ମହାଭାରତର ଚରିତ୍ରମାନଙ୍କୁ ଓଡ଼ିଶା ଇତିହାସ ପୁଣି ଥରେ ଅନୁସରଣ କରୁଛି କି? କାରଣ ମହାଭାରତରେ ବିଦୁର ଏମିତି ଏକ ଚରିତ୍ର ଥିଲେ ଯିଏ ଧର୍ମ, ନୀତି ଓ ବିବେକର ପ୍ରତୀକ। ଧ୍ରୁତରାଷ୍ଟ୍ରଙ୍କ ଅନ୍ୟାୟ, ଦୁର୍ଯ୍ୟୋଧନଙ୍କ ଅହଂକାର ଓ ରାଜସଭାର ନୀରବ ସମର୍ଥନ-ଏ ସବୁକୁ ସହିନପାରି ବିଦୁର ରାଜ୍ୟ ଛାଡ଼ିଥିଲେ। ସେ ରହିଲେ ନାହିଁ, କାରଣ ସେ ଜାଣିଥିଲେ—ଯେଉଁ ରାଜ୍ୟରେ ନୀତିର ମୂଲ୍ୟ ନାହିଁ, ସେଠି ରହିବା ଅର୍ଥହୀନ।

ଆଜି ସେହି ଉପମା ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ଭିତରେ ଅସ୍ୱସ୍ଥ ଭାବରେ ମେଳ ଖାଉଛି। ଦଳର ସର୍ବୋଚ୍ଚ ନେତୃତ୍ୱରେ ଥିବା ନବୀନ ପଟ୍ଟନାୟକଙ୍କୁ ନେଇ ଧ୍ରୁତରାଷ୍ଟ୍ର ଉପମା ଆସୁଛି, ତାଙ୍କର “ମାନସ ପୁତ୍ର” ଭାବେ ଚିହ୍ନିତ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯାହାଙ୍କୁ ବିଜେଡିରେ ଦୁର୍ଯ୍ୟୋଧନ କୁଚହାଯାଉଛି। ଏହି ଦୁଇ ଚରିତ୍ରର ଛାୟାରେ ବିଜେଡିର ଅନେକ ବରିଷ୍ଠ, ଅନୁଭବୀ ଓ ନିର୍ବାଚନୀ ସଫଳ ନେତାଭାବେ ପ୍ରମାଣିତ ନେତାମାନେ ଆଜି ବିଦୁରଙ୍କ ପଥ ଧରି—ଦଳଠାରୁ ଧୀରେଧୀରେ ଦୂରେଇ ଯାଉଛନ୍ତି।
ବରିଷ୍ଠ ନେତାଙ୍କ ‘ବାନପ୍ରସ୍ଥ’: ଇଚ୍ଛାକୃତ ନିରବତା ନା ବାଧ୍ୟବାଧକତା?
ବିଜେଡି ଭିତରେ ଏକ ଅଜବ ଦୃଶ୍ୟ ଦେଖାଯାଉଛି। ଯେଉଁ ନେତାମାନେ ଦୀର୍ଘ ୨୮ ବର୍ଷ ଧରି ଦଳକୁ ଗଢ଼ିଛନ୍ତି, ନିର୍ବାଚନ ଜିତିଛନ୍ତି, ଶାସନ ଓ ବିରୋଧ—ଦୁଇ ପକ୍ଷର ରାଜନୀତି ଦେଖିଛନ୍ତି, ସେମାନେ ଆଜି ଦଳୀୟ କାର୍ଯ୍ୟକଳାପରେ ଅପ୍ରାସଙ୍ଗିକ। ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ—ଏହି ତିନିଜଣ ନେତାଙ୍କ ରାଜନୈତିକ ରେକର୍ଡ କୌଣସି ସାଧାରଣ କଥା ନୁହେଁ।
• ପ୍ରସନ୍ନ ଆଚାର୍ଯ୍ୟ: ୩ଥର ଲୋକସଭା, ଥରେ ରାଜ୍ୟସଭା, ୪ଥର ବିଧାନସଭା—ଏକ ଦୀର୍ଘ ଓ ସଫଳ ରାଜନୈତିକ ଯାତ୍ରା ରହିଛି।
• ରଣେନ୍ଦ୍ର ପ୍ରତାପ ସ୍ୱାଇଁ: କ୍ରମାଗତ ୮ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
• ଅରୁଣ କୁମାର ସାହୁ: ୨୦୦୪ରୁ ଲଗାତର ବିଧାନସଭାକୁ ନିର୍ବାଚିତ।
ତଥାପି ଆଜି ସେମାନେ ରାଜନୈତିକ “ବାନପ୍ରସ୍ଥ” ଜୀବନ ବିତାଉଛନ୍ତି। ଏହି ନେତାମାନେ ନ ଦଳ ଛାଡ଼ିଛନ୍ତି, ନ ଦଳ ତାଙ୍କୁ ବ୍ୟବହାର କରୁଛି।
ନବୀନଙ୍କ ଚଳଚଞ୍ଚଳତା: ଆତଙ୍କ ନା ଆତ୍ମସମୀକ୍ଷା?
୨୦୨୪ ନିର୍ବାଚନ ପରେ ବିଜେଡି ବିରୋଧୀ ଦଳର ଭୂମିକାକୁ ଆସିବା ସହ ନବୀନ ପଟ୍ଟନାୟକଙ୍କ ଚଳଚଞ୍ଚଳତା ହଠାତ୍ ବଢ଼ିଛି। କେବେ ବିଧାୟକମାନଙ୍କ ସହ ସିଧାସଳଖ ଆଲୋଚନା, କେବେ କନିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡାକ। ନବୀନ ନିବାସର ଡକରା ଆଜି ଦଳ ଭିତରେ ଏକ ନୂଆ “ପାୱର ସିଗ୍ନାଲ”। ଯେଉଁମାନେ ଡକରା ପାଉଛନ୍ତି, ସେମାନେ ଖୁସି; ଯେଉଁମାନେ ପାଉନାହାନ୍ତି, ସେମାନେ ନିରବ। କିନ୍ତୁ ଏହି ଡକରାରେ ଯେଉଁ ବରିଷ୍ଠ ନାଁଗୁଡ଼ିକ ନାହିଁ, ସେଗୁଡ଼ିକ ହିଁ ସବୁଠାରୁ ବେଶି କଥା କହୁଛି।
ସଞ୍ଜୟ ଦାସବର୍ମା–ପ୍ରତାପ ଜେନା ବୈଠକ: ଲକ୍ଷଣ କ’ଣ କୁହୁଛି?
)
ସମ୍ପ୍ରତି ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ପ୍ରମିଳା ମଲିକ ଓ ଦେବୀ ପ୍ରସାଦ ମିଶ୍ରଙ୍କ ସହ ନବୀନଙ୍କ ବୈଠକ ଦଳୀୟ ରାଜନୀତିରେ ଅନେକ ପ୍ରଶ୍ନ ଉଠାଇଛି। ନିଲମ୍ବିତ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ପ୍ରସଙ୍ଗରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ବିରୋଧରେ ପ୍ରତିକ୍ରିୟା ନ ଆସିବାକୁ ନେଇ ନବୀନଙ୍କ ପ୍ରଶ୍ନ—ଏହା ଦର୍ଶାଏ ଯେ ଦଳ ଭିତରେ ନିରବତାକୁ ନେଇ ମଧ୍ୟ ଭୟ ଜନ୍ମ ନେଉଛି।
ବିଧାନସଭାରେ ଯେଉଁମାନେ ଲଢ଼ୁଛନ୍ତି, ସେମାନେ କାହିଁକି ଲୋଡ଼ା ନୁହେଁ?
ବିଧାନସଭା ଆଲୋଚନାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ଯେଭଳି ଶାସକ ଦଳକୁ ଶାଣିତ ଢଙ୍ଗରେ ଟାର୍ଗେଟ କରୁଛନ୍ତି, ତାହାକୁ ଯୁବ ବିଧାୟକମାନେ ମଧ୍ୟ ମନୋଯୋଗ ଦେଉଛନ୍ତି। ତଥାପି, ଦଳୀୟ ନୀତି ନିର୍ଦ୍ଧାରଣ କିମ୍ବା ରଣନୀତିକ ବୈଠକରେ ସେମାନଙ୍କ ଅନୁପସ୍ଥିତି ଏକ ଗଭୀର ବିରୋଧାଭାସ। ଅନୁଭବକୁ ଅପେକ୍ଷା କରି, ଗୋଷ୍ଠୀନିଷ୍ଠାକୁ ପ୍ରାଧାନ୍ୟ—ଏହା କ’ଣ ଏକ ବିରୋଧୀ ଦଳ ପାଇଁ ସଠିକ୍ ମାର୍ଗ?
ପଶ୍ଚିମ ଓଡ଼ିଶା ଅସନ୍ତୋଷ: ନୂଆପଡ଼ା ଉପନିର୍ବାଚନ ଏକ ସଙ୍କେତ
ନୂଆପଡ଼ା ଉପନିର୍ବାଚନ ସମୟରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅନୁପସ୍ଥିତି କେବଳ ଏକ ଦୃଶ୍ୟ ନୁହେଁ, ଏହା ଏକ ସଙ୍କେତ। ଉପକୂଳ ଓଡ଼ିଶାର ଅନେକ ଅନୁଭବୀ ନେତା—ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର—ଦଳୀୟ କାର୍ଯ୍ୟରୁ ଧୀରେଧୀରେ ଅଦୃଶ୍ୟ। ଏହା କେବଳ ବ୍ୟକ୍ତିଗତ ଅସନ୍ତୋଷ ନୁହେଁ; ଏହା ଏକ ଆଞ୍ଚଳିକ ଅବହେଳାର ଭାବ।
ବିଜେଡି କେଉଁ ନେତାଙ୍କୁ ହରାଉଛି?
ବିଜେଡିର ଆଜିର ସବୁଠାରୁ ବଡ଼ ସଙ୍କଟ ହେଉଛି—ଅନୁଭବକୁ ଅଲୋଡ଼ା କରିବା। ମହାଭାରତ ଆମକୁ ଶିଖାଏ, ବିଦୁରଙ୍କୁ ହରାଇଲେ ରାଜ୍ୟ ବଞ୍ଚିପାରେ ନାହିଁ। ଧ୍ରୁତରାଷ୍ଟ୍ରଙ୍କ ଦୃଷ୍ଟିହୀନତା ଯେପରି କୌରବ ବଂଶର ଅନ୍ତ ନିଶ୍ଚିତ କରିଥିଲା, ସେହିପରି ଆଜି ଯଦି ବିଜେଡି ଅନୁଭବୀ ବିଦୁରରୁପକ ନେତାମାନଙ୍କୁ ଅଣଦେଖା କରିବ, ତେବେ ବିରୋଧୀ ଦଳ ଭାବେ ତାଙ୍କର ଭବିଷ୍ୟତ ଆଉ ଅଧିକ ଅନିଶ୍ଚିତ ହେବ।
ପ୍ରଶ୍ନ ଏହା ନୁହେଁ—ନବୀନ କାହାକୁ ଡାକୁଛନ୍ତି।
ପ୍ରଶ୍ନ ହେଉଛି—ନବୀନ କାହାକୁ ଶୁଣୁନାହାନ୍ତି।
ଯେଉଁ ଦଳ ନିଜ ବିଦୁରଙ୍କୁ ରଖିପାରେ ନାହିଁ, ସେ ଦଳ ଦିନେ ନା ଦିନେ ନିଜ ଧ୍ରୁତରାଷ୍ଟ୍ରତ୍ୱର ମୂଲ୍ୟ ଦେବ—ଇତିହାସ ଏହାର ସାକ୍ଷୀ।
also read https://purvapaksa.com/men-are-preparing-for-pregnancy/
Men are preparing for pregnancy ।। ପୁରୁଷମାନେ ମଧ୍ୟ ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେଉଛନ୍ତି ।


