ବାଆ କଲେ ବସା ଦୋହଲୁଥାଏ, ବାଇ ଚଢ଼େଇର କି ଅବା ଯାଏ।
ଓଡ଼ିଆ ଲୋକକଥାରେ ଏହି ବାକ୍ୟଟି ଭାରି ପରିଚିତ। ଅର୍ଥ ହେଉଛି ଗଛ ସହ ବସାକୁ ବନ୍ଧା ଯାଇଥିବା ଡୋରିଟି ଯଦି ଶକ୍ତ, ଦୃଢ଼ ଓ ଅତୁଟ ରହିଛି ତାହା ନିଜ ଆସନକୁ ସବୁ ବିପତ୍ତିରୁ ବି ରକ୍ଷା କରିବାରେ ସକ୍ଷମ ହେବ। ଆଜି ତାହାକୁ ଆମ ରାଜ୍ୟର ମନ୍ତ୍ରିମଣ୍ଡଳ ସହ ଯୋଡ଼ି ଆଲୋଚନା କରାଯାଇପାରେ। ଯେଉଁଭଳି ଭାବେ ରାଜ୍ୟରେ ଦିନକୁ ଦିନ ପ୍ରସଙ୍ଗ ଓ ବିରୋଧୀଙ୍କ ଚାପ ବଢ଼ୁଛି ତାହାକୁ ଏକପାଖିଆ କରି ଯେମିତି ମନ୍ତ୍ରୀମାନେ କେନ୍ଦ୍ରୀୟ ସାଂସଦ ଓ ମନ୍ତ୍ରୀମାନଙ୍କ ସହ ସମ୍ପର୍କ ଯୋଡ଼ିବାରେ ଲାଗିଛନ୍ତି ସେଥିରୁ ଏହା ପ୍ରମାଣିତ ହେଉଛି। ଯଦି କେନ୍ଦ୍ର ଡୋରଟି ଦୃଢ଼ ଥିବ ତେବେ ରାଜ୍ୟର ଝଡ଼ ସବୁ ତାଙ୍କ ବସା ବା ଚୌକିକୁ ହଲାଇବ ସିନା ଛିଣ୍ଡାଇବାରେ ସକ୍ଷମ ହେବ ନାହିଁ। ଏହି ଧାରଣା ପୂର୍ବରୁ କଂଗ୍ରେସ ଶାସନ ସମୟରେ ଓଡ଼ିଶାରେ ଦେଖିବାକୁ ମିଳୁଥିଲା। ଏବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀମାନେ ନିଜ ନିଜ ଲବିକୁ ସୁଦୃଢ଼ କରିବା ଲାଗି ବାରମ୍ବାର ଦିଲ୍ଲୀ ଗସ୍ତ କରିବା ଏହି ଥିଓରୀକୁ ଦୋହରାଉଛି।
ରାଜ୍ୟରେ ବିଜେପିର ସରକାର ଗଠନକୁ ଏକ ବର୍ଷ ପୂରି ଦ୍ୱିତୀୟ ବର୍ଷ ଚାଲୁଛି। ହେଲେ ରାଜ୍ୟ ଶାସନ ଉପରେ ଗଠିତ ସରକାରର ନିୟନ୍ତ୍ରଣ ଏଯାଏ ସ୍ପଷ୍ଟ ଦେଖିବାକୁ ମିଳୁନାହିଁ। ଦିନକୁ ଦିନ ବଢ଼ୁଥିବା ପ୍ରସଙ୍ଗ, ଘୋଷିତ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଏବଂ ଲୋକଙ୍କ ଆଶା ତଥା ଆକାଂକ୍ଷାର ପୂରଣ ସରକାରଙ୍କ ହାତରୁ ବହୁତ ଦୂରକୁ ଚାଲିଗଲା ଭଳି ବି କିଛି ଅନୁଭବ କଲେଣି। ଲୁହା କଅଁଳ ହେଲେ ବିଲେଇ କାମୁଡ଼ିବା ଭଳି ରାଜ୍ୟରେ ବିରୋଧୀ ଦଳ ସରକାରଙ୍କ ଏପରି ନରମ ପଣିଆକୁ ଦେଖି ଶକ୍ତିଶାଳୀ ହେବାର ଅଭିନୟ କରୁଛନ୍ତି। କେତେବେଳେ ବିଧାନସଭା ଘେରାଉ ତ କେତେବେଳେ ରାସ୍ତା ଅବରୋଧ, ପୁଣି କେତେବେଳେ ଓଡ଼ିଶା ବନ୍ଦ ତ କେତେବେଳେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ ଆଦି ରାଜ୍ୟବାସୀଙ୍କ ଲାଗି ରାଜନୀତିକ ଚର୍ଚ୍ଚାର ଖୋରାକି ଯୋଗାଇଛି। ହେଲେ ମନ୍ତ୍ରୀମାନଙ୍କର ଏଥିପ୍ରତି ନିଘା ଥିବାଭଳି ମନେ ହେଉନାହିଁ। ନିଜ ନିଜ କୁର୍ସି ବଞ୍ଚାଇବା ଲାଗି ସେମାନେ ଏବେ କେନ୍ଦ୍ରୀୟ ନେତାଙ୍କୁ ସନ୍ତୁଷ୍ଟ କରିବାରେ ଲାଗି ପଡ଼ିଛନ୍ତି। ଏବେ ସଂସଦର ଅଧିବେଶନ ଚାଲିଥିବାବେଳେ ନିଜ ନିଜ ସ୍ତରରେ ମନ୍ତ୍ରୀମାନେ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀଙ୍କୁ ଭେଟିବା ଏହାକୁ ଚର୍ଚ୍ଚିତ କରୁଛି।
ଏହି ତାଲିକାରେ ରହିଛନ୍ତି ୨ ଜଣ ମନ୍ତ୍ରୀ, ଜଣେ ଉପମୁଖ୍ୟମନ୍ତ୍ରୀ ଓ ଖୋଦ୍ ମୁଖ୍ୟମନ୍ତ୍ରୀ। ଆମେ ଜାଣୁ ଯେ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେନ୍ଦ୍ରୀୟ ନେତାଙ୍କ ପସନ୍ଦର ନେତା। ଏଣୁ ତାଙ୍କର ଗାଦି ଆସନ୍ତା ୪ ବର୍ଷ ପାଇଁ ସୁରକ୍ଷିତ। ତଥାପି କିଛିଦିନ ହେଲା ତାଙ୍କରି ବିଭାଗଗୁଡ଼ିକୁ ନେଇ ଯେଉଁଭଳି ବିଶୃଙ୍ଖଳା ଦେଖିବାକୁ ମିଳୁଛି ତାହା ଉଦବେଗର କାରଣ ହୋଇଛି। ମୁଖ୍ୟମନ୍ତ୍ରୀ ଖୋଦ୍ ମନ୍ତ୍ରିମଣ୍ଡର ସମ୍ପ୍ରସାରଣ ଅଥବା ଦାୟିତ୍ୱ ବଣ୍ଟନ କରିବା କଥା। ହେଲେ ଗଲା ୧ ବର୍ଷରୁ ଅଧିକ ସମୟ ହେଲାଣି ନା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଉଛି ନା ମନ୍ତ୍ରୀମାନଙ୍କ କାର୍ଯ୍ୟର ସମୀକ୍ଷା କରାଯାଇପାରୁଛି। କେବଳ ମନ୍ତ୍ରୀ ଓ ବିଭାଗକୁ ଚିଠିଲେଖି ନିଜର କାର୍ଯ୍ୟ ଓ ସଫଳତା ବିବରଣୀ ଦେବାକୁ ଯାହା କହିଛନ୍ତି ମୁଖ୍ୟ ସଚିବ।
ଖାଲି ସେତିକି ନୁହେଁ ଅନେକ ସମାଲୋଚନା ପରେ ଏବେ କିଛିଦିନ ହେଲା ରାଜ୍ୟରେ ମହିଳା କମିଶନ ଓ ଶିଶୁ ଅଧିକାର କମିଶନ ଗଠନ କରାଯାଇଛି। କିନ୍ତୁ ନିଗମ ଓ ବୋର୍ଡ଼ ଅଧ୍ୟକ୍ଷ ପଦବୀସବୁ ଏଯାଏ ଅପୂରଣୀୟ ହୋଇପଡ଼ିଛି। ଦିନକୁ ଦିନ ସମୟ ଗଡ଼ୁଥିବାରୁ ଆଶାୟୀ ନେତାମାନେ ବଡ଼ ସଙ୍କଟରେ ପଡ଼ିଛନ୍ତି। ସେମାନଙ୍କ ରୋଷ ମଧ୍ୟ ଅନେକ ସମୟରେ ସରକାରଙ୍କୁ ନିଜ କାର୍ଯ୍ୟ କରିବାରେ ସହାୟକ ହେଉ ନାହିଁ।
ହେଲେ ମୁଖ୍ୟମନ୍ତ୍ରୀ ରାଜ୍ୟ ସଭାପତିଙ୍କ ସହ ବାରମ୍ବାର ଦିଲ୍ଲୀଗସ୍ତରେ ରହୁଛନ୍ତି। ସଂସଦର ଅଧିବେଶନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିବାବେଳେ, ଅନ୍ୟ ମନ୍ତ୍ରୀମାନଙ୍କ ଆବିର୍ଭାବ ବି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୁହାଯାଉଛି ରାଜ୍ୟ ମନ୍ତ୍ରିମଣ୍ଡଳର ନେତାଭାବେ ମୁଖ୍ୟମନ୍ତ୍ରୀ ଅନ୍ୟମନ୍ତ୍ରୀ ଓ ବିଭାଗଗୁଡ଼ିକ ସହ ନିଜର ପରିଚିତି ବଢ଼ାଇବା ଲାଗି ଏପରି ଉଦ୍ୟମ ଯଥାର୍ଥ ହୋଇପାରେ କିନ୍ତୁ କାହିଁକି ଅନ୍ୟମନ୍ତ୍ରୀମାନଙ୍କ ଆବିର୍ଭାବ କାହିଁକି ହୋଇଛି। ପୁଣି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। କୁହାଯାଉଛି ମୁଖ୍ୟମନ୍ତ୍ରୀ କେବଳ ନାମକୁ ମାତ୍ର ହେଲେ କେନ୍ଦ୍ରୀୟ ନେତୃତ୍ୱ ଅନ୍ୟ ମନ୍ତ୍ରୀଙ୍କଠାରୁ ରାଜ୍ୟ ଶାସନ ବିଷୟରେ ଅବଗତ ହେବାକୁ ଚାହୁଁଛନ୍ତି।
ଏଭଳି ଘଟଣା କଂଗ୍ରେସ ସମୟରେ ହେଉଥିଲା। ସେଥିଲାଗି ବାରମ୍ବାର ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କଂଗ୍ରେସ ଶାସନ ସମୟରେ ଦିଲ୍ଲୀରେ ଡେରା ପକାଉଥିଲେ। ଏପରିକି କେନ୍ଦ୍ରୀୟ ମନ୍ତ୍ରୀ ନ ହେଲେବି ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ନେତା ଓ ଅଧିକାରୀଙ୍କୁ ବି ଦର୍ଶନ କଲେ ନିଜକୁ ଧନ୍ୟ ମନେକରୁଥିଲେ।
ଏବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ପଞ୍ଚାତିରାଜ, ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାଏକ ଦିଲ୍ଲୀରେ ଡେରା ପକାଇଛନ୍ତି। ଏ ଦୁଇ ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ରିୟାହୀନତା ଯୋଗୁ ରାଜ୍ୟରେ ମେଡିକାଲ କଲେଜ ସିଟ୍ ସଂଖ୍ୟା ୫୦କୁ ଏବର୍ଷ ହ୍ରାସ ପାଇଛି। ୨୦୨୪ରେ ଯେଉଁ ସଂଖ୍ୟା ୧୮୬୩ ଥିଲା ଏବର୍ଷ ତାହା ୧୭୦୯କୁ ଖସି ଆସିଛି। ରାଜ୍ୟରେ ମେଡିକାଲ ପାଠ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ଭିତରେ ଅନେକ ଆଗ୍ରହ ଥିବାବେଳେ ୫୦ ଆସନ କମିବା ନିହାତି ଭାବେ ଆଶାୟୀଙ୍କୁ ନିରାଶା ଭିତରକୁ ଠେଲିଛି। ଏହା କାହିଁକି ହେଲା ଓ ଏଥିପାଇଁ କି କାର୍ଯ୍ୟକ୍ରମର ଆବଶ୍ୟକତା ଥିଲା ତାହାକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିବା ବଦଳରେ ଏବେ ଅନ୍ୟ ଦୁଇ ଜିଲ୍ଲା ସରକାରୀ ମେଡିକାଲ କଲେଜରେ ଆଡମିଶନ ଅନୁମତି ପାଇଁ ମନ୍ତ୍ରୀ କେନ୍ଦ୍ରରେ ଦାବି କରିଛନ୍ତି। ଏହା ଦିଲ୍ଲୀ ଯିବା ପାଇଁ ଏକ ବାହାନା ହୋଇପାରେ। କିନ୍ତୁ ରାଜ୍ୟ ରାଜନୀତିର ବଦଳୁଥିବା ପରିସ୍ଥିତିରେ ନିଜ ଗାଦିକୁ ସ୍ଥିର ରଖିବା ଲାଗି ଏହା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ଅସଲ ଉଦ୍ଦେଶ୍ୟ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।
ସେହିପରି ରାଜ୍ୟରେ ପ୍ରତିଘରେ ପାଇପ ଯୋଗେ ଜଳ ପହଞ୍ଚାଇବାର କାର୍ଯ୍ୟକ୍ରମରେ ବେଶ୍ ପଛୁଆ ପଡ଼ିଛି ଓଡ଼ିଶା। ପଞ୍ଚାୟତଗୁଡ଼ିକରେ ପାଇପ ସିନା ବିଛାଯାଇଛି ହେଲେ ପାଣି ପହଞ୍ଚିପାରୁ ନାହିଁ। ନଳଗୁଡ଼ିକ ମୃତ ପଡ଼ିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ସ୍ୱଚ୍ଛ ପିଇବା ପାଣି ଅଭାବ ହେତୁ ବିଭିନ୍ନ ସ୍ଥାନରେ ହଇଜା ବ୍ୟାପୁଛି। ନିଜ ବିଭାଗର ଅପାରଗତା ଅନେକ ରହିଥିଲେ ମଧ୍ୟ ନିଜ ସଂଘୀୟ ଶକ୍ତିକୁ ଉପଯୋଗ କରିବାରେ ଲାଗିଛନ୍ତି ମନ୍ତ୍ରୀ ରବି ନାଏକ।
ଏହି ମନ୍ତ୍ରୀ ଦୁଇଜଣ ରାଜ୍ୟର ଶକ୍ତିଶାଳୀ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ସମର୍ଥକଭାବେ ଜଣାଶୁଣା। ତେଣୁ ଏହି ମନ୍ତ୍ରୀଦ୍ୱୟ ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କ ସାଙ୍ଗରେ ଯାଇ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସହ ନିଜ ପତିଆରା ବଢ଼ାଇବାରେ ଲାଗିଛନ୍ତି।
ଏହି ବ୍ୟକ୍ତିଗତ ଶକ୍ତି ଯୋଗାଡ଼ ସହ ରାଜ୍ୟ ନେତାଙ୍କ ଭିତରେ ଥିବା ପରସ୍ପର ବିରୋଧୀ ଲବିକୁ ମଧ୍ୟ ନେତାମାନେ ସୁଦୃଢ଼ କରିଥିବା ଜଣାଯାଏ। ସେଥିଲାଗି ବିଜେପି ସାଂସଦ ଅନନ୍ତ ନାୟକଙ୍କ ଘରେ ରାଜ୍ୟର ମନ୍ତ୍ରୀ ଓ ସାଂସଦମାନେ ଏକାଠି ହୋଇଥିଲେ। ଏହି ଆଲୋଚନା ସରିବା ପରେ ସଙ୍ଗୀତା ସିଂହଦେଓଙ୍କ ଘରେ ଭୋଜିଭାତ ହୋଇଥିଲା। ଏହି ଭୋଜିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଯୋଗ ଦେଇଥିଲେ। ଏହି ଭୋଜି ପରେ ମନ୍ତ୍ରିମଣ୍ଡଳ ଓ ରାଜ୍ୟ ନିଗମ ଓ ବୋର୍ଡ ଅଧ୍ୟକ୍ଷଙ୍କ ନାମକୁ ନିର୍ଣ୍ଣାୟକ ସ୍ତରକୁ ଆଣିବ ବୋଲି ଚର୍ଚ୍ଚା ହେଉଛି।
ଦିଲ୍ଲୀରେ ରାଜ୍ୟର ମନ୍ତ୍ରୀମାନଙ୍କ ଡେରା ପକାଇବା ଘଟଣାକୁ ରାଜ୍ୟର ବିଜେପି ନେତାମାନେ ଗ୍ରହଣ କରିପାରୁନାହାନ୍ତି। ନିଜ ବିଭାଗ ସମ୍ଭାଳିବାରେ ବିଫଳ ହୋଇଥିବା ଏହି ମନ୍ତ୍ରୀ ଦ୍ୱୟ କେନ୍ଦ୍ରମନ୍ତ୍ରୀଙ୍କ ଆଶିର୍ବାଦ ପାଇବା ପରେ ମନ୍ତ୍ରୀ ପଦ ସୁରକ୍ଷିତ ରଖୁଛନ୍ତି କି ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି କୁହାଯାଉଛି।
Also readhttps://purvapaksa.com/daughter-burns-worth-2-million/
