ରାଜ୍ୟରେ ବଢୁଥିବା ଗୋ ହତ୍ୟା ଓ ଗୋ ଚାଲାଣକୁ ରୋକିବା ପାଇଁ ଅନେକ ପଦକ୍ଷପ ନେଉଥିବା ବେଳେ ଏଥିରେ ବ୍ରେକ ଲାଗୁ ନାହିଁ । ବିଭିନ୍ନ ସମୟରେ ଗୋରୁ ଚାଲାଣ ଆଉ ହତ୍ୟା ମାମଲା ସାମ୍ନାକୁ ଆସୁଛି। ଏବେ ଏହାକୁ ନେଇ ହାଇ କୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଗୁରୁବାର ଦିନ ଓଡ଼ିଶା ହାଇକୋର୍ଟ ଗୋହତ୍ୟା ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି କରି କୋର୍ଟ ଏପରି ଘଟଣାଗୁଡ଼ିକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ୧୯୬୦ର ଗୋହତ୍ୟା ନିବାରଣ ଆଇନକୁ ମଧ୍ୟ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୋ ଜ୍ଞାନ ନାମକ ଏକ ସଂଗଠନ ଦ୍ୱାରା ଏହି ପିଆଇଏଲ୍ ଦାୟର କରାଯାଇଥିଲା, ଯେଉଁଥିରେ କଟକରେ ଗୋହତ୍ୟାର କିଛି ଘଟଣାକୁ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀ ଏହି ଘଟଣାଗୁଡ଼ିକ ପ୍ରତି କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଯାହା ପରେ କୋର୍ଟ ବିଦ୍ୟମାନ ଆଇନଗୁଡ଼ିକୁ ଅଧିକ କଠୋର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ଓକିଲ ପୀୟୁଷ ପଣ୍ଡା କହିଛନ୍ତି, “ଆମେ କଟକରେ ଗୋହତ୍ୟାର ଘଟଣା ଦେଖିଛୁ। ଏହା ପରେ, ଆମେ ଏହି ଘଟଣାଗୁଡ଼ିକ ସମ୍ପର୍କରେ କୋର୍ଟରେ ଏକ ପିଆଇଏଲ୍ ଦାୟର କରିଥିଲୁ। ପିଆଇଏଲରେ ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ପୂର୍ବରୁ ସିଏମସିକୁ ଗୋହତ୍ୟା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା ଏବଂ ସିଏମ୍ସି ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋହତ୍ୟା ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।”
ସେପଟେ ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୌ ଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ ଯେ ଏହି ପ୍ରସଂଗରେ ଆଇନ ବିଭାଗର ନିକଟରୁ ମତାମତ ଲୋଡ଼ିଥିଲେ। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଓ ଓଡ଼ିଶା ପୌର ନିଗମ ଆଇନ, ୨୦୦୩ର ଧାରା ୫୬୨ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ଅଟେ ବୋଲି କୋର୍ଟରେ ଦାଖଲ ସତ୍ୟପାଠରେ କୁହାଯାଇଛି। ଏଥି ସହିତ ପିଆଇଏଲ୍ ରେ ବେଆଇନ କଂସେଇଖାନା ସହରରେ ଚାଲୁଥିବା ଅଭିଯୋଗ ହୋଇଥିଲା। ହତ୍ୟା ପାଇଁ ଗାଈ ଓ ବାଛୁରୀ ବେଆଇନ ଭାବେ ସହରର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ବେଆଇନ ଗୋ ହତ୍ୟା ଓ ଗୋ ଚାଲାଣ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ ପାଇଁ ଆବେଦନରେ ନିବେଦନ କରାଯାଇଥିଲା।
ତେବେ ଗତବର୍ଷ ଡିସେମ୍ବର ମାସରେ ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ କଡ଼ା ଆଇନ ଆସିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବେ ବୋଲି ସେତେବେଳେ ଆଇନ ମନ୍ତ୍ରୀ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଲାଗୁଛି ଏହି ଆଇନ ଶୀଘ୍ର ଲାଗୁ ହୋଇପାରେ।
