ଓଡ଼ିଆ ଏକ ଜୀବନ୍ତ, ଶାସ୍ତ୍ରୀୟ ଇଣ୍ଡୋ-ଆର୍ଯ୍ୟ ଭାଷା। ଏହାର ଏକ ଗଭୀର ସାହିତ୍ୟିକ ଐତିହ୍ୟ ରହିଛି। ଓଡିଶାର ଜନସଂଖ୍ୟା ଯେତିକି ପ୍ରାୟ ସେତିକି ଲୋକ ଓଡିଆ କହିଥାନ୍ତି।ଏହା ଭାରତର ସରକାରୀ ଭାଷା ମଧ୍ୟରୁ ଅନ୍ୟତମ।ଓଡିଆ ପୁଣି ଭାରତର ଶାସ୍ତ୍ରୀୟ ଭାଷା ଭିତରୁ ଗୋଟିଏ।ତଥାପି, ଓଡ଼ିଆ ଭାଷା କ୍ଷେତ୍ରରେ ବେଶ କିଛି ଆହ୍ୱାନ ରହିଛି – ବିଶେଷ କରି ଏହାର ବିକାଶ ଓ ବ୍ୟବହାରକୁ ନେଇ ।
ଉନବିଂଶ ଶତାବ୍ଦୀର ବଙ୍ଗଳା ବିଦ୍ୱାନମାନେ କହିଲେ ଯେ ଓଡ଼ିଆ ଏକ ପୃଥକ ଭାଷା ନୁହେଁ, ବଙ୍ଗଳାର ଏହା ଏକ ଉପଭାଷା। ପଣ୍ଡିତ କାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟ ଏକ ପୁସ୍ତିକା ପ୍ରକାଶ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଓଡ଼ିଆ ବଙ୍ଗଳାର ଏକ ଭ୍ରଷ୍ଟ ବା ଦୂଷିତ ଭାଷା। ଓଡ଼ିଆ ଭାଷାଭାଷୀମାନଙ୍କୁ ସରକାରୀ ଚାକିରି ସୁଯୋଗରୁ ବଞ୍ଚିତ କରିବାରେ ସେତେବେଳେ ଏହି ମନ୍ତବ୍ୟ ସାଂଘାତିକ ଭୂମିକା ଗ୍ରହଣ କରିଥିଲା। ଭଟ୍ଟାଚାର୍ୟଙ୍କ ଏହି ଦାବି ପଛରେ କୌଣସି ବାସ୍ତବ ପ୍ରମାଣ ନଥିଲା, ଥିଲା କେବଳ ଭାଷାଗତ ଏବଂ ରାଜନୈତିକ ଦ୍ଵେଷଭାବ ।
ଓଡ଼ିଆର ନିଜର ସ୍ୱତନ୍ତ୍ର ଇତିହାସ ରହିଛି, ଏହା ଓଡ୍ର ପ୍ରାକୃତରୁ ବିକଶିତ ହୋଇଛି ଏବଂ ଏହାର ଏକ ଅନନ୍ୟ ଧ୍ଵନ୍ୟାତ୍ମକ ଏବଂ ରୂପାତ୍ମକ ପରିଚୟ ରହିଆସିଛି। ଓଡିଆ ଭାଷାର ସେହି ନୀଚ ବର୍ଗୀକରଣ ଏବେ ଭୁଲ ପ୍ରମାଣିତ ହୋଇଛି। ଦୀର୍ଘ ୧୫୦୦ ବର୍ଷର ଏକ ସମୃଦ୍ଧ ସାହିତ୍ୟିକ ଇତିହାସ ଥିବା ହେତୁ ୨୦୧୪ରେ ଓଡ଼ିଆକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦିଆଯାଇଛି।
ଏକ ସମୃଦ୍ଧ ସାହିତ୍ୟିକ ବିଭବକୁ ନେଇ ଓଡ଼ିଆ ଭାଷା ଗର୍ବ କରେ ଯାହା ୧୦ମ ଶତାବ୍ଦୀରେ ଆରମ୍ଭ ହୋଇଥିଲା। ଦ୍ରାବିଡ଼ ଭାଷା, ଆରବୀ, ପାର୍ସୀ, ଇଂରାଜୀ ଏବଂ ଅନ୍ୟାନ୍ୟ ଭାଷା ଦ୍ୱାରା ଓଡ଼ିଆ ପ୍ରଭାବିତ ହୋଇଥିବା ଯେତିକି ସତ ତାହା ଦ୍ଵାରା ଏହାର ଶବ୍ଦ ଭଣ୍ଡାର ସମୃଦ୍ଧ ହେବା ବି ସେତିକି ସତ। ତେବେ ଓଡ଼ିଆର ଭାଷାଗତ ଶୁଦ୍ଧତା ଉପରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇ ଆସିଛି। ବାହ୍ୟ ପ୍ରଭାବ ଓଡ଼ିଆ ଭାଷାର ଅନନ୍ୟ ପରିଚୟକୁ ଦୁର୍ବଳ କରୁଛି ବୋଲି କିଛି ଶୁଦ୍ଧବାଦୀଙ୍କ ଯୁକ୍ତି।
ତେବେ, ଅନ୍ୟ ଭାଷାରୁ ଋଣ ଆଣିବା ଭାଷା ବିବର୍ତ୍ତନର ଏକ ସ୍ୱାଭାବିକ ପ୍ରକ୍ରିୟା। ଦେଖିବାକୁ ଗଲେ, ଅନ୍ୟ ଇଣ୍ଡୋ-ଆର୍ଯ୍ୟ ଭାଷା ତୁଳନାରେ ଓଡ଼ିଆ ଭାଷା ଆରବୀ ଏବଂ ପାର୍ସୀ ଭାଷାର ପ୍ରଭାବକୁ ପ୍ରତିରୋଧ କରିବାରେ ସଫଳ ହୋଇଛି। ଅଧିକନ୍ତୁ, ଭାରତୀୟ ଦାର୍ଶନିକ ଏବଂ ଆଞ୍ଚଳିକ ପରମ୍ପରା ସହିତ ଏହାର ସମ୍ପର୍କ ବି ବଜାୟ ରହିଆସିଛି।
ଓଡ଼ିଆରେ ମୋଗଲବନ୍ଦୀ (ଉପକୂଳ ଓଡ଼ିଆ), ବାଲେଶ୍ୱରୀ, କଟକୀ, ଗଞ୍ଜାମ, ସୁନ୍ଦରଗଡ଼ି ଏବଂ ସମ୍ବଲପୁରି ସମେତ ଅନେକ ଉପଭାଷା ରହିଛି, ଯାହା ପ୍ରତ୍ୟେକ ଆଞ୍ଚଳିକ ପାର୍ଥକ୍ୟକୁ ଦର୍ଶାଉଛି। ଶିକ୍ଷା ଏବଂ ସାହିତ୍ୟ ପାଇଁ ମାନକ ଭାଷା ଭାବରେ ମୋଗଲବନ୍ଦୀ କାର୍ଯ୍ୟ କରୁଥିବାବେଳେ, ଅନ୍ୟ ଉପଭାଷାଗୁଡ଼ିକୁ ଆନୁଷ୍ଠାନିକ ପୃଷ୍ଠଭୂମିରେ “ଅଣମାନ୍ୟ” ବା ମାନକୋତ୍ତର ବୋଲି ବିବେଚନା କରାଯାଏ। ଉପଭାଷାର ଏହି ବିବିଧତା ଆମର ସାଂସ୍କୃତିକ ସମ୍ପଦ ହୋଇଥିବା ସତ୍ତ୍ୱେ, ବିଭିନ୍ନ ଅଞ୍ଚଳରେ ଶିକ୍ଷା ଏବଂ ଗଣମାଧ୍ୟମର ମାନକୀକରଣରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ ବୋଲି ଯୁକ୍ତି କରାଯାଏ।
ସମସାମୟିକ ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ , ବିଶେଷ କରି ପ୍ରବନ୍ଧ ଏବଂ ବିଶ୍ଳେଷଣ ଭଳି ନୂତନ ପ୍ରାରୂପରେ , “ଅଣମାନ୍ୟ” ବା ନନ-ଷ୍ଟାଣ୍ଡାର୍ଡ ଉପାଦାନ କିଛି ମାତ୍ରାରେ ରହିଥିବାରୁ ଇଂରାଜୀ-ପ୍ରଭାବିତ ସାହିତ୍ୟଠାରୁ ଆମେ ପଛରେ ରହିଛୁ। ଏହି ଅଭାବବୋଧ ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ଶିକ୍ଷା ସମ୍ବଳ କ୍ଷେତ୍ରରେ ଅଧିକ ନିବେଶର ଆବଶ୍ୟକତାକୁ ଦର୍ଶାଉଛି। କହିବା ବାହୁଲ୍ୟ, ଓଡ଼ିଆରେ ଆଧୁନିକ ଶିକ୍ଷା ସମ୍ବଳର ଉପଲବ୍ଧି ଭୀଷଣ ମାତ୍ରାରେ ସୀମିତ।
ଏହି ‘ଅବିକଶିତ’ ସ୍ଥିତି ଯୋଗୁଁ ହିଁ ଜାତୀୟ କିମ୍ବା ବୈଶ୍ୱିକ ପୃଷ୍ଠଭୂମିରେ , ହିନ୍ଦୀ ଓ ଇଂରାଜୀ ଭଳି ବ୍ୟାପକ ଭାବେ କୁହାଯାଉଥିବା ଭାଷା ତୁଳନାରେ, ଓଡ଼ିଆକୁ ଉପଯୁକ୍ତ ମାନ୍ୟତା ମିଳିବା ସଂଭବ ହେଉନାହିଁ। ଓଡ଼ିଶା ବାହାରେ ଉଚ୍ଚ ଶିକ୍ଷା ଏବଂ ବୃତ୍ତିଗତ କ୍ଷେତ୍ରରେ ଏହା ବାସ୍ତବ ସମସ୍ୟା ସୃଷ୍ଟି କରୁଛି। କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଓଡିଆ ଭାଷା ‘କାମକୁ ନୁହେଁ’ ଏହି ଧାରଣା ବି ସୃଷ୍ଟି ହେଉଛି ।
ଏଣୁ, ଓଡ଼ିଆ ଭାଷାକୁ ବିଶ୍ଵ ଦରବାରରେ ଠିଆ କରିବାକୁ ହେଲେ ଆମକୁ ବହୁତ ବାଟ ଯିବାକୁ ହେବ।ଡିଜିଟାଲ ପ୍ରତିନିଧିତ୍ୱ ଏବଂ ମାନକୀକରଣ ହେଉଛି ବର୍ତ୍ତମାନ ସମୟର ପ୍ରକୃତ ଆହ୍ୱାନ। ସଠିକ୍ ନୀତି, ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷାଦାନ ଦ୍ଵାରା ଏଗୁଡ଼ିକର ମୁକାବିଲା କରାଯାଇପାରିବ।
ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ସମୟରେ ଓଡ଼ିଶା ସରକାର ଯୋଜନାମାନ ପ୍ରସ୍ତୁତ କରିଛନ୍ତି – ଯେପରିକି ଓଡ଼ିଆ ଭାଷାରେ ବ୍ୟାନର ଏବଂ ନାମଫଳକ ରହିବା ଏବେ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏହି ନିୟମାବଳୀର କାର୍ଯକାରିତା ଦୁଃଖଦ ଭାବରେ ବିଫଳ ହୋଇ ଆସିଛି । ସରକାରୀ ଏବଂ ବ୍ୟବସାୟିକ ସଂସ୍ଥାରେ ଇଂରାଜୀ ଭାଷାର ଆଦର ଓ ବ୍ୟବହାର ଏବେ ବି ରହିଛି । ୨୦୧୯ର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସରକାରୀ ବିଭାଗଗୁଡ଼ିକ ହିଁ ଓଡ଼ିଆ ଭାଷାର ସାମାଜିକ ଗୁରୁତ୍ୱ ଏବଂ ସରକାରୀ ଉପଯୋଗିତାକୁ ଦୁର୍ବଳ କରି ଚାଲିଛନ୍ତି।ବଡ ସହରମାନଙ୍କରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଆଦୌ ସନ୍ତୋଷଜନକ ନୁହେଁ।
ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା ହେଉଛି ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ପାଇଁ ପ୍ରତିନିଧିତ୍ୱର ଅଭାବ। ଉଦାହରଣ ସ୍ୱରୂପ, 2024ରେ ଗୁଗୁଲ୍ ଅନୁବାଦକ ଗୋଷ୍ଠୀର ଜଣେ ପ୍ରଶ୍ନ କରିଥିଲେ ଯେ ଓଡ଼ିଆରେ ଗୁଗୁଲ୍ ସେବା କାହିଁକି ଉପଲବ୍ଧ ନାହିଁ? ନିଃସନ୍ଦେହ, ଓଡିଆ ଭାଷାର ବୈଷୟିକ କ୍ଷେତ୍ରରେ ଏକ ବଡ଼ ବ୍ୟବଧାନ ରହିଛି।
ଅନ୍ୟ ଅର୍ଥରେ, ସଫ୍ଟୱେର୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ୍ ଏବଂ ଅନଲାଇନ୍ ବିଷୟବସ୍ତୁରେ ଓଡ଼ିଆ ପାଠକଙ୍କ ପାଇଁ ଅନେକ ପ୍ରତିବନ୍ଧକ ରହିଛି।ଏଣୁ ଡିଜିଟାଲ୍ ଦକ୍ଷତା ହାସଲ କରିବା ନିତାନ୍ତ ଜରୁରୀ।ଯଦିଓ କିଛି ଡିଜିଟାଲ ଉପକରଣ ଓଡ଼ିଆରେ ରହିଛି (ଯେପରିକି ଗୁଗୁଲ୍ ଅନୁବାଦ), ହିନ୍ଦୀ କିମ୍ବା ବଙ୍ଗଳା ତୁଳନାରେ ଏହି ଏକୀକରଣର ସ୍ତର ଖୁବ କମ୍ ।
ଅନ୍ୟ ସମସ୍ୟାଟି ହେଉଛି, ଓଡ଼ିଆ ଭାଷାର ସାମାଜିକ ବ୍ୟବହାର ବା ପ୍ରୟୋଗ। ଓଡ଼ିଶା ଭିତରେ ଓ ବାହାରେ ଓଡ଼ିଆ ଭାଷାର ବ୍ୟବହାର, ସଂରକ୍ଷଣ ଏବଂ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ ଉପରେ ବି ଧ୍ୟାନ ଦିଆଯିବା ଦରକାର। ସହରାଞ୍ଚଳ ଓଡ଼ିଶାରେ ଏବଂ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଶିକ୍ଷା, ବ୍ୟବସାୟ ଏବଂ ସାମାଜିକ କଥୋପକୋଥନରେ ଇଂରାଜୀ କିମ୍ବା ହିନ୍ଦୀର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ନିଜ ଭାଷାରେ କଥା ହେବାର ଗୌରବ ହିଁ କିଛି ଅଲଗା।
ଜଗତୀକରଣ ଦ୍ୱାରା ପ୍ରେରିତ ଓଡ଼ିଆ ଭାଷାର ବର୍ତ୍ତମାନ ସ୍ଥିତି ଯାହା ସେଥିରେ ଓଡ଼ିଆ ଭାଷା ପାର୍ଶ୍ୱକୁ ଠେଲି ହୋଇ ଯିବାର ଆଶଙ୍କା ରହିଛି , ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ। ଉଦାହରଣ ସ୍ୱରୂପ, ସହରର ଅନେକ ଯୁବ ଓଡ଼ିଆ ନିଜ ନିଜ ବୃତ୍ତି ପାଇଁ କିମ୍ବା ସୋସିଆଲ ମିଡିଆରେ ରହିବା ବେଳେ ଇଂରାଜୀ ଯୋଗାଯୋଗରେ ଅଧିକ ସକ୍ଷମ ଓ ସହଜ ଅନୁଭବ କରନ୍ତି।ଏହା ଓଡ଼ିଆ ଭାଷାର ଦୈନନ୍ଦିନ ବ୍ୟବହାରରେ ହ୍ରାସର ମୁଖ୍ୟ କାରଣ ହୋଇଛି।
କେତେକ ଓଡ଼ିଆ ଭାଷାଭାଷୀଙ୍କ କହିବା କଥା ଯେ ହିନ୍ଦୀ , ବଙ୍ଗଳା କିମ୍ବା ତାମିଲ ଭଳି ଅନ୍ୟ ଆଞ୍ଚଳିକ ଭାଷା ତୁଳନାରେ ଓଡ଼ିଆ ଭାଷାକୁ ଉପଯୁକ୍ତ ସମ୍ମାନ ମିଳୁନାହିଁ। ଏହା ଆମ ସାଂସ୍କୃତିକ ଗୌରବକୁ କେବଳ ଆଘାତ ଦେଉଛି ତାହାନୁହେଁ ଜାତୀୟ ଆଲୋଚନାରେ ଓଡ଼ିଆଙ୍କୁ ଅଣଦେଖା କରାଯାଉଥିବାର ଏକ ଧାରଣା ବି ମନରେ ଜନ୍ମ ନେଉଛି। ଏଭଳି ଅବହେଳାର ଭାବନା ଯୋଗୁଁ ଲୋକମାନେ ଓଡ଼ିଆ ଭାଷାର ବ୍ୟବହାର ଓ ପ୍ରଚାର କରିବାରେ ପଶ୍ଚାତପଦ ହୋଇଥାନ୍ତି।
ଗ୍ରାମାଞ୍ଚଳରେ ଅନେକ ବିଦ୍ୟାଳୟରେ ଯଦିଓ ଓଡ଼ିଆ ହେଉଛି ଶିକ୍ଷାଦାନର ମୁଖ୍ୟ ଭାଷା, ଓଡ଼ିଆରେ ଆଧୁନିକ ଶିକ୍ଷା ସାମଗ୍ରୀର ଗୁଣବତ୍ତା ଏବଂ ଉପସ୍ଥିତି (ଯେପରିକି ଷ୍ଟେମ ପାଠ୍ୟପୁସ୍ତକ ଏବଂ ଡିଜିଟାଲ ଶିକ୍ଷଣ ଉପକରଣ) ଇଂରାଜୀ କିମ୍ବା ହିନ୍ଦୀ ଭଳି ଏତେ ସୁଦୃଢ ନୁହେଁ।ନିକଟରେ ପ୍ଲସ ୨ ସ୍ତରରେ ବିଜ୍ଞାନ ଛାତ୍ରଛାତ୍ରୀ ଓଡ଼ିଆରେ ପଢିବା ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ପାଠ୍ୟ ପୁସ୍ତକ ପ୍ରସ୍ତୁତ ହୋଇଛି।
ଓଡିଆରେ ପାଠ୍ୟ ଉପକରଣର ଅଭାବ କାରଣରୁ ଏହା ଏକ ସାମାଜିକ ବ୍ୟବଧାନ ବି ସୃଷ୍ଟି କରୁଛି। ଗ୍ରାମୀଣ ଓଡ଼ିଆ ଛାତ୍ରଛାତ୍ରୀ ଅନୁଭବ କରୁଛନ୍ତି ଯେ ଉଚ୍ଚ ଶିକ୍ଷା କିମ୍ବା ପ୍ରତିଦ୍ୱନ୍ଦ୍ୱିତାମୂଳକ ଚାକିରି ପାଇଁ ଓଡ଼ିଆ ଠିକ ମାଧ୍ୟମ ନୁହେଁ। ସୁତରାଂ ଅନ୍ୟ ଭାଷାକୁ ସେମାନେ ଆଦରି ନେଉଛନ୍ତି।ଅବଶ୍ୟ ଇଂରାଜୀ କିମ୍ବା ହିନ୍ଦୀକୁ ପସନ୍ଦ କରିବାର ପ୍ରବୃତ୍ତି ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ଜନିତ ଇଚ୍ଛା ଓ ଲାଳସାରୁ ବି ଆସିଥାଏ। ଅବଶ୍ୟ ଏହା ସବୁ ଭାଷାଭାଷୀ ରାଜ୍ୟରେ ରହିଛି, ଓଡିଶାରେ ମଧ୍ୟ।
୨୦୧୪ ରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ ଏବଂ ଅନ୍ୟାନ୍ୟ ସରକାରୀ ନୀତି ଓ ପ୍ରୋତ୍ସାହନ ଓଡ଼ିଆ ଭାଷାର ସ୍ଥିତିକୁ ସୁଦୃଢ କରିବାରେ ନିଶ୍ଚିତ ଭାବରେ ସହାୟକ ହେଉଛି । କିନ୍ତୁ ଏହା ଆହୁରି ଅଧିକ ସମୃଦ୍ଧ ହେବ ଯେତେବେଳେ ସାଧାରଣ ପାଠୁଆ ଲୋକେ ଓଡ଼ିଆ ଭାଷାର ବ୍ୟବହାରରେ ଅଧିକ ଅଂଶଗ୍ରହଣ କରିବେ। ଉନ୍ନତ ଡିଜିଟାଲ୍ ବ୍ୟବସ୍ଥା ସହିତ ଶିକ୍ଷାର ମାଧ୍ୟମରେ ବାସ୍ତବ ପରିବର୍ତ୍ତନ ଆସିଲେ ଅନେକ କଥା ସମ୍ଭବ ହୋଇ ପାରିବ। ଡିଜିଟାଲ୍ ସମାବେଶିତା ବା ଅନ୍ତର୍ଭୂକ୍ତିକରଣକୁ ଉତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି।
ବିଭିନ୍ନ ସ୍ତରରେ ସାହିତ୍ୟ ମହୋତ୍ସବ ଆୟୋଜନ , ସରକାରୀ ଉଦ୍ୟମରେ ବ୍ୟାପକ ଓଡ଼ିଆ ପୁସ୍ତକ ପ୍ରକାଶନ ଓ ତାହାର ସମୁଚିତ ବଣ୍ଟନ ତଥା ଓଡ଼ିଆ ଗୌରବ ଏବଂ ଅସ୍ମିତାକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ ଗଣମାଧ୍ୟମ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଓଡ଼ିଆ ଭାଷାର ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ।
ALSO READ https://purvapaksa.com/union-cabinet-approves-2-semiconductor-units-in-odisha/
