହାନିରୁ ରକ୍ଷା କରାଯାଇ ପାରୁଛି l ୧୫୦ ବର୍ଷ ଏକ ଲମ୍ବା ଯାତ୍ରା ଅଟେ l ଏହି ସମୟରେ ଓଡ଼ିଶା ବହୁତ ବଡ ବଡ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇ ଆସିଛି l ଗତ ଅକ୍ଟୋବରମାସରେ ବାତ୍ୟା ‘ଦାନା’ ର ସୁପରିଚାଳନା ମଧ୍ୟ ପ୍ରାରମ୍ଭିକ ଚେତାବନୀ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଧନଜୀବନ ହାନି, ଫସଲହାନି ଅପେକ୍ଷାକୃତ କମ୍ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଉଲ୍ଲେଖ କରିଥିଲେ।
ଓଡ଼ିଶା ହେଉଛି ପ୍ରାକୃତିକ ବିପର୍ଯ୍ୟୟର ଘର l ପ୍ରତିବର୍ଷ ଏଠି ବନ୍ୟା, ବାତ୍ୟା, ମରୁଡି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ l ଏଗୁଡିକର ସୁପରିଚାଳନା ନିମନ୍ତେ ଆମେ ପାଣିପାଗ ବିଭାଗର ଆକଳନ ଉପରେ ନିର୍ଭର କରୁ l ଆମର ପାଣିପାଗ ବିଶେଷଜ୍ଞଙ୍କ ଯୋଗୁଁ ବିପର୍ଯ୍ୟୟର ପରିଚାଳନା ସହିତ ଆସନ୍ତା କାଲିର ପାଣିପାଗ କେଉଁଭଳି ରହିବ ତାହାର ପୂର୍ବାନୁମାନ ଆଜିର ସମୟରେ ସହଜରେ ଉପଲବ୍ଧ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ l
ପ୍ରାକୃତିକ ବିପର୍ଯ୍ୟୟବେଳେ ସର୍ବଦା ସାଥିରେ ରହି ସମୟକୁ ସମୟ ସଠିକ ଅନୁମାନ ଯୋଗାଇ ଦେଉଥିବାରୁ ପାଣିପାଗ ବିଭାଗକୁ ଶ୍ରୀ ଦେଓ ରଞ୍ଜନ ସିଂହ ଧନ୍ୟବାଦ ଜଣାଇଥିଲେ l ଓଡ଼ିଶା କେବଳ ଏକମାତ୍ର ରାଜ୍ୟ ଯେଉଁଠି ସମସ୍ତ ୩୦ ଟି ଜିଲ୍ଲାରେ ପର୍ଯ୍ୟବେକ୍ଷଣ କେନ୍ଦ୍ର (observatory) ରହିଛି l ଏଥିସହିତ, ଗୋପାଳପୁର ଓ ପାରାଦ୍ୱୀପରେ ୨ ଗୋଟି ରାଡ଼ାର ରହିଛି l ଆଉ ୩ ଗୋଟି ରାଡ଼ାର ରାଜ୍ୟକୁ ଯୋଗାଇଦେବା ପାଇଁ ପ୍ରସ୍ତୁତି ଚାଲିଛି l “ମୌସମ ମୋବାଇଲ୍ ଆପ୍” ଜରିଆରେ ଯେକୌଣସି ସ୍ଥାନର ପାଣିପାଗ ବିଷୟରେ ଜାଣି ହେଉଛି ବୋଲି ମହାନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଥିଲେ l
ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମନୋରମା ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ସଂଜୀବ ଦ୍ଵିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l କର୍ମଶାଳାରେ ବହୁ ବିଶିଷ୍ଟ ବ୍ୟକ୍ତି, ବିଶେଷଜ୍ଞ ଏବଂ ବରିଷ୍ଠ ଅଧିକାରୀବୃନ୍ଦ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ୧୫୦ ବର୍ଷର ଉଲ୍ଲେଖନୀୟ ଯାତ୍ରା ଉପରେ ପର୍ଯ୍ୟବେଷିତ ଏକ ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା l
previous article:https://purvapaksa.com/msmes-are-changing-the-economic-scenario/
