Olive Ridley : ଜେଡଏସଆଇର ପଶ୍ଚିମ ଆଞ୍ଚଳିକ କେନ୍ଦ୍ର ପୁଣେର ବରିଷ୍ଠ ବୈଜ୍ଞାନିକ ବାସୁଦେବ ତ୍ରିପାଠୀ କହିଛନ୍ତି ଯେ ଗହୀରମଥାରେ ଟ୍ୟାଗ୍ ହୋଇଥିବା ୧୦ଟି ଅଲିଭ୍ ରିଡଲେଙ୍କୁ ଦେଖିଲେ ପ୍ରମାଣିତ ହୁଏ ଯେ ମାଈ କଇଁଛମାନେ ପ୍ରାୟତଃ ସେହି ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଆସନ୍ତି ।
ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାରେ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଛି। ଗତ ୬ ଦିନ ହେଲା ନାସୀ-୨ ଏବଂ ୩୧ ବର୍ଷ ପରେ ଏକକୂଳା ନାସୀରେ ୪ଦିନ ହେଲା ଅଲିଭ୍ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ଜାରି ରହିଛି। ଗତ ୬ ଦିନ ଭିତରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩ ହଜାର ୪୨୬ ଏବଂ ଏକକୂଳା ନାସୀରେ ୨ ଲକ୍ଷ ୯୬ ହଜାର ୪୩୬ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବନ ବିଭାଗର ସୂଚନା ମୁତାବକ ନାସୀ-୨ରେ ଗତ ୫ ତାରିଖ ୭୮ ହଜାର ୭୪୩ କଇଁଛ ଅଣ୍ଡାଦାନରେ ସାମିଲ ହୋଇଥିଲେ। ସେହିପରି ଗତ ୬ ତାରିଖ ୧ ଲକ୍ଷ ୧୪ ହଜାର ୨, ୭ ତାରିଖ ୭୧ ହଜାର ୯୧୨, ୮ ତାରିଖ ୩୧ ହଜାର ୭୭୯ କଇଁଛ ଅଣ୍ଡାଦାନ କରିଛନ୍ତି।
ଏକକୂଳା ନାସୀରେ ଗତକାଲି ସୁଦ୍ଧା ୫ ଲକ୍ଷ ୪୯ ହଜାର ୮୬୨ କଇଁଛ ଅଣ୍ଡାଦାନ କରିସାରିଛନ୍ତି। ମା’ କଇଁଛ ବେଳାଭୂମିର ନରମ ବାଲିରେ ପଛପଟ ଗୋଡ଼ରେ ୧ ଫୁଟରୁ ଦେଢ଼ ଫୁଟ ଗାତ ଖୋଳିବା ପରେ ପ୍ରାୟ ୧୦୦ଟି ଅଣ୍ଡା ଦେଉଛନ୍ତି। ଏହି ଅଣ୍ଡାର ଆକାର ପିଙ୍ଗପିଙ୍ଗ ବଲ୍ ଓ ଖୋଳପା ନମନୀୟ ଥିବାରୁ ତାହା ଫାଟିନଥାଏ। ଅଣ୍ଡା ଦେବା ପରେ ମା’ କଇଁଛ ଗାତକୁ ବାଲି ଘୋଡ଼ାଇ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟ ଉତ୍ତାପରେ ୪୫ ରୁ ୬୦ ଦିନ ଉଷୁମ ହୋଇ ଅଣ୍ଡାଗୁଡ଼ିକରୁ କଇଁଛ ଶାବକ ବାହାରିଥା’ନ୍ତି।
୨୦୨୧ ମାର୍ଚ୍ଚ ମାସରେ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡ୍ଏସଆଇ) ପକ୍ଷରୁ ଚିହ୍ନଟ ହୋଇଥିବା ୧୦ଟି ମାଈ ଅଲିଭ୍ ରିଡଲେ କଇଁଛ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ନାସୀ-୧ ଓ ନାସୀ-୨ ଦ୍ୱୀପରେ ଥିବା ସମୁଦ୍ର କୂଳରେ ଅଣ୍ଡା ଦେବା ପାଇଁ ଫେରିଛନ୍ତି। ଗହୀରମଥା ରେଞ୍ଜ ଅଫିସର ମାନସ ଦାସ କହିଛନ୍ତି ଯେ ଚଳିତ ବର୍ଷ ବନ କର୍ମଚାରୀମାନେ ନାସୀ-୧ ଓ ନାସୀ-୨ ଦ୍ୱୀପରେ ୧୦ଟି ମାଈ କଇଁଛଙ୍କୁ ଧାତବ ଟ୍ୟାଗ୍ ଥିବା ଦେଖିବାକୁ ପାଇଥିଲେ।
୨୦୨୧ରେ ଏହି ଟ୍ୟାଗ୍ ଲଗାଯାଇଥିଲା। ଜେଡଏସଆଇର ପଶ୍ଚିମ ଆଞ୍ଚଳିକ କେନ୍ଦ୍ର ପୁଣେର ବରିଷ୍ଠ ବୈଜ୍ଞାନିକ ବାସୁଦେବ ତ୍ରିପାଠୀ କହିଛନ୍ତି ଯେ ଗହୀରମଥାରେ ଟ୍ୟାଗ୍ ହୋଇଥିବା ୧୦ଟି ଅଲିଭ୍ ରିଡଲେଙ୍କୁ ଦେଖିଲେ ପ୍ରମାଣିତ ହୁଏ ଯେ ମାଈ କଇଁଛମାନେ ପ୍ରାୟତଃ ସେହି ବେଳାଭୂମିକୁ ଅଣ୍ଡା ଦେବା ପାଇଁ ଆସନ୍ତି । ପୂର୍ବ ଗବେଷଣାରୁ ଜଣାପଡିଛି ଯେ ମାଈ ଅଲିଭ୍ ରିଡଲେ କଇଁଛମାନେ ଦଶନ୍ଧି ପୂର୍ବେ ଜନ୍ମ ହୋଇଥିବା ସମୁଦ୍ର କୂଳରେ ଅଣ୍ଡା ଦିଅନ୍ତି । “କଇଁଛମାନଙ୍କୁ ଟ୍ୟାଗ୍ କରିବା ଦ୍ୱାରା ଆମେ ସେମାନଙ୍କ ପ୍ରଜନନ ଆଚରଣ, ସ୍ଥାନାନ୍ତର ପଦ୍ଧତି ଏବଂ ଅଭିବୃଦ୍ଧି ହାର ଟ୍ରାକ୍ କରିବାରେ ସାହାଯ୍ୟ କରିଥାଉ ।
ଏହା ସେମାନଙ୍କ ଗତିବିଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ କଇଁଛ ସଂଖ୍ୟା ମଧ୍ୟରେ ଆନ୍ତଃସମ୍ପର୍କ ସ୍ଥାପନ କରିବାରେ ସହାୟକ ହୋଇଥାଏ, ଯାହା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତାୟାତ କରିଥାଏ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
୨୦୨୧ ମସିହାରେ ଆରିବାଡ ସମୟରେ ଜେଡଏସଆଇ ଋଷିକୂଲ୍ୟା ଓ ଗହୀରମଥାରେ ପ୍ରାୟ ୩ ହଜାର କଇଁଛଙ୍କୁ ଟ୍ୟାଗ୍ କରି କଇଁଛଙ୍କ ଠାରୁ ଟ୍ୟାଗ୍ ନ ହଟାଇବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ତ୍ରିପାଠୀ କହିଛନ୍ତି, ଟ୍ୟାଗ୍ ହଟାଇବା ଦ୍ୱାରା କେବଳ କଇଁଛଙ୍କୁ ଯନ୍ତ୍ରଣା ହୁଏ ନାହିଁ ବରଂ ମୂଲ୍ୟବାନ ଗବେଷଣା ତଥ୍ୟ ମଧ୍ୟ ନଷ୍ଟ ହୋଇଥାଏ।
previous article:https://purvapaksa.com/tdp-mp-appala-naidu-promises-%e2%82%b950000-fixed-deposit-for-third-girl-child/
ତୃତୀୟ କନ୍ୟା ସନ୍ତାନ ପାଇଁ ୫୦ ହଜାର ଟଙ୍କା ଦେବେ ଟିଡ଼ିପି ସାଂସଦ ଆପ୍ପାଲା ନାଇଡୁ


