ଓଡ଼ିଶାର ଗ୍ରାମୀଣ ଅର୍ଥନୀତିର ମୂଳ ଆଧାର ହେଉଛି କୃଷି । ଚାଷୀଙ୍କ କାମ ଓ ମାଟିର ସୁଗନ୍ଧରେ ଏହି ରାଜ୍ୟର ଖାଦ୍ୟ ସୁରକ୍ଷା ଓ ସାମାଜିକ ସ୍ଥିରତା ଗଢ଼ିଉଠିଛି। କିନ୍ତୁ ଯେତେବେଳେ ସରକାରୀ କ୍ରୟ ବ୍ୟବସ୍ଥା ନିଜେ ଚାଷୀଙ୍କ ଉପରେ ଭାର ହେଇଯାଏ, ସେତେବେଳେ ପ୍ରଶ୍ନ ଉଠେ— ଏହା କୃଷକ-ମିତ୍ର ସରକାର କି ମିଛୁଆ ସରକାର?
ସରକାରୀ ଘୋଷଣା ଅନୁଯାୟୀ, ଧାନ କ୍ରୟ କେନ୍ଦ୍ରଗୁଡ଼ିକରେ ମାତ୍ର ଦୁଇ ପ୍ରକାର ଧାନ— ସାଧାରଣ ଧାନ ଓ ଏଫଏକ୍ୟୁ ମାନର ଧାନ— କ୍ରୟ କରାଯିବ। ଏହି ଦୁଇ ଶ୍ରେଣୀ ବ୍ୟତୀତ ଅନ୍ୟ କୌଣସି ଆଧାରରେ କଟନୀଛଟନୀ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଥିଲେ। କିନ୍ତୁ ଭୂମିସ୍ତରର ଚିତ୍ର ଏହାର ସମ୍ପୂର୍ଣ୍ଣ ବିପରୀତ। ବିଭିନ୍ନ ଜିଲ୍ଲାରୁ ଆସୁଥିବା ରିପୋର୍ଟ ଦେଖାଉଛି ଯେ କ୍ୱିଣ୍ଟାଲ ପିଛା ୨ କେଜିରୁ ୧୫ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି । କେଉଁଠି ୩ କେଜି, କେଉଁଠି ୫ କେଜି, ଆଉ କେଉଁଠି ୧୦ କେଜିରୁ ଅଧିକ । ଏହା କେବଳ ଆକଡ଼ା ନୁହେଁ; ଏହା ଚାଷୀଙ୍କ ଦିନମଜୁରୀ ତାଙ୍କ ଋଣର ଭାର ତାଙ୍କ ସନ୍ତାନଙ୍କ ଶିକ୍ଷା ଓ ତାଙ୍କ ପରିବାରର ଭୋଜନ ସହ ଜଡ଼ିତ।

ଯେତେବେଳେ ଏକ କ୍ୱିଣ୍ଟାଲରେ ୧୦ କେଜି କଟାଯାଏ ସେତେବେଳେ ଏକ ଟନ୍ରେ ୧୦୦ କେଜିର କ୍ଷତି। ଯଦି ଗୋଟିଏ ଚାଷୀ ୫୦ କ୍ୱିଣ୍ଟାଲ ଧାନ ବିକ୍ରି କରନ୍ତି ଓ ପ୍ରତି କ୍ୱିଣ୍ଟାଲରେ ମାନ ହିସାବରେ ୫ କେଜି କଟାଯାଏ, ତେବେ ସେ ୨୫୦ କେଜି ଧାନର ମୂଲ୍ୟ ହରାଉଛନ୍ତି। ବର୍ତ୍ତମାନର ନ୍ୟୁନତମ ସମର୍ଥନ ମୂଲ୍ୟ ଅନୁଯାୟୀ ଏହା ହଜାର ହଜାର ଟଙ୍କାର କ୍ଷତି। ସରକାରୀ ନିର୍ଦ୍ଦେଶ ଓ ଭୂମିସ୍ତରର ନିଷ୍ପାଦନ ମଧ୍ୟରେ ଏତେ ମହାନ୍ତ ତଫାତ କାହିଁକି? ଏହା କି ପ୍ରଶାସନିକ ଅସମର୍ଥତା, ନା କୌଣସି ସଂଗଠିତ ଅନିୟମ? ଯଦି ସରକାର ଏଫଏକ୍ୟୁ ମାନକ ଛଡ଼ା ଅନ୍ୟ କୌଣସି କଟନୀ ନ କରିବାକୁ କହିଛନ୍ତି, ତେବେ ଜିଲ୍ଲା ଭିତ୍ତିକ ଏହି ଅସମାନ କଟା କିପରି ହେଉଛି?
ଏଠାରେ ଦୁଇଟି ପ୍ରଶ୍ନ ଉଠେ—
୧. କ୍ରୟ କେନ୍ଦ୍ରଗୁଡ଼ିକରେ କି ସ୍ପଷ୍ଟ ନିରୀକ୍ଷଣ ବ୍ୟବସ୍ଥା ନାହିଁ?
୨. କିମ୍ବା ନିରୀକ୍ଷଣ ଥିଲେ ମଧ୍ୟ ଏହାକୁ ଅନୁଦେଖ କରାଯାଉଛି?
ଏହି ଅସମାନତା ଚାଷୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରୁଛି। ଏକ ଜିଲ୍ଲାରେ ୩ କେଜି କଟାଯାଉଥିବାବେଳେ ଅନ୍ୟ ଜିଲ୍ଲାରେ ୧୦ କେଜି କାହିଁକି? ଏହା କି ମାନକର ତଫାତ, ନା କୌଣସି ଅନ୍ୟାୟର ପ୍ରତିଫଳ?
କୃଷି ଆଜି ମଧ୍ୟ ବହୁ ଚାଷୀଙ୍କ ପାଇଁ ଲାଭକାରୀ ନୁହେଁ। ଜମିର ଆକାର ଛୋଟ, ବର୍ଷା ଉପରେ ନିର୍ଭରଶୀଳତା, ସାର ଓ ବିଜର ମୂଲ୍ୟ ବୃଦ୍ଧି, ଶ୍ରମ ମୂଲ୍ୟ ବଢ଼ିବା— ଏସବୁ ମଧ୍ୟରେ ଚାଷୀ ନିଜ ଘର ଚାଲାନ୍ତି। ଏହା ସହିତ ଯଦି କ୍ରୟ କେନ୍ଦ୍ରରେ କଟନୀଛଟନୀ ହୋଇଥାଏ, ତେବେ ତାଙ୍କ ଆଶାର ଶେଷ ଭରସା ମଧ୍ୟ ଭାଙ୍ଗିଯାଏ।
ଏକ ଚାଷୀ ପାଇଁ ୫ କେଜି ଧାନ କେବଳ ଧାନ ନୁହେଁ— ସେହିଟା ତାଙ୍କ ଶିଶୁର ପୁସ୍ତକ, ତାଙ୍କ ଘରର ଔଷଧ, ତାଙ୍କ ଋଣର କିସ୍ତି। କଟନୀଛଟନୀର ଅଭିଯୋଗ ନୂଆ ନୁହେଁ। ପ୍ରତ୍ୟେକ ଧାନ କ୍ରୟ ଋତୁରେ ଏହି ଅଭିଯୋଗ ଆସେ। ତଥାପି ସ୍ଥାୟୀ ସମାଧାନ ଦେଖାଯାଉନାହିଁ। କେତେକ ସ୍ଥାନରେ ଅଭିଯୋଗ ହେଲେ ତଦନ୍ତ ହୁଏ, କେତେକ କର୍ମଚାରୀ ବଦଳି ହୁଅନ୍ତି, କିନ୍ତୁ ପ୍ରଣାଳୀର ପରିବର୍ତ୍ତନ ହୁଏନାହିଁ।
ଯଦି ସରକାର ସତରେ ଚାଷୀଙ୍କ ପକ୍ଷରେ ଅଛନ୍ତି, ତେବେ କିଛି ସ୍ପଷ୍ଟ ପଦକ୍ଷେପ ଆବଶ୍ୟକ—
• ପ୍ରତ୍ୟେକ କ୍ରୟ କେନ୍ଦ୍ରରେ ଡିଜିଟାଲ ଓଜନ ବ୍ୟବସ୍ଥାର ସଜୀବ ନିରୀକ୍ଷଣ।
• ଚାଷୀଙ୍କ ପାଇଁ ଅନଲାଇନ ଅଭିଯୋଗ ପ୍ରଣାଳୀ।
• ଜିଲ୍ଲା ଭିତ୍ତିକ କଟନୀ ତଥ୍ୟର ସାର୍ବଜନୀନ ପ୍ରକାଶ।
• ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ ଶାସ୍ତି।

“ମିଛୁଆ ସରକାର” କେବଳ ରାଜନୈତିକ ଶବ୍ଦ ନୁହେଁ; ଏହା ଚାଷୀଙ୍କ ମନର ଅସନ୍ତୋଷର ଅଭିବ୍ୟକ୍ତି। ଯେତେବେଳେ ଘୋଷଣା ଓ ପ୍ରକୃତିକ ଚିତ୍ର ମେଳ ଖାଉନାହିଁ, ସେତେବେଳେ ଲୋକମାନେ ଏହି ଶବ୍ଦ ବ୍ୟବହାର କରନ୍ତି। ସରକାର ଯଦି ଏହାକୁ ରାଜନୈତିକ ଆକ୍ରମଣ ଭାବେ ଦେଖି ଅନୁଦେଖ କରିଦିଅନ୍ତି, ତେବେ ଏହା ଆଗାମୀଦିନରେ ବଡ଼ ଅସନ୍ତୋଷର ରୂପ ନେବ। କିନ୍ତୁ ଯଦି ଏହାକୁ ଏକ ସତର୍କ ସଙ୍କେତ ଭାବେ ନେଇ ପ୍ରଣାଳୀ ସୁଧାର କରାଯାଏ, ତେବେ ଚାଷୀଙ୍କ ଭରସା ପୁନର୍ଥାପିତ ହେବ।
କୌଣସି ନୀତିର ସଫଳତା ତାହାର ଘୋଷଣାରେ ନୁହେଁ, ବରଂ ତାହାର ନିଷ୍ପାଦନରେ। ଧାନ କ୍ରୟ ବ୍ୟବସ୍ଥା ଚାଷୀଙ୍କ ପାଇଁ ଜୀବନରେଖା ସମାନ। ଯଦି ଏହି ବ୍ୟବସ୍ଥାରେ ଅନିୟମ ଚାଲିଥାଏ, ତେବେ ଏହା କୃଷି ଅର୍ଥନୀତିକୁ ଦୁର୍ବଳ କରିଦେବ। ଚାଷୀଙ୍କ ଆସ୍ଥା ହାରାଇବା ସରକାର ପାଇଁ ସବୁଠୁ ବଡ଼ ବିପଦ। ସେହିପରି ସରକାରଙ୍କୁ ଏବେ ସ୍ପଷ୍ଟ ଓ ଦୃଢ଼ ପଦକ୍ଷେପ ନେବାକୁ ହେବ। ନାହିଁହେଲେ “ମିଛୁଆ ସରକାର” ଭାବରେ ଲାଗିଥିବା ଟ୍ୟାଗ୍ କେବଳ ଶବ୍ଦ ରହିବ ନାହିଁ, ଏହା ଏକ ସାମାଜିକ ମନୋଭାବରେ ପରିଣତ ହେବ। ଚାଷୀଙ୍କ ଧାନର ମୂଲ୍ୟ ଦିଆଯାଉ— ଏହା କେବଳ ଆର୍ଥିକ ଦାବି ନୁହେଁ, ଏହା ନୈତିକ ଦାୟିତ୍ୱ।
also read https://purvapaksa.com/the-weather-is-changing-will-it-rain/
ବଦଳୁଛି ପାଗ ହେବକି ବାତ୍ୟା? || The weather is changing, will there be a storm?


